ସମ୍ପର୍କର ଉଷ୍ମତା

Odia Poem Samparkara Usmata (ସମ୍ପର୍କର ଉଷ୍ମତା) by Manas Ranjan Nayak

ସ୍ପର୍ଶ ବି ସଞ୍ଚରିଯାଏ ବିଶ୍ୱାସଟେ ହୋଇ
ପିତାର ପାପୁଲିଟି ତା’ ମସ୍ତକରେ ପାଇ
ସବୁ ବିସର୍ଣ୍ଣତା ଯାଏ ନିମିଷେ ମିଳାଇ
ଶତ ସିଂହ ବଳ ମିଳେ ପିତା ହେଲେ ଛାଇ । (୧)

ଉତ୍ତପ୍ତ ନିଦାଘେ ମିଳେ ଏକ ସ୍ନିଗ୍ଧ ଶୀତଳ ସ୍ପର୍ଶ
ମା’ର ପଣତ ସଦା ସ୍ନେହ କରୁଣା ମମତାସିକ୍ତ
ଲକ୍ଷ୍ମଣରେଖା ସତେ ମା’ର ସେ ଅଭୟ ବଳୟ
ଲହୁ ଲୁହ ଲିଭିଯାଏ ପାଇ ତା’ର ଅମୂଲ୍ୟ ପରଶ । (୨)

ହାତ ଗଣ୍ଠିରେ ମନ୍ତର ଜଳ ସୀମନ୍ତର ସିନ୍ଦୂର
ଦେହ ମନ ପ୍ରାଣ ମିଶେ ହୋଇ ଜନ୍ମ ଜନ୍ମାନ୍ତର
ସୃଷ୍ଟି ହୁଏ ପୁଳାଏ ଏଠି ଅନାବୀଳ ଆତ୍ମୀୟତାର
ହାତପାହାନ୍ତାରେ ମିଳିଯାଏ ଉଷ୍ମତା ସମ୍ପର୍କର । (୩)

ଗଭୀର ଆବେଗ ନିବିଡ଼ତାର ଆଉ ଏକ ବନ୍ଧନ
ରେଶମୀ ଡୋରୀ ଖଣ୍ଡିକରେ ବନ୍ଧା କୋଟିଏ ସପନ
କଣ୍ଢେଇ ଯୁଦ୍ଧରୁ ଆରମ୍ଭ ହୁଏ ଭାଇଭଉଣୀଙ୍କ ଜୀବନ
ତ୍ୟାଗ ବଳିଦାନ ଭରା ହୃଦୟର ସମସ୍ତ ସ୍ପନ୍ଦନ । (୪)

ବନ୍ଧୁ ସଖା ସହୋଦର ସମ୍ପର୍କର ନିଆରା ସୂତ୍ରଧର
କୃଷ୍ଣ ସୁଦାମା ଓ କର୍ଣ୍ଣ ଦୁର୍ଯ୍ୟୋଧନଙ୍କ ବନ୍ଧୁତ୍ୱ ଅସାର
ରକ୍ତ ସମ୍ପର୍କଠୁ ବଳି ମିଳେ ସଖାର ସର୍ବସ୍ୱ ବଳିଦାନ
ନିସ୍କପଟ ଛଳନାଶୂନ୍ୟ ଏକ ବିଭୂଦତ୍ତ ବରଦାନ । (୫)

ସଂସ୍ପର୍ଶ ସାନ୍ନିଧ୍ୟରୁ ଉତ୍ପତ୍ତି ନୁହେଁ ସମ୍ପର୍କର ଉଷ୍ମତା
ଚର୍ମ ସୁଖ ବଳିପଡ଼େ ହେଲେ ଚୈତନ୍ୟର ଅନୁକମ୍ପା
ସର୍ବୈକତ୍ଵ ବିଶ୍ୱ ଭାତୃତ୍ୱର ବୀଜବପନ ହିଁ ଆଧ୍ୟାତ୍ମିକତା
ଆତ୍ମା ପରମାତ୍ମା ମିଳନର ସେତୁ ହିଁ ସମ୍ପର୍କର ଉଷ୍ମତା ।(୬)

– ମାନସ ରଞ୍ଜନ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...