ଅମର ସେଇ ସମୟରେ ଡ୍ୟୁଟିରେ ଥିଲା । ଯେତେବେଳେ ତାକୁ ଜଣାପଡ଼ିଲା କି ସେ ବାପା ହେବାକୁ ଯାଉଛି । ପତ୍ନୀ ତନୁ ସହିତ କଥା ହଉହଉ ଅମରର ମନ ଖୁସିରେ ନାଚିଉଠିଲା । ସେ ଫୋନରେ ହିଁ ଢେର ସାରା ସତର୍କବାଣୀ ଶୁଣାଉଥିଲା, ଏମିତି କରିବନି, ସେମିତି କରିବନି, ଦେଖିକି ଚାଲିବ, ବାଥରୁମ ସମ୍ଭାଳି କି ଯିବ !
କାଶ୍ମୀରର ଅତିସମ୍ବେଦନଶୀଳ ଇଲାକାରେ ନିଯୁକ୍ତ ସି.ଆର.ପି.ଏଫ କମାଣ୍ଡୋ ମେଜର ଅମର ଯିଏ ପ୍ରତେକ ମୁହୁର୍ତ୍ତ ମୃତ୍ୟୁର ସାମ୍ନା କରେ । ଆଜି ନିଜ ଘରେ ଏକ ନୂଆ ମଣିଷଟେ ଆସିବା ଖୁସିରେ ଭାବବିହ୍ଵଳ ହୋଇ ଉଠିଥିଲା । ଜଣାନାହିଁ କାଇଁ ଆଖି କୋଣରେ ଲୁହ ଜକେଇ ଆସିଲା । ଅନ୍ୟ ପୁରୁଷଙ୍କ ପରି ସେ ବି ଏହି ସମୟରେ ତା’ ପତ୍ନୀ ସହିତ ରହିପାରିବନି । କିନ୍ତୁ ଯେତେହେଲେ ବି ସେ ତ କାହାର ସ୍ୱାମୀ ! କିନ୍ତୁ କ’ଣ କରିବ ! କିଛି ବଡ଼ ଉଦେଶ୍ୟ, ଆଉ ଦେଶର ସୁରକ୍ଷା ପାଇଁ ନିଜ ଖୁସିକୁ ବି ଜଳାଞ୍ଜଳି ଦେବାକୁ ପଡ଼େ ।
ଅମର ଆଖିରୁ ନିଦ ଯେମିତି କୋଶ ଦୂରରେ ଥିଲା, ସବୁକିଛି ସ୍ୱପ୍ନ ପରି ଲାଗୁଥିଲା ।
ସେ ବାରମ୍ବାର ତନୁକୁ ଫୋନ କରି ପଚାରୁଥିଲା, “ତନୁ ଏଇ କଥା ସତ ନା?”
ତନୁ ହସିବାକୁ ଲାଗୁଥିଲା, ତା’ର ଆଉ ତନୁର ପ୍ରେମ ଓ ଭଲପାଇବାର ସନ୍ତକ, ତାଙ୍କର ନିଜ ପିଲା !
ତନୁ ଆଜି ଆହୁରି ନିଜର ନିଜର ଲାଗୁଥିଲା । ଅମର ସକାଳ ୬ଟାରୁ ହିଁ ତନୁକୁ ଫୋନ କରିବା ଆରମ୍ଭ କରିଦେଇଥିଲା, “କ’ଣ କରୁଛୁ ମୋ ଧନ? ଭୋକ ତ ଲାଗୁନି ! ଜଲଦି, ବ୍ରେକଫାଷ୍ଟ କର !”
★ ★ ★ ★ ★
କ୍ୟାଲେଣ୍ଡରର ଗୋଟେ ଗୋଟେ ତାରିଖ ଆଗକୁ ବଢ଼ୁଥିଲା । ଅମର ଛୁଟିରେ ଯିବାର ଦିନ ପାଖେଇ ଆସୁଥିଲା । ଏମିତିରେ ବି ବିବାହ ପରେ, ଛୁଟିରେ ଘରକୁ ଯିବାକୁ ସେ ତର ତର ହୁଏ । କିନ୍ତୁ ଏଥରକ ଟିକେ ଅଧିକ ବ୍ୟସ୍ତ ଥିଲା । ପ୍ରତେକ ଦିନ ମାସ ତାକୁ ଯେମିତି ଲମ୍ବା ଲାଗୁଥିଲା ।
ତନୁକୁ ବି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନିଦ ଆସୁନଥିଲା । ଦିନ ତ ଯେନତେନ ପ୍ରକାରେ କଟିଯାଉଥିଲା, ହେଲା ରାତିରେ ହୃଦୟଟା ଖାଲି ଦରାଣ୍ଡୁ ଥିଲା ଶୂନ୍ୟତା ଭିତରେ ଚିରୁଟାଏ ଭଲପାଇବାର ଚେନାଏ ଆଶା । ଅମର ତା’ ଶିଫ୍ଟ ଚେଞ୍ଜ କରି ନାଇଟ ଶିଫ୍ଟ କଲା । ରାତି ୧୧ ଟାରୁ ୨.୩୦ ପର୍ଯ୍ୟନ୍ତ ଡ୍ୟୁଟି ! ଆଉ ପୁରା ଡ୍ୟୁଟି ଭିତରେ ପଦେ ଅଧେ ତନୁ ସହିତ କଥାବାର୍ତ୍ତା । ପ୍ରତେକ ୧୦-୧୫ମିନିଟରେ ହୁଇସିଲ ମାରି ଅନ୍ୟ ପୋଷ୍ଟରେ “ଏଠି ସବୁ ଠିକ ଅଛି ସୂଚନା ଦେବା, ଆଉ ଯେତେବେଳେ ସେଠୁ ଉତ୍ତର ଆସେ ।” ପୁଣି ସେ ତନୁ ସହିତ କଥା ହୁଏ । ଦୁଇଟି କାମ ହେଇଯାଏ । ପତ୍ନୀ ଆଉ ଦେଶ, ଦୁହିଁଙ୍କ ପ୍ରତି ସେ ପୁରା ଇମାନଦାରୀ ସହିତ ନିଜ କର୍ତ୍ତବ୍ୟ ପୁରା କରୁଥାଏ ।
ରାତି ୩ଟାରେ ରୁମକୁ ଫେରେ । ହାତ ମୁହଁ ଧୋଇ ଡ୍ରେସ ଚେଞ୍ଜ କରି ବହୁତ କଷ୍ଟରେ ଘଣ୍ଟେ କି ଦି’ଘଣ୍ଟା ଶୋଇଥିବ କି ନାହିଁ, ସକାଳୁ ଶୀଘ୍ର ଉଠି ରେଡ଼ି ହେଇ କର୍ମକ୍ଷେତ୍ରକୁ ବାହାରି ଯାଏ । ସାରାଦିନ ଧାଁଦୌଡ଼, ୟୁନିଟର ଯବାନମାନେ ତା’ର ଏହି ପ୍ରକାର ପାଗଳପଣ ଦେଖି ବେଳେବେଳେ ତା’ ଉପରେ ହସନ୍ତି । ତା’ ଛଡ଼ା କେହି କେହି ଦେଶ ଆଉ ପରିବାର, ଦୁହିଁଙ୍କ ପ୍ରତି ସମାନ ନିଷ୍ଠା ଦେଖି ସାଲୁଟ ମଧ୍ୟ କରନ୍ତି ।
ଅମରର ଛୁଟି ମଞ୍ଜୁର ହେଇଗଲା । ଘରକୁ ଯିବା ପାଇଁ ୟୁନିଟରୁ ୨ ଘଣ୍ଟା ବସରେ ଜାମ୍ମୁ । ଜାମ୍ମୁରୁ ଟ୍ରେନ ଧରି ନୂଆଦିଲ୍ଲୀ । ଦିଲ୍ଲୀରୁ ପୁରୁଷୋତ୍ତମ ଏକ୍ସପ୍ରେସରେ ଭୁବନେଶ୍ୱର !
୪ ଦିନର ଯାତ୍ରା ପରେ ସେ ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚିଲା ।
ତନୁର ମୁହଁଟିକୁ ଦୁଇ ହାତରେ ତୋଳିଧରିି ଅମର ତା’ ମଥାରେ ଚୁମାଟେ ଦେଲା । ଦୁଇ ମିନିଟ ପର୍ଯ୍ୟନ୍ତ ତାକୁ ଏକଲୟରେ ଚାହିଁରହିଲା । ସେଇ ପ୍ରେମ ଭରା ଚେହେରା ଦେଖି ଅମର ବିଗତ କିଛି ମାସର ଥକାପଣ ଦୂର ହେଇଯାଇଥିଲା । ତନୁ ସହିତ ପୁଣିଥରେ ଜୀବନ ପ୍ରେମମୟ ହୋଇଉଠିଲା ।
★ ★ ★ ★ ★
ପରଦିନ ତନୁର ଅଲ୍ଟ୍ରାସାଉଣ୍ଡ ହେବାର ଥିଲା । ଅମର ତାକୁ କ୍ଲିନିକ ନେଲା । ଡକ୍ଟରଙ୍କୁ ଅନୁରୋଧ କଲା, ତନୁ ସହିତ ରୁମ ଭିତରେ ରହିବ । ଡକ୍ଟର ଅନୁମତି ଦେଲେ, କମ୍ପୁଟର ସ୍କ୍ରିନ ଉପରେ ଅମର ପିଲାର ଛବି ଦେଖି ଚାଲିଥିଲା, ଖୁସିରେ ତା’ ଆଖିରୁ ଦୁଇ ଟୋପା ଲୁହ ଝରିପଡ଼ିଲା ।
ରାତିକୁ ଦୁହେଁ ଡାଇନିଂ ଟେବୁଲ ଉପରେ ଖାଇବାକୁ ବସିଲେ ! ଅମର ଅନୁଭବ କରୁଥିଲା କି ଯେମିତି କେତେ ବର୍ଷ ପରେ ନିଶ୍ଚିତ ହୋଇ ତନୁ ସହିତ ବସିଛି । ଏକଦମ ଟେନସନ ଫ୍ରି, କେତେ ଭଲ ଲାଗୁଛି । ମୁଣ୍ଡରେ କୌଣସି ଚିନ୍ତା ନାହିଁ…. ମନ ଭିତରେ ଆଶଙ୍କା ନାହିଁ…. ସବୁକିଛି ଶାନ୍ତ… ସାଧାରଣ ଜୀବନ ପରି ଲାଗୁଛି । ଅମର ଦୀର୍ଘଶ୍ୱାସ ନେଲା, ଜୀବନ ଏମିତି ହେଇଥାନ୍ତା କି ଶାନ୍ତ, ନିଶ୍ଚିନ୍ତ, ଆଶଙ୍କା ବିହୀନ । ସେ ଆଉ ତନୁ, ତାଙ୍କ ପିଲା ଇଏ ଘର । ଦୁନିଆର ସବୁ ଖୁସି ତା’ ପାଦତଳେ । ଖାଇବା ସରିଲା, ଅମର କିଚେନକୁ ଯାଇ ତା’ ପାଇଁ କଫି ଆଉ ତନୁ ପାଇଁ କ୍ଷୀର ଆଣିଲା ।
“ସେଠି ବି କାମ…. ଏଠି ବି କାମ… ତମକୁ ତ କୋଉଠି ଆରାମ ନାହିଁ । ସେଠୁ ଏତେ ଥକିକି ଆସିଛ, ଆଉ ଏଠି ବି ଫୁରୁସତ ନାହିଁ !” ତନୁ କ୍ଷୀର ଗ୍ଲାସ ନଉ ନଉ କହିଲା ।
– “ଏଇ କାମ ପାଇଁ ତ ମୁଁ କେବେଠୁ ଅପେକ୍ଷା କରିଛି, ଆରେ ତୋ ପାଇଁ କିଛି କାମ କଲେ ଭଲା ମତେ ଥକା କାହିଁକି ଲାଗିବ ଯେ”, ଅମର ହସିକି କହିଲା ।
– “କେତେ ଭଲପାଅ ମତେ?” ତନୁ ଗମ୍ଭୀର ସ୍ୱରରେ ପଚାରିଲା ।
– “ତୁ ପରା ମୋ ନିଶ୍ୱାସ, ଚିରକାଳ ପ୍ରେମିକା ସମ୍ମୋହନର ଗୋଟେ ଯାଦୁମନ୍ତ୍ର”, ଅମର ମଧୁମୟ ହସ ହସି କହିଲା !
ଦିନ ସାରା ଅମର ତନୁ ଚର୍ଚ୍ଚାରେ ରହେ ! ଘରକାମ, ରୋଷେଇ କରିବା, ନିଜ ହାତରେ ଖାଦ୍ୟ ପରସିବା !
– “ଆରେ ମୁଁ ତ ତଳକୁ ଯାଇଥାନ୍ତି” ! ତୁମେ ଉପରକୁ କାହିଁକି ଆଣିଲ ଖାଦ୍ୟ? କେତେ ଚକର ଆଉ ଲଗେଇବ ସକାଳୁ?” ତନୁ କହିଲା ।
– “ତୁମ ପାଇଁ ଏବେ ସିଢ଼ି ଚଢ଼ିବା ଠିକ ହେବନି । ସେଥିପାଇଁ ଖାଦ୍ୟ ଉପରକୁ ନେଇ ଆସିଲି । ଅମର ପ୍ଲେଟରେ ଖାଦ୍ୟ ପରସିଲା ବେଳେ କହିଲା, “ତୁମ ସ୍ୱାମୀ ତୁମ ସେବା ପାଇଁ ସବୁବେଳେ ହାଜର ।”
– “କେତେ ସେବା କରିବ?”
“ଆମେ ତ ସେବା କରିବା ପାଇଁ ଜନ୍ମ ହେଇଛୁ, ଡ୍ୟୁଟିରେ ଭାରତ ମାତାର ସେବା କରୁଛୁ ଆଉ ଛୁଟିରେ ନିଜ ପତ୍ନୀର !” ଅମର ତନୁକୁ ଗୋଟେ ଚାମଚ ଖାଦ୍ୟ ପାଟିକୁ ଦଉ ଦଉ କହିଲା ।
★ ★ ★ ★ ★
ଅମରର ଛୁଟି ସରି ଆସୁଥାଏ । ଏବେ ପ୍ରତେକ ରାତି ତାକୁ ଖୁବ ଛୋଟ ଲାଗୁଛି । ସେ କିନ୍ତୁ ପୁରା ସମୟ ତନୁ ସହିତ ରହିବାକୁ ଚାହୁଁଥିଲା । ପିଲାଟେ ଜନ୍ମ ହେବ ପର୍ଯ୍ୟନ୍ତ । ମନ ଚାହୁଁନଥିଲା ଯିବା ପାଇଁ । ମନେମନେ ଭାବୁଥିଲା କି ଆଗାମୀ ପୋଷ୍ଟିଂ ଏମିତି ଜାଗାରେ ହୁଅନ୍ତା କି ସେ ଦୁଇ ବର୍ଷ ପର୍ଯ୍ୟନ୍ତ ପତ୍ନୀ ଆଉ ପିଲା ସହିତ ସାଥି ହୋଇରହନ୍ତା ।
ଡେଲିଭରି ପର୍ଯ୍ୟନ୍ତ, ଆଉ ଛୁଟି ମିଳିବନି ଭାବି ବ୍ୟସ୍ତ ହଉଥିଲା । କାଶ୍ମୀର ପରି ଜାଗାକୁ ତନୁକୁ ନେଇ ଯିବାଟା ବି ଅସମ୍ଭବ । ପୁଣି ଏଇ ଅବସ୍ଥାରେ ଲମ୍ବା ଯାତ୍ରା ବି ଠିକ ନୁହେଁ । ତା’ ଛଡ଼ା ଏତେ ଦୂର !
ସେଦିନ ସକାଳୁ ସକାଳୁ ଅମର ତନୁକୁ ଡାକ୍ତର ପାଖକୁ ନେଇକି ଗଲା । ତା’ର ଚେକଅପ କଲା, ସବୁ ନର୍ମାଲ । ଦୁହେଁ ଘରକୁ ଫେରିଲେ, ସେ ପ୍ୟାକିଙ୍ଗ କଲା, ଏଥରକ, ନିଜର ପ୍ୟାକିଙ୍ଗ କରିବା ସହିତ ସେ ତନୁର ବି ପ୍ୟାକିଙ୍ଗ କରିବାକୁ ପଡ଼ିଲା । ଜିନିଷ ବ୍ୟାଗ ଭିତରେ ରଖୁ ରଖୁ ଘରଟା ଭିତରେ ନଜର ବୁଲେଇଲା । ତାକୁ ବି ଜଣାନାହିଁ ଏଇ ଘର, ନିଜ ରୁମରେ ରହିବା ପାଇଁ ପୁଣି କେବେ ଆସିବ ! ତା’ ଆଖି ଲୁହରେ ଭିଜିଲା, ସେ ଚୁପ୍ଚାପ ସାର୍ଟର ବାହୁରେ ଆଖି ପୋଛିଲା ।
– “କ’ଣ ହେଲା?” ତନୁ ବାଷ୍ପରୁଦ୍ଧ କଣ୍ଠରେ ପଚାରିଲେ ।
– “କିଛି ନାହିଁ”, ଅମର ଲୁହଭରା ସ୍ୱରରେ ଉତ୍ତର ଦେଲା ।
– “ଏଠାକୁ ଆସ ମୋ ପାଖକୁ”, ତନୁ ଅମର କୁ ପାଖକୁ ଡାକିଲା । ଆଉ ତା’ ମୁଣ୍ଡକୁ କୋଳରେ ରଖି ଆଉଁସି ଦେଲା । ଅମର ଭୋ ଭୋ କରି କାନ୍ଦିବାକୁ ଲାଗିଲା ।
– “ଆରେ ଇଏ କ’ଣ? ଏମିତି ଛୋଟ ପିଲା ପରି କ’ଣ କାନ୍ଦନ୍ତି?”
– “ଇଏ ଦିନ ବି ବିତିଯିବ”, ତନୁ ତାକୁ ସାହସ ଦେଉଥିଲା ।
ଘରୁ ବାହାରିଲା ପରେ, ଅମର ଆଖିପୂରେଇ ନିଜ ଘରକୁ ଦେଖିଲା । ତନୁ ସହିତ କାରରେ ବସିଲା । ତନୁର ବାପା ଟ୍ୟାକ୍ସି ପଠେଇଥିଲେ ବସଷ୍ଟାଣ୍ଡ ଛାଡ଼ିବାକୁ ! ସେଇ ଗାଡ଼ିରେ ବି ତନୁ ନିଜ ବାପାମାଆଙ୍କ ପାଖକୁ ଯିବାକୁ ହେବ ।
ବସଷ୍ଟାଣ୍ଡରେ ପହଞ୍ଚି, ଅମର ନିଜ ଲଗେଜ କାଢ଼ିଲା । ତନୁର ଆଖିରୁ ଧାର ଧାର ଲୁହ ଗଡ଼ିଚାଲିଥାଏ । କିନ୍ତୁ ଅମର ତ ପୁରୁଷ ନା, ଯାହାକୁ ପ୍ରକୃତି କେବେ ମନ ଖୋଲି ନିଜର ଦୁଃଖ ବ୍ୟକ୍ତ କରିବାକୁ ଅଧିକାର ଦେଇନି । କେହି ବି ବୁଝିପାରନ୍ତି ନି, କି କିଛି କ୍ଷଣ ପାଇଁ ପୁରୁଷଟେ କେମିତି ଅସହାୟ ହେଇପଡ଼େ ।
ଅମର ତନୁକୁ ଆଶ୍ୱାସନା ଦେଲା । କଣ୍ଡକଟର ବସରେ ଚଢ଼ିବାକୁ ଇସାରା କଲା । ଅମର ତନୁକୁ କୋଳାଗ୍ରତ କରି ତୁରନ୍ତ ବସ ଉପରକୁ ଉଠିଲା । ବସ ଆଗେଇ ଚାଲିଲା, ଗେଟ ପାଖରେ ଠିଆ ହୋଇ ସେ ହାତ ହଲାଇ ଚାଲିଲା, ଯେ ପର୍ଯ୍ୟନ୍ତ ତନୁ ଅଦୃଶ୍ୟ ନ ହେଇଚି ତା’ ଦୃଷ୍ଟି ଆଢ଼ୁଆଳରୁ !
★ ★ ★ ★ ★
ସବୁ ଦିନ ପରି ସେଦିନ ବି ତନୁ ଫୋନ କରିଥିଲା ଅମରକୁ ! ଫେବୁଆରୀ ୧୪, ଭାଲେଣ୍ଟାଇନ ଡେ, ଶୁଭେଚ୍ଛା ଜଣାଇବାକୁ ! ଫୋନରେ କଥା ହଉ ହଉ ଅଚାନକ ଗୋଟେ ବିସ୍ପୋରଣ ଶୁଭିଲା, ତା’ପରେ ଫୋନ ସୁଇଚ ଅଫ ! ତନୁ ବ୍ୟସ୍ତ ବିବ୍ରତ ହେଇଗଲା । ବହିଥାକରେ ଖୋଜି ଚାଲିଲା ଅମରର ଡାଏରୀ, କାଳେ କୋଉ ସାଙ୍ଗରେ ନମ୍ବର ମିଳିିଯିବ । କିନ୍ତୁ ନା !
କିଛି ସମୟ ପରେ ତନୁ ଟିଭି ଅନ କଲା । ଟିଭି ନ୍ୟୁଜ୍ର ହେଡ଼ ଲାଇନ ଥିଲା, ଛୁଟିରୁ ଫେରି ଡିଉଟିରେ ଯୋଗ ଦେବାକୁ ଯାଉଥିବା ସି.ଆର.ପି.ଏଫ ଯବାନଙ୍କ ଗାଡ଼ି ଜାମ୍ମୁ କାଶ୍ମୀରର ପୁଲଓ୍ବାମାଠାରେ ଆତଙ୍କବାଦି ଆକ୍ରମଣର ଶିକାର ! ୪୨ ଯବାନ ନିହତ ! ସେଥିମଧ୍ୟରୁ ଓଡ଼ିଶାର ମେଜର ଅମର ସାହୁ ସହିଦ ।
ତନୁ ହାତରେ ଧରିଥିବା ଅମରର ଡାଏରୀରେ ଲେଖାଥିବା କେତୋଟି ଶବ୍ଦ, “ଯଦି ଯୁଦ୍ଧରେ ମୋର ମୃତ୍ୟୁ ଘଟେ, ତମେ କେବେ କାନ୍ଦିବନି, କି ଭାଙ୍ଗିପଡ଼ିବନି, ଜାଣିନି କୋଉ ସୂର୍ଯ୍ୟାସ୍ତ ମୋ ପାଇଁ ଶେଷ ସୂର୍ଯ୍ୟାସ୍ତ ହେଇଯିବ । ପିଲାଟି ଜନ୍ମ ହେଲା ପରେ, ଯଦି ମୋ କଥା ପଚାରେ ତାକୁ କହିବ ତା’ ବାପା ଜଣେ ସୈନିକ ଥିଲା, ଯିଏ ଦେଶ ପାଇଁ ସହିଦ ହେଇଗଲା ।” ତନୁର ଆଖିର ଲୁହରେ ସେ ପୃଷ୍ଠାଟି ବତୁରୀ ସାରିଥିଲା ।
ଠିକ୍ ଏତିକି ବେଳେ ପ୍ରସବ ପୀଡ଼ା ଆରମ୍ବ ହେଇଯାଇଥିଲା । ହୁଏତ ଆଉ ଏକ ଅମର ଆସିବାକୁ ପ୍ରସ୍ତୁତ ହେଉଥିଲେ । ଦେଶ ମାତୃକାର ସେବା ପାଇଁ !
– ଆକାଶ କୁମାର ଭୋଳ
Comments
ଆକାଶ କୁମାର ଭୋଳ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି ।