“ଦୁହିତା ଦୁଇ କୁଳକୁ ହିତା ନହେଲେ ଦୁଇ କୁଳକୁ ପିତା” ଜେଜେ ମା’ର ଏଇ କଥାଟି ବାରମ୍ୱାର ବାରମ୍ୱାର ଆକ୍ତାମାକ୍ତା କରୁଥିଲା ମାନିନୀକୁ ଯେବେଠାରୁ ନିର୍ବନ୍ଧ ତିଥି ଠିକ୍ ହେଲାଣି । ନୂଆ ଦୁନିଆରେ କିଭଳି ନିଜକୁ ଖାପ ଖୁଆଇ ଦୁଇ କୁଳର ନାଆଁ ରଖିବ ସବୁବେଳେ ସେଇ ଚିନ୍ତାରେ ମାନିନୀ ।
ପରିଜନ, ସାଙ୍ଗ ମାନଙ୍କଠୁଁ ମୁହଁଖୋର୍ ଉପାଧିଟା ତିଥି ନିର୍ଦ୍ଧାରଣ ପୂର୍ବରୁ ଯେତେ ଗର୍ବ ଦେଉଥିଲା, ଆଜି କିନ୍ତୁ ତିଥି ନିର୍ଦ୍ଧାରଣ ପରେ ଦୁହିତା ହେବା ସଂକଳ୍ପରେ ବାରମ୍ୱାର ବ୍ୟାଘାତ ସୃଷ୍ଟି କରୁଥିଲା । କାଳେ କାହାକୁ ମୁହେଁ ମୁହେଁ ଜବାବ ଦେଲେ ସେ ଅପ୍ରିୟ ହୋଇଯିବା ଡରଟା ଧୀରେ ଧୀରେ କଳା ବାଦଲ ଭଳି ଘନେଇ ଆସୁଥିଲା ବାହାଘର ଖୁସିର ନୀଳ ଆକାଶରେ ।
ଗୋଟି ଗୋଟି କରି ଘୋଷି ହେଉଥାଏ ମାନିନୀ, ହାତେ ଓଢ଼ଣା ଦେବୁ, ସାନକୁ ତୁମେ, ବଡ଼କୁ ଆପଣ କହିବୁ, ଶାଶୁ ମା’ ପରି ଯାହା କହିବେ ମାନି ଚଳିବୁ, ଶଶୁରଙ୍କୁ ବାପା ପରି ମାପି ଚୁପି କହିବୁ, ନଣଦ ସାନ ଭଉଣୀ ଭଳି ମନ ନେଇ ଚଳିବୁ, ପାଟି ଖୋଲି ଜବାବ ଦେବୁନାହିଁ, ସମସ୍ତଙ୍କୁ ଖୁଆଇ ପିଆଇ ନିଜେ ଖାଇବୁ, ଘର କାମ ଭାବି ସବୁ କାମ କରିଦେବୁ, ରୋଷେଇରେ କ’ଣ କରିବୁ ଶାଶୁଙ୍କୁ ପଚାରି କରିବୁ ଇତ୍ୟାଦି ଇତ୍ୟାଦି । ତା’ ଭିତରେ ବେଶୀ ବିବ୍ରତ କରୁଥାଏ ମାପିଚୁପି କହିବୁ ଆଉ ମୁହଁ ଉପରେ ଜବାବ ଦେବୁନାହିଁ ଉପଦେଶଟା ।
ବାହା ହେଇ ଆଠ ଦିନ ପରେ ଧୀରେ ଧୀରେ ରୋଷେଇ ଘର ସହିତ ସମସ୍ତଙ୍କ ପସନ୍ଦକୁ ନିଜ ଅକ୍ତିଆରକୁ ଆଣିବା ଚେଷ୍ଟା ଭିତରେ ସୁରୁଖୁରରେରେ ଚାଲିଥିଲା ସଂସାର । ଲୁଣ କମ୍ ହେଲେ କି ଚିନି ବେଶୀ ହେଲେ ଦି ପଦ ନଶୁଣେଇ ଆନନ୍ଦର ସହ ଖାଉଥିଲେ । ଭାବୁଥିଲା ତାଙ୍କ ପ୍ରଥା ଅନୁଯାୟୀ ଖାଇବା ଥାଳିକୁ ମା’ ଲକ୍ଷ୍ମୀଙ୍କ କୃପା ହିସାବରେ ନମସ୍କାର କରି ଖାଉଥିବା ହେତୁ ବୋଧେ କେହି ଖାଇବାରେ ଖୁଣ କାଢ଼ି ନଥିଲେ ।
ୟା ଭିତରେ ଶଶୁରଙ୍କ ଚକୁଳି ଖାଇବା ଇଚ୍ଛା ଜାଣି, ଶାଶୁଙ୍କୁ ପଚାରି ପ୍ରସ୍ତୁତିରେ ଲାଗି ପଡ଼ିଥିଲା ମାନିନୀ । ଏଇ ଭିତରେ କିଏ କେତେ ଖାଏ ତା’ର ସଠିକ୍ ଆକଳନ କରି ସାରିଥିବା ସତ୍ତ୍ୱେ ବିରି ଚାଉଳ ଭାଗ ମାପ ପଚାରି ବୁଝିଥିଲା ମାନିନୀ । ଆଉ ଘରେ ହେଉଥିବା ଚକୁଳି ବିଧି । ବିରି, ଚାଉଳ, ମେଥି ଚିକଣ କରି ବାଟି ରଖିଲା ରାତ୍ରୀ ଭୋଜନରେ ଚକୁଳି ପାଇଁ ।
ଭୋଜନ ଆରମ୍ଭରେ ଚକୁଳି ତିଆରି ଆରମ୍ଭ ହେଲା, ଆଉ ଆଣ ଶେଷରେ ରାତ୍ରୀ ଭୋଜନର ଶେଷ । ସବା ଶେଷରେ ହାଣ୍ଡି ଧୁଆ । କଡ଼ କଡ଼ିଆ ଚକୁଳି ପସନ୍ଦ କରୁଥିବା ନଣଦକୁ ଦେଇ ସାରିବା ପରେ ହାଣ୍ଡିରେ ହାଣ୍ଡିଏ ଆଣ ଥିବା ଭଳି ଲାଗୁ ନଥିଲା । ଖାଇବାକୁ ପ୍ରଣାମ କରି ଖାଇବା ଆରମ୍ଭ କରୁଥିବା ଘରେ, ଅଧିକ ରାନ୍ଧି ଖାଦ୍ୟ ବାସି କି ନଷ୍ଟ ନକରିବା ଉପଦେଶକୁ ପାଳନ କରିବା ପରିଣତି ସ୍ୱରୂପ ମନେ ମନେ ଚୁଡ଼ା କି ମୁଢ଼ି ବାଛିବା ଭିତରେ ବାସନ ମଜା କାମରେ ବ୍ୟସ୍ତ ଥିଲା ମାନିନୀ ।
ଶୋଇବାକୁ ଯିବା ପୂର୍ବରୁ ସବୁଦିନ ଭଳି ଶାଶୁ ଆସି ରୋଷେଇ ଘରେ ବାସନ ସଜାଇ ରଖିବା ପରିବର୍ତ୍ତେ ଆଗରୁ କାଢ଼ି ରଖିଥିବା ଆଣରେ ଚକୁଳି କରିବା ଆରମ୍ଭ କଲେ । ଆଉ ମାନିନୀକୁ ବାସନ ସଜାଇ ରଖିବା କାମରୁ ବିରତ କରାଇ ଖାଇବାକୁ ବାଧ୍ୟ କଲେ । ଆଉ ଖାଇବା ଭିତରେ କହିଲେ, “ଏ ଘରେ ଚକୁଳି ହେଲେ ସମସ୍ତେ ସୈନିକ ପାଲଟି ଯାଆନ୍ତି ଆଉ ଯେପର୍ଯ୍ୟନ୍ତ ଆଣ ତା’ର ସମୂର୍ଣ୍ଣ ଅସ୍ତିତ୍ଵ ହରେଇ ନ ଦେଇଛି ଏମାନଙ୍କ ଖିଆ ସରେନି । ତେଣୁ ତୋ’ ପାଇଁ ବଞ୍ଚେଇ ରଖିଥିଲି । ବୋହୂ ବେଳେ ଚକୁଳି ଦିନ ମୁଁ ଅନେକ ରାତି ପସନ୍ଦର ଚକୁଳି ନଖାଇ ମୁଢ଼ି ଖାଇ ଶୋଇବା ଦୁଃଖ ଭୋଗିଚି । ସେଇଟା କ’ଣ ମୁଁ ଥାଉ ଥାଉ ତୋ’ ସାଙ୍ଗେ ହେବାକୁ ଦେବି !”
ଖାଇ ସାରି ମାନିନୀ ଭାବୁଥିଲା ତା’ ଶାଶୁ ସେ ସ୍ନାପ୍ ଡିଲ୍ର ବିଜ୍ଞାପନରେ କହୁଥିବା “रिश्ता दिल से बनता है बेटा, जो मर्जी पहनो” ଶାଶୁଠୁଁ କେଉଁ ଗୁଣରେ କମ୍ ନୁହନ୍ତି ।
– ସୁଦୀପ ରୋହନ ବାଘ
Comments
ସୁଦୀପ ରୋହନ ବାଘ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।