ରାକ୍ଷୀ

Rakhi by Amrita Dash

“ଆଲୋ ହେ ପୋଡ଼ାମୁହିଁ ତୋର ସେ ଭିକାରୀ ଭାଇକୁ କହିଦେବୁ ଟିଭି, ପ୍ରିଜ୍ ନ ଦେବା ଯାଏଁ ତୁ ତୋ ବାପଘର ଦୁଆର ମାଡ଼ି ପାରିବୁନି କି ସେ ବି ଏ ଘର ଦୁଆରକୁ ଉଠି ପାରିବ ନାହିଁ । କହିଲା କ’ଣ ନା ଆଜି ରାକ୍ଷୀପୂର୍ଣ୍ଣିମା…..! ଉଁ ସତେ ଯେମିତି ଭାଇ ପାଟଶାଢ଼ୀ ନହେଲେ ସୁନାଚୁଡ଼ି ନହେଲେ ବିଡ଼ାବିଡ଼ା ଟଙ୍କା ଦେଇଦେବ ! ରଖ୍ ବେ ତୋ ରାକ୍ଷୀ । ମୋ ଝିଅମାନେ ଆସିବେ…. ସକେଇ ନହେଇ ଯାଆ ଭଲରେ ରନ୍ଧାବଢ଼ା କର । ଅଲାଜୁକି କହିଲା କ’ଣ ଭାଇ ହାତରେ ରାକ୍ଷୀ ବାନ୍ଧିବ !” ଆଖି ଲୁହକୁ ଚିରା କାନିରେ ପୋଛିଦେଇ ରୋଷେଇ ଘରକୁ ଯିବାବେଳକୁ ରୂପା ଭାବୁଥିଲା ଏଇ କେଇ ଖଣ୍ଡ ନିର୍ଜୀବ ଜିନିଷ କ’ଣ ଭାଇ ଭଉଣୀର ସ୍ନେହରେ ପ୍ରାଚୀର ଠିଆ କରିଦେଇ ପାରେ?

“ହେଇଟି ଶୁଣୁଛ… ତୁମକୁ ଭଲରେ କହିଦେଉଛି, ବାପା ସେ ରାସ୍ତାକଡ଼ ଜମି ଆମ ନାଆଁରେ ନକରିବା ପର୍ଯ୍ୟନ୍ତ ତୁମ ସୁନାନାକୀ ଭଉଣୀ ସହ ଆମର କୌଣସି ସମ୍ପର୍କ ନାହିଁ । ବୁଢ଼ାକୁ ଫୁସୁଲା ଫୁସୁଲି କରି ଜମି ଖଣ୍ଡକ ନିଜ ନାଆଁରେ କରିଦେଇ ସକାଳୁ ଆଜି ଫୋନ୍ କରି କହୁଛି କ’ଣ ନା ଭାଇ ଆସିବେ କେତେବେଳେ ! ଆହା… ଭାଇ ପାଇଁ ସରାଗ ଝରିଯାଉଛି ! ଏଇ ଦଶ କୋଡ଼ିଏ ଟଙ୍କିଆ ରାକ୍ଷୀ ପାଇଁ ମନ ଉଚ୍ଛନ୍ନ । ଦେଖୁନ ଏଠି ଗୋଟେ ମୂର୍ଖ ଲୋକ କେମିତି ସକାଳୁ ସେ ଘର ଭିତରେ ପଶିଛି ଯେ ପଶିଛି… ମୋ ପୋଡ଼ା ଭାଗ୍ୟ ଲୋ ମା… କାହାକୁ କହିବି ।” ସୁଲୋଚନାଙ୍କ କଥାଗୁଡ଼ାକ ତୀର ପରି ପଶୁଥିଲା ଶାନ୍ତନୁଙ୍କ ଛାତିରେ । ବନ୍ଦ କୋଠରୀ ଭିତରେ ନିଜ ଶୂନ୍ୟ ହାତକୁ ଦେଖି ଶାନ୍ତନୁ ଭାବୁଥିଲେ ସାମାନ୍ୟ ଖଣ୍ଡେ ଜମି କ’ଣ ଭାଇ ଭଉଣୀର ବନ୍ଧନ ଭିତରେ ଲକ୍ଷ୍ମଣରେଖା ଆଙ୍କିପାରେ?

“ଆଲୋ ରହ ରହ ଯାଉଛୁ କୁଆଡ଼େ ! ଚିହ୍ନା ନାହିଁ ଜଣା ନାହିଁ… କ’ଣ ଏମିତି ଭିତରକୁ ଧାଇଁ ଆସୁଛୁ? ମୋ ଚାକିରି ଖାଇବୁ ନା କ’ଣ?” ଗେଟ୍ ଭିତରକୁ ଯାଉଥିବା ମିତାର ହାତ ଧରି ଅଟକାଇ ଦେଲା ଜଗୁଆଳୀ । ମୋ ଭାଇ… ମୋ ଭାଇ… ବୋଲି ଡାକିଡାକି ଥକ୍କା ମାରି ବସିପଡ଼ିଲା ମିତା । ଅନେକ ସମୟ ବିତିଲା । ବାହାରେ ଦେଖେଣାହାରୀଙ୍କ ଭିଡ଼ ଲାଗିଥାଏ । ବନ୍ଦ କବାଟ ପାଖରୁ କେହି ଜଣେ କହିଲା, “ହରିଆ ସେ ପାଗଳୀକୁ ଟଙ୍କା ଶହେ ଦେଇ ଦେଇ ଯିବାକୁ କହ… କେହି ଭାଇ ନାହିଁ ଏଠି ତା’ର… କୁଆଡୁ ଆସି ଏଠି ଗୋଟେ ତାମସା ଚଲେଇଛି । ମାନମହତ ସବୁ ଖାଇଲା ମୋର ।” ଫେରିଯିବାକୁ ବାହାରିବା ବେଳକୁ ଅଜଣା ହାତଟିଏ ଆଗେଇ ଆସିଲା ମିତା ପାଖକୁ; “ତୁମେ ମୋ ହାତରେ ରାକ୍ଷୀ ବାନ୍ଧିବ !” ପାପୁଲି ଝାଳରେ ବତୁରି ଯାଇଥିବା ରାକ୍ଷୀକୁ ସେଇ ଅଜଣା ହାତରେ ବାନ୍ଧିବା ବେଳେ ମିତା ଭାବୁଥିଲା ଭାଇ କ’ଣ ଭଉଣୀକୁ ଭୁଲି ଯାଇପାରେ?

ଅମ୍ରିତା ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...