ନିଜ କାନିରେ ବିମଳା ସେ ମନ୍ଦିର ବେଢ଼ାରେ ବସିଥିବା ଫୁଲ ମାଉସୀଙ୍କ ମୁଣ୍ଡରୁ କଳା ପୋଛି ଦେଉଦେଉ ଲୁହଭରା ଆଖିରେ ବୁଢୀମାଉସୀ କହିଚାଲିଥାଏ, “ଏ ପୋଡ଼ା କପାଳରେ ଆଉ କି ସୁଖ ଅଛି ଲୋ ଝିଅ ! ଅୟରାଣୀ ହୋଇ ମଶାଣୀ ଯିବା ସଭିଙ୍କ କପାଳରେ ନଥାଏ !! ଆଜିକି ଦଶ ବରଷ ହବ ଏ ଅଭାଗିନୀ ପୋଡ଼ାମୁହଁକୁ ଆରିସିରେ ଦେଖିନି ଯେବେ ଠୁ ସେ ଚାଲିଗଲେ । କୋଉଠି ହାଣ୍ଡିକଳା ଲାଗିଛି ମୁଣ୍ଡରେ କେମିତି ଦେଖିବି?” ମନ୍ଦିରପାଖରେ ଥରଥର ହାତରେ ଫୁଲବିକି ସବୁ ବିବାହିତାଙ୍କ ଶୁଭ ମନାସୁଥିବା ଫୁଲମାଉସୀର ଜୀବନର ଦୁଃଖ କେହି ନବୁଝିଲେ ବି ବିମଳା ପଢ଼ିପାରନ୍ତି ତାଙ୍କ କୋଟରାଗତ ଆଖିଯୋଡ଼ିକର ଇଚ୍ଛା । ବାହାଘରର ମାସଟିଏ ନପୁରୁଣୁ ବିମଳାଙ୍କ ସ୍ୱାମୀ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇଯିବାପରେ ବି ସେ ଦମ୍ଭ ନହରେଇ ଜୀବନ ଯୁଦ୍ଧରେ ଲଢ଼ିଚାଲିଛନ୍ତି । ସିଲେଇ କରି ପିଲାଙ୍କୁ ଟ୍ୟୁସନ୍ କରି ସ୍ୱାମୀଙ୍କ ଔଷଧ ଓ ପରିବାରର ଖର୍ଚ୍ଚ ତୁଲାଉଛନ୍ତି । ମା’ ବୁଢ଼ୀନାହାକାଣୀଙ୍କ ଉପରେ ତାଙ୍କର ଅଖଣ୍ଡ ବିଶ୍ୱାସ । ବିମଳା କେତେ ବଡ଼ଘରର ଝିଅ ! କେତେ ବିଳାସ ବ୍ୟସନରେ ନ ବଢ଼ିଥିଲେ ସେ !! ଘରଲୋକ ଯେତେ ବୁଝେଇଲେ ବି ପୁନର୍ବିବାହ କରିନାହାନ୍ତି କି କାହାରି ସାହାଯ୍ୟ ଚାହିଁନାହାନ୍ତି । ଆଜି ସାବିତ୍ରୀ ଓଷାରେ ସ୍ୱାମୀଙ୍କ ଶୁଭମନାସି ପୂଜା କରିବାକୁ ଧାଇଁଆସିଛନ୍ତି ସେ । ଏହି ମନ୍ଦିରର ଦେବୀ ଓ ଫୁଲମାଉସୀ ବିମଳାଙ୍କ ସଂଘର୍ଷର ମୂକସାକ୍ଷୀ । ଫୁଲ ମାଉସୀକୁ ଆଶୀର୍ବାଦ ମାଗି ଜୁହାର ହଉହଉ ମାଉସୀ କାନ୍ଦିକାନ୍ଦି କହିଉଠିଲା, “ଅୟିସୁଲକ୍ଷଣୀ ହ ଲୋ, ପାକଲା ବାଳରେ ସିନ୍ଦୂର ନାଆ । ଅଭିଆଡ଼ୀ ଜନମ ବାପଘରେ ଛାଡ଼ି ସିନ୍ଥିରେ ସିନ୍ଦୂର ଭରି କନକ ଆଞ୍ଜୁଳି ଧରି ଶାଶୁଘର ଆସିବା ପରେ ଜୀବନର ଅଙ୍କ ମିଶିଯାଏ ସ୍ୱାମୀସହ । ଟୋପାଏ ସିନ୍ଦୂର ଆଣିଦିଏ ଜୀବନର ପୂର୍ଣ୍ଣତା । ଝିଅ, ତୋ’ ପତିବ୍ରତା ଭକ୍ତି ତୋତେ ସୋଭାଗ୍ୟବତୀ କରେଇବ ଲୋ ।”
ଏହା ମଧ୍ୟରେ ବିତିଯାଇଛି କୋଡ଼ିଏ ବର୍ଷ । ସମୟର ସ୍ରୋତ ବଦଳାଇ ଦେଇଛି ସବୁକିଛି । ମାଆ ବୁଢ଼ିନାହାକାଣୀ ଅଛନ୍ତି ସତ, ହେଲେ ମନ୍ଦିର ପରିସର ସୌନ୍ଦର୍ଯ୍ୟକରଣ ହୋଇ ବହୁତ ଉନ୍ନତି ହୋଇଛି । ଆମ୍ବଗଛଡ଼ାଳରୁ କୋଇଲିର କୁହୁକୁହୁ ଶୁଭୁନି କି ଫୁଲମାଉସୀ ବି ଆସି ବସୁନି । ବିମଳାଙ୍କ ସେବାଶୁଶ୍ରୂଷା ଓ ଭକ୍ତି ପାଖେ ପକ୍ଷାଘାତ ରୋଗ ବି ହାର ମାନିଛି । ହେଲେ ବୟସର ଅପରାହ୍ଣରେ ଉପନୀତ ସରୋଜଙ୍କ ପାଖେ ପରିବାର ଭରଣପୋଷଣ ପାଇଁ ଖଟିବାକୁ ବଳ ନାହିଁ । ଦୁଃଖ ଦାରିଦ୍ର୍ୟର କଷଟି ପଥରରେ ପେଷି ହୋଇହୋଇ ଲୋଚାକୋଚା ଚମ ଆବରଣରେ ବି ବିମଳା ମଥାଏ ନାଲି ସିନ୍ଦୂର ନାଇ ପରଘରେ କାମକରି ପେଟ ପୋଷୁଛି । ନିଃସନ୍ତାନ ଦମ୍ପତି ଭାବେ ବେସାହାରା କି ଅସହାୟ ହୋଇପଡ଼ିନାହାନ୍ତି ସେମାନେ । ଏତେ ଦୁଃଖ ଦୁର୍ଦ୍ଦଶା ଭିତରେ ବି ନିଜ ବାର୍ଦ୍ଧକ୍ୟ ଭତ୍ତା ଟଙ୍କାକୁ ପାଖ ଅନାଥାଶ୍ରମ ପିଲାଙ୍କ ପାଇଁ ଦେଇଆସନ୍ତି । ସେମାନଙ୍କୁ କିଛି ଖୁଆଇ ତାଙ୍କ ହସଖୁସି ଦେଖି କୁଆଡ଼େ ବିମଳାଙ୍କୁ ପରମ ଆତ୍ମସନ୍ତୋଷ ମିଳେ । ବିମଳାଙ୍କ ମା’ ପଣିଆ ଆଜିର ସମାଜ ପାଇଁ ଏକ ଉଦାହରଣ । ବିମଳା କୁହନ୍ତି, “କିଏ କହିଲା ମୁଁ ବାଞ୍ଝ? ମୋର ପରା ଆଶ୍ରମରେ କେତେ ପୁଅ ଝିଅ…” କିନ୍ତୁ ନିଜ ମସ୍ତକ କର୍କଟ ରୋଗକୁ ଲୁଚେଇ ଲୁଚେଇ ବିମଳା ଆଜି ଶେଷ ସୋପାନରେ ପହଞ୍ଚିଛନ୍ତି ।
ସମୟ ପ୍ରାୟ ଦିନ ୧୧ଟା । ବିମଳା ଘରର ଦରଜା ଏଯାଏ ଖୋଲିନି । ସାଇପଡ଼ିଶା ଲୋକେ କେତେ କଣ ଭାବି ଶେଷକୁ କବାଟ ଭାଙ୍ଗି ଯାହା ଦେଖିଲେ ଆଖିରେ ଲୁହ ରହିଲାନି । ସରୋଜଙ୍କ କୋଳରେ ମୁଣ୍ଡରଖି ଶେଷ ନିଃଶ୍ୱାସ ତ୍ୟାଗ କରିଛି ବିମଳା । କାନ୍ଦିକାନ୍ଦି ପଥର ପାଲଟି ଯାଇଛନ୍ତି ସରୋଜ ।” ଅୟରାଣୀ ହୋଇ ଟୋପାଏ ସିନ୍ଦୂର ଦି’ପଟ ଶଙ୍ଖା ନେଇ ମଶାଣୀ ଯିବାକୁ କହୁଥିଲା ସବୁବେଳେ… ମୁଁ ସ୍ୱାମୀ ହିସାବରେ ଖଣ୍ଡେ ଦାମି ଲୁଗା କଣି ଦେଇପାରିନି ବୋଲି କେବେ ମନ ଦୁଃଖରେ ଥିଲା ସେ, କହୁଥିଲା ଶଙ୍ଖାସିନ୍ଦୂର ତା’ ପାଇଁ ଦାମିଗହଣା ।” ଏତିକି କହି ଭୋ ଭୋ ହୋଇ କାନ୍ଦିଉଠିଲେ ସରୋଜ । ହଠାତ୍ ହୃଦ୍ଘାତ ହୋଇ ସେ ବି ଟଳିପଡ଼ିଲେ । ପବିତ୍ର ବନ୍ଧନର ଦୁଇ ଶୁଆଶାରୀଙ୍କ ମରଶରୀର ମଶାଣୀ ଗଲା । କିଏ ମୁଖାଗ୍ନି ଦେବ ଚିନ୍ତା ପଡ଼ିବାବେଳେ ଖବରପାଇ ଅନାଥାଶ୍ରମର ପିଲାମାନେ ପହଞ୍ଚି କୋହଭରା କଣ୍ଠରେ ଏକସ୍ୱରରେ କହିଉଠିଲେ, “ଆମ ବାପାମାଆଙ୍କୁ ଆମେ ମୁଖାଗ୍ନି ଦେବୁ ।” ମଶାଣି ନିଆଁରେ ଗୋଟେ ପବିତ୍ର ପ୍ରେମ ଯୁଗ ଅବସାନ ହେଲା ସତ କିନ୍ତୁ ଟୋପାଏ ସିନ୍ଦୂର ମହତ୍ତ୍ୱ ସଭିଏଁ ବୁଝିଲେ । ସରପଞ୍ଚ ଓ ଗ୍ରାମବାସୀ ମିଶି ଗାଁର ନାମ ସିନ୍ଦୂରାଖଣ୍ଡ ରଖିଲେ ।
– ଜନ୍ମଜୟ ନାୟକ
Comments
ଜନ୍ମଜୟ ନାୟକ ପେଶାରେ ଜଣେ ସରକାରୀ ଶିକ୍ଷକ, କିନ୍ତୁ ନିଶା ତାଙ୍କର ଗପ ଓ କବିତା ଲେଖିବା । ପୁରୀ ଜିଲ୍ଲାର ଚିଲିକା ନୋଡାଲ ହାଇସ୍କୁଲରେ କାର୍ଯ୍ୟରତ ଥିବା ଏହି ଶିକ୍ଷକଙ୍କର ଗପଗୁଡ଼ିକ ଅନେକ ପତ୍ରିକପତ୍ରିକାରେ ସ୍ଥାନିତ ହୋଇଛି ।