ନୂଆ ବର୍ଷର କିଶଳୟ

Odia Story Nua Barsara Kishalaya (ନୂଆ ବର୍ଷର କିଶଳୟ) by Sarmistha Sahoo on New Year

କହୁ କହୁ ପୁଣି ଗୋଟିଏ ବର୍ଷ ବିତି ଯାଇଛି ଏହା ଭିତରେ । ବହୁତ କିଛି ବଦଳିବି ଯାଇଛି । ମୀରା ଏହା ଭିତରେ ହଜେଇ ଦେଇଛି ନିଜକୁ ନିଜର ସ୍ୱାମୀ ଓ ସୁନ୍ଦର ପିଲା ଦୁଇଟିର ମୋହମାୟା ଭରା ସଂସାର ଭିତରେ । ବାହାର ଦୁନିଆ ଖବର ଜାଣିବା, ଶୁଣିବା, ପଞ୍ଚାୟିତି କରିବା ଏ ସବୁଠାରୁ ବର୍ଷ ସାରା ନିଜକୁ ସବୁବେଳେ ଦୂରରେ ରଖିଛି । କାମବାଲୀ ଆସି କାମ ସହିତ ଆରମ୍ଭ କରି ଦେଉଚି ତା’ ଗପ ପସରା, “ଆଜି କାହା ଘରେ ଖଡ଼ା ସିଝିଲା, କାଲି କାହାର ଛୁଆ କାନ୍ଦିଲା, କିଏ ସକାଳେ ଡେରିରେ ଶୋଇକି ଉଠିଲା, କିଏ ସ୍ୱିଗିରୁ ମଗେଇ ଖାଇଲା, କିଏ ଭାତ ନ ଖାଇ ଡାଏଟିଂ କଲା, କିଏ ୱାସିଂ ମେସିନ୍‌ରେ କେତେ କପଡ଼ା ଧୋଇଲା, କିଏ କାନ୍ଦିଲା, କିଏ ହସିଲା, ଇତ୍ୟାଦି ଇତ୍ୟାଦି…” ହେଲେ ମୀରା, ଯେପରି ତା’ର ଆଉ କୌଣସି ବିଷୟରେ ଜାଣିବା ଶୁଣିବାର ଜିଜ୍ଞାସା କିମ୍ୱା କିଛି ବିଶେଷ ମନ୍ତବ୍ୟ ବା ଟିପ୍ପଣୀ ଦେବାକୁ ଆଉ ଆଗ୍ରହ ନାହିଁ । କାହାରିକୁ କୌଣସି ପ୍ରକାର କୈଫୈତ୍ ଦେବାକୁ ସେ ଚେଷ୍ଟା ବି କରୁନି । ବାସ୍ ଥକି ଯାଇଛି ସେ । ତାକୁ ତା’ ଦିନଚର୍ଯ୍ୟା ଛଡ଼ା ଆଉ କିଛି ଦେଖା ଯାଉନାହିଁ । ସକାଳ ୭ଟାରୁ ସନ୍ଧ୍ୟା ୭ଟା କିପରି ହେଇ ଯାଉଚି ସେ ନିଜେ ବି ଜାଣି ପାରୁନି । ପବନ ବେଗରେ ଧାଇଁ ଚାଲିଚି ସମୟ । ଜୁନ୍ ମାସ ବି ଏହା ଭିତରେ ସରି ଯାଇଛି । ନା ଆଉ କୌଣସି କମ୍ପିଟେଟିଭ୍ ପରୀକ୍ଷା ଅଛି, ନା ଆଉ କିଛି ଆଗାମୀ ପରୀକ୍ଷାର ଯୋଜନା । ସବୁ ପରୀକ୍ଷାର ଫଳ ବି ଆସିଯାଇଛି । ମୀରା ଉତ୍ତୀର୍ଣ୍ଣ ହୋଇ ପାରିନି । ହେଲେ ସେ ମନ ଦୁଃଖ ବି କରିନି । ଅନ୍ୟ ପରୀକ୍ଷାର୍ଥୀଙ୍କ ପରି ସେ ବର୍ଷ ସାରା କୋଚିଂ ନେଇନି କିମ୍ୱା ଦିନକୁ ୧୨ ଘଣ୍ଟାରୁ ୧୪ ଘଣ୍ଟା ପଢ଼ିବା ଓ ଅଭ୍ୟାସ କରିବା ପାଇଁ ସମୟ ବି ପାଇନି । ତା’ କାମ ଭିତରେ ସେ ଯେତିକି ପାରିଚି, ଚେଷ୍ଟା କରିଛି । ସେ ଜାଣିଚି ଯେ ତା’ ଚେଷ୍ଟାରେ କିଛି ନ କିଛି ତ୍ରୁଟି ରହିଯାଇଛି । ସମସ୍ତେ ଶୋଇଲା ପରେ ଆଉ ମୀରା ଆସି ରାତିରେ ତା’ ପରୀକ୍ଷାପାଇଁ ପଢ଼ାପଢ଼ି କରୁନି । କିମ୍ୱା ଆଉ ଲେଖା ଲେଖି ମଧ୍ୟ କରୁନି ।

ସବୁ କଥା ସେ ଭୁଲି ଯାଇଛି । ଏବେ ଟିକେ ସମୟ ମିଳିଲେ ସେ ବସି ଯାଉଚି ତା’ ପ୍ରିୟ ଗଳ୍ପ ଉପନ୍ୟାସ ପୋଥିପତ୍ର ଖେଳାଇ, କିମ୍ୱା ତା’ର ସବୁଠୁ ପ୍ରିୟ ଡାଏରୀକୁ ଧରି । ସେଇଥିରେ ତାର ଖୁସି । ଡିସେମ୍ୱର ମାସର ସେ ଶୀତୁଆ ସକାଳ ଯେପରି ତା’ର ସମ୍ପୂର୍ଣ୍ଣ ବର୍ଷର ସ୍ମୃତିକୁ ଫ୍ଲସ୍‌ବ୍ୟାକ୍ କରି ଦେଖାଇ ଦେଉଚି । ନା, ସେ ସମସ୍ତଙ୍କ ପରି ସ୍ମାର୍ଟ୍ ଫୋନ ଧରି ନୁହେଁ କି ଟିଭି ସାମ୍ନାରେ ବସିକି ନୁହେଁ, ବାସ୍ ଏକାନ୍ତ ଓ ନୀରବରେ ବସି ଗୋଟିଏ ଦିଗକୁ ଚାହିଁ ରହିଛି । କେତେ ଆତ୍ମୀୟ ଏ ନୀରବତା ! ଘରକୁ ଯିବାର ୬ ମାସ ବିତି ଯାଇଚି । ଜେଜେମା ଶ୍ରାଦ୍ଧ ଭାରି ଭଲରେ ଭଲରେ ସରି ଯାଇଛି । ବାପାଙ୍କ ଦେହରେ ବି ଟିକେ ସୁଧାର ଆସିଚି । ସମସ୍ତେ ଏବେ ଘରେ ଟିକେ ଖୁସି । ଆଉ ମୀରା ଡେରି ରାତି ଯାଏ ଘରକୁ ଫୋନ କରି ଘଣ୍ଟା ଘଣ୍ଟା ଧରି କଥା ହେଉନି । ବାପା ଏବେ ଶୀଘ୍ର ଶୋଇ ପଡ଼ୁଛନ୍ତି । ପିଲା ସ୍କୁଲ ଯିବା ସମୟରେ ସେ ଫୋନ କରି ଭଲ ମନ୍ଦ କଥା ହେଇ ଯାଉଚି । ସେଇ ନିଜର ରିନୋଲ୍ଡ ପେନ୍ ଆଉ ବାପା ଦେଇଥିବା ସେଇ ୮ ବର୍ଷ ପୁରୁଣା ଡାଏରୀ, କିଛି ନୂଆ ଉପନ୍ୟାସ, ପିଲାଙ୍କ ଓରିଗାମି କାଗଜ ଓ ସେଇ ଛୋଟ ଛୋଟ କୁଣ୍ଡରେ ଥିବା ଗଛ ୩ଟା ବାସ୍ ତା’ ଟେବୁଲ ପାଖରେ ପଡ଼ି ରହିଛି । ପଡ଼ୋଶୀମାନଙ୍କୁ ଲାଇଟ୍ କିମ୍ୱା ଶବ୍ଦ ଯୋଗୁଁ ରାତିରେ ହଇରାଣ ହେବାକୁ ନ ପଡ଼ୁ ସେଇଥିପାଇଁ ମୀରା, ରଞ୍ଜଙ୍କ ପଢ଼ାଘରକୁ ନିଜର ପୋଥିପତ୍ର ସବୁ ସ୍ଥାନାନ୍ତରିତ କରି ଦେଇଛି । ସେ ଜାଣିଚି, ରଞ୍ଜନ ଟିକେ ସୁଯୋଗ ପାଇବା ମାତ୍ରେ ତା’ ଲେଖା ଓ ଡାଏରୀ ପଢ଼ିବାକୁ ସବୁବେଳେ ଚେଷ୍ଟା କରନ୍ତି, ତଥାପି ସେ ରଞ୍ଜନଙ୍କୁ କଡ଼ା ତାଗିଦ୍ କରିଛି, ତା’ ଡାଏରୀ କିମ୍ୱା ଅସମ୍ପୂର୍ଣ୍ଣ ଲେଖାସବୁ ନ ପଢ଼ିବା ପାଇଁ ।

ରଞ୍ଜନ ପ୍ରାୟ ପ୍ରତିଦିନ ସକାଳୁ ପଚାରୁଛନ୍ତି “ତୁମେ ଆଉ କିଛି ଲେଖିଲ? ଆଉ ଲେଖା ଲେଖି କରୁନ କାହିଁକି?” ‘ମୋତେ ସମୟ ହେଉନି’ ବୋଲି କହି ମୀରା ତା’ ଦୈନନ୍ଦିନ କାମରେ ଲାଗି ଯାଉଚି । ଆଉ ତା’ କୁନି ପୁଅ ସ୍କୁଲ ଗଲାବେଳେ କାନ୍ଦୁନି । ଖୁସି ହୋଇ ସ୍କୁଲ୍ ପଳାଉଚି । ଖାଇବା ପାଇଁ ହଇରାଣ କରୁନି । ତା’ର ଝିଅ ମଧ୍ୟ ନୃତ୍ୟ ଗୀତରେ ମେଡାଲ ଉପରେ ମେଡାଲ ଆଣି ଘର ଥାକ ଭର୍ତ୍ତି କରି ସାରିଲାଣି । ରଞ୍ଜନ ବି ଆଜି କାଲି ଅଫିସରୁ ଶୀଘ୍ର ଆସି ପିଲାଙ୍କୁ ବୁଲାଇବାକୁ ନେଇ ଯାଉଛନ୍ତି । ଏହା ଭିତରେ କାର୍ତ୍ତିକ ଓ ମାର୍ଗଶୀର ମାସ ପୂଜାର ପାର୍ବଣ ଓ ରୀତିନୀତି ସବୁ ଅଳ୍ପ ବହୁତ ସୁରୁଖୁରୁରେ ସରି ଯାଇଛି । ଶାଶୂଙ୍କ ପାଖକୁ ଝୋଟି, ଚିତା, ମୁରୁଜ, ପିଠାପଣା ସବୁର ଫଟୋ ଓ ଭିଡ଼ିଓ ମଧ୍ୟ ପଠା ହୋଇଚି । ଜୀବନର ଚକ ସେମିତି ଗଡ଼ି ଚାଲିଚି । ଠିକ୍ ସମୟର ଋତୁଚକ୍ର ପରି ।

ଆମର ଏ ସୃଷ୍ଟି ସର୍ବଦା ପରିବର୍ତ୍ତନଶୀଳ । ଯିଏ ସେହି ସମୟ ଓ ପରିବର୍ତ୍ତନ ସହ ତାଳ ଦେଇ ଆଗେଇ ଚାଲିଛି ସେ ହିଁ ଏ ଦୁନିଆରେ ନିଜର ଅସ୍ତିତ୍ୱ ବଜାୟ ରଖି ତିଷ୍ଠି ରହିଛି; ଠିକ୍ ଗୋଟିଏ ଗଛଟିଏ ପରି । ଏମିତି କେତେ ଋତୁ ଆସେ, କେତେ ଋତୁ ଯାଏ ହେଲ ଗଛଟିଏ ସେମିତି ଝଡ଼ ବର୍ଷା ଶୀତ କାକର ସହି ସେମିତି ଠିଆ ହେଇ ଥାଏ । ଲୋକେ ଆସି ତା’ ସୁନ୍ଦର ଫଳକୁ ଟେକା ଫିଙ୍ଗି ନେଇ ଯାଆନ୍ତି, ଗଛ ଉପରେ ସରକାରୀ ରଙ୍ଗ ଚିହ୍ନ କିମ୍ୱା ବ୍ଲେଡ଼୍ ପାତିରେ/ପଥର ମୁନରେ ଗଛରେ ନିଜ ନାଆଁ ଲେଖି ପଳାନ୍ତି । ଖରା ବର୍ଷାରୁ ରକ୍ଷା ପାଇବା ପାଇଁ ଲୋକେ ତା’ ଘଞ୍ଚ ଡାଳ ତଳେ ଠିଆ ହୁଅନ୍ତି ଓ ସୁବିଧା ଦେଖି ନିଜ ରାସ୍ତାରେ ପଳାନ୍ତି । ପୁଣି ଦରକାର ପଡ଼ିଲେ କାଠ ପାଇଁ ତାକୁ ହାଣି ଦେବାକୁ ବି ପଛାନ୍ତି ନାହିଁ । ସବୁ ଜାଣି ବି ସେ ଚୁପ୍ ରୁହେ । ତାହା ନୁହେଁ ତ ଆଉ କ’ଣ? ଆମେ ପରା ପ୍ରଥମ ଶ୍ରେଣୀ ବିଜ୍ଞାନ ବହିରେ ପଢ଼ିଚୁ ଯେ, “ବୃକ୍ଷ ହେଉଛି ସଜୀବ ।” ସେ ପାଣି ପିଏ, ଅଙ୍ଗାରକାମ୍ଳ ଓ ଅମ୍ଳଜାନ ସହାୟତାରେ ନିଃଶ୍ୱାସ ପ୍ରଶ୍ୱାସ ନିଏ, ନିଜ ରୋଷେଇ କରି ଖାଏ (photosynthesis ମାଧ୍ୟମରେ) । ତା’ହେଲେ ସେ କାହିଁକି ଏକ ନିର୍ଜୀବ ପରି ବ୍ୟବହାର କରୁଚି? କାହିଁକି ପ୍ରଶ୍ନ କରୁନି? କାହିଁକି ପ୍ରତିରୋଧ କରୁନି? କାହିଁକି ପଳାଉନି ସେ ଜାଗା ଛାଡ଼ି? କ’ଣ ମିଳିବ ତାକୁ ଏ ସବୁ କରି? ଟେକା ମାଡ଼ ନା କୁରାଢ଼ିର ଚୋଟ ନା ପଥର ମୁନର ଦାଗ? କାହିଁକି ଦେଉଚି ସେ ମିଠା ଫଳ? କାହିଁକି ଛାଇ ଦେଉଚି?

କାହିଁକି???!!!!!

ମୀରା ଜାଣିଚି, ଗଛ ପାଖରେ ଦିନ ସାରା ଠିଆ ହେଇ ଯେତେ ପଚାରିଲେ ବି ତାକୁ ତା’ ପ୍ରଶ୍ନର ଉତ୍ତର କେବେବି ମିଳିବନି । ତେଣୁ ଉତ୍ତର ଖୋଜି କିଛି ଲାଭ ନାହିଁ ।

ଖରା, ବର୍ଷା, ଶୀତ, କାକର ସହି ଯେପରି ଗୋଟେ ଗଛ ହୋଇ ରହିଥାଏ ତାର ଶାଖା ପ୍ରଶାଖା ମେଲାଇ ଠିକ୍ ସେହିପରି ଆମ ସଭିଙ୍କ ଜୀବନ ସୁଖ, ଦୁଃଖ, ରାଗ, ଋଷା, ମାନ ଅଭିମାନ, ହସ କାନ୍ଦ ସବୁ ନେଇ ସମୟର ଚକ୍ର ସହ ତାଳ ଦେଇ ଗଡ଼ି ଚାଲିଥାଏ । ସବୁ କିଛି ଆମ ନିୟନ୍ତ୍ରଣାଧୀନ ନୁହେଁ । କିଛି ବି କ୍ଷଣସ୍ଥାୟୀ ନୁହେଁ । କିଏ ଜାଣେ କେଉଁ ଗଛ କେବେ ପତ୍ର ଝଡ଼ା ଦେବ କିମ୍ୱା କେଉଁ ମୁହୂର୍ତ୍ତରେ ପୁଣି ସୁନ୍ଦର କିଶଳୟ ଦେଖା ହେବ । କିଏ ଜାଣେ କାହାର ଭବିଷ୍ୟତ? କିଏ ଜାଣେ କିଏ କେଉଁ ପରିସ୍ଥିତି କିମ୍ୱା ପରିବେଶ ସହିତ ଲଢ଼େଇ କରୁଚି? ତେଣୁ କାହାର ବ୍ୟବହାରିକ, ଚାରିତ୍ରିକ, ପାରିବାରିକ ପରିସ୍ଥିତି ଉପରେ ମନ୍ତବ୍ୟ ଦେବାକୁ ଆମେ ବା କିଏ?

ନୂଆ ବର୍ଷ, ନୂଆ ସମୟ ଓ ଲମ୍ୱା ଚଉଡ଼ା ନୂଆ ବର୍ଷର ସେ ରିଜୋଲିଉସନ୍, ଆଉ ସେଇ ପୁରୁଣା ଅସମ୍ପୂର୍ଣ୍ଣ ରିଜୋଲିଉସନ୍‌କୁ ନେଇ ପୁଣି ଗୋଟେ ନୂତନ ପୃଷ୍ଠା ଯୋଡ଼ି ହେବାକୁ ଯାଉଚି ଆମ ସଭିଙ୍କ ଜୀବନରେ । ତେଣୁ ଆଶା କରିବା, ଏ ନୂତନ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ଓ ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସହାୟ ହୁଅନ୍ତୁ ।

ଜୟ ଜଗନ୍ନାଥ!
ନୂତନ ବର୍ଷର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ।

– ଶର୍ମିଷ୍ଠା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...