ବାପା ଦୟାକରି ବୁଝିବାକୁ ଚେଷ୍ଟା କର, ମୁଁ ମିଷ୍ଟିକୁ ବହୁତ ଭଲ ପାଏ ଓ ତା’ ଛଡ଼ା ଆଉ କାହାକୁ ବି ବିବାହ କରି ପାରିବିନି । ବାପା କିନ୍ତୁ ନିଜ ଜିଦ୍ରେ ଅଟଳ, ତେଣୁ ସେ ଦୀପକର କଥା ନ ଶୁଣି ତାଙ୍କ ରୁମ୍କୁ ଚାଲିଗଲେ । ଦୀପକ ତଥାପି କହୁଥାଏ, ବାପା ମୋ ପାଇଁ ଥରେ କେବଳ ଥରେ ଯାଇ ମିଷ୍ଟିକୁ ଦେଖା କରି ଆସ । ଏତିକି କହି ଦୀପକ ସୋଫା ଉପରେ ବସି ପଡ଼ିଲା ।
ସେପଟେ ବାପା ରୁମ୍ରେ ଗୁମସୁମ୍ ହୋଇ ବସି ଦୀପକ କଥା ଭାବୁଥିଲେ । ଦୀପକ ଭଲ ପାଠ ପଢ଼ୁଥିଲା ଓ +୨ ବିଜ୍ଞାନ ପରେ ସରକାରୀ କଲେଜରେ ଇଞ୍ଜିନିୟରିଂ କରିଥିଲା । କ୍ୟାମ୍ପସରେ ମନୋନୀତ ହୋଇ ତା’ ଚାକିରୀ ହୋଇଥିଲା ବାଙ୍ଗାଲୋରରେ ଥିବା ଏକ ବଡ଼ କମ୍ପାନୀରେ । ସେଠାରେ ହିଁ ତା’ର ମିଷ୍ଟି ସହ ଦେଖା ହୋଇଥିଲା । ମିଷ୍ଟି କଥା ଦୀପକ ବାପାଙ୍କୁ ସବୁବେଳେ କହୁଥିଲା କିନ୍ତୁ ଶେଷରେ ତାକୁ ବିବାହ କରିବା କଥା ବାପାଙ୍କୁ ହଜମ ହୋଇ ନ ଥିଲା । ପ୍ରକୃତରେ ମିଷ୍ଟି ତେଲୁଗୁ ସମ୍ପ୍ରଦାୟର ଥିଲା ତେଣୁ ବାପା ବେଶୀ ଅମଙ୍ଗ ହେଉଥିଲେ ।
ବାପାଙ୍କ ଅନୁସାରେ ଓଡ଼ିଆ ଝିଅଟେ ଓଡ଼ିଆ ଘରର ପରମ୍ପରା ଓ ସଂସ୍କୃତି ବିଷୟରେ ଜାଣିଥିବା ବେଳେ ତେଲୁଗୁ ଝିଅଟି ଆମ ଚାଲିଆସୁଥିବା ପ୍ରଥା, ରୀତିନୀତିକୁ କଣ ବୁଝିପାରିବ ନା ସେହିଭଳି କରିପାରିବ । ପୂର୍ବପୁରୁଷଙ୍କୁ ପିଣ୍ଡପାଣି ବି ଦେଇପାରିବ କି ନାହିଁ ସନ୍ଦେହ । ଏମିତି ବହୁତ କଥା ବାପାଙ୍କ ମନରେ ଚାଲିଥାଏ । ଶେଷରେ ସିଏ ଦୀପକର ଜିଦ୍ ଆଗରେ ମୁଣ୍ଡ ନୁଆଁଇଲେ । ମିଷ୍ଟିକୁ କେବଳ ଥରେ ଦେଖା କରିବାର ଅନୁରୋଧକୁ ବାପା ଭାଙ୍ଗି ପାରିଲେ ନାହିଁ ।
ଦୁଇ ଦିନ ପରେ, ବାପା ଓ ଦୀପକ ମିଷ୍ଟିଙ୍କ ଚେନ୍ନାଇ ଘରକୁ ଗଲେ । ସେଠାରେ ମିଷ୍ଟିର ଘରଲୋକ ବାପାଙ୍କୁ ଯଥାସମ୍ଭବ ଆଦର ସମ୍ମାନ କରିଲେ । ଏବେ ସମୟ ଆସିଲା ମିଷ୍ଟି ସହ ଦେଖା କରିବାର । ମିଷ୍ଟି ବାପାଙ୍କ ମନ ମୁତାବକ ସମ୍ବଲପୁରୀ ଶାଢ଼ୀରେ ତାଙ୍କ ସାମ୍ନାରେ ଉପସ୍ଥିତ ହେଲା । ଯଦିଓ ବାପାଙ୍କୁ ଏହା ଭଲ ଲାଗିଲା କିନ୍ତୁ ସେ ପ୍ରକାଶ କରିଲେ ନାହିଁ ।
କିଛି ସମୟ ପରେ ବାପା କହିଲେ ମିଷ୍ଟି ମୁଁ ତୁମକୁ କିଛି ପ୍ରଶ୍ନ ପଚାରିବାକୁ ଚାହେଁ । ମିଷ୍ଟି ମୁଣ୍ଡ ଟୁଙ୍ଗାରି ସମ୍ମତି ଦେଲା ।
ବାପା ପଚାରିଲେ, “ଓଡ଼ିଆ ଘରର ବୋହୂ ପାଇଁ ସବୁଠାରୁ ବଡ଼ ପର୍ବ କ’ଣ?”
ମିଷ୍ଟି କହିଲା, “ବାପା ! ସୁଦଶା ବ୍ରତ ।”
ବାପା ମିଷ୍ଟି ମୁହଁକୁ ହତବାକ ହୋଇ ଅନାଇ ରହିଲେ ।
ମିଷ୍ଟି ପୁଣି କହିଲା, “ଶୁକ୍ଳ ପକ୍ଷ, ଦଶମୀ, ଗୁରୁବାର ଏହି ତିନୋଟି ଗୋଟିଏ ଦିନରେ ପଡ଼ିଲେ ହିଁ ସୁଦଶା ବ୍ରତ ପୂଜା କରାଯାଏ । ସେଦିନ ମାଆ ମହାଲକ୍ଷ୍ମୀଙ୍କର ପୂଜା ହୁଏ । ଧଳା ଓ ନାଲି ରଙ୍ଗର ଶାଢ଼ୀ ପିନ୍ଧି ବୋହୂମାନେ ସେଦିନ ମାଆଙ୍କର ପୂଜା କରନ୍ତି ।” ମିଷ୍ଟି ଏମିତି କହି ଚାଲିଥାଏ ଓ ତା’ କଥା ଶୁଣି ବାପାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଆଉ ବାପା ପୁଣି ପଚାରିଲେ, “ତେଲୁଗୁ ସମ୍ପ୍ରଦାୟର ଝିଅ ହୋଇ ଏତେ ଭଲ ଭାବରେ ସୁଦଶା ବ୍ରତ ବିଷୟରେ ଜାଣିଲ କେମିତି?”
ମିଷ୍ଟି କହିଲା, “ବାପା, ମୁଁ ତେଲୁଗୁ ସମ୍ପ୍ରଦାୟର ଝିଅ ଥିଲି କିନ୍ତୁ ଏବେ ଯେତେବେଳେ ଓଡ଼ିଆ ଘରର ବୋହୂ ହେବି ବୋଲି ସ୍ଥିର କରିଲି ସେତେବେଳେ ଓଡ଼ିଶା ବିଷୟରେ, ତା’ର ସଂସ୍କୃତି ପରମ୍ପରା ବିଷୟରେ ବି ସବୁ ଜାଣିବା ଦରକାର ନା ।”
ବାପା ତାଙ୍କ ବସିଥିବା ସ୍ଥାନରୁ ଉଠିପଡ଼ିଲେ ଓ ମିଷ୍ଟି ପାଖକୁ ଗଲେ । ତା’ ମୁଣ୍ଡରେ ହାତ ରଖି ଆଶୀର୍ବାଦ କରିଲେ, ଆଉ କହୁ କହୁ କହିପକାଇଲେ, “ଦୀପକରେ ତୁ ଆମ ଘର ପାଇଁ ପୂରା ପେର୍ଫେକ୍ଟ ଓଡ଼ିଆ ବୋହୂଟେ ବାଛିଚୁ ।”
– ନିବେଦିତା ବେହେରା
Comments
ନିବେଦିତା ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।