ତୁ ଯିବା ପରେ
ମୋର ପ୍ରତିଟି ମୁହୂର୍ତ୍ତ କେମିତି କଟିଛି
କେବେ ଭାବିଛୁ?
ଭାବିନୁ ନା?
କାହିଁକି ଭାବିବୁ !
ଭାବିବାକୁ ତୋତେ ସମୟ କାଇଁ !!
ତୁ ତ ଏବେ ମସଗୁଲ
ତୋ ଦୁନିଆରେ,
ମହମର ଡେଣା ଲଗାଇ
ତୁ ଏବେ ପ୍ରଚେଷ୍ଟାରତା ଛୁଇଁବାକୁ ଅନ୍ତରୀକ୍ଷ ।
ହେଲେ ଜାଣିନୁ
ଯେବେ ପ୍ରଖର ସୂର୍ଯ୍ୟ ରଶ୍ମିରେ
ମହମ ତରଳିବାକୁ ଲାଗିବ
ସେତେବେଳେ ତୋର ଅବସ୍ଥା କ’ଣ ହେବ !
ମନେରଖ..
ଏମିତି ଭୂପତିତା ହେବୁ
ଯେ ହାଡ଼-ଗୋଡ଼ ଚୂର୍ଣ୍ଣ-ବିଚୂର୍ଣ୍ଣ ହୋଇ
ମାଟିରେ ମିଶିଯିବ ତୋର ସମ୍ପୂର୍ଣ୍ଣ ଅସ୍ତିତ୍ୱ ।
ସେତେବେଳେ ନା ଥିବ ତୋର ଅହଂ
ନା ଆଉ ଥିବ ସ୍ୱେଚ୍ଛାଚାରୀ ମନୋବୃତ୍ତି
ଆଜି ଯାହା ତୋତେ ବିଷ ଲାଗୁଛି
ତା’ ଭିତରେ ଥିବା ଅମୃତତ୍ୱକୁ
ଚିହ୍ନିବାରେ ତୁ ତ୍ରୁଟି କରିଛୁ..
ତେଣୁ କେବେ ନା କେବେ
ଅପରିଣାମଦର୍ଶିତାର ଫଳ
ତୋତେ ନିଶ୍ଚୟ ଭୋଗିବାକୁ ହେବ
ଚାଲିଯାଇଛୁ,
ଭଲ କରିଛୁ
କାରଣ ତୁ ଚାଲିଯିବା ପରେ ହିଁ
ମୁଁ ବୁଝିଥିଲି ଜୀବନ ଆଉ ସମ୍ପର୍କର ମାନେ
ତୁ ହିଁ ଜଣାଇଥିଲୁ ମୋତେ
କି ମୁଁ କେତେ ମୂର୍ଖ ଆଉ ନିର୍ବୋଧ
ଯିଏ ମରୀଚିକାକୁ ସତ ଭାବି
ତା’ ପଛରେ ଅଣନିଃଶ୍ଵାସୀ ହୋଇ ଧାଉଁଥିଲା..
ହେଲେ ସେଥିରେ ମୋର
ଭୁଲ ବି କ’ଣ ଥିଲା
ଯଦି ରାମଙ୍କ ଭଳି ବିଦ୍ୱାନ
ସୁବର୍ଣ ମୃଗକୁ ସତ୍ୟ ଭାବି
ଡାକି ଆଣିଥିଲେ ନିଜର ସର୍ବନାଶ
ତ ମୁଁ କେଉଁ ଗାଈର ଗୋବର..?
ଯାହା କହ
ତୋର ଛଳନା ହିଁ ଖୋଲିଦେଇଥିଲା
ମୋ ଆଖିରେ ବନ୍ଧା ଥିବା ଅନ୍ଧପୁଟୁଳି..
ଅବଶ୍ୟ ତୁ ଯିବା ପରେ
କେବେ ମେଘୁଆ ଆକାଶର କଳାବାଦଲ ଭିତରେ
ଝଟକୁ ଥିବା ବିଜୁଳିକୁ ଦେଖି
ମୁଁ ଚମକି ପଡ଼ୁଥିଲି
ତ ପୁଣି କେବେ ପୂର୍ଣ୍ଣିମାର ଜହ୍ନ
ଆଉ ଅମାବାସ୍ୟାର ଅମା ଅନ୍ଧକାର ଭିତରେ
ମୋ ଜାଣତରେ ହେଉ
ଅବା ଅଜାଣତରେ..
କେବଳ ତୋତେ ହିଁ ଖୋଜୁଥିଲି..
ଯେବେ ଫୋନରେ
ମିସକଲ୍ ଆସୁଥିଲା
ତ ଉଦଭ୍ରାନ୍ତ ଭାବେ
ବିଚଳିତ ହୋଇ ଦେଖୁଥିଲି
କାଳେ ସେ କଲ୍ଟା ତୋର ହୋଇଥିବ କି..
ମେସେଜଟେ ଆସିଲେ ବି
ହୋଇ ଉଠୁଥିଲି ବ୍ୟସ୍ତ-ବିବ୍ରତ
କାଳକ୍ଷେପ ନ କରି
ତତ୍କ୍ଷଣାତ ଚେକ୍ କରୁଥିଲି
ତୋ’ର କିଛି ସନ୍ଦେଶ ପାଇବା ଆଶାରେ
କିନ୍ତୁ ମୋର ପ୍ରତୀକ୍ଷା
କେବଳ ପ୍ରତୀକ୍ଷାରେ ହିଁ ରହୁଥିଲା
ଦିନ ପରେ ଦିନ..
ଆଉ ରାତି ପରେ ରାତି ବିତିବାକୁ ଲାଗୁଥିଲା
ହେଲେ ମୋ ପ୍ରତୀକ୍ଷାର
କେବେ ଅନ୍ତ ହେଉ ନ ଥିଲା..
ସତରେ ତୁ ବଦଳି ଯାଇଥିଲୁ,
ହେଲେ ତୁ ବଦଳିଲୁ କ’ଣ ଯେ?
ପ୍ରକୃତରେ ତୁ ଯାହା
ନିଜକୁ ତାହା ହିଁ ତ
ପ୍ରମାଣ କଲୁ..
ହେଲେ ତୁ ଜାଣିଛୁ ,
ତୋରି ପାଇଁ ମୁଁ ମରିମରି ବଞ୍ଚୁଥିଲି
ଓ ବଞ୍ଚିବଞ୍ଚି ମରୁଥିଲି
ମୋ ସାମ୍ନାରେ କିଛି ବିକଳ୍ପ ହିଁ ନ ଥିଲା
କାରଣ ତୁ ହିଁ ମୋ ଦୁନିଆ ଥିଲୁ
ଆଉ ଯୁଆଡ଼େ ଦେଖୁଥିଲି କେବଳ ତୁ ହିଁ ଦିଶୁଥିଲୁ
ଯାହା କହ..
ତୁ ଥିଲୁ,
ମୁଁ ଖୁସି ନ ଥିଲି
ତୁ ଗଲୁ ମୋତେ ଦୁଃଖ ବି ଲାଗିଲାନି
କାହିଁକିନା ମୋ ଭିତରେ ଥିବା ଭାବପ୍ରବଣତା
କେବେଠାରୁ ସମାଧି ନେଇ
ମୁଁ ପାଲଟି ସାରିଥିଲି ଗୋଟେ ନିର୍ଜୀବ ପଥର
ଦୋଷ ତୋ’ର ନୁହଁ
ସବୁ ଦୋଷ ମୋର
କାରଣ ମୁଁ ଜାଣିଥିଲି ଅପେକ୍ଷାକୃତ ଭାବେ
ଆମେ ଯାହାକୁ ଅଧିକ ଗୁରୁତ୍ୱ ଦେଉ
ତା’ ପାଖରେ ଆମର ମୂଲ୍ୟ
ଡଷ୍ଟବିନର ଅଲୋଡ଼ା ଆବର୍ଜନା ଭଳି..
କିନ୍ତୁ ତଥାପି
ମୁଁ ଜାଣି ପାରୁ ନ ଥିଲି
କେମିତି ତୋତେ ଏତେ ଗୁରୁତ୍ୱ ଦେଉଥିଲି..
ଶୁଣ ତୁ ଗଲା ବେଳେ
ତୋ ଇଚ୍ଛାରେ ଯାଇଥିଲୁ ସତ
ହେଲେ ଫେରିବା,
ନିର୍ଭର କରେ ମୋ ଇଚ୍ଛା ଉପରେ
କ’ଣ ଭାବୁଛୁ ତୁ ପୁଣିଥରେ ଆସିଲେ
ମୁଁ ତୋତେ ସ୍ୱାଗତ କରିନେବି?
କେବେ ନୁହଁ..
ବିତି ଯାଇଥିବା ମୁହୂର୍ତ୍ତ ଆଉ ପରିସ୍ଥିତିକୁ
ମୁଁ ପୁଣିଥରେ ଦୋହରେଇବାକୁ ଚାହେଁନା
କି ସବୁଦିନ ପାଇଁ ବନ୍ଦ କରିଥିବା ତୋର ପୃଷ୍ଠାକୁ
ପୁଣିଥରେ ଖୋଲିବାକୁ ଚାହେଁନା..
ଏବେ ତୁ ତୋ ରାସ୍ତାରେ
ଆଉ ମୁଁ ମୋ ରାସ୍ତାରେ
ଆଉ ତୋତେ ପାଇବାର ଅଭିପ୍ସା ନାହିଁ
କି ହରେଇବାର ଅବଶୋଷ ନାହିଁ
କାରଣ ମୁଁ ଏବେ
ଅତୀତର ସେଇ ମୁଁ ହୋଇନାହିଁ
ମୁଁ ବଦଳି ଯାଇଛି..
କେଉଁ ଯୁଗରୁ ନିଜ ଭଲ ପଣିଆକୁ
କବର ଦେଇ ସାରିଛି
ତୁ ଦେଇଥିବା ଧୋକା, ପ୍ରତାରଣାର କବରଖାନା ତଳେ
ତେବେ ତୁ ସିନା ଛଳନା କରୁଥିଲୁ
ହେଲେ ମୁଁ ତ ତୋତେ ପ୍ରେମ କରୁଥିଲି ନା
ତୁ ସର୍ବତ ବୋଲି ଦେଇଥିବା ହଳାହଳକୁ
ମୁଁ ବିଶ୍ୱାସରେ ଆଖି ବୁଜି ପିଇଥିଲି
ଆଉ ଧୀରେଧୀରେ ଅଗ୍ରସର ହେଉଥିଲି ମୃତ୍ୟୁ ଆଡ଼େ..
ମୋ ମୃତ୍ୟୁ ବୋଧେ ତୋର କାମ୍ୟ ଥିଲା
ଭାବୁଛୁ କି ମୁଁ ମରିଯାଇଛି?
ଖୁସିରେ ଉତ୍ଫୁଲ୍ଲିତା ହ ନା
କାରଣ ମୁଁ ମରିନି..
ମୁଁ ଜୀବିତ..
ହେଲେ ଏବେ କିନ୍ତୁ
ମୁଁ ଆଉ ତୋ ଛଳନାସିକ୍ତ ପ୍ରେମର ପୂଜାରୀ ନୁହଁ
ମୁଁ ଏବେ ଏକ ବିଦ୍ରୋହୀ ପ୍ରେମିକ…
– ଅନିଲ କୁମାର