ଅପେକ୍ଷା

Odia short story Apeksha (ଅପେକ୍ଷା) by Samapika Pati

ଚୈତ୍ର ମାସରେ ଦିନଧରା ହେଇଥିଲା ତାଙ୍କର ବାହାଘର ପାଇଁ, ମାତ୍ର ଦଶହରା ଯାଇ ଦୀପାବଳୀ ମଧ୍ୟ ଯାଇସାରିଲାଣି । ସୁମିତ୍ରା ଆଉ କେତେବାଟ ଚାହିଁବ । ଜେଜେମା ଭୋରୁ ଉଠିକି ଚଉରା ପୂଜାପରେ କାର୍ତ୍ତିକ ମାହାତ୍ମ୍ୟ ପଢ଼ିଲାବେଳେ ସୁମିତ୍ରା ସେଇଠି ପାଖରେ ବସି ଅନ୍ୟମନସ୍କ ହେଇଯାଏ । ଶରତ ଗତବର୍ଷ ଦଶହରାକୁ ଗାଆଁକୁ ଆସିଥିଲା । ସେମାନେ ଦୁଇଜଣ ପିଲାବେଳୁ ଏକାଠି ପଢ଼ିଛନ୍ତି ଓ ବଢ଼ିଛନ୍ତି । ସ୍କୁଲ୍‌ରେ ପଢ଼ିଲାବେଳୁ ପରସ୍ପାରକୁ ଭଲପା’ନ୍ତି ଓ ଏକାଠି ଜୀବନ ବିତେଇବାକୁ ନଷ୍ପତ୍ତି ମଧ୍ୟ ନେଇଛନ୍ତି । ଘରଲୋକ ମଧ୍ୟ ଅରାଜି ନୁହେଁ ଯେହେତୁ ସୁମିତ୍ରା ତାଙ୍କ ଘରର ଗୋଟିଏ ବୋଲି ସନ୍ତାନ । ତେଣୁ ସେ ପାଖରେ ରହିଲେ ଘରଲୋକ ନିଶ୍ଚିନ୍ତ । ଶରତ ସୈନ୍ୟବାହିନୀରେ ଜବାନ୍ । ଗତ ଦଶହରାରେ ମାସେ ଛୁଟି ନେଇ ସମସ୍ତଙ୍କ ପାଇଁ ମନଲାଖି ଜିନିଷ ଆଣି ଗାଆଁକୁ ଆସିଥିଲା । ଗାଁ’ରେ ଭୋଜିଭାତ କରି, ଯୁବକସଂଘ ଓ ଅନାଥାଶ୍ରମକୁ ଆଖିଦୃଶିଆ ଦାନ କରି ନିଜେ ଖୁସି ହବାସହ ସମସ୍ତଙ୍କୁ ଖୁସି କରିଥିଲା । ଦୁର୍ଗାଷ୍ଟମୀ ଦିନ ତାଙ୍କର ନିର୍ବନ୍ଧ ମଧ୍ୟ ହୋଇଥିଲା । କଥାଥିଲା ଛଅମାସ ପରେ ଚୈତ୍ରରେ ବାହାଗର କରାଯିବ । କିନ୍ତୁ ତା’ ପୂର୍ବରୁ କରୋନା ଆସିବା ଫଳରେ ଜବାନମାନଙ୍କ ଛୁଟି ବାତିଲ ହେଇଗଲା । ଶରତର ପୋଷ୍ଟିଂ ଚୀନ ସୀମାକୁ ହୋଇଯାଇଥିଲା । ଆଦେଶଥିଲା, କିଛି ଗୋଟେ ମୀମାଂସା ନହେବା ପର୍ଯ୍ୟନ୍ତ ଚୀନ ସୀମାରେ ଥିବା କେହିବି ଛୁଟିରେ ଯାଇପାରିବେନି । ଶରତ ନିୟମିତ ଭାବରେ ଚିଠି କି ଫୋନ୍ ଇତ୍ୟାତି ମଧ୍ୟ କରିପାରୁନଥିଲା । ଚୈତ୍ରରୁ କାର୍ତ୍ତିକ-ଦୀର୍ଘ ୭ ମାସ ହେବ ସୁମିତ୍ରା ଦିନ ଗଣିଗଣି ଅପେକ୍ଷା କରିଛି କି କେବେ ସବୁ ପୁଣି ସ୍ୱାଭାବିକ ହେବ ଓ ଶରତ ସୁରକ୍ଷିତ ଭାବେ ଫେରିବ । କରୋନା ଯୋଗୁଁ ସେ ପାଠ ପଢ଼ାଉଥିବା ପ୍ରାଥମିକ ବିଦ୍ୟାଳୟଟି ବନ୍ଦ ହେବାରୁ ସେ ଛୋଟ ପିଲାଙ୍କୁ ଟ୍ୟୁସନ କରି ସମୟ ଯାହା କାଟୁଛି । ସେତିକି ସମୟ ସେ ନିଜ ଦୁଃଖ ଭୁଲିଯାଏ । ବେଳେବେଳେ ଭାବେ କି ଏମିତି ହୁଅନ୍ତାନି କି’ ବଦଳୁଥିବା ଦିନ, ମାସ, ତାରିଖ, ଋତୁ ଭଳୀ ତା’ ମନ ମଧ୍ୟ ବଦଳିଯା’ନ୍ତା ! କିନ୍ତୁ ପରିସ୍ଥିତି ବଦଳେନି କି ଦିନ ବି ସରେନି । ମାସ ମାସ ଧରି ଶରତଠାରୁ କିଛି ଖବର ମଧ୍ୟ ମିଳେନି । ଅପେକ୍ଷାର ଚକ୍ରରେ ପେଶି ହେଇଯାଏ ସୁମିତ୍ରା…

ସମାପିକା ପତି
ଆଲ୍‌ବର୍ଗ, ଡେନ୍‌ମାର୍କ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...