ଟ୍ରେନ ତା‘ର ଗତି ବଢ଼ାଇବାକୁ ଉଦ୍ୟତ ହେବାବେଳେ ଧଇଁସଇଁ ହୋଇ ରୁଦ୍ର ଟ୍ରେନ ଭିତରକୁ ପ୍ରେବେଶ କରିଥିଲା । ବହୁତ ଦିନ ପରେ ଘରକୁ ଯିବା ପାଇଁ ଛୁଟି ମିଳିଛି । ବିଗତ ଛଅ ବର୍ଷ ହେବ ଭାରତୀୟ ସେନା ବାହିନୀର ଜଣେ ସୈନିକ ଭାବେ ମାତୃଭୂମି ପାଇଁ ସେବା କରିଆସୁଛି ରୁଦ୍ର । ଟ୍ରେନ ଭିତରେ ବସିବା ପାଇଁ ଜାଗାଟିଏ ଖୋଜୁଖୋଜୁ ଏକ ଚିହ୍ନା ମୁହଁକୁ ଆବିଷ୍କାର କରିଥିଲା ସେ । ସେଇ ଆଖି, ସେଇ ଗହନିଆ କେଶ । ହଁ… ଇଏ ସେଇ ଝିଅ, ଯାହାକୁ ରୁଦ୍ର ନିଜଠୁ ଅଧିକ ଭଲ ପାଉଥିଲା, ମାତ୍ର ମୁହଁ ଖୋଲି କହିପାରିନଥିଲା । ପୂର୍ବ କଥା ମନେ ପକଉ ପକଉ ସେ ଅଜାଣତରେ ‘ମୀନା‘ ବୋଲି ଡାକିସାରିଥିଲା । ଅଜଣା ଭିଡ଼ରୁ ନିଜ ନାଁ ଶୁଣି ମୀନା ସାମାନ୍ୟ ବ୍ୟସ୍ତ ହୋଇ ଯେବେ ସାମ୍ନାକୁ ଦେଖିଲା, ପୁରୁଣା ସ୍ମୃତିସବୁ ଆଖିରେ ନାଚି ଉଠିଲା ।
ରୁଦ୍ରର ମନ କଥା ଜାଣି ମଧ୍ୟ ପାରିବାରିକ ସମସ୍ୟା ଯୋଗୁଁ ସେ ନ ଜାଣିବାର ଅଭିନୟ କରିଥିଲା । ଦୁହେଁ ଏବେ ପରସ୍ପର ସାମ୍ନାରେ ଥିଲେ । ଦୁହିଁଙ୍କ ଆଖିରେ ଥିଲା କାହିଁ କେତେ ଯେ ପ୍ରଶ୍ନ । ବୋଧହୁଏ ନିଜ ନିଜର ପ୍ରଶ୍ନକୁ ବିନା ଭାଷାରେ ବୁଝିସାରିଥିଲେ । ରୁଦ୍ର କିନ୍ତୁ ଆଉ ଚୁପ୍ ରହିପାରିଲାନି । ନିଜ ମନ କଥା ମୀନାକୁ କହିଦେବ ବୋଲି ମନସ୍ଥ କଲା । ଠିକ୍ ସେତିକିବେଳେ ଟଏଲେଟ୍ ରୁମ୍ରୁ ୫ବର୍ଷର ପୁଅ ଶୁଭମ ଆସି ମା‘ ମା‘ କହି ମୀନା କୋଳକୁ ଆଉଜି ଆସିଥିଲା । ରୁଦ୍ର ସବୁ ବୁଝିପାରିଥିଲା । ସେତେବେଳେ ମୀନା ନିଜର ଦୁଃଖଦ କାହାଣୀ ଶୁଣେଇଥିଲା ଯେ ରୁଦ୍ର ସହର ଛାଡ଼ି ଯିବା ପରେ ପ୍ରତିକୂଳ ପରିସ୍ଥିତିରେ ତା‘ର ବିବାହ ଓ ସ୍ୱାମୀଙ୍କ ଅକାଳ ବିୟୋଗ ।… ତଥାପି ରୁଦ୍ର ମନରେ ମୀନା ପାଇଁ ଭଲପାଇବା କମିଯାଇନଥିଲା । ସେ ମୀନାର ପୁଅ ଶୁଭମକୁ ନିଜ କୋଳକୁ ନେଇଆସିଲା । ମୀନା ମଧ୍ୟ ମୌନରେ ତା‘ର ହଁ ଭରିସାରିଥିଲା ।….
ଟ୍ରେନ ଚାଲୁଥାଏ । ବୋଧେ ଦୁଇଜଣ ପଥିକଙ୍କ ରାସ୍ତା ସମାନ ହୋଇଯାଇଥିଲା ।
– ସସ୍ମିତା ସାହୁ
Comments
ସସ୍ମିତା ସାହୁ ଜଣେ ଓଡ଼ିଆ ଗାଳ୍ପିକା ତଥା କବୟତ୍ରୀ, ଯିଏକି ଓଡ଼ିଆ ଭାଷାରେ ବିଭିନ୍ନ ଧରଣର ଗପ, କବିତା, କ୍ଷୁଦ୍ରଗଳ୍ପ ଆଦି ରଚନା କରନ୍ତି ।