ସମ୍ପଦବେଳେ ସର୍ବେସଖା

Editorial Page of Shubhapallaba 5th Edition

ନାରାୟଣ ବାବୁ ଜଣେ ଜମିଦାର ଘରର ଥିଲେ । ଗାଁରେ ସବୁ କଥା ବୁଝାବୁଝି କରନ୍ତି । ଯେତେ ମାଲିମକଦ୍ଦମା ଯେତେ ଯାହା କଳିଝଗଡ଼ା ଗାଆଁରେ ସବୁ ନାରାୟଣ ବାବୁ ବୁଝନ୍ତି । ଗାଁ ଲୋକ ମଧ୍ୟ ତାଙ୍କ କଥା ମାନନ୍ତି । ନାରାୟଣ ବାବୁ ଲୋକମାନଙ୍କୁ ବହୁତ ସାହାଯ୍ୟ କରନ୍ତି । କିନ୍ତୁ ନାରାୟଣ ବାବୁଙ୍କର ଗୋଟିଏ ଖରାପ ଅଭ୍ୟାସ ଥିଲା; ପ୍ରତିଦିନ ମଦ ପିଅନ୍ତି ସେ । ମଦ ନ ପିଇଲେ ଦିନେ ସେ ରାତିରେ ଶୋଇ ପାରନ୍ତି ନାହିଁ । କିନ୍ତୁ ତାଙ୍କର ଗୋଟେ ଗୁଣ ହେଲା ସେ ଏକା ମଦ ପିଅନ୍ତି ନାହିଁ ଗାଆଁରେ ଥିବା ସାଙ୍ଗମାନଙ୍କ ସହ ପିଅନ୍ତି । ସବୁ ପଇସାପତ୍ର ଖର୍ଚ୍ଚ କରନ୍ତି । ସବୁ ବର୍ଷ ହୋଲିରେ ବହୁତ ଖର୍ଚ୍ଚ କରନ୍ତି ଗାଆଁ ମେଳନ ପାଇଁ । ଆଉ ମଦ ପିଅନ୍ତି, ସାଙ୍ଗମାନଙ୍କୁ ପିଆନ୍ତି, ଅନେକ ଟଙ୍କା ହୋଲିରେ ଖର୍ଚ୍ଚ କରନ୍ତି । ଟିକେ ହେଲେ ଗର୍ବ ନ ଥାଏ । ଧୀରେ ଧୀରେ ନାରାୟଣ ବାବୁଙ୍କ ଦେହ ଅସୁସ୍ଥ ହେଲା । ଡାକ୍ତର ଦେଖି କହିଲେ, ମଦ ପିଇ କିଡ୍‌ନୀ ଖରାପ ହେଇ ଯାଇଛି । ବଞ୍ଚିବାର ଆଶା କମ । ଏହି କଥା ଶୁଣିଲା ପରେ ନାରାୟଣ ବାବୁ ଧୀରେ ଧୀରେ ବିଛଣାରେ ଲାଗିଗଲେ । ଦେହ ପୂରା ଅସୁସ୍ଥ ହେଇଗଲା । ଲୋକମାନେ ମନଦୁଃଖ କଲେ ଗାଆଁରେ । ଠିକ୍ ଏହି ସମୟରେ ହୋଲି ଆସି ପହଞ୍ଚିଲା; ହୋଲିରେ ସମସ୍ତେ ମଉଜ ମଜଲିସ କରୁଥାନ୍ତି । କିନ୍ତୁ କେହି ନାରାୟଣ ବାବୁଙ୍କ ପାଖକୁ ଦେଖା କରିବାକୁ ଯାଉ ନଥାନ୍ତି । ନାରାୟଣ ବାବୁ ବହୁତ ମନ ଦୁଃଖ କଲେ ଏବଂ ଆଖିରୁ ଧାର ଧାର ଲୁହ ଗଡ଼ାଇଲେ । ନିଜ ପତ୍ନୀକୁ ଡାକି କୋହଭରା କଣ୍ଠରେ କହିଲେ, “ସତରେ ପଇସା ଥିଲେ ସବୁ କିଛି ଅଛି । ଆଉ ସମସ୍ତେ ଚାରି ପାଖେ ବସି ରୁହନ୍ତି । ପଇସା ଚାଲିଗଲେ ଏବଂ ଅସୁସ୍ଥ ହେଇଗଲେ ସବୁ ଦୂରେଇ ଯାଆନ୍ତି । ଏଇ ଦେଖୁନ ମୋ ଦେହ ଯେତେବେଳେ ଭଲ ଥିଲା ମୋ ପାଖେ କେତେ ଲୋକ ବସି ମଦ ପିଅନ୍ତି । ଆଜି ଅସୁସ୍ଥ ବୋଲି ମୋତେ ହୋଲିର ଶୁଭେଚ୍ଛା ଜଣାଇବାକୁ ବି କେହି ଆସିଲେ ନାହିଁ । ଜୀବନରେ ପଇସା ଥିଲେ ସମସ୍ତେ ଚାରିକଡ଼େ ବସିଥିବେ । ପଇସା ଚାଲିଗଲେ ୬ ଜଣ ଲୋକ ବି କାନ୍ଧେଇ ନେବାକୁ ମଶାଣି ଯାଏ ମିଳିବେନି ।”

ଏହି କଥା ଭାବି ଭାବି ନାରାୟଣ ବାବୁ ସବୁଦିନ ପାଇଁ ଆଖି ବୁଜି ଦେଲେ ।

– ଅନନ୍ତ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...