ତମସା ନିସ୍ତବ୍ଧ ରଜନୀ ଥିଲା ଯେ, ଜନ ଶୂନ୍ୟ,
କଲା କରମକୁ ଭାଳିଣ କୈକେଇ କରେ ରୋଦନ ।
ଶ୍ରାବଣର ବାରି ବରଷେ ଭୟଙ୍କର ସେ ରାତ୍ର,
ଏକାକୀ କୈକେୟୀ ବସିଛି ଜାତ ହୋଇଛି ଭିତ ।
ମନେ ମନେ ତହିଁ ବିଚାରେ ସତେ କଲି କି ପାପ,
ତିଳେ ସୁଖ ନାହିଁ ମନରେ ଥାଏ ବହୁ ସନ୍ତାପ ।
ଦୁଃଖେ ଦିନ ଆଜି କାଟୁଚି ମୁହିଁ, ଅଶ୍ୱପତି ନନ୍ଦିନୀ,
ରାମ, ଲକ୍ଷ୍ମଣ, ଜାନକୀ ହେଲେ ବନ ଗାମିନୀ ।
ହୋଇ ପାରେ ପୁତ୍ର କୁପୁତ୍ର ମାତା ନୁହଁ କୁମାତା,
ମମତାର ଡୋରୀ ଫେଡ଼ିଲି ମନ୍ଦ କଲା ବିଧାତା ।
ମାତା ନାମେ ମୁହିଁ ପିନ୍ଧିଲି ଆଜି କଳଙ୍କ ଟୀକା,
ପୋଛିଲି ସୁହାଗ ସିନ୍ଦୁର ଭାଗ୍ୟ ଦେଲା ଯେ ଧୋକା ।
ମାଆ ତ’ ମମତା ସାଗର ପୁତ୍ର ସ୍ନେହେ ରଙ୍କୁଣୀ,
ଅମୃତ ସାଗରେ ଗରଳ ଭରିଲି ମୁଁ ଜାଣି ଶୁଣି ।
କୋଟିଏ ଚନ୍ଦ୍ର ତ’ ମିସଇ ରୂପେ ଯା ଉପମା ନାହିଁ,
ରାମ, ଶୋଭାବେ ବିଷ୍ଣୁଙ୍କ ସ୍ୱରୂପ କାହିଁ ଜାଣିବି ମୁହିଁ ।
ଝର ଝର ଝରେ ନୟନୁ ମୋର ଲୋତକ ରାଜି,
ଧିକ୍କାର କେତେ ଯେ ସହୁଛି ନିନ୍ଦା ମୁଣ୍ଡେଇ ଆଜି ।
ଅଟଳ ଅଚଳ ମେରୁ ପରି ଥିଲା ମୋହର ମନ,
ମମତା ପରଶେ ପାଷାଣ ମନ ଗଲା ତରଳି ମୋର ।
ଅନୁତାପେ ଅନଳେ ଦଗ୍ଧ ହୃଦୟ ମୋର,
ପଶ୍ଚାତାପ ଏଣୁ ଜୀବନରେ ପ୍ରାୟଶ୍ଚିତ ମୋହର ।