ମୁଁ ଶିକ୍ଷିତ ବେକାରୀ

Odia Poem Mun Sikshita Bekari (ମୁଁ ଶିକ୍ଷିତ ବେକାରୀ) by Ganesh Das

ପିଲାଦିନୁ ସ୍ୱପ୍ନ ଥିଲା ବଡ଼ ହୋଇ ଚାକିରି କରିବି,
ପରିଣତ ବୟସରେ ବାପାଙ୍କ କାନ୍ଧରୁ ଭାର ନେବି,
ପୁଳା ପୁଳା ଟଙ୍କା ଖରଚ କରି ମୁଁ ପାଠ ଯେ ପଢ଼ିଲି,
ଆଜି ଚାକିରିଟେ ନପାଇ ଶିକ୍ଷିତ ବେକାରୀ ସାଜିଲି ।

ବାପା ଦେଲେ ଅର୍ଥ ଯାହାକୁ ସଞ୍ଚିଥିଲେ ଜୀବନସାରା,
ଏପଟେ ରାତି ହେଲେ ଚାଳ ପଟେ ଦିଶଇ ତାରା,
ଟଙ୍କା ଅଭାବରୁ ହୋଇପାରୁନି ବୁଢ଼ୀ ମା’ର ଚିକିତ୍ସା,
ଭଉଣୀ ତା’ ବିବାହ ପାଇଁ ମନେ ବାନ୍ଧିଛି କେତେ ଆଶା ।

ଘର ବଡ଼ ପୁଅ ବୋଲି ମୁଣ୍ଡେ ପରିବାର ଶତ ଚିନ୍ତା,
କିଛି କରିପାରିନି ବୋଲି ପଡ଼ୋଶୀ ଦିଅନ୍ତି ଗଞ୍ଜଣା,
ସମୟର କରାଳ ଗତି ପାଖରେ ନାଚାର ମୁଁ ସାଜେ,
ପାଟି ମୂକ ପାଲଟେ ଆଖି ଲୁହେ ଓଠ ଦୁଇଟା ଭିଜେ ।

ଚାକିରୀ ପାଇଁ ମୁଁ ଦ୍ଵାର ଦ୍ଵାର ବୁଲେ ସକାଳଠୁ ସଞ୍ଜ,
ସବୁଆଡ଼େ ମୁଦ୍ରାରାକ୍ଷସ ମାଗନ୍ତି ଆଗଦିଅ ଲାଞ୍ଚ,
ଚାକିରି ଦେବା ନାମରେ ଚାଲେ ଖାଲି ଏଠି ପ୍ରହସନ,
ହାତୀଟା ସୁନାକଳସୀ ଢାଳେ ଯାହା ପାଶେ ଅଛି ଧନ ।

ଭୋଟ ବେଳରେ ରୋଜଗାର ଦବାର ଭାଷଣ ଶୁଭିଲା,
ଭୋଟପରେ ସେ କଥା ପ୍ରତିନିଧିଙ୍କ ମନରୁ ହଜିଲା,
ବେକାରୀର ଉତ୍କଟ ରୂପ ଦିଶେ ଆଜି ସଂସାରେ,
ସରକାରଙ୍କ ଦୃଷ୍ଟି ନାହିଁ ଧ୍ୟାନ ଖାଲି ରାଜଗାଦିରେ ।

ବୁଢ଼ା ବୟସରେ ବାପାଙ୍କୁ ସାହାରା ଦେବା ବଦଳରେ,
ନିଜେ ବୋଝଟେ ସାଜି ଲଟକିଗଲି ତାଙ୍କ କାନ୍ଧରେ,
ଶିକ୍ଷିତ ହୋଇବି ଇଏ କି ବିଡ଼ମ୍ବନା ମୋ ଭାଗ୍ୟର?
ବୋଧେ ଶିକ୍ଷିତ ହେବାର ମିଳିଲା ଏ ଶ୍ରେଷ୍ଠ ପୁରସ୍କାର ।

– ଗଣେଶ ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...