ନାରୀ ତୁହି ବନ୍ଦନୀୟା କେତେ ରୂପ ତୋହରି
ସେନେହ ମମତାର ପ୍ରତୀକ ସାଜୁ ତୁହି ଭଗିନୀ
ଦୁହିତା ବୋଲାଉ ପରା ସାଜୁ ପୁଣି ଘରଣୀ ।
ମାତୃ ରୂପେ ସନ୍ତାନର ସହୁ କେତେ ଅଳି
ସ୍ତ୍ରୀ ସାଜି ସ୍ୱାମୀ ସାଥେ ଚାଲି ଥାଉ ପୁଣି ।
ଗର୍ଭର ଯନ୍ତ୍ରଣା ପୁଣି ନିନ୍ଦା ଅପବାଦ
ଦୁଃଖ କଷ୍ଟ ସହି ଚାଲୁ ଜୀବନର ବାଟ ।
ତୋ’ ଲୁହ ଲୁଚାଉ ପରା ଦୁନିଆ ଆଗରେ
ଛାତିରେ ପଥର ଲଦି ଓଠରେ ହସୁରେ ।
ଚିରବନ୍ଦନିୟା ତୁହି ତୋ’ ରୂପ ଅନେକ
ଅନ୍ୟାୟ ଦେଖିଲେ ସାଜୁ ଦୁର୍ଗା ମା’ ରୂପ ।
ନାରୀ ଅଟେ ପୂଜନୀୟ ସଭିଁଏ କୁହନ୍ତି,
ତଥାପି କାହିଁ
ଅତ୍ୟାଚାର ଭଷ୍ଟାଚାର ଦୁଷ୍କର୍ମ କରନ୍ତି !
ନାରୀଙ୍କୁ ସମ୍ମାନ ଦିଅ ସବୁଠି ବର୍ଣ୍ଣିତ
ସମାଜରେ ନାରୀ ପୁଣି ଆଜି ଅବହେଳିତ ।
ବୋହୂ ଟିଏ ଖୋଜା ପଡ଼େ ନିଜ ପୁଅ ପାଇଁ
ବୋହୂ କୋଳେ ଝିଅ ହେଲେ ତାକୁ ଲୋଡ଼ା ନାହିଁ ।
କେତେ ଯୋଜନା କାର୍ଯକାରୀ ଝିଅଟିଏ ପାଇଁ
କନ୍ୟା ଭୃଣ ହତ୍ୟା ହୁଏ ପୁଣି କି ପାଇଁ??
– ମମତା ସାଉ
Comments

ମମତା ସାଉ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।