ସଂଘରସୀ ସିଂହ

Sangharasi Singha - ସଂଘରସୀ ସିଂହ

“ସନ୍ଧ୍ୟା ଲେଉଟିଲାଣି । ଆଉ କିଛି ମୁହୂର୍ତ୍ତକ ମଧ୍ୟରେ ଗଗନରେ ଉଭା ହେବେ ରାତ୍ରିର ସୂର୍ଯ୍ୟ ଓ ତାଙ୍କ ସହ ଆସିବେ ପରିବାରବର୍ଗର ସଦସ୍ୟ ତାରାବୃନ୍ଦମାନେ । କିନ୍ତୁ ଆପଣ ଆଜି ଶିକାର କରିବା ପାଇଁ କାହିଁକି ଆସିନାହାନ୍ତି । ଏହିପରି ଭାବରେ ଆପଣ ଉପାସରେ ରହିଲେ ଆପଣଙ୍କ ସ୍ୱାସ୍ଥ୍ୟର ବିଘଟନ ହେବ । କ’ଣ ହୋଇଛି ଆପଣଙ୍କର ସିଂହ ଅଜା । ଦିନକୁ ଦିନ ଆପଣ ଆମ୍ଭମାନଙ୍କ ପାଖରୁ କାହିଁକି ଦୂରେଇ ଯାଉଛନ୍ତି । ଆପଣ ଆମ ସମସ୍ତଙ୍କୁ ଏକାଠି ରହିବାକୁ ଶିଖାଇଛନ୍ତି କିନ୍ତୁ ଏବେ ଆପଣ !” ଛୋଟ ବାଘର ଏହିକଥା ଶୁଣିବା ପରେ ସିଂହ ଚୁପ ହୋଇ ସେହିସ୍ଥାନରୁ ଉଠିଯାଇ କିଛି ବାଟ ଆଗକୁ ଚାଲିବାକୁ ଆରମ୍ଭ କରିଲା ।

ଏହାପରେ ବାଘଟି ସିଂହ ଅଜାର ପଛେପଛେ ଯାଇ ପୁଣି ଥରେ କହିଲା, “କ’ଣ ଅଜା ! ମୋତେ ଆପଣ କିଛି କହିଲେ ନାହିଁ । ମୋ ସହ ଆପଣ କଥା ହେବେନାହିଁ । ମୋ ଉପରେ କ’ଣ ଆପଣ ରାଗିଛନ୍ତି । ଠିକ ଅଛି ଆପଣ ଯଦି ମୋ ସହ କଥା ନହେବେ ତା’ହାଲେ ମୁଁ ଏଉଠି ବସୁଛି ।” ଏତିକି କହି ବାଘ ପିଲାଟି ସିଂହ ଅଜାର ସାମ୍ନାରେ ଯାଇ ବସିପଡ଼ିଲା । ଏହାପରେ ସିଂହ ଅଜା ଗର୍ଜନ କରି କହିଲେ, “ଚାଲି ଯା’ ଏହିଠାରୁ । ମୋତେ ବିରକ୍ତ କାହିଁ କରୁଛୁ?” ଅଜାର ଏହିପରି କଥାଶୁଣି ବାଘ ଜିଦ୍ ଧରି କହିଲା, “ନାହିଁ ଅଜା ! ମୁଁ ଆପଣଙ୍କୁ ଛାଡ଼ି କେଉଁଠିକୁ ଯିବି ନାହିଁ ।” ବାଘର ଏହି କଥାକୁ ଶୁଣିବା ପରେ ସିଂହ ଅଜା ତାହାର କୋମଳମତି ମୁଖମଣ୍ଡଳକୁ ଦେଖି କହିଲେ, “ଠିକ ଅଛି । ମୋ ସାଙ୍ଗରେ ଆସ ।”

ଏହାପରେ ଅଜା ଓ ନାତି ଦୁହେଁ ମିଶି ଏକ ନଈ କୂଳରେ ଥିବା ଝରଣା ପାଖରେ ଯାଇ ବସି ଅଜା ନାତିକୁ କହିଲେ ତୁ ଶୁଣିପାରୁଛୁ ସେହି ଝରଣାର କଳକଳ ନାଦ । କେଡ଼େ ସୁନ୍ଦର ଭାବରେ ବହିଯାଉଛି ସେହି ଜଳ ଧାରା । ଅରଣ୍ୟର ନିଘଞ୍ଚ ସବୁଜିମା ଭିତରେ ଏହି ଶାନ୍ତ ପରିବେଶ ବହୁତ ମନଲୋଭା ଅଟେ । ତତେ କ’ଣ ଲାଗୁଛିରେ ନାତିଆ?” “ହଁ ଅଜା ଠିକ କହିଲେ ଆପଣ । ମୁଁ ଏହି ଜଙ୍ଗଲରେ ଅନେକ ସ୍ଥାନ ବୁଲିଛି କିନ୍ତୁ ଏପରି ଶାନ୍ତ ଓ ମାନମୋଟାଣିଆ ଜାଗା ଦେଖି ନଥିଲି । କିନ୍ତୁ ଅଜା ଆପଣ କ’ଣ ପାଇଁ ମୋ ପ୍ରଶ୍ନର ଉତ୍ତର ଦେଉନାହାଁନ୍ତି ।” ଏହା କହିବା ପରେ ବାଘ ନାତିଆ ସିଂହ ଅଜା ସାମ୍ନାରେ ଛିଡ଼ା ହୋଇଗଲା । ସିଂହ କହିଲେ, “ତୁ ଦେଖି ପାରୁଛୁକି ସେହି ଦୁଇଟି ବୃକ୍ଷକୁ ଓ ସେଥି ମଧ୍ୟରୁ ଗୋଟିଏ ବୃକ୍ଷରେ କାହିଁକି ଅନେକ ଗୁଡ଼ିଏ ମାଙ୍କଡ଼ମାନେ ବସିଛନ୍ତି?” ଅଜାଙ୍କର ଏହି ପ୍ରଶ୍ନ ଶୁଣିବା ପରେ ବାଘ ଆଶ୍ଚର୍ଯ୍ୟ ହୋଇ କହିଲା, “ମାଙ୍କଡ଼ମାନେ ବୋଧହୁଏ ସେମାନଙ୍କ ପରିବାରଲୋକ ମଧ୍ୟରେ ଖୁସିମଜା କରୁଥିବେ ।” “ଠିକ କହିଲୁରେ ନାତି । ସେମାନେ ସବୁ ଖୁସି ମଜା କରୁଛନ୍ତି । କିନ୍ତୁ ଦିନଥିଲା ସେମାନେ ଯେଉଁ ଆଜି ବୃକ୍ଷରେ ଖୁସି ମନାଉଛନ୍ତି ତାହା ବଡ଼ ହୋଇନଥିଲା କି ଫଳ ବି ଧରୁନଥିଲା । ସେଥିପାଇଁ ସେମାନେ ପାର୍ଶ୍ୱ ବୃକ୍ଷଟିରେ ଖେଳୁଥିଲେ ଓ ତାହାର ଫଳ ମଧ୍ୟ ଖାଉଥିଲେ । ସେହି ବୃକ୍ଷ ସେମାନଙ୍କ ପରିବାରର ସଦସ୍ୟ ହୋଇରହିଥିଲା । ସମୟ ବଢ଼ିବା ସହ ବୃକ୍ଷଟି ପୂର୍ବପରି ଆଉ ଏବେ ସେ ମିଠା ଫଳ ଦେଇପାରୁନାହିଁ ଓ ସେଥିପାଇଁ ମାଙ୍କଡ଼ମାନେ ଆଜି ତାକୁ ଛାଡ଼ି ଏବେ ଅନ୍ୟ ଏକ ବୃକ୍ଷଟିରେ ଖେଳୁଛନ୍ତି । ତୁ ଦେଖିପାରୁଛୁ ସେହି ଝରଣାର ଜଳକୁ, କିପରି ପଛଘୁଞ୍ଚା ନଦେଇ ଆଗକୁ ବଢ଼ି ଚାଲୁଛି ଦେଖିପାରୁଛୁ, କେତେ ସୁନ୍ଦର ଭାବରେ ପଥରଠାରୁ ତିରସ୍କାର ସହି ମଧ୍ୟ ମନରେ ଟିକିଏ ହେଲବି ସଂକୋଚ ନକରି କିପରି ମଧୁର ସଙ୍ଗୀତ ସଂଯୋଜନା କରି ଅଗ୍ରସର ହେଉଛି ତୁ ଦେଖିପାରୁଛୁ । ମୁଁ ତତେ ଏହି ସ୍ଥାନରେ ଏପରି ଦୃଶ୍ୟ ସହ ଏହି ବୃକ୍ଷ ଓ ଝରଣା ବିଷୟରେ କାହିଁକି କହିଲି ତୁ କ’ଣ ଜାଣିପାରିଲୁ?”

ଅଜାଙ୍କର ଏହିପରି ବାକ୍ୟରେ ବାଘଟି ସ୍ତବ୍ଧ ହୋଇରହିଗଲା । ବାଘର ବିସ୍ମୟକର ମୁଖମଣ୍ଡଳକୁ ଦେଖି ସିଂହ ଛୁଆ ବାଘକୁ କହିଲେ, “ଏହି ପ୍ରାଣୀଜଗତ ହେଉଛି ଝରଣାର ଜଳପରି । ପଥରଭଳି କୌଣସି ବଧାବିଘ୍ନ ଆସିଲେ ସେ କେବେହେଲେ ରହିନଥାଏ । ନିଜର କର୍ମ ଓ ସ୍ୱାର୍ଥ ନିମିତ୍ତେ କୌଣସି ଚଲାପଥରେ ସେ କଷ୍ଟ ପାଇଲେ ସେ ସମସ୍ତଙ୍କୁ ପରିତ୍ୟାଗ କରି ଅଗ୍ରସର ହୋଇଯାଏ ଠିକ ଯେପରି ଏହି ମାଙ୍କଡ଼ମାନେ । ଯେତେବେଳେ ପର୍ଯ୍ୟନ୍ତ ମାଙ୍କଡମାନେ ସେହି ବୃକ୍ଷରୁ ମଧୁର ଫଳ ପ୍ରାପ୍ତ କରୁଥିଲେ ସେତେବେଳେ ପର୍ଯ୍ୟନ୍ତ ବୃକ୍ଷ ସେମାନଙ୍କ ସଦସ୍ୟ ହୋଇ ରହିଥିଲା ଓ ବୟସର ବାସ୍ନା ଯେବେ ସେଥିରୁ ଉଡ଼ିଗଲା ସେତେବେଳେ ସେମାନେ ତାହାକୁ ତାଚ୍ଛଲ୍ୟ କରି ତା’କୁ ଛାଡ଼ି ଦେଇଗଲେ ।” “ହଁ ଅଜା ଆପଣଙ୍କ ପ୍ରତ୍ୟେକ ବାକ୍ୟ ସତ୍ୟ ଅଟେ । କିନ୍ତୁ ମନୋବଳ ଦୃଢ଼ କରି ଏହି ପ୍ରାଣୀଜଗତ ସହ ସଂଘର୍ଷ କରିବା କଷ୍ଟସାଧ୍ୟ, ମାତ୍ର ଅସମ୍ଭବ ନୁହେଁ”, ବାଘର ଏହି ଗୋଟିଏ ପଦ କଥାରେ ସିଂହ ତାହାକୁ ଦେଖି ଖୁସି ହୋଇଗଲା ଓ କହିଲେ, “ହଁରେ ନାତିଆ, କଥାଟିଏ ପଦେ କହିଲୁ ଓ ଏହା ଅତି ମହତ୍ୱପୂର୍ଣ୍ଣ ଅଟେ ।” ଏହା ପରେ ଦୀର୍ଘ ନିଃଶ୍ୱାସ ଛାଡ଼ି କହିଲେ, “ରାତ୍ରିର ଭଅଁର ଚାରିପଟେ ଖେଳିଗଲେଣି । ତୋର ପିତାମାତା ବ୍ୟସ୍ତ ହେଉଥିବେ । ଚାଲ ଘରକୁ ଯିବା ।”

“ହଁ ଅଜା ଚାଲନ୍ତୁ, ଆପଣଙ୍କ କଥା ମୁଁ ଭଲ ଭାବରେ ବୁଝିଗଲି କିନ୍ତୁ ଆପଣ ଏହି କଥାକୁ ସ୍ପଷ୍ଟୀକରଣ କରନ୍ତୁ, ପରିବାରବର୍ଗ ଅତି ବୟସ୍କ ହୋଇ ମଧ୍ୟ ଆପଣ ଏପରି କାହିଁକି ଏକୁଟିଆ ସମୟ ଅତିବାହିତ କରୁଛନ୍ତି ଓ ଯତେବେଳେ ଆମ୍ଭମାନଙ୍କ ସହ ରହୁଛନ୍ତି ସେତେବେଳେ କିପରି ଆମମାନଙ୍କ ହସ ମୁଖରେ କଥା ହେଉଛନ୍ତି । ଆପଣଙ୍କୁ ମୁଁ ଯେଉଁ ସମୟରେ ଦେଖୁଥାଏ ମୋ ମନରେ ଏହିପରି ପ୍ରଶ୍ନ ଉଙ୍କି ମାରୁଥାଏ । ସାଙ୍ଗରେ ବାପା ଓ ମା’ ଥିବା ହେତୁ ମୁଁ ସାହସ କରି ଆପଙ୍କକୁ ଏହି କଥା କହିପାରୁନଥାଏ ।” ନାତିର ଏହିପରି ଗୋଟିଏ ଗୋଟିଏ ପ୍ରଶ୍ନ ଶୁଣି ଅଜା ଚାଲୁଚାଲୁ ହସିଦେଲା ଓ କହିଲେ, “ସତରେ ତୁ ବହୁତ ବଡ଼ ହୋଇଗଲୁଣି । ତୁ ଦେଖିଥିଲୁ ସେହି ବୃକ୍ଷକୁ କିପରି ସବୁଜିମାରେ ଭରପୁର ରହିଥିଲା । ତୁ କ’ଣ ସେଥିରୁ କିଛି ଜାଣିପାରିଲୁନାହିଁ, ମୃତ୍ୟୁ ଶରୀରକୁ ଆସିଥାଏ କିନ୍ତୁ ସ୍ମୃତିକୁ ନୁହେଁ । ଯେପରି ବୃକ୍ଷ ତା’ର ଅତୀତର ସ୍ମୃତିକୁ ସାଇତିକରି ରଖି ବଞ୍ଚିଛି ଠିକ ସେହିପରି ମୁଁ ମଧ୍ୟ ଅତୀତର ସେହି ଛୋଟ ଛୋଟ ଖୁସିର ମୂହୁର୍ତ୍ତକୁ ସାଉଁଟିରଖି ବଞ୍ଚିଛି । ଛୋଟଛୋଟ ସେହି ଖୁସିରେ ନିଜେ ମୁଖମଣ୍ଡଳର ଦୁଃଖକୁ ସମାଧିରେ ନ୍ୟୁନ କରି ଅନ୍ୟଙ୍କୁ ହସାଇବା ମହତ କର୍ମ ଅଟେ । ଏବେ ତୋହର ସମସ୍ତ ପ୍ରଶ୍ନର ଉତ୍ତର ପାଇଗଲୁ । ଦେଖ ତୋହର ପିତାମାତା ତତେ କିପରି ଚାତକ ପରି ଅନାଇ ବସିଛନ୍ତି ।” ବାସ ଏତିକି କହି ସିଂହ ଅଜା ସେହିଠାରୁ ଚାଲିଗଲେ ।

ଛୋଟ ବାଘଟି ସିଂହ ଅଜାକୁ ଦେଖି ଭାବନାରେ ରହି ଚିନ୍ତାଧାରା ନ୍ୟୁନ ହୋଇ କହିଲା, “କ’ଣ ଏହି ଜୀବନ ଏପରି ସଂଘର୍ଷଭରା ଅଟେ ! କ’ଣ ଏହି ସମଗ୍ର ପ୍ରାଣୀଜଗତ ଅବିଶ୍ୱାସୀ ଅଟନ୍ତି?”

– ହ୍ରିତିକ କୁମାର ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...