ପାଠ ବଦଳାଏ ବାଟ

Odia Story Patha Badalae Bata (ପାଠ ବଦଳାଏ ବାଟ) by Swetalina Pattnaik

ଗାଆଁର ନାଆଁ ପଦ୍ମପୁର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଗାଁ’ଟି ଦେଖିବାକୁ ଖୁବ୍ ସୁନ୍ଦର । ବିଦ୍ୟାଳୟରୁ ଆରମ୍ଭ କରି ବ୍ଲକ ଘର ପର୍ଯ୍ୟନ୍ତ ସବୁ ରହିଛି । ହେଲେ ଦୁଃଖର ବିଷୟ ଗାଁ ଲୋକେ ବେଶୀ ଶିକ୍ଷିତ ନୁହଁନ୍ତି । ସେଇଥିପାଇଁ ସବୁ ଥାଇ ମଧ୍ୟ ନଥିଲା ଭଳି କିଛି ଉନ୍ନତିମୂଳକ କାମ ଗାଁରେ ହୋଇନଥାଏ । ଆଜିବି ଗାଁରେ ଝିଅ ପୁଅ ମଧ୍ୟରେ ବହୁତ ପ୍ରଭେଦ । ଝିଅକୁ ପାଠ ତ ଦୂରର କଥା ବିଦ୍ୟାଳୟର ପାଦ ମାଡ଼ିବାକୁ ଦିଅନ୍ତି ନାହିଁ ।

ଗାଁ ମୁଣ୍ଡରେ ଛୋଟିଆ ଘରଟିଏ । ଘରେ ସରିତା ବାପାମାଆଙ୍କ ସହ ରୁହେ । ଛୋଟ ପରିବାର । ଯେତିକି ଆୟ ହୁଏ ଖାଇପି’ ଆଉ ପାଖରେ ପଇସା ବଳେ ନାହିଁ । ଝିଅ ଭଲ ପାଠ ପଢ଼େ । ଗାଆଁ ଲୋକଙ୍କ ବାରଣ ସତ୍ତ୍ୱେ କଷ୍ଟରେ ସରିତା ଦଶମ ଶ୍ରେଣୀ ପାସ୍ କରେ । ତା’ପରେ ପଢ଼ିବାକୁ ମନ ଥିଲେ ମଧ୍ୟ ଘରେ ବରପାତ୍ର ଖୋଜିବାରେ ଲାଗି ପଡ଼ନ୍ତି । ଶେଷରେ ଗୋଟିଏ ଜାଗାରେ ବାହାଘର ସ୍ଥିର ହୁଏ । ମର୍କଟ ବେକରେ ମୁକ୍ତା ହାର ଭଳି ବହୁତ ଭଲ ପ୍ରସ୍ତାବ ମିଳିଥାଏ । ବାପାମାଆ ବହୁତ ଖୁସି ଥାଆନ୍ତି । ସରିତା ମଧ୍ୟ ଖୁସିରେ ଥାଏ । ପୁଅ ବାଙ୍ଗାଲୋରରେ ଇଞ୍ଜିନିୟର ଅଛି । ନାଁ ତା’ର ସମ୍ଭବ । ଯଥା ବିଧିରେ ବାହାଘର ସମାପ୍ତ ହୁଏ । ବାପା ମାଆଙ୍କୁ ଛାଡ଼ି ପର ଘରକୁ ଯିବା, ନିଜ ଲୋକଙ୍କୁ ପର । ପର ଲୋକଙ୍କୁ ନିଜର କରିବା କେତେ କଷ୍ଟ କେବଳ ଗୋଟେ ଝିଅର ହୃଦୟ ହିଁ ବୁଝି ପାରିବ । ସରିତା ବାହାହୋଇ ଶାଶୂଘର ଚାଲିଯାଏ ।

ପ୍ରଥମେ ପ୍ରଥମେ ତାକୁ ଭଲ ବ୍ୟବହାର ମିଳେ । ଧୀରେ ଧୀରେ ସରିତା ପ୍ରତି ଶାଶୂଶଶୁରଙ୍କ ବ୍ୟବହାର କ୍ରୁର ହେବାକୁ ଲାଗେ । ସମ୍ଭବ ମଧ୍ୟ ଚାଲିଯାଏ ବାଙ୍ଗାଲୋର ଶୀଘ୍ର ଫେରି ଆସିବାର ପ୍ରତିଶ୍ରୁତି ଦେଇ । ଶାଶୂଶଶୁରଙ୍କ ନିର୍ଯାତନା ବଢ଼ିବାକୁ ଲାଗିଥାଏ । ଗରିବ ଘରର ଝିଅ ଯୌତୁକରେ କିଛି ଆଣିନାହିଁ । ସେଇଥିପାଇଁ ଯେତେ କଷ୍ଟ ହେଲେ ମଧ୍ୟ ସହିଯାଏ ସରିତା । ସମ୍ଭବ ପ୍ରଥମେ ପ୍ରଥମେ ଫୋନ କରେ କଥାବାର୍ତ୍ତା, ଦୁଃଖସୁଖ ବୁଝୁଥାଏ । ଧୀରେ ଧୀରେ ସେ ମଧ୍ୟ ବନ୍ଦ ହେଇଯାଏ । ଏମିତି ଦିନ ଆସେ କି ସମୟ ସହ ତା’ ସ୍ୱାମୀ ହଜିଗଲା ଭଳି ଫୋନ ଚିଠି ସବୁ ବନ୍ଦ ହେଇଯାଏ । ଶାଶୁ ଶଶୁରଙ୍କୁ ମଧ୍ୟ ଫୋନ କରେ ନାହିଁ ସିଏ । ଏଥିରେ ବି ସେମାନେ ସରିତାକୁ ଦୋଷ ଦିଅନ୍ତି । ଶେଷରେ ଖବର ମିଳିଲା ପୁଅ ଆଉ ଜଣକୁ ବାହା ହୋଇ ବାଙ୍ଗାଲୋରରେ ସବୁଦିନ ପାଇଁ ରହିଯାଇଛି । ବହୁତ ଦୁଃଖ ହେଲା ସରିତାକୁ । ଆଖପାଖ ପଡ଼ୋଶୀ ଏଥିରେ ବି ସରିତାକୁ ଦୋଷ ଦିଅନ୍ତି । ଏମିତି ବହୁତ ଦିନ ବିତିଯାଏ । ପୁଅ ତ ପଇସାପତ୍ର ପଠାଏ ନାହିଁ । ଘରେ ବହୁତ୍ ଅଭାବ ଅସୁବିଧା ହୁଏ । ସରିତାକୁ ଘରୁ ବାହାରି ଚାକିରି ଖୋଜିବାକୁ ପଡ଼େ । ଶେଷରେ ନିରାଶ ହୋଇ ଘରକୁ ଫେରି ଆସେ । ଦୁନିଆ ଯାଇ କୋଉଠି ପହଞ୍ଚିଲାଣି ଦଶମ ପାସ୍‌କୁ କିଏ ବା କାଇଁ ଚାକିରି ଦବ? ଶେଷରେ ଗୋଟେ ଧନୀ ଲୋକ ସରିତାକୁ ଘର ସମ୍ଭାଳିବା କାମ ଦିଅନ୍ତି । ଘରେ ଛୋଟିଆ ଝିଅଟିଏ ଥାଏ । ସ୍ତ୍ରୀଙ୍କ ଦେହାନ୍ତ ହେଇଯାଇଥଲା । ଝିଅର ଯତ୍ନ ନବା ପାଇଁ ସରିତାକୁ ରଖନ୍ତି ।

ସରିତାର ପାଠ ପଢ଼ିବାର ଜିଜ୍ଞାସା ଦେଖି ସେଇ ବ୍ୟକ୍ତି ଜଣକ ତାକୁ ପାଠ ପଢ଼ାରେ ସାହାଯ୍ୟ କରନ୍ତି । ତାଙ୍କ ହାତପାଇ ସରିତା ବହୁତ ପଢ଼େ । ସ୍ନାତକୋତ୍ତର ହାସଲ କରେ । ପ୍ରଶାସନିକ ପରୀକ୍ଷାରେ ଭଲ ନମ୍ୱର ରଖି ପାସ୍ ହୁଏ । ୟା ଭିତରେ ସତର ବର୍ଷ ବିତି ଯାଇଥାଏ । ଗାଁ’ର ଛୋଟିଆ ଝିଅ ସରିତା, ସ୍ୱାମୀ ଯାହାକୁ ଛାଡ଼ି ଚାଲି ଯାଇଥିଲା ସିଏ ଆଜି ସେଇ ଜିଲ୍ଲାର ଜିଲ୍ଲାପାଳ । ସମସ୍ତଙ୍କ ପ୍ରେରଣାର ଉତ୍ସ ହେଇ ସାରିଥାଏ ସରିତା । ପୁଅ ଛାଡ଼ି ଦେଇ ଚାଲିଗଲା ହେଲେ ବୋହୂ ଆଜି ଶାଶୁ ଶଶୁରଙ୍କୁ ନିଜ ବାପାମା’ଙ୍କ ଭଳି ସେବା ଶୁଶ୍ରଷା କରି ରଖିଥାଏ । ସରିତା ବିଶ୍ୱାସରେ ରହିଥାନ୍ତି ସେମାନେ ।

ସମୟର ଗାଡ଼ି ତୀବ୍ର । ସେଇ ସମୟ ସବୁ କିଛି ବଦଳେଇ ଦିଏ । ଲୋକମାନେ ସମାଜରେ ଝିଅମାନଙ୍କୁ ପାଠ ପଢ଼େଇବାକୁ ପସନ୍ଦ କରନ୍ତି ନାହିଁ । ବାହାଘର ସରିଗଲେ ନିଜ କର୍ତ୍ତବ୍ୟ ଶେଷ ହୋଇଯାଏ ଏହି ବିଶ୍ୱାସ ବର୍ଷ ବର୍ଷରୁ ରହି ଆସିଛି । ସ୍ୱାମୀ ଚାଲିଗଲା ପରେ ସରିତାକୁ ବାପାମାଆଙ୍କ ସାହାଯ୍ୟର ଆବଶ୍ୟକତା ଥିଲା ମାତ୍ର ସେଇ ସମୟରେ ସିଏ ଏକା ଥିଲା । ଶାଶୂଶଶୁର ପୁଅ ଜନ୍ମ କରି କିଛି ପାଇ ପାରିଲେ ନାହିଁ ବୋହୂ ଝିଅ ହୋଇ ସେମାନଙ୍କୁ ସେବା କଲା । ଝିଅଟିଏ ବହୁତ କିଛି କରି ପାରେ । ତାକୁ ହେୟଜ୍ଞାନ କରି ପାଠ ନ ପଢ଼େଇବା ମୂର୍ଖାମୀର ବିଷୟ । ପାଠ ପଢ଼େଇବା ନିହାତି ଆବଶ୍ୟକ । ପାଠ ହିଁ ଗୋଟିଏ ବାଟ ଯିଏ ଭବିଷ୍ୟତରେ କାମରେ ଆସିପାରିବ । ପାଠ ବଦଳାଏ ବାଟ । ଧନ୍ୟବାଦ ।

– ଶ୍ୱେତାଲିନା ପଟ୍ଟନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...