ପାନ୍ଥଶାଳା ଆଉ ମୁଁ

Panthasala o mun

କ୍ଲାନ୍ତ ଏକ ଅପରାହ୍ନ
ଭଗ୍ନ ପାନ୍ଥଶାଳା ଆଉ ମୁଁ
ଏକ ଅଦୃଶ୍ୟ ବୁଝାମଣା ଆମ ଭିତରେ ।
ଜରାଜୀର୍ଣ୍ଣ ତା’ ଶରୀର
ଆଉ ଆତ୍ମଗ୍ଲାନିର ବହ୍ନିରେ
ଲେଲିହାନ ମନ ମୋର ।

ସାଧନାର ପରିତୃପ୍ତି ନାହିଁ ଏଠି
ନା ଅଛି ବିଚ୍ଛେଦର ଅବସାଦ ।
ଅନେକ ମିଳନର ମୁକସାକ୍ଷୀ ହୋଇବି
ଆଜି ସେ ରାସ୍ତାକଡ଼ରେ ଏକା,
ଏକ ଜାଗ୍ରତପ୍ରହରୀ ପରି ।

ଆଉ ମୁଁ !!!
ଶୀତରାତି କାକରର ଆର୍ଦ୍ରତାରୁ
ଶୋଷ ମେଣ୍ଟାଇବାକୁ
ଚେଷ୍ଟାକରୁଥିବା ଏକ ତୃଷାର୍ତ୍ତ ପଥିକ ।
ସତରେ!!! କି ଅଦ୍ଭୁତ ଏ ସାମଞ୍ଜସ୍ୟ ।

– ସମ୍ବିତ ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...