ସେଦିନ ସନ୍ଧ୍ୟାରେ ରିଜୋର୍ଟ ଲେକ୍-ଭିଉରେ ସାଙ୍ଗମାନଙ୍କର ଗେଟଟୁଗେଦର ଥାଏ । ଭୁବନେଶ୍ୱରରୁ ଚିଲିକା ଗାଡ଼଼ି ଚଲେଇ ଆସିଛନ୍ତି । ଏତେ ଦିନକେ ଆଜି ମିଶିଛନ୍ତି ସବୁ ସାଙ୍ଗ । ଆଜି ନହେଲେ ଛୁଟିରେ ପ୍ଲାନ ହୁଏ ହେଲେ କେବେ ସେମାନେ ଭେଟି ପାରନ୍ତି ନାହିଁ । କେବେ କାହାକୁ ଛୁଟି ମିଳେନି ତ କେବେ କୋଉ ସମ୍ପର୍କୀୟଙ୍କ ବାହାଘର । ଯେତେ ଚେଷ୍ଟା କଲେ ବି ଏମିତି ସନ୍ଧ୍ୟାଟିଏ ନିଜ ପାଇଁ ସେମାନେ ଖୋଜି ପରି ନଥିଲେ । ଆଜି ଯା ହଉ ଆଜି ମିଳି ଯାଇଛି ଏମିତି କିଛି ମୁହୂର୍ତ୍ତ । ସାଙ୍ଗମାନେ ହୋହଲ୍ଲା କରି ଫଟେଇ ଦେଉଛନ୍ତି ଲେକ୍-ଭିଉ ରିଜୋର୍ଟର ଲାଉଞ୍ଜ ।
ଗପର ଆସର ଜମି ଯାଇଛି । ଖିଆ ପିଆପିଇ ବି ଚାଲିଛି । ଦେଖୁଦେଖୁ ସନ୍ଧ୍ୟା ଯାଇ ରାତି ମାଡ଼ି ଆସୁଛି । ସବୁ ନିଜର ଭଲମନ୍ଦ ସୁଖଦୁଃଖ ବଖାଣୁଥାନ୍ତି । ଭଲ ଭଲ ଚାକିରୀରେ ଅଛନ୍ତି ସମସ୍ତେ । ବାହାରେ ରହୁଛନ୍ତି । କିଏ ଦିଲ୍ଲୀ କିଏ ବମ୍ବେ ଆଉ କିଏ ବାଙ୍ଗାଲୋର । କିଏ ଆଇଟି ଇଞ୍ଜିନିଅର ତ କିଏ ପ୍ରାଇଭେଟ ବ୍ୟାଙ୍କରେ ମ୍ୟାନେଜର । ପୁଳାଏ ପଇସା । ଯିଏ ଦେଖିବ କହିବି ଏଇମାନେ ହିଁ ସୁଖୀ ।
ତେବେ ସମୟ ବଢ଼ିବା ସହିତ ଗପସପ ଆଉରି ଗଭୀରକୁ ଗଲା । ଧୀରେ ଧୀରେ ଭିତର କଥା ସବୁ ବାହାରିଲା ସକାଳୁ ସନ୍ଧ୍ୟା ଗଧ ଖଟଣି । ଉପରୁ ପୁଣି ବସର ନାଲି ଆଖି । ପରିବାର ସହିତ ସମୟ ବିତେଇବା ଯେମିତି ସ୍ବପ୍ନ । ପ୍ରତି ବର୍ଷ ଯୋଉ କିଛିଦିନ ହଲି ଡେ-ଟ୍ରିପରେ ଯାଇପାରୁଛନ୍ତି ସେଇଟା ହିଁ ବଡ଼଼ କଥା । ଜୀବନ ଯାହା ମାଟି ହେଇଗଲାଣି ।
ଗ୍ଲାସକୁ ଟେବୁଲ ଉପରେ ରଖିଦେଇ କହିଲା ନିଶିଥ- “ନା । ଆଉ ନୁହେଁ । ଏଇ ମାସ ଶେଷରେ ରେଜିଗନେସନ ଦେବି ମୁଁ । ବହୁତ ହେଇଗଲା ଅନ୍ୟ ପାଇଁ ବେଠି ଖଟିବା । ଏବେ ନିଜ ପାଇଁ ଖଟିବି ମୁଁ ।” “କ’ଣ କରିବୁ ବୋଲି ଭାବୁଚୁ?”- ପଚାରିଲା ରୁପେଶ । “ମୋର ନିଜର ଷ୍ଟାର୍ଟଅପ କରିବି । ଏଇ ଭୁବନେଶ୍ୱରରେ । କର୍ପୋରେଟ ଅଫିସଗୁଡ଼ିକ ପାଇଁ କ୍ୟାଟେରିଙ୍ଗ ଦାୟିତ୍ୱ ନେବି”, ଉତ୍ତର ଦେଲା ନିଶିଥ । ତାଳି ମାରିଲା ଅନିଷ । କହିଲା, “ଆରେ ବାଃ । ବଢ଼ିଆ ଆଇଡିଆ । ମୁଁ ବି ଅଛି ତୋ ସାଙ୍ଗରେ । ମୋର ରେସ୍ତୁରାଣ୍ଟ ପ୍ଲାନ ଗୋଟେ ମନରେ ଅଛି କେବେଠୁ । ଆମେ ରେସ୍ତୁରାଣ୍ଟ ଆଉ କ୍ୟାଟେରିଙ୍ଗ ମିଶିକି କରିପାରିବା ।” “ସିଓର ଭାଇ”, କହି ହାତ ମିଳେଇଲା ନିଶୀଥ ।
ରୁପେଶ ସେପଟୁ କହି ଉଠିଲା- “ମୁଁ ଫାଇନାନ୍ସର ସବୁ ଦାୟିତ୍ୱ ନେବି । ସେ ବ୍ୟାଙ୍କରେ ଆଉ କାମ କରି ହବନି । ତାଙ୍କର ଯୋଉ ନହେଲା ଡେଡ୍ ଲାଇନ । କୋଉ ଦିନ ମୁଁ ନିଜେ ଡେଡ୍ ହେଇଯିବି ।” କୁକୁଡ଼଼ା ଗୋଡ଼଼ ଚୋବୋଉ ଚୋବୋଉ ଆସିଫ କହିଲା- “ଭାଇ, କମ୍ପାନୀ ପାଇଁ ଲୋକ ଖୋଜିବା କାମ ମୋର । ମୋର ଏଚଆରର ଡିଗ୍ରୀ କେବେ ଆଉ କାମ ଆସିବ? ବହୁତ ଲୋକ ଖୋଜିଦେଲି କମ୍ପାନୀ ପାଇଁ । ଏବେ ଆମ ଷ୍ଟାର୍ଟ ଅପ ପାଇଁ ଖୋଜିବି ଲୋକ ।”
ବାସ । ସେଇଠି ଫାଇନାଲ ହେଇଗଲା ଷ୍ଟାର୍ଟଅପର ପ୍ଲାନ । ନିଜ ନିଜ ଜାଗାକୁ କିଛିଦିନରେ ଫେରିଯିବେ ସମସ୍ତେ । ତା’ପରେ ଏଇ ବିଷୟରେ ସ୍କାଇପରେ କଥା ହେବେ ମଝିରେ ମଝିରେ । ଦୁଇ ମାସରେ ନିଜ କମ୍ପାନୀରେ ସମସ୍ତେ ରେଜିଗନେସନ ଲେଟର ପକେଇବେ । ତା’ପରେ ତିନି ମାସ ନୋଟିସ ପିରିଅଡ଼଼ରେ ରହି ଛାଡ଼ିବେ କମ୍ପାନୀ । ତେଣିକି ଆରମ୍ଭ ହବ ତାଙ୍କ ନିଜର ଷ୍ଟାର୍ଟଅପ । ଏଇଟା ସତ ଯେ ନୂଆ ନୂଆ ପଇସା ଟିକେ କମ ହେବ । ତାଙ୍କୁ ସଂଘର୍ଷ କରିବାକୁ ପଡ଼ିବ । କିନ୍ତୁ ନିଜ ଇଛାର ମାଲିକ ହେବେ ସେମାନେ । କେହି ତାଙ୍କ ଉପରେ ଶାସନ କରିବେନି । ନିଜ ପାଇଁ ନିଜେ କାମ କରିବେ ସେମାନେ । ଏଣିକି ସମସ୍ତଙ୍କ ମନଖୁସି । ଖିଆପିଆ ଆଉରି ଜୋରରେ ଚାଲିଲା ।
ପରଦିନ ଫେରି ଆସିଲେ ସବୁ ଭୁବନେଶ୍ୱର । କାଲି ଯିଏ ଯାହା କର୍ମସ୍ଥଳୀକୁ ଫେରିଯିବେ । ଆଜି ଏଇ କିଛି ସମୟ ପାଇଁ ପାନ ଖଟିରେ ଯାହା ଦେଖାହବ । ସନ୍ଧ୍ୟାରେ ସାଙ୍ଗଙ୍କର ମେଳି ବସିଲା । ଗପସପ ହେଇ ଫେରିଲା ବେଳକୁ ଆସିଫ ପଚାରିଲା- “ଆଉ ଭାଇ, ଆମ ଷ୍ଟାର୍ଟ ଅପ କଥା ପକ୍କା ତ?” ତଳକୁ ଚାହିଁ ନିଶିଥ କହିଲା, “ହଁ ପକ୍କା ଯେ, ଏଇ ବର୍ଷ ହବ କି ନାହିଁ ଟିକେ ସନ୍ଦେହ ।” “କାଇଁ କ’ଣ ହେଲା?” ପଚାରିଲା ଆସିଫ । “ଆରେ ଭଉଣୀର ବାହା ଘର ଠିକ ହେଇଗଲା । ବାପା ପାଞ୍ଚ ଲକ୍ଷ ଟଙ୍କା ମାଗିଛନ୍ତି । ହୁଏତ ଲୋନ୍ ନବାକୁ ବି ପଡ଼ିପାରେ । ତେଣୁ…” କଥା ଅଧାରେ ରଖିଲା ନିଶିଥ ।
ଏଥର ଅନିଷ କହି ଉଠିଲା- “ହଁ ଭାଇ । ମୋ ବାପା ବି ରିଟାୟାର କରୁଛନ୍ତି ଏଇ ବର୍ଷ । ଆମେ ତ କ୍ୱାର୍ଟରରେ ରହୁଥିଲୁ । ଆଉ ଗାଁ ଘରକୁ ଫେରିଯିବାକୁ ବୋଉ ମନା କରୁଛି । ତେଣୁ ସେମାନେ ବୋଧେ ମୋ ପାଖକୁ ହାଇଦ୍ରାବାଦ ଆସିଯିବେ । ମତେ ସେଠି ନିଜର ଫ୍ଲାଟ କିଣିବାକୁ କହିଲେଣି ସେମାନେ ।” ସେପଟୁ ରୁପେଶ କହିଲା- “ଝିଅର ଏ ବର୍ଷ ବାଙ୍ଗାଲୋରର ସବୁଠୁ ଭଲ ସ୍କୁଲରେ ଆଡ଼଼ମିଶନ କରିଛି । ଦୁଇ ଲକ୍ଷ ଉପରକୁ ଖର୍ଚ୍ଚ କଲି । ଏବେ ତାକୁ ସେଠୁ ବାହାର କରି ଭୁବନେଶ୍ୱରକୁ ହଠାତ୍ ଚାଲି ଆସିବାକୁ ତା’ ମାଆ ମଙ୍ଗିବନି ଜମା ।”
ରୁପେଶ ଏତିକି କହିଛି ଆସିଫ ଫୋନରେ ଟିଂ କରି ମେସେଜ ଆସିଲା । ଆସିଫ ଫୋନ କାଢ଼ି ଦେଖିଲା । ସାନ ଭାଇର ବିଜନେସ ପାଇଁ ସେ ଯେଉଁ ଲୋନ ନେଇଥିଲା ତା’ର ଇଏମଆଇରେ ଆକାଉଣ୍ଟରୁ କଟି ଯାଇଛି ୨୦ ହଜାର ଟଙ୍କା । ଆଉ ସେମିତି ପ୍ରତିମାସ ୨୦ ହଜାର ଟଙ୍କା ଦେବା ପାଇଁ ଦରକାର ଏକ ଚାକିରୀ ଆଉ ସେଇ ଚାକିରୀର ମୋଟା ଅଙ୍କର ଦରମା ।
ସାଙ୍ଗମାନେ ପରସ୍ପରକୁ ଦେଖାଦେଖି ହେଲେ । ବୋଧହୁଏ ସମସ୍ତେ ସମସ୍ତଙ୍କର ଜୀବନର ବାସ୍ତବିକତାକୁ ଅଣ୍ଡାଳୁଥିଲେ । ସମସ୍ତେ ସମସ୍ତଙ୍କର ଅସହାୟତା ବୁଝି ପାରୁଥିଲେ । ସନ୍ଧ୍ୟା ଗଡ଼ି ଆସୁଥିଲା । ସାଙ୍ଗମାନେ ନିଜ ନିଜ ଘରକୁ ଯିବାକୁ ପ୍ରସ୍ତୁତ ହେଲେ । ଏବେ ସେମାନେ ବସିବା ଜାଗାରୁ ଠିଆ ହେବେ । କୁଣ୍ଢାକୁଣ୍ଢି ହେବେ । ତା’ପରେ ପରସ୍ପରକୁ ବାଏ କହି ଧୀରେ ଧୀରେ ମାଡ଼ି ଚାଲିବେ ଆଗକୁ ଆଗକୁ । ଆଉ ପଛରେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ପଡ଼ି ରହିଥିବ ତାଙ୍କର ସେଇ ଷ୍ଟାର୍ଟଅପର ସ୍ୱପ୍ନ ।
– ଡ. ସୁଲଗ୍ନା ମହାନ୍ତି
Comments
ଡ. ସୁଲଗ୍ନା ମହାନ୍ତି, ପେଶାରେ ଜଣେ ଇଂରାଜୀ ଅଧ୍ୟାପିକା । ମାତ୍ର ଓଡ଼ିଆ ଗଳ୍ପ ରଚନାରେ ସେ ବେଶ୍ ପରିଚିତା । ତାଙ୍କର ପ୍ରଥମ ଗଳ୍ପ ସଂକଳନ ନାଲି ଚୁଡ଼ାର ଅଭୁତପୂର୍ବ ସଫଳତା ପରେ ପ୍ରଥମ ଉପନ୍ୟାସ ଆନିର ରୋଷେଇ ଘର ପ୍ରକାଶ ପାଇଥିଲା ।