ଆସେ ! ଆସେ ! ଆସେ ! ସେ ଚୁପି ଚୁପି ହୋଇ ମୋ ପାଖକୁ ଆସେ । କେତେବେଳେ ସୁପ୍ତ ଅବସ୍ଥାରେ ତ ପୁଣି କେତେବେଳେ ଜାଗ୍ରତ ଅବସ୍ଥାରେ । ଆସି ମୋତେ ତା’ ମାୟାରେ ପ୍ରଲୋଭିତ କରି ତା’ ଆୟତ୍ତକୁ ନେଇଯାଏ । ମୁଁ ବିଚରା ତା’ ମାୟା ଜାଲରେ ଛନ୍ଦି ହୋଇଯାଏ । ସେ କିନ୍ତୁ ପ୍ରତ୍ୟେକ ଦିନ ଆସିବା ପ୍ରକ୍ରିୟା ଚାଲୁରଖିଥାଏ । କିଛି ଆଶା ଆକାଂକ୍ଷା ମହତ୍ତ୍ୱ ଲକ୍ଷ୍ୟକୁ ନେଇ । ସେହି ଲକ୍ଷ୍ୟ ସାଧନକୁ ସାକାର କରିବା ପାଇଁ ମାଡ଼ି ଆସେ ଆଗେଇ ଆସେ ମନକୁ ମନ ଆନ୍ଦୋଳିତ କରି ଚଳଚଞ୍ଚଳ କରିପକାଏ । ଲକ୍ଷ୍ୟର ଏକ ନିର୍ଦ୍ଦିଷ୍ଟ ପଥକୁ ନେଇ ପହଁଞ୍ଚାଏ । ତା’ର ଏକମାତ୍ର ମହତ୍ଵ ବଳିଷ୍ଠ ଲକ୍ଷ୍ୟ ଥାଏ । ମୋର ହିତ ବ୍ୟକ୍ତିମାନଙ୍କ ହିତ ଏବଂ ସମାଜର ମଙ୍ଗଳ ସାଧନ । ମନକୁ ଏକ ଓ ଅଭିନ୍ନ ଦୃଢ଼ ଏବଂ ଶକ୍ତିମୟ କରିପକାଏ । ଯେତେ ଝଡ଼ ଝଞ୍ଜା ଘାତ ପ୍ରତିଘାତ ଆସିଲେ ବି ସେ ଏମିତି ହୃଦୟ ମନକୁ କାବୁ କରିଥାଏ ଯେ ଯାହା ବି ପ୍ରତିବନ୍ଧକ ସୃଷ୍ଟିହେଲେ ସେ ସଂଘର୍ଷ କରିବାକୁ ପ୍ରବର୍ତ୍ତାଏ । କୌଣସି କୋଣରୁ ରହି କହୁଥାଏ ମୁଁ ଆସିଛି ମାନେ ତୁ ଏହାକୁ ସମ୍ପୂର୍ଣ୍ଣ କରିବୁ ଏବଂ ମୋର ଆସିବାର ଲକ୍ଷ୍ୟ ଓ ମହତ୍ତ୍ୱ ଉଦେଶ୍ୟକୁ ସାଫଲ୍ୟ କରିବୁ । ସେ କେତେବେଳେ ସୁଖର ରାଜ ମହଲ ତୋଳିଦିଏ ପୁଣି କେତେବେଳେ ରାଜରାସ୍ତା କଡ଼େ ଝୁମ୍ପୁଡ଼ି କୁଡ଼ିଆରେ ଠିଆ କରିଦିଏ । କେତେବେଳେ ହସଖୁସି ସମ୍ଭାର ସୃଷ୍ଟି କରେ ପୁଣି କେତେବେଳେ ଦୁଃଖର ପାହାଡ଼ ମୁଣ୍ଡେ ଲଦିଦିଏ । ପୁଣି କେବେ କେବେ କିଟ୍ କିଟ୍ ଘନ ଅନ୍ଧକାର ଓ ନିଶ୍ଚଳ ନିସ୍ତବ୍ଦ ଶୁନଶାନ୍ ବିକଟାଳ ଭୟଙ୍କର ରାତ୍ରିରେ ତା’ର ଆଗମନ ହୁଏ । ଆଉ ଶୁଣାଏ ଭୟଙ୍କର ଅଜବ ପ୍ରକାରର ଶବ୍ଦ ଆଉ ଦେଖାଏ ଲୋମଟାଙ୍କୁରା ଅଜବ ଅଜବ ଦୃଶ୍ୟ । ସେତିକିରେ ତା’ର ବି ମନ ବୁଝେନି । ନୟନରୁ ଅଶ୍ରୁ ସହ ଦେହହାତ ଥରାଇ ଦିଏ । ଆଜ୍ଞା ! କିଛି ବୁଝି ପାରୁଛନ୍ତି କି? କିଛି ଜାଣିପାରୁଛନ୍ତି କି? ମୁଁ ଭାବୁଛି ଆପଣମାନେ ଜାଣି ଯିବେଣି । ତଥାପି ମୁଁ କହିଦେଉଛି ସେ ସମସ୍ତଙ୍କର ଅତି ଆପଣାର ଅତିପରିଚିତ ସ୍ୱପ୍ନ ।
– ଆଶିଷ କୁମାର ସ୍ୱାଇଁ
Comments
ଆଶିଷ କୁମାର ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।