କିଃ ସୁନ୍ଦର ଦିଶେ ସନ୍ଧ୍ୟା ପରିବେଶ
ଗାଇଗୋଠ ସାଥେ ଧୂଳି,
ପକ୍ଷୀ ଫେରୁଥାନ୍ତି ନୀଳ ଆକାଶରେ
ଶାବକର ସାଥେ ଖେଳି ।
ପାହାଡ଼ କୋଳରେ ସୂରୁଜ ଲୁଚଇ
ରକ୍ତିମ ଆଭାର ବେଶେ,
ନାଲି ପାଟଶାଢ଼ୀ ପିନ୍ଧିକି ଧରଣୀ
କ୍ଷଣିକରେ ମନ ତୋଷେ ।
ଗ୍ରାମଦେବତୀଙ୍କ ମନ୍ଦିର ପ୍ରାଗଣେ
ଶୁଭେ ଶଙ୍ଖନାଦ ଧ୍ୱନି,
ହୋଇଣ ଏକତ୍ର କରନ୍ତି ପ୍ରାଥର୍ନା
ଗରୀବ କି ଅବା ଧନୀ ।
ଘର ଅଗଣାର ବୃନ୍ଦାବତୀ ମୂଳେ
କୂଳବଧୂ ଜାଳି ଦୀପ,
ଶୁଭ ମନାସଇ ଘର ସ୍ୱାମୀଙ୍କର
ଧୋଇଯାଉ ସବୁ ପାପ ।
ଚନ୍ଦନ କର୍ପୂର ଘଣ୍ଟ ମାଜଣାରେ
ମହମହ ବାସେ ଘର,
ଅନ୍ଧାରକୁ ଭେଦି ଦିଶଇ ସୁନ୍ଦର
ପ୍ରଜ୍ୱଳିତ ଆଲୋକର ।
ଚଷାପୁଅ ଫେରେ ପାଖ ଗହୀରରୁ
ହଳ ଲଙ୍ଗଳକୁ ଧରି,
ଦିନମଜୁରିଆ ଫେରନ୍ତି ସଙ୍ଗତେ
ନିଜ ନିଜ ମୂଲ କରି ।
କୋଠଘରେ ଶୁଭେ ଭଜନ କୀର୍ତ୍ତନ
ଢୋଲ ଖଞ୍ଜଣିର ତାଳେ,
ନିରବତା ସାଥେ ଘୋଟିଆସେ ରାତ୍ରି
ପ୍ରକୃତିର ଏଇ କୋଳେ ।
– ସରୋଜ କୁମାର ସାହୁ
Comments
ସରୋଜ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।