କଡ଼ ଲେଉଟାଇଲା ରାତି, ତା’ ସାଙ୍ଗରେ ଜହ୍ନ !
ମିଞ୍ଜି ମିଞ୍ଜି ତାରା ଦି’ଟା ଆକାଶରେ ଛଟପଟ ହେଉଥାନ୍ତି । ଭିଡ଼ିମୋଡ଼ି ହୋଇ ପୁଣିଥରେ ସେ କମ୍ବଳକୁ ଟାଣିନେଇ ମୁହଁ ଘୋଡ଼ାଇ, ମାଆଙ୍କ କୋଳରେ ମୁହଁ ଗୁଞ୍ଜିଦେଲି । -“ଓଃ! ଶୀତ ରାତିର ଯୋଉ ନିଦ । ଏତେ ବଡ଼ ରାତି ଶୋଇ ଶୋଇ ବିରକ୍ତ ମୁଁ ହୋଇଯାଏ । ଶୀତ ରାତିର କ’ଣ ଆଦି ନାହିଁ କି ଅନ୍ତ ନାହିଁ?? ଅଛି । କିନ୍ତୁ ନିଦ ଭାଙ୍ଗିବ ସକାଳ ୮ଟାରେ ।” କୋରାପୁଟ ଆସିଲାବେଳେ ଦେଓମାଳିର ସବୁଜିମା ମତେ ଆକର୍ଷିତ କରିଥିଲା । ଜିପ୍ ଭିତରୁ ମୁହଁ କାଢ଼ି ସେ ଦେଓମାଳି ଆଡ଼କୁ ଅନେକ ସମୟ ଧରି ଚାହିଁ ରହିଥିଲି । ସେଦିନ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ କଥା ଚିନ୍ତାକରିବାର ବୟସ ହୋଇନଥିବା ମୋ ଦୃଦୟଟା ଅଭିମାନରେ ଦେଓମାଳିକୁ ଆଖିରେ ଆଖିରେ ହୃଦୟର କୋହ ଶୁଣୋଉଥିଲା । ତାହା ଲେଖିଲେ ବୋଧେ ଏମିତି ହେବ, “ହେ ! ଗଛଲତା ଶୁଣ ଛାଡ଼ିଆସିଛି ପୁରୁଣା ବିଦ୍ୟାଳୟ ଆଉ ସାଙ୍ଗସାଥୀ । କୋରାପୁଟରେ ତମେମାନେ ମୋ ନୂଆ ସାଙ୍ଗ ହେବ?? ହବ ନା?? ଆରେ ହବନା ନାଇଁ? ମୋର ପ୍ରଶ୍ନ ଉପରେ ପ୍ରଶ୍ନ ଆଉ ସେମାନଙ୍କର ଶାଖା ପ୍ରଶାଖା ପବନରେ ଝୁଲି ଝୁଲି ମତେ “ହୁଁ “କହିବା । ଏଇଟା ପାଗଳାମି କି ଚଗଲାମି ତା’ ମୁଁ ଜାଣେନା । ବାପାଙ୍କ କ୍ୱାର୍ଟରରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହୋଇଯାଇଥିଲା । ମାଆ ଘରକରଣା ଜିନିଷ ସବୁ ସଜାଡ଼ି ସରକାରୀ କ୍ୱାର୍ଟରକୁ ଆମ ଘରରେ ପରିଣତ କରିଦେଲେ । କିନ୍ତୁ ଦିନସାରା ଦୂରଯାତ୍ରାରେ କ୍ଳାନ୍ତି ହେତୁ ମୁଁ ଶୋଇ ଯାଇଥିଲି । ସେଥିପାଇଁ ମାଆ ଯେତେ ଖାଇବାକୁ ଡାକିଲେ ମଧ୍ୟ ମୋ ନିଦ ଭାଙ୍ଗିନଥିଲା । ମାଆ କେତେବେଳେ ଆସି ପାଖରେ ଶୋଇଛନ୍ତି ସେକଥା ମୁଁ ଜାଣିପାରିନି । ନିଦ ଭାଙ୍ଗିବାରୁ ହିଁ ମାଆଙ୍କ ଶରୀରର ସ୍ପର୍ଶ ବାରିପାରିଲି । ବାପାଙ୍କୁ ବାରମ୍ବାର କହିଥିଲି ମୁଁ । ଏ ସହରରୁ ସେ ସହର ଏମିତି ଯାଯାବର ପରି ଆଉ ଘୁରିପାରିବିନି । କିନ୍ତୁ ଯାହା ଆଶା କରୁନଥିଲି ଶେଷରେ ତାହା ହିଁ ଘଟିଲା । ବାପାଙ୍କ ଟ୍ରାନ୍ସଫର୍ ଅଡ଼ର ଆସି ପହଞ୍ଚିଲା । ପୋଲିସ ଚାକିରିର ସବୁଠୁ ବଡ଼ ପଦକ ହେଉଛି ଟ୍ରାନ୍ସଫର । ପ୍ରଥମେ ପ୍ରଥମେ ମାଆ ବିରକ୍ତ ହୋଇ କଣ ଦି’ ଚାରିପଦ ବକିବେ ତା’ ପରେ…
ତା’ପରେ ଆଉ କ’ଣ ଯେ?? ସେ ହିଁ ସବୁ ଜିନିଷ ପତ୍ର ପ୍ୟାକିଂ କରି ସୁନାପିଲା ପରି ଚୁପ୍ ଚାପ୍ ଯାଇ ଗାଡ଼ିରେ ବସିବେ । ଗୋଟିଏ ସ୍ଥାନରୁ ସ୍ଥାନାନ୍ତରିତ ହୋଇ ଅନ୍ୟ ସ୍ଥାନକୁ ଯିବାରେ ତାଙ୍କର କୌଣସି ଅଭିଯୋଗ ବାପାଙ୍କ ପାଖରେ ନଥାଏ । ଆଜି ରାତି ଏଇ ସହରରେ ପ୍ରଥମ ରାତି । କାଲିଠାରୁ ସାଙ୍ଗସାଥୀ, ସ୍କୁଲ ସବୁକିଛି ନୂଆ ହୋଇଯିବ । ଦୁଃଖ ନୁହେଁ କି?? ନୂଆ ନୂଆ ସ୍ଥାନରେ ନିଜକୁ ଖାପଖୁଆଇ ଚଳିବା କିଛି କମ ଛୋଟ କଥା ନୁହେଁ ମ । ମାଆ କୋଳରେ ଶୋଇ ମୁଁ ଭାବୁଥିଲି । ଶୀତ ସକାଳର ଅତୀଥି ପୂର୍ବ ଆକାଶରୁ ଉଇଁଆସିଲେ । କୁହୁଡ଼ି ମିଶା ସକାଳଟା ଆଉ ଟିକେ ଫର୍ଚ୍ଚା ଦେଖାଗଲା । ମୁଁ ଉଠିଲା ବେଳକୁ ବାପା ଡ୍ୟୁଟି ଚାଲିଯାଇଥିଲେ । ମାଆ ମୋ ପଢ଼ାଘରେ ମୋ ବହିପତ୍ର ରଖୁଥିଲେ । ମୁଁ ବାଡ଼ିପଟ କବାଟ ଖୋଲିଲି । ବହୁତ ଦିନ ହେବ ସେ କବାଟ ବନ୍ଦଥିଲା ବୋଧହୁଏ । ଦୁଆରବନ୍ଧରୁ କିଛି ଉଇମାଟି ଝଡ଼ିପଡ଼ିଲା ଆଉ ତା’ସାଙ୍ଗରେ ଦୁଇଚାରିଟା ଉଈ ମଧ୍ୟ । ସେମାନଙ୍କ ଅଣଦେଖାକରି ମୁଁ ବାଡ଼ିପଟକୁ ଗଲି । ବଗିଚାରେ ମଲ୍ଲୀ ମାଳତୀ ଦୂରରେ ଥାଉ କନିଅର କି ଟଗର ଫୁଲ ସୁଧା ନଥିଲା । ଅନାବନା ଘାସ, ପୋକସୁଙ୍ଗା ଗଛ ତା’ସାଙ୍ଗକୁ ମାଟିଉପରେ ଲାଜକୁଳି ଲତାମାନଙ୍କର ଘଞ୍ଚଜଙ୍ଗଳ । ଫେରିଆସୁଥିଲି, ଶିମିଳି ଗଛର ଗୋଟିଏ ସୁନ୍ଦରୀ ଫୁଲ ମୋ କାନ୍ଧ ଉପରେ ବାଜି ତଳେ ପଡ଼ିଗଲା । ଉପରକୁ ଚାହିଁଲା ବେଳକୁ ଶିମିଳିଗଛ ମୋ ମୁଣ୍ଡ ଉପରେ ତା’ ଫୁଲମାନଙ୍କୁ ନେଇ ଗୋଟିଏ ନାଲିଛତା ଟେକିଧରିଛି । ଶିମିଳି ଗଛ ଉପରେ ମୋ ନଜର ଅଟକିଗଲା । ମାଆ ଖାଇବାକୁ ଡାକିଲେ । ମୁଁ ଫେରିଆସିଲି । ମତେ ରାସ୍ତା ଦେଖାଇବା ପାଇଁ ପ୍ରଥମ ଦିନ ମାଆ ସ୍କୁଲରେ ନେଇ ଛାଡ଼ି ଆସିଲେ । ଶ୍ରେଣୀ ଗୃହରେ ମୁଁ ପ୍ରବେଶ କଲି । ସମସ୍ତେ ମତେ ଚାହିଁଲେ ଯେମିତି କୋଉ ଗୋଟେ ଅଲଗା ଗ୍ରହର ମଣିଷ ପୃଥିବୀ ପୃଷ୍ଟରେ ଅବତରଣ କରିଛି । ଜଣେ ଅଚିହ୍ନା ବାନ୍ଧବୀ ଆସି ମୋ ପାଖରେ ବସି ତାଙ୍କ କୋରାପୁଟ ଭାଷାରେ ପଚାରିଲା -“କନତିରତା ତୁଇ? ମୁଁ ତାକୁ ଚାହିଁଲି କିଛି କହିଲିନି । ଖାଲି ହସିଲି । ହସିଲି ଏଥିପାଇଁ ଯେ ସେ ମତେ ହସି ହସି ପଚାରିଲା ମୁଁ କିନ୍ତୁ ତା’କଥା କିଛି ବୁଝିପାରିଲିନି । ସେ ପୁଣି ପଚାରିଲା -“ଏ ସୁନ୍ଦୁରୀ ତୋର୍ ଘର୍ କୁଇ?” ଘର୍ ଶବ୍ଦର ଅର୍ଥ ବୋଧହୁଏ ମୋ ଘରକୋଉଠି ମୁଁ ବୁଝିପାରିଲି ଓ ଉତ୍ତର ଦେଲି, “ମୋ ଘର ବାଲେଶ୍ୱର ।” ଆମ ବାର୍ତ୍ତାଳାପ ଭିତରେ ଶିକ୍ଷକ ଶ୍ରେଣୀ ଗୃହକୁ ଆସି ସାରିଥିଲେ । ସାର୍ ନବମ ଶ୍ରେଣୀର ସମସ୍ତ ଛାତ୍ର ଛାତ୍ରୀଙ୍କ ସହ ମୋର ପରିଚୟ କରାଇ ଦେଲେ । ପ୍ରଥମ ଦିନ ପ୍ରଥମ ବନ୍ଧୁତା ହୋଇଥିଲା ଜଣେ ଆଦିବାସୀ ଝିଅ ସହ ଯାହାର ନାଁ ଥିଲା ରୁବାଇ । ମୁଁ ସେମାନଙ୍କ କଥା ଧୀରେ ଧୀରେ ବୁଝିବାକୁ ଲାଗିଲି । ନୂଆ ନୂଆ ସାଙ୍ଗ ହେଲେ । ସେମାନଙ୍କ ସହ ଖେଳିଲି । ସେମାନଙ୍କ ପରି ଦେଓମାଳୀର ପ୍ରେମରେ ପଡ଼ିଲି । ଭଲପାଇଗଲି ସେ ପାହାଡ଼ିଆ ଅଞ୍ଚଳର କୁନି କୁନି ଆଖିରେ ନାଚୁଥିବା ସ୍ୱପ୍ନମାନଙ୍କୁ । କେମିତି କେଜାଣି ସେମାନେ ଏତେ ନିଜର ହୋଇଗଲେ ଯେ ମୁଁ ମୋ ଘରକଥା ମଧ୍ୟ ଭୁଲିଗଲି । ବାପା ଡ୍ୟୁଟି ଗଲାବେଳେ ମତେ ସବୁଦିନେ ସ୍କୁଲରେ ଛାଡ଼ିଦିଅନ୍ତି ଓ ଆସିଲାବେଳକୁ ସାଙ୍ଗରେ ନେଇ ଆସନ୍ତି । ସ୍କୁଲଠାରୁ ଘରର ଦୂରତା ଗୋଟିଏ କିଲୋମିଟରରୁ କମ ହେବ । ହେଲେ ଦିନେ ମୁଁ ସ୍କୁଲ ଯିବା ରାସ୍ତାରେ ରାସ୍ତାକୁ ଲାଗି ଗୋଟିଏ ଛୋଟ କୁଡ଼ିଆ ଘର ଉପରେ ମୋ ନଜର ପଡ଼ିଲା । ଗୋଟିଏ ଆଦିବାସୀ ପରିବାର ସେ ଘରେ ରହୁଥିଲେ । ଘର ବାହାରେ ଜଣେ ଦୁଇଜଣ ସ୍ତ୍ରୀ ଲୋକ ବାଉଁଷ ପାତିକୁ ବ୍ୟବହାର କରି ବିଭିନ୍ନ ପ୍ରକାରର ଟୋପି, ଚାଙ୍ଗୁଡ଼ି, ବୋଝ, ପାଉଁସିଆ ଓ ପରିବା ଜାଲି ଇତ୍ୟାଦି ତିଆରି କରୁଥାନ୍ତି । ହଳଦିଆ ରଙ୍ଗର ଗୋଟିଏ ଫ୍ରକ୍ ପିନ୍ଧି କବାଟ ପାଙ୍କରୁ ଦୁଇଟା ଆଖି ମତେ ଲୁଚି ଲୁଚି ଦେଖୁଥିଲା । ଆଖିଦିଟା ଚିହ୍ନା ଲାଗିଲା । ମୁଁ ପାଟିକରି ଡାକିବା ପୂର୍ବରୁ ତା ଜେଜେମାଆ ଡାକିଲେ -“ଏ ଝିମିଝିମ୍ ଏ ଟୋପି ସବୁ ନେଇ ଘରେ ରଖିଦେ ।” ସେ କବାଟ ଫାଙ୍କରୁ ବାହାରି ଆସି ଟୋପିସବୁ ନେଇ ପୁଣି ଘରକୁ ଚାଲିଗଲା । ସୂର୍ଯ୍ୟ କିରଣ ପାଇ ପ୍ରକୃତି ଜାତି ଜାତିକା ଫୁଲ ଫୁଟାଏ । ଭଳି ଭଳିକା ବାସ୍ନା ସବୁ ଫୁଲର । କାହା ବାସ୍ନା କାହା ସାଙ୍ଗେ ମିଶେନି । ପ୍ରଜାପତି, ମହୁମାଛି ଓ ଭ୍ରମରମାନେ ଉଡ଼ିବୁଲନ୍ତି ଏଇ ଫୁଲରୁ ସେଇ ଫୁଲ । ସେମିତି ଗୋଟେ କଥା କହିପାରୁନଥିବା ଗୋଟିଏ ପାହାଡ଼ିଆ ରଙ୍ଗୀନ ଫୁଲ ସହ ମୋର ପରିଚିତ ହୋଇଥିଲା ଯାହାର ନାଁ ଥିଲା – ରିମଝିମ୍ । ମୁଁ ତା ପାଇଁ ଅପେକ୍ଷା କଲି । ସେ ଘର ଭିତରୁ ବହିଖାତା ନେଇ ଆସିଲା । ଆମେ ସାଙ୍ଗ ହୋଇ ସ୍କୁଲଗଲୁ । ଯଦିଓ ମୁଁ ଜାଣେ ଯେ ସେ କଥା କହିପାରେନା ତଥାପି ମୁଁ କଥା କହିବା ଆରମ୍ଭ କଲି – ଏଇଟା ତୋ ଘର??
-“ସେ ମୁଣ୍ଡ ହଲେଇଲା ।” ମୁଁ ପୁଣି କହିଲି ତୋ ଜେଜେମାଆ କ’ଣ ଡାକନ୍ତି ତତେ? ଝିମିଝିମ୍?? ହାଃ ହାଃ ହାଃ ହସି ହସି ଗଡ଼ିଗଲି ମୁଁ ।”
-“ସେ ବି ହସିଲା । କିନ୍ତୁ ତା’ହସର ଧ୍ୱନି ମୁଁ ଶୁଣିପାରିଲିନି । ଭଗବାନଙ୍କ ଆଶୀର୍ବାଦରୁ ସେ ବହୁତ ସୁନ୍ଦର କିନ୍ତୁ କେଉଁ ଜନ୍ମର ଅଭିଶାପ ପାଇଁ ସେ ଏ ଜନ୍ମରେ ମୁକ ହୋଇଛି ତା’ କିଏ ବା ଜାଣେ । ସ୍କୁଲ ପଡ଼ିଆକୁ ଖେଳିବାକୁ ଆସୁନଥିବା ଝିଅ ଏଇ ରିମଝିମ୍ । ନିତିଦିନ ଶ୍ରେଣୀଗୃହରେ ଚୁପଚାପ ପାଠପଢ଼ୁଥିବା ଝିଅ ଏଇ ରିମଝିମ୍ । ସିଏ ଗୀତ ଗାଇପାରେନି କିନ୍ତୁ ତା ପାଇଁ ବଣଲତା ଗୀତଗାଏ । ସିଏ ଗପ କହିପାରେନି କିନ୍ତୁ ତା’ ଗପପେଡ଼ିରୁ ଗପ କେବେ ସରେନି । ସେ ଗପ ଲେଖେ । ସମସ୍ତେ ପଢ଼ନ୍ତି । ମୁଁ ବି ପଢ଼େ । ଶ୍ରେଣୀରେ ସେ ପ୍ରଥମ ହୁଏ । ମୁଁ ଅନେକ ଥର ତାକୁ ଆମ ଘରକୁ ଡାକିଛି ସେ କିନ୍ତୁ ଆସେନି । କାହିଁକି କେଜାଣି ମୁଣ୍ଡ ହଲାଇ ଅନିଛା ପ୍ରକାଶ କରେ । ତେଣୁ ମୁଁ ବାଧ୍ୟ କରେନି । ମୁଁ କାଳେ ଖରାପ ଭାବିବି ତେଣୁ ଦିନେ ମତେ ରଫଖାତାରେ ତା’ ଭାଷାରେ ଲେଖି କହିଲା ଯାହାର ଅର୍ଥ ଥିଲା, ଗୀତୁ ! ମତେ ପୋଲିସ୍ମାନଙ୍କୁ ମତେ ଭାରି ଡର ଲାଗେ । ତୋ ବାପା ତ ପୋଲିସ, ତେବେ ତମ ଘରକୁ କେମିତି ଯିବି କହ?”
-“ହା ହା ହା ରିମି, ତୁ କ’ଣ ଚୋରି କରିଛୁ ଯେ ମୋ ବାପାଙ୍କୁ ତତେ ଡର ଲାଗୁଛି? ମୁଁ କହିଲି ।”
-“ସେ ମୋ କଥା ଶୁଣି ଖାତାର ଫର୍ଦ ଓଲଟାଇ ଲେଖିଲା -“ନାଁ”
-“ମୁଁ କହିଲି ତେବେ ଆମ ଘରକୁ ଚାଲ୍ ମୋ ବାପାଙ୍କ ସହ ତୋର ପରିଚୟ କରେଇଦେବି ।” ମୋର ଅନେକ ଅନୁରୋଧ ପରେ ସେ ଆମ ଘରକୁ ଆସିବାକୁ ରାଜିହେଲା । କହିଲା କେବେଦିନେ ଆମ ଘରକୁ ଆସିବ । ତାଙ୍କ ଘରକୁ ମୁଁ ଅନେକ ଥର ଯାଇଛି । ତା’ଜେଜେମାଆ କହୁଥିଲେ ସେମାନେ କୁଆଡ଼େ ଏକଘରିକିଆ ହୋଇ ଗାଁ’ଠାରୁ ଦୂରରେ ଘରକରି ରହିଛନ୍ତି । ମୁଁ ତାଙ୍କୁ କାରଣ ପଚାରିବାରୁ କହିଥିଲେ, “ରିମିଝିମର ବଡ଼ଭଉଣୀ ଅନ୍ୟଜାତିର ଗୋଟେ ପୁଅକୁ ଭଲପାଇ ତା’ ସାଙ୍ଗରେ ଚାଲିଯାଇଥିଲା । ସେଥିପାଇଁ ଗାଁ ଲୋକ ତାଙ୍କୁ ଏକଘରିକିଆ କରିଦେଇଥିଲେ ।” ରୁବାଇ ଘର ଗାଁ ଭିତରେ ଥିଲା ତେଣୁ ଦିନେ ସେ ତାଙ୍କ ଗାଁ ଠାକୁରାଣୀଙ୍କ ଉତ୍ସବରେ ତାଙ୍କ ଘରକୁ ଯାଇଥିଲି ବାପାମାଆଙ୍କ ସହ । ସେମାନେ ନୂଆ ଶାଢ଼ୀ ପିନ୍ଧିଥିଲେ । ନାକରେ ନୋଥ, ବେକରେ ରଙ୍ଗବେରଙ୍ଗର ମାଳି । ହାତରେ କଙ୍କଣ । ସମସ୍ତେ ଗୀତ ଗାଉଥିଲେ ଆଉ ନାଚୁଥିଲେ । ରାତି ଅନେକ ହୋଇଯାଇଥିଲା ତେଣୁ ଆମେ ସେଦିନ ରୁବାଇ ଘରେ ଅଟକି ଗଲୁ । ସକାଳୁ ବାପାଙ୍କ ପାଖକୁ ଗୋଟେ ଫୋନ ଆସିଲା । ବାପା ବ୍ୟସ୍ତ ହୋଇ କାହାକୁ କିଛି ନକହି ସେ ଗାଡ଼ି ବାହାର କରି ଚାଲିଗଲେ । ବାପାଙ୍କ ବ୍ୟସ୍ତତାର କାରଣ ନଜାଣିପାରିଲେ ବି ତାଙ୍କ କଥାବାର୍ତ୍ତୀରୁ ମୋର ମନେ ହେଉଥିଲା କିଛି ଗୋଟେ ଅଘଟଣ ଘଟିଛି । ମାଆ ଆଉ ମୁଁ କିଛି ସମୟ ପରେ କ୍ୱାର୍ଟରକୁ ଫେରି ଆସିଲୁ । ରାତିସାରା ଅନିଦ୍ରା ହୋଇଥିବାରୁ ମୁଁ ସେଦିନ ଆଉ ସ୍କୁଲ ଗଲିନି । ରାତିରେ ବାପା ଘରକୁ ଫେରିଲେ । ମୁଁ ପଢ଼ାଘରେ ଥିଲି । ସେ ବୋଧେ ବହୁତ ବ୍ୟସ୍ତ ଜଣା ପଡ଼ୁଥିଲେ । ମାଆ ପଚାରିଲେ, “କ’ଣ ହୋଇଛି ଏତେ ବ୍ୟସ୍ତ ଜଣାପଡ଼ୁଛ ଯେ?”
-“କାଲି ରାତିରେ ଗୋଟିଏ ଆଦିବାସୀ ଝିଅର ବଳାତ୍କାର ହୋଇଯାଇଛି ।” ସେ ରାକ୍ଷସମାନେ ତା’ ଶରରୀରକୁ ଖିନଭିନ୍ କରି ଖାଇଯାଇଛନ୍ତି । ଆଜି ସକାଳେ ରାସ୍ତାକଡ଼ରୁ ତା’ ମୃତଦେହ ମିଳିଛି । ଏତିକି କହି ବାପା ଚୁପ ରହିଲେ ।”
-“ହେ ଭଗବାନ୍ ! ମାଆ ଆବାକ୍ ହୋଇ କହିଲେ ।” ପଢ଼ାଘରେ ଥାଇ ମୁଁ ସବୁ ଶୁଣୁଥାଏ ।
-“ବାପା ପୁଣି କହିଲେ, “ଖାଲି ଏତିକି ନୁହେଁ ସେମାନେ ତାକୁ ବଳାତ୍କାର ପରେ ପଥରରେ ଛେଚି ହତ୍ୟା କରିଛନ୍ତି । ଜାଣିଛ ସେ ଝିଅ କୁଆଡ଼େ କଥା କହିପାରେନି । ପିଲାଦିନରୁ ସେ ମୁକ ।” ମୁଁ ପଢ଼ାଘରୁ ଚିତ୍କାର କରିଉଠିଲି, ରିମଝିମ୍ ! ମୋ ଚିତ୍କାର ଶୁଣି ବାପାମାଆ କ’ଣ ହେଲା କହି ଧାଇଁ ଆସିଲେ । ଭୋ ଭୋ କରି କାନ୍ଦି ଉଠିଲି ମୁଁ । କାନ୍ଦି କାନ୍ଦି ମାଆଙ୍କୁ କହିଲି, “ସେ ବଳାତ୍କାର ହୋଇଥିବା ଝିଅ ମୋ ସାଙ୍ଗ ରିମଝିମ୍ ମାଆ ! ପିଲାଦିନରୁ ସେ କଥା କହିପାରେନି ।” ମତେ ମାଆ ଜାବୁଡ଼ି ଧରିଥାନ୍ତି । ବାପା ମୋ ଆଖିର ଲୁହ ପୋଛିଦେଇ କହିଲେ, “ଅପରାଧି ଯିଏ ବି ହଉ ତାକୁ ନିଶ୍ଚୟ ଶାସ୍ତି ମିଳିବ । ମୁଁ ତାକୁ ଶାସ୍ତି ଦେବି ।” ବାପାମାଆଙ୍କ ବାରଣ ସତ୍ତେ ତା’ ପରଦିନ ମୁଁ ରିମିଝିମ ଘରକୁ ଗଲି । ଘର ବାହାରେ ତା’ ଜେଜେମାଆ ମୁଣ୍ଡବାଡ଼େଇ ବାହୁନି କାନ୍ଦୁଥାନ୍ତି । ମୁଁ ଯାଇ ତାଙ୍କ ପାଖରେ ବସିଲି । ଏସବୁ କେମିତି ହେଲା ପଚାରିଲି, “ସେ କହିଲେ ସେଦିନ ଆମେ ହାଟକୁ ବୋଝବାଉଁସିଆ ବିକ୍ରିକରିବାକୁ ଯାଇଥିଲୁ । ଫେରିଲା ପରେ ଝିମିଝିମ୍ ଘରେ ନଥିଲା । ତା’ ବାପା ଯାଇ ବହୁତ ଖୋଜିଲା କୋଉଠି ପାଇଲାନି । ସକାଳୁ ମଲାଦେହଟାକୁ କଟାକଟି କରି ପୋଲିସ ଆଣି ଆମଘରେ ଦେଇଗଲା । ଆମେ ମୁରୁଖ ଲୋକ । ମାନି ମକଦମା କଥା ଜାଣିନୁ । ନ୍ୟାୟ କୋଉଠି ମିଳୁଛି ଜାଣିନୁ । କୋଉଠି କାହାକୁ ଯାଇ ନାୟ ମାଗିବୁ?? ପୋଲିସ୍ କହୁଛି ଖୋଜିବ । କେବେ ଖୋଜିବ? ସେ କଥା କିଏ ଜାଣେ ମାଆ !” ତାଙ୍କ କଥାର ମୋ ପାଖରେ କୌଣସି ଉତ୍ତର ନଥିଲା । ମୁଁ ଘରକୁ ଫେରିଆସି ବାପାଙ୍କୁ ସବୁକଥା କହିଲି । ବାପା ପ୍ରମାଣ ଖୋଜୁଥିଲେ । ଯାହା ଆମ କାହାପାଖରେ ନଥିଲା । ରିମିଝିମ୍ ଗଣଦୁଷ୍କର୍ମ ମାମଲା ଟିଭି, ଖବରକାଗଜ ଗଣମାଧ୍ୟମରେ ପ୍ରକାଶ କରାଗଲା । କିନ୍ତୁ ରିମଝିମ୍କୁ ନାୟ ମିଳିଲାନି । ବାପା ତଦନ୍ତ ଜାରି ରଖିଥାନ୍ତି । ଦିନେ ଗୋଟେ ଲୋକ ଆସି କୋର୍ଟରେ ସାକ୍ଷୀ ଦବ ବୋଲି ବାପାଙ୍କୁ କହିଲା । ରିମିଝିମ୍କୁ ଘରୁ ଉଠେଇନବାର ଦୃଶ୍ୟ ସେ ଦେଖିଥିଲା । ବାପା ହତ୍ୟାକାରୀ ମାନଙ୍କ ନାଁ ପଚାରିବାରୁ କହିବାକୁ ଡରିଲା । ତଦନ୍ତ ପରେ ଜଣା ପଡ଼ିଲା ସେମାନେ ଥିଲେ ଏମ୍.ଏଲ୍.ଏର ପୁଅ ଆଉ ତା’ର ସାଙ୍ଗମାନେ । ସବୁ ପ୍ରମାଣ ଏକାଠି କଲା ପରେ ସେମାନଙ୍କୁ ଆରେଷ୍ଟ କରିବାକୁ ଯିବା ଦିନ ହିଁ ବାପାଙ୍କ ଟ୍ରାନ୍ସଫର ଅଡ଼ର ଆସି ପହଞ୍ଚିସାରିଥିଲା ।
ଏଇ ଦେଶର କୋର୍ଟ ଖାଲି ତାରିଖ ପରେ ତାରିଖ ଘୋଷଣା କରିପାରନ୍ତି । ସେଇ ଦେଶର ଲମ୍ପଟ ରାକ୍ଷସମାନେ ରାସ୍ତା ଘାଟରେ ଜୋରଜବରଦସ୍ତ ନାରୀ ସହ ଗଣଦୁଷ୍କର୍ମ କରନ୍ତି ଓ ଧର୍ଷିତାକୁ ନ୍ୟାୟଦବାକୁ ଯାଇ ତା’ ଘରଲୋକଙ୍କ ପାଦର କେତେ ହଳ ଜୋତା ଛିଡ଼ିଯାଏ ତାର ସୀମା ନାହିଁ ।
– ଚନ୍ଦ୍ରକାନ୍ତି ପ୍ରଧାନ
Comments
ଚନ୍ଦ୍ରକାନ୍ତି ପ୍ରଧାନ ଜଣେ ନର୍ସିଂ ଛାତ୍ରୀ । ସେ ଓଡ଼ିଆରେ ପ୍ରେମ ଭିତ୍ତିକ ଗଳ୍ପ, କବିତା ଏବଂ ଛୋଟଛୋଟ ରଚନାମାନ କରିଥାନ୍ତି ।