ନିଦ ମାଉସୀ ଦେ ଆଉଁସି
ସୁନା ଧନକୁ ମୋର
ଧନ ଯେ ମୋର ଶୋଉନି ଜମା
ଲାଗୁଛି ତା’କୁ ଡର ॥
ଗପର ପେଡ଼ି ଦେଇଛି ଖୋଲି
ଧନ ମୋ ଶୋଇବ ବୋଲି
ଶୁଣିଦେଲେ ଥରେ ମାଆ ଡାକ ଟିକେ
ଦୁନିଆଁ ମୁଁ ଯାଏ ଭୁଲି ॥
ହୃଦ ପସରା ମାଣିକ ହୀରା
ମୋ ନୀଳ ଗଗନ ଶଶୀ
ଅଭିମାନେ ପଦେ କହିଦେଲେ ଥରେ
ଧନ ମୋ ଯାଉଛି ରୁଷି ॥
ବଡ଼ ହେଲେ ସିଏ ଅର୍ଜିବ ସୁନାମ
ରଖିବ ଦେଶର ଟେକ
ଦୟା ଓ କ୍ଷମାକୁ ମନରେ ସାଇତି
ହରିବ କ୍ଷୁଦାର୍ଥ ଭୋକ ॥
ମାଆର ଆଶିଷ ମଥାରେ ତାହାର
ରହିଥିବ କାଳକାଳ
କାଳିଆ ସାଆନ୍ତ କରୁଣା କରିଲେ
ବଢ଼ିବ ତା’ ବୁଦ୍ଧିବଳ ॥
– ମୁକ୍ତିରାଣୀ ଦେବତା
Comments

ମୁକ୍ତିରାଣୀ ଦେବତା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।