ରଥଯାତ୍ରା

Ratha Jatra

ସନାତନର ପୁଅ ବାବୁଲିର ଭାରି ମନ ଥରୁଟିଏ ରଥଯାତ୍ରା ଦେଖି ଯିବା ଲାଗି । ସେଥିପାଇଁ ସିଏ ସବୁବେଳେ ଅଳି କରେ ପୁରୀ ଯିବା ଯିବା ବୋଲି, କିନ୍ତୁ ତା’ ବାପା ସନାତନ ଦିନ ମଜୁରିଆ, ତାକୁ କାମରୁ ଫୁରୁସତ ମିଳିଲେ ଯିବେ ନା । ଦିନଟିଏ କାମକୁ ନଗଲେ ତା’ପରଦିନ ଘରେ ଚୁଲି ଜଳିବା ବନ୍ଦ । ଚାରି ପ୍ରାଣୀ କୁଟୁମ୍ଭଙ୍କ ପାଇଁ ତାକୁ ଦିନ ରାତି ପରିଶ୍ରମ କରିବାକୁ ହେଉଛି । ସେଥିରେ ଆଉ ସେମାନେ କୁଆଡ଼ୁ ବା ପୁରୀ ଯାଇ ପାରିବେ? କିନ୍ତୁ ଏଥର ସିଏ ସ୍ଥିର କରିଛି, ମାଲିକ ଯୋଉ ତାଙ୍କ ପୁଅ ବାହାଘର ସମୟରେ କିଛି ବକ୍ସିସ ଦେଇଥିଲେ ତାକୁ ନେଇ ବାବୁଲିକୁ ପୁରୀ ବୁଲାଇ ଆଣିବ । ଚାହୁଁ ଚାହୁଁ ଆସିଗଲା ଆଷାଢ଼ ଶୁକ୍ଲପକ୍ଷ । ରଥ ଯାତ୍ରା ଦିନ ଦିନ ବାପା ପୁଅ ସକାଳୁ ସକାଳୁ ପଖାଳ କଂସେ ଲେଖେ ଖାଇ ଭଲ ଲୁଗା ପଟା ପିନ୍ଧି ବାହାରିଗଲେ ପୁରୀ । ରାସ୍ତାରେ ଭୋକ ହେଲେ ଖାଇବା ପାଇଁ ବାବୁଲି ବୋଉ ବାନ୍ଧିକି ଦେଇ ଥାଏ କିଛି ଚୁଡ଼ା ଆଉ ଗୁଡ଼ ।

ପୁରୀରେ ପହଁଚିଲା ବେଳକୁ ଦେଖିଲେ ଯେ ନାହିଁ ନଥିବା ଭିଡ଼, ସୋରିଷ ପକାଇବାକୁ ଜାଗା ନାହିଁ । ଏତେ ଗହଳିରେ କେମିତି ଯିବେ ରଥ ପାଖକୁ । ଲୋକ କାହିଁ କୋଉ ଦିନରୁ ପୁରୀରେ ଡେରା ପକେଇ ବସିଥାନ୍ତି ରଥ ଯାତ୍ରା ଦେଖିବେ ବୋଲି । ବାବୁଲିକୁ କେବଳ ଦୂରରୁ ରଥ ଉପରେ ଲାଗି ଥିବା ନେତଟି ହିଁ ଦେଖା ଯାଉ ଥାଏ । ସିଏ ବିକଳ ହେଇ ସନାତନକୁ ପଚାରୁଥାଏ ବାପା କାହିଁ ମତେ ତ କାଳିଆ ମହାପୁରୁ ଦିଶୁ ନାହାନ୍ତି । ଏହି ସମୟରେ ଠେଲା ପେଲା ଆରମ୍ଭ ହୋଇ ଗଲା । ବାବୁଲି ଚିତ୍କାର କରୁଥାଏ ବାପା ଚାଲ ଏଠୁ ପଳେଇବା ନହେଲେ ମୁଁ ଅଣନିଶ୍ୱାସୀ ହୋଇ ମରିଯିବି । ବହୁ କଷ୍ଟରେ ଗୋଟିଏ ପୁଲିସି କର୍ମଚାରୀ ସାହାଯ୍ୟରେ ଭିଡ଼ରୁ ବାହାରିଲେ ବାପା ପୁଅ । କ’ଣ ଆଉ କରିବେ ଭାବିଲା ବେଳକୁ ବାବୁଲିକୁ ଭୀଷଣ ଭୋକ । ସନାତନ ତାକୁ ଚୁଡ଼ା ବାହାର କରିକି ଦେବ ବୋଲି ଦେଖିଲା ବେଳକୁ ବୁଜୁଳୀଟି ଭିଡ଼ରେ କୋଉଠି ପଡ଼ି ଯାଇଛି । ସେଠୁ ସିଏ ଭାବିଲା କିଛି କିଣିକି ଖାଇଦେବେ । ହେଲେ ଏ କ’ଣ ତାର ଯାହା ପଇସା ଥିଲା ଅଣ୍ଟିରେ ଆଉ ନାହିଁ । କିଏ ନେଇ ଯାଇଛି କିମ୍ବା କୋଉଠି ଗଳି ପଡ଼ିଛି । ଏବେ କ’ଣ କରିବ ସନାତନ? ଘରକୁ କେମିତି ଫେରିବା ଆଉ ପିଲା ତାକୁ କ’ଣ ଖାଇବାକୁ ଦେବା ଭାବିକି ତାର ଆଖି ଛଳ ଛଳ ହୋଇ ଗଲାଣି । କିଏ ବା ଏଠି ଅଛି ତାକୁ ସାହାଯ୍ୟ କରିବାକୁ । ଏହି ପରି ଚିନ୍ତାଗ୍ରସ୍ତ ଥିବା ବେଳେ ସନାତନ ଦେଖିଲା କିଛି ବାଟ ଚାଲି ଗଲେ ବେଳାଭୂମିକୁ ରାସ୍ତା । ଭାବିଲା ରଥ ଦେଖା ତ ନୋହିଲା, ପୁଅକୁ ଟିକେ ସମୁଦ୍ର ଦେଖାଇ ଦେବ । ସମୁଦ୍ର କୁଳରେ ପହଞ୍ଚିଲାବେଳେ ବାବୁଲିକୁ ଭୀଷଣ ଭୋକ, ସେ ବିକଳ ହୋଇ ଚାହିଁ ରହି ଥାଏ ଚାରି ଆଡ଼େ ଥିବା ଖାଦ୍ୟ ପସରା ଆଡ଼େ କିନ୍ତୁ ହାତରେ ଗୋଟିଏ ବି ପଇସା ନାହିଁ । ସନାତନ ବିଚରା କରିବ କ’ଣ? ଶେଷରେ ସମ୍ଭାଳି ନପାରି ପାଖରେ ଥିବା ଏକ ଠେଲା ଗାଡ଼ି ବାଲାକୁ ସବୁ କଥା କହି ବିନତି କଲା କିଛି ଖାଦ୍ୟ ଦେବାକୁ ପିଲାଟା ପାଇଁ । କିନ୍ତୁ ଏ କ’ଣ, ଠେଲାବାଲାଟି ତାକୁ ନାନାଦି ଗାଳି ଗୁଲଜ କରି ଘଉଡ଼ାଇ ଦେଲା । ଅପମାନରେ ଫେରି ସନାତନ ଦେଖେ ତା’ ପୁଅ ସେଇ ସମୁଦ୍ର କୁଳରେ ବସିକି କାନ୍ଦୁଛି । ଛୋଟ ଛୁଆଟା ଭୋକରେ ଆଉଟୁ ପାଉଟୁ ହେଇ ଗଲାଣି । ବିଚରା ପିଲା ତ କେତେ ଆଶା କରିଥିଲା ରଥ ଦେଖିବ, ଘରକୁ ଗଲାବେଳେ ମା ଆଉ ତ ନାନୀ ପାଇଁ କେତେ କ’ଣ କିଣିକି ନେବ ବୋଲି । ଏବେ ଏ ଅଜଣା ସହରରେ କୋଉଠି ପିଲାଟିକୁ ନେଇ ବୁଲିବ, କାହାକୁ ସାହାଯ୍ୟ ମାଗିବ ସେ କଥା ଭାବି ଚିନ୍ତାଗ୍ରସ୍ତ ହୋଇ ପଡ଼ୁଥିଲା ସେ । ଶେଷରେ ମନେ ମନେ ବିକଳ ହୋଇ କହିଲା ହେ ପ୍ରଭୁ ତୁମ ଦର୍ଶନ ତ ହେଲାନି, ହେଲେ ଏବେ ଏ ପିଲାଟିକୁ ନେଇ କେମିତି ସୁରୁଖୁରୁରେ ଘରେ ପହଞ୍ଚାଇବି ସେତିକି ଦୟା କର । ହତାଶ ହୋଇ ସନାତନ ସେଇ ବେଳାଭୂମି ବାଲିରେ ବସି ପଡ଼ି କାନ୍ଦି ପକାଇଲା । କାହାର ହାତ ସ୍ପର୍ଶରେ ସନାତନ ମୁଣ୍ଡ ଉଠାଇ ଦେଖିଲା ତା ସାମ୍ନାରେ ଛିଡ଼ା ହୋଇଛନ୍ତି ଜଣେ ବିଦେଶିନୀ ମହିଳା । ସନାତନ ହାତ ଠାରରେ କିଛି ଖାଇବାକୁ ମାଗିଲା । ବିଦେଶିନୀ କ’ଣ ବୁଝିଲେ କେଜାଣି ସେ ସଙ୍ଗେ ସଙ୍ଗେ ତାଙ୍କ ବ୍ୟାଗରୁ ଗୋଟିଏ ବିସ୍କୁଟ ପାକେଟ ଆଉ ଗୋଟେ ପାଣି ବୋତଲ ବାହାର କରିକି ଦେଲେ । କେବଳ ଏତିକି ନୁହେଁ ସନାତନ ହାତରେ ମଧ୍ୟ ଗୁଞ୍ଜି ଦେଲେ ଏକ ୫୦୦ ଟଙ୍କିଆ ନୋଟ । ସନାତନ ବୋକାଙ୍କ ପରି ଚାହିଁଥାଏ । ସଞ୍ଜ ନଇଁବାକୁ ଆସିଲାଣି ଆଉ ଡେରି ନକରି ଯଥା ଶୀଘ୍ର ଗାଡ଼ି ଧରିବାକୁ ଯିବାକୁ ହେବ, ମନେ ମନେ ଭାବୁ ଥିଲା ସନାତନ । ବାବୁଲିକୁ ଡାକିବାକୁ ଯାଇ ଦେଖେ, ସିଏ ଏକ ଲୟରେ ଅଳ୍ପ ଦୂରରେ ବସି କେଉଁ ଆଡ଼େ ଅନାଇଛି । ସନାତନ ତା’ ପାଖକୁ ଯାଇ ଦେଖେ, ବାବୁଲି ସାମ୍ନାରେ ବାଲୁକା ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ଥିବା ତିନି ରଥ ଉପରେ ବିଜେ ତିନି ଠାକୁର । ଏହା ଦେଖି ସନାତନର ଆଖି ଛଳ ଛଳ ହୋଇ ଗଲା । ସିଏ ସେଇ ବାଲୁକା ପ୍ରତିମୁର୍ତି ସାମ୍ନାରେ ଜୋଡ଼ ହସ୍ତ ହେଇ ପଡ଼ିଗଲା ସନାତନ କହିଲା ମୁଁ ମୂର୍ଖ ଥିଲି ଠାକୁରେ, ଦର୍ଶନ ନ ଦେବାରୁ ତୁମ ଉପରେ ଅଭିମାନ କରୁଥିଲି, କିନ୍ତୁ ତୁମେ ମତେ ସେହି ବିଦେଶିନୀଙ୍କ ମାଧ୍ୟମରେ ଏତେ ବଡ଼ ବିପତ୍ତିରୁ ଉଦ୍ଧାର କଲ । ହେଃ ପ୍ରଭୁ, ଧନ୍ୟ ତୁମ ଲୀଳା । ସନାତନ ଘରକୁ ଫେରିବା ରାସ୍ତାରେ ଭାବୁଥିଲା ସିଏ ସତ ସତିକା ତିନି ଠାକୁରଙ୍କୁ ଦେଖିପାରିଲାନି କିନ୍ତୁ ତାଙ୍କ ଦିବ୍ୟ ଲୀଳାକୁ ତ ଅନୁଭବ କଲା ।

– ଡ. ଅମ୍ରିତା ପାଣି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...