କେତେ ନିରାଶ୍ରୟୟଙ୍କ ଆଶ୍ରୟ
ମୁଣ୍ଡ ଗୁଞ୍ଜିବାର ଜାଗା
ଘରୁ ରାଗି ଚାଲିଯାଇଥିବା ପିଲାର
ପ୍ରଥମ ଲୁଚିବା ଜାଗା
ପକେଟ ଖାଲିଥିଲେ ରହିବାକୁ ଜାଗା ନଥିଲେ
ରାତି କଟାନ୍ତି ଏଠି ଅନେକ ଯୁବା
କେତେ ଅନୁଭୂତି ଏଠି
କିଏ ଛାଡ଼ିବାକୁ ଆସେ ପୁଅକୁ, ଝିଅକୁ
କିଏ ସାଙ୍ଗ, ସାଥି, ଅତିଥି ଅବା ବାପାମା’ଙ୍କୁ ।
ବିରହର ଅଗଣିତ କଥା ଥାଏ ଏଠି
ଅପେକ୍ଷାରେ ଥାନ୍ତି ଅନେକ
ଗାଡ଼ିର
ଗାଡ଼ିର ନା ଫଳକରେ ଆସିବାର
କିଏ ଅପେକ୍ଷା କରିଥାଏ ଆତ୍ମୀୟ ବନ୍ଧୁ ଆଉ ପରିଜନଙ୍କୁ ।
ଚଳଚଞ୍ଚଳ ଏଠି କେତେ ଲୋକ, କର୍ମଚାରୀ, ଆଉ ରେଳଗାଡ଼ି
ଚଳଚଞ୍ଚଳ ଏଠି ହୃଦୟର ଗତି ।
କାହାର ଥାଏ ଭୟ
ପ୍ରଥମ ଯାତ୍ରାର ଅବା ଏକାକୀ ଯାତ୍ରାର
ଟିକେଟ ନଥିବାର
ଆଉ କାହାର ଗାଡ଼ି ଧରିବାକୁ ହେଉଥିବା ବିଳମ୍ବର ।
ଅନେକ ଲୋକଙ୍କ ଜୀବିକା
କିଏ ବିକେ ବହି, ପତ୍ରିକା
କିଏ ବାଦାମ, ମୁଢ଼ି ଆଉ ସିଙ୍ଗଡ଼ା
ଚାହା କେଟିଲ୍ ଧରି ଏପଟ ସେପଟ ହଉଥିବା ଲୋକ ଡାକୁଥାଏ କଫି ଆଉ ଚାହା ।
ଅନେକ କାହାଣୀ ଏଠି
କାହାର ଅତୀତ
କାହାର ଜୀବିକା
କାହାର ସ୍ଵପ୍ନ ଓ ଆଶା
କାହାର ଆଖିରେ ଜକେଇ ଆସୁଥିବା ଦି’ ଟୋପା ଲୁହ କହିଦିଏ ଅନେକ କଥା ।
ହଜିଯାଏ କାହାର ସୁନା ଗହଣା
ଜିନିଷ, ଟଙ୍କା ଆଉ ଟିକେଟ
ହଜିଯାଏ ଏଠି ମଣିଷର ସମୟ ଆଉ ବ୍ୟଥା ।
– ସୁଜାତା ଦାଶ
Comments

ସୁଜାତା ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।