ତିରସ୍କାର କା’ରେ କର ନାହିଁ ଭାଇ
ଆମେ ତ ସରବେ ବିଭୂ ସନ୍ତାନ ।
ତିରସ୍କାର କଲେ ବଢ଼ିଯିବ କି ହେ
ସମାଜରେ ଆମ ମାନ ସମ୍ମାନ ।୧।
ଯେହ୍ନେ ଉପବନେ ନାନା ଜାତି ପୁଷ୍ପ
ବିକଶିତ ହୋଇ ବିତରେ ବାସ ।
କେଉଁ କୁସୁମଟି କରେ ଅଭିମାନ
ଦେଖିଛକି କେବେ ହୁଏ ବିଶ୍ୱାସ ।୨।
ରୂପ ରଙ୍ଗ ସିନା ଅଲଗା ଫୁଲର
ପରିଚୟ ପରା ଏକଇ ତା’ର ।
ଜୀବନର ଲକ୍ଷ୍ୟପଥେ ଆଗେଇ ସେ
ହସି ହସାଏ କରି ଆପଣାର ।୩।
ଗରବ କରେନି ସୁନ୍ଦର ବୋଲି ମୁଁ
ଏକତା ସୂତ୍ରରେ ଆନକୁ ବାନ୍ଧି ।
ସହଯୋଗ ଖାଲି କରଇ କାମନା
ଧନ୍ୟ ତା’ ଜୀବନ ଆଦର୍ଶ ଗାନ୍ଧୀ ।୪।
ମାନବ ଜୀବନ ମିଳିନି ଆମକୁ
ଦୁଃଖ ଦେବା ପାଇଁ କାହା ମନରେ ।
ନିଜେ ଆନନ୍ଦିତ ହୋଇ ଧରା ବୁକେ
ଆନକୁ ଆନନ୍ଦ ଦେବା ଆମେରେ ।୫।
ତେବେ ସିନା ପ୍ରଭୁ ଲଭିବେ ସନ୍ତୋଷ
ଦେଖି ଆମ ଠାରେ ଦିବ୍ୟ ଭାବନା ।
କାହିଁକି ହୋଇବା ପରଶ୍ରୀ କାତର
କାହିଁ ପାଇଁ ହୋଇବା ହୀନମନା ।୭।
ଜନମ ଆମର ସଫଳ ହୋଇବ
ଆନ ଓଠେ ଦେଇ ଚେନାଏ ହସ ।
ଝରି ପଡ଼ୁଥିବ ଅଧରୁ ମଧୁର
କଥା ପଦେ ଯେବେ ହୋଇ ହରଷ ।୭।
ଆସ ନଈ ନାଳ ଭଳି କୁଳକୁଳୁ
ଗାଇ ଚାଲି ଥିବା ମଧୁ ସଂଗୀତ ।
ଜଗତର ହିତେ ବହିଯିବା ଆମେ
ସାଗର ବକ୍ଷରେ ହେବା ମିଳିତ ।୮।
ବିହଙ୍ଗ ସମାନ ତୋଳି ମଧୁ ତାନ
ଉଡ଼ିବା ପ୍ରେମର ନୀଳ ଗଗନେ ।
ମଧୁପ ପରାୟେ ଗୁଞ୍ଜନ କରି
ବାହାରିବା ନୂଆ ଅନୁ ସନ୍ଧାନେ ।୯।
ସାଉଁଟିବା ମୋତି କେତେ ଅନୁଭୂତି
ଲଭିବା ଏ ଜୀବନ ଚଲା ପଥେ ।
ପ୍ରୀତି ପାରାବାରେ ପହଁରିବା ଆସ
ମୋ ଭାଇ ଭଉଣୀ ଜୀଇଁବା ସାଥେ ।୧୦।
– ଗୁପ୍ତେଶ୍ୱର ଚାନ୍ଦ
Comments
କବି ଶ୍ରୀ ଗୁପ୍ତେଶ୍ୱର ଚାନ୍ଦ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।