୧୦ ବର୍ଷ ତଳର କଥା ସେତେବେଳେ ୮ ବର୍ଷର ଗୋଟେ ଗରିବ ପିଲାଟିଏ । ରାସ୍ତାରୁ କିଛି ପ୍ଲାଷ୍ଟିକ୍ ଗୋଟେଇ ତା’ ମାଲିକକୁ ଦିଏ ଆଉ ମାଲିକ ଯାହା ପଇସା ଦିଏ ତା’ ପେଟ ପୋଷେ ।ହେଲେ ସେଦିନ ସେ ପିଲାଟି କିଛି ପ୍ଲାଷ୍ଟିକ ପାଇଲା ନାହିଁ ଆଉ ମାଲିକ ତାକୁ କିଛି ପଇସା ବି ଦେଲାନି ।
ଛୋଟ ପିଲାଟା ଭୋକରେ ଆଉଟୁ ପାଉଟୁ ହେଉଥାଏ… ସେ ଗୋଟେ ଜଳଖିଆ ଦୋକାନକୁ ଯାଇ କହିଲା ବାବୁ ସକାଳୁ ପହରୁ କିଛି ଖାଇନି ମତେ କିଛି ଖାଇବାକୁ ଦିଅ । ଦୋକାନୀ ସେ ପିଲାକୁ ଦେଖି କହିଲା, “ଯା’ ଏଠୁ କିଛି ମିଳିବନି ତତେ ଏଠି ।”
ହେଲେ ସେ ଛୋଟ ପିଲାଟି ଖାଇବା ଆଶାରେ ସେଠି ବସି ରହିଲା । ଦୋକାନୀର ରାଗ ଆହୁରି ବଢ଼ିଗଲା ସେ ଛୋଟ ପିଲାଟି ଉପରେ; ଅଧିକ ରାଗିଯାଇ ତା’ ଉପରେ ଗରମ ପାଣି ଢାଳି ଦେଲା । ସେ ଛୋଟପିଲାଟିଏ କେତେ ବା ସହିବ । ଦେହ ସାରା ଫୋଟକା ହେଇଗଲା ଆଉ ସେ ସହି ନପାରି କାନ୍ଦିପକଉଥାଏ । ତାକୁ ବହୁତ କଷ୍ଟ ବି ହେଉଥାଏ । ସେହି ଜଳଖିଆ ଦୋକାନରେ ଆଉ ଏକ ଗରିବ ପିଲାଟେ କାମ କରୁଥିଲା । ସେ ଗରିବ ହେବାର କଷ୍ଟ ଜାଣିଛି ଆଉ ଅନୁଭବ ମଧ୍ୟ କରିଛି । ସେ ପିଲାଟିର ନା ରାଜା ।
ରାଜା ସେ ଛୋଟ ପିଲା ମାନେ ଶଙ୍କର ପାଖକୁ ଯାଇ ତାକୁ ଖାଇବା ପାଇଁ କିଛି ଦେଲା ତାକୁ କହିଲା ତୁ ଆଜିଠୁ ମୋ ସାଙ୍ଗ । ରାଜା ଆଉ ଶଙ୍କର ଦୁହେଁ ବହୁତ ଭଲ ସାଙ୍ଗ ହେଇଗଲେ । କିଛି ଦିନ ପରେ ସେ ଜଳଖିଆ ଦୋକାନଠୁ କିଛି ଦୂରରେ ଏକ ଟଙ୍କା ବ୍ୟାଗକୁ ଗୋଟେ ବଡ଼ ଧନୀ ଲୋକଟେ ଛାଡ଼ି ଚାଲି ଯାଇଥିଲା ଆଉ ସେ ସେବ୍ୟାଗକୁ ଶଙ୍କର ଦେଖି ଖୋଲିଲା ଆଉ ଦେଖିଲା ବ୍ୟାଗରେ ବହୁତ ଟଙ୍କା ଥିଲା ।
ସେ ଭାବିଲା ରାଜା ପାଖକୁ ନେଇକି ଯିବ । ଶଙ୍କର ସେ ବ୍ୟାଗକୁ ରାଜା ଥିବା ଦୋକାନ ପାଖକୁ ନେଇ ଗଲାବେଳକୁ ଦେଖିଲା ସେ ଧନୀ ଲୋକ ଜଣକ ସେଠି ଚାହା ପିଉଥିଲା । ସେ ଲୋକଟି ଯେତେବେଳେ ବାହାରିଲା ଦୋକାନରୁ ସେତେବେଳେ ଶଙ୍କର ସେ ବ୍ୟାଗକୁ ରାଜାକୁ ଦେଇ କହିଲା ସେ ଲୋକକୁ ଏ ବ୍ୟାଗ ଦେଇକି କହ କି ତୁ ରାସ୍ତାରୁ ପାଇଲୁ । ସେ ଲୋକଟି ତା’ ବ୍ୟାଗକୁ ପାଇ ବହୁତ ଖୁସି ହେଲା । ଆଉ ରାଜାର ସେ ସଚ୍ଚୋଟ ପଣିଆକୁ ଦେଖିଲା ଆଉ ସେ ଅନାଥ ବୋଲି ଜାଣି ତାକୁ ସାଥିରେ ନେଇଗଲା । ରାଜା ସ୍କୁଲ ଗଲା ନୂଆ ନୂଆ ସାଙ୍ଗ ସହ ମିଶିଲା ହେଲେ ତାକୁ ଶଙ୍କର ଭଳି ସାଙ୍ଗ କେହି ମିଳିଲେନାହିଁ ।
କିଛିଦିନ ପରେ ରାଜା ଶଙ୍କରକୁ ଖୋଜିଲା ହେଲେ କୋଉଠି ପାଇଲାନାହିଁ । ରାଜା ପ୍ରତିଦିନ ଆସେ ସେହି ଜଳଖିଆ ଦୋକାନକୁ ଆଉ ଶଙ୍କରକୁ ଖୋଜେ ହେଲେ ଶଙ୍କର ତାକୁ ଦେଖା ଦିଏନି । ଶଙ୍କର ଚାହେଁ ସେ ପାଠ ପଢ଼ି ଭଲ ମଣିଷ ହେଇଯାଉ । ହେଲେ ତା’ ହୃଦୟ ତା’ ସହ କଥା ହେବାପାଇଁ ଆଉଟୁ ପାଉଟୁ ହୁଏ; କିନ୍ତୁ ସେ କରିବ ବା କ’ଣ । କିଛି ବର୍ଷ ପରେ ରାଜା ଗୋଟେ ପୋଲିସ ଅଫିସର ହେଇଗଲା । ଆଉ ଶଙ୍କରର ଭାଗ୍ୟ କିଛି ପରିବର୍ତ୍ତନ ହେଲା ନାହିଁ; ତାକୁ ସମାଜ ଗରିବରୁ ଚୋର ବନେଇଦେଲା । ଶଙ୍କର ଚୋରି କରୁକରୁ ପୋଲିସ ହାତରେ ଧରା ପଡ଼ିଗଲା । ରାଜା ଜାଣିନଥିଲା ସେ ଶଙ୍କର ବୋଲି । ରାଜା ଶଙ୍କରକୁ ତା ଲାଠିରେ ବହୁତ ପିଟିଲା, ହେଲେ ସେ ସବୁ ସହିଗଲା । ରାଜାକୁ କିଛି ଅଜବ ଲାଗିଲା କ’ଣ ଏ ପିଲାକୁ କଷ୍ଟ ହେଉନି । ରାଜା ଯେତେବେଳେ ଶଙ୍କରର ସାର୍ଟ ଖୋଲି ତାକୁ ପିଟିଲା ଆଉ ପିଟିଲା ବେଳେ ଗରମ ପାଣିର ଫୋଟକା ଦାଗ ଶଙ୍କର ପିଠିରେ ଦେଖି ସେ ଆଶ୍ଚର୍ଯ୍ୟ ହେଇଗଲା ।
ରାଜାର ଆଖିରୁ ଲୁହ ଝରି ଆସିଲା; ତାକୁ ଛାତିରେ ଲଗେଇ କହିଲା, “ଆରେ ସାଙ୍ଗ କୋଉଠି ଥିଲୁରେ ମୁଁ ତତେ କେତେ ଖୋଜିଛି ହେଲେ କୋଉଠି ପାଇଲି ନାହିଁ ।”
ଶଙ୍କରର ଆଖିରେ ଲୁହ ଭରିଗଲା; “ସାର୍ ମୁଁ ଶଙ୍କର ନୁହଁ ।”
ରାଜା- ତୋ ଆଖିର ଲୁହ କ’ଣ ପାଇଁ ଆସୁଛି? ଗୋରୁଗାଈ ଭଳି ପିଟିଲି, ତୋ ଆଖିରେ ଲୁହ ନଥିଲା । ମୁଁ ଜୀବନରେ ସବୁ ପାଇଛି, ହେଲେ ତୋ ଭଳି ସାଙ୍ଗ ଖୋଜି ପାଇନିରେ ।
ଶଙ୍କର- ସାର୍ ମୁଁ ଗୋଟେ ଚୋର ଆଉ ଆପଣଙ୍କ ସାଙ୍ଗ ଶଙ୍କର ନୁହଁ ।
ରାଜା- ତୁ ଯଦି ଆଜି ଚୋର ହେଇଛୁ କେବଳ ମୋ ପାଇଁ । କହ ସାଙ୍ଗ ତୁ ବି ତ ସେ ଟଙ୍କା ବ୍ୟାଗ୍ ସେ ଧନୀ ଲୋକକୁ ଦେଇପାରିଥାନ୍ତୁ ନା । ଆଜି ତୁ ବି ପୋଲିସ ହେଇଥାନ୍ତୁ ଆଉ ମୁଁ ଚୋର । ଆଜି ବି ମୋ ସମ୍ମାନ ଇଜ୍ଜତକୁ ତୁ ତଳେ ପକେଇଦେବାକୁ ଚାହୁଁନୁ । ହେଲେ ଦରକାର ନାହିଁ ମୋର ଏ ପୋଲିସ ଚାକିରୀ, ମୁଁ ମୋ ସାଙ୍ଗକୁ କେବେ ବି ଏ ହାତରେ ମାରିପାରିବି ନାହିଁ… ଚାଲ ସାଙ୍ଗ ଆମେ ଯୋଉଠି ଆମର ବନ୍ଧୁତ୍ୱ ହେଇଥିଲା ସେ ଦିନର ସ୍ମୃତିକୁ ମନେ ପକାଇ ସେଇଠୁ ପୁଣି ଜୀବନ ଆରମ୍ଭ କରିବା ।
ରାଜା ଆଉ ଶଙ୍କର ସେଇଠି ଗୋଟେ ହୋଟେଲ ଖୋଲିଲେ ଆଉ ତାଙ୍କର ବନ୍ଧୁତ୍ୱ ଅତୁଟ ହେଇ ରହିଗଲା ସବୁ ଦିନ ପାଇଁ…
– ଦେବବ୍ରତ ବାରିକ
Comments
ଦେବବ୍ରତ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।