ହେ ମୋ ଉତ୍କଳ ମାତା, ହେ ମୋ ଜନନୀ
ତେଜସ୍ଵୀ, ଯଶସ୍ୱୀ ବୀରଙ୍କ ଗର୍ଭଧାରିଣୀ
ପୂଜନୀୟା, ବନ୍ଦନୀୟା ହେ ଉତ୍କଳ ଭୂମି
ସମଗ୍ର ଓଡ଼ିଆ ଜାତିର ତୁ ମଉଡ଼ମଣି ।
ବକ୍ଷରେ ଆଚ୍ଛାଦିତ ଚିର ସବୁଜିମା, ତଟିନୀ
ରତ୍ନାକର ସଜାଏ ନୀଳ ଲହରୀରେ ଯା’ ପାଦ
ବଢ଼ାଇ ଶୋଭା ମମତା ଭରା ପଣତ କାନି
ପୂଜନୀୟା, ବନ୍ଦନୀୟା ହେ ଉତ୍କଳ ଜନନୀ ।
ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ ଭଳି ବୀରପୁତ୍ର
ଜନ୍ମି ତୋ’ କୋଳେ ତୋ’ ସମ୍ମାନ ରକ୍ଷା ପାଇଁ
ମୁଣ୍ଡ କାଟି, ରକ୍ତଦେଇ ବଢ଼ାଇଛନ୍ତି ତୋ ଗରିମା
ଯୁଦ୍ଧେ ବୁହାଇ ଶତ୍ରୁର ରକ୍ତଭରା ତଟିନୀ ।
ଗୋପବନ୍ଧୁ, ମଧୁବାବୁ ତୋ’ ଗୌରବ ବଢ଼ାଇ
ବିର୍ସା ଆଉ ଲକ୍ଷ୍ମଣ ଭଳି ପୁଅ ତୋ’ ରକ୍ଷା ପାଇଁ
ଜୀବନକୁ ବାଜି ଲଗାଇ ତୋ’ ସମ୍ମାନ ଜିଣି
ଇତିହାସ ରଚିଗଲେ ସାଜି ତୋ’ ରତ୍ନମଣି ।
ପୁଣି ବୀର ସୁରେନ୍ଦ୍ର ସାଏ ଆଉ ବାଜିରାଉତ
ତୋ’ ପାଇଁ ଦେଲେ ଛାତି ପାତି ପ୍ରାଣ କରି ତୁଚ୍ଛ
ଜୀବନକୁ ଅର୍ପି ତୋ’ ପାଦପଦ୍ମ ସେବାରେ
ସାଜିଲେ ତୋ’ ଅଲିଅଳ ବିଶିକେଶନ ଶିରୋମଣି ।
ବୀର ପାଇକ ପୁଅ ଆଉ ସାଧବ ପୁଅ ରଖି ତୋ’ ଟେକ
ଓଡ଼ିଆ ସଂସ୍କୃତି, ପରମ୍ପରାର ଲମ୍ଵେଇଲେ ବେକ
ବଢ଼ାଇଛି ଶୋଭା କରି କୃତାର୍ଥ, ପବିତ୍ର ଏ ମାଟି
କାଳିଆ ଠାକୁର ସାଜି ତୋ’ ସିନ୍ଥି ମଥାଣି ।
ତୋ ମାଟି, ତୋ ପବନ, ତୋ ଶୀତଳ ଜଳଧାରା
ଅମୃତ ସମାନ ଏ ଓଡ଼ିଆ ଜାତି ପାଇଁ ପରା
ସେଇ ମାଟିକୁ କପାଳେ କରି ବିଜୟ ତିଳକ
ଚଷା ପୁଅ ତୋ’ କୋଳେ ହସାଏ ଫସଲର ଖଣି ।
ତୋ ମାଟି, ପବନର ତାଳେ ତାଳେ ନାଚି ଗୋଟିପୁଅ
ଗାଏ ତୋ’ ମହାନତାର ଅପୂର୍ବ କାହାଣୀ
ଯାନିଯାତ୍ରା ଭେଟି ହସଖୁସିରେ ଭରି ତୋ କୋଳ
ଧନୁଯାତ୍ରା କରେ ପବିତ୍ର କହି ଏ ମାଟିର ଜୀବନୀ ।
ଗୋଡ଼ିଠୁ ମାଟି ଯାଏଁ ପବିତ୍ର ଏ ଉତ୍କଳ ଭୂମି
ଉଦରରୁ ଆତ୍ମା ଯାଏଁ ତୃପ୍ତ ତୋ ପଖାଳ ତୋରାଣି
ଓଡ଼ିଆ ମାଟିର ଭାଷା ସତେ ଅମୃତ ବାଣୀ
ତୋ ମଥା ଟେକିବୁ ଗାଇ ବନ୍ଦେ ଉତ୍କଳଜନନୀ ।
– ସୁଶ୍ରୀ ସଙ୍ଗୀତା ସେଠୀ
Comments
ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।