ମୃତ୍ୟୁ

Odia Poem Mrutyu (ମୃତ୍ୟୁ) by Anasuya Panda

କିଛି ନକହି କେବେ ଆସିଯାଏ ଅଦିନ ଝଡ଼ଟେ ହେଇ
ପବନ ଘୋଡ଼ାରେ ଅପହୃତ କରିନିଏ, ମହାଶୂନ୍ୟର ମହାତୀର୍ଥକୁ
ଐଶ୍ୱରୀୟ ଧାମକୁ, କି ନର୍କକୁ, କି ଯମପୁରକୁ
ସବୁ ଅଧା ଛାଡ଼ି ବାହୁଡ଼ିବାକୁ ବାଧ୍ୟ ହୁଏ ମୃତ୍ୟୁର ହାତ ଧରି
ଆଉ ଟିକେ ବଞ୍ଚେଇଦେବାର ଆକୁଳ ନିବେଦନ ଥାଏ ଦାବି ପତ୍ରରେ
ଆତ୍ମୀୟଙ୍କ ଛାତି ଫଟା ଆର୍ତ୍ତ ସ୍ଵରରେ
ପୁଅ ବଡ଼ ହେବାର ସ୍ଵପ୍ନ, ଝିଅ ବାହାଦେବାର ଉଦ୍ୟମ
ସ୍ଵାମୀ ସ୍ତ୍ରୀ ସବୁ କାମ ପରେ, ପୁଣି ଗୋଟେ
ଫୁରସତର ଜୀବନ ବିତେଇବା ଆଶା
ଆଶାବରୀ ହେଇ ରହିଯାଏ ।

ବାଧ୍ୟ ସନ୍ତାନ ପରି ଫେରିବାକୁ ପଡ଼େ ମୃତ୍ୟୁର ହାତ ଧରି
ସୂକ୍ଷ୍ମ ଚେତନାକୁ ଯାହା ପ୍ରକୃତ ଘର ସବୁରି
ମୋହ ମାୟା ରାଗ ରୋଷ ଛାଡ଼ି
ଆଉଗୋଟେ ପୁନର୍ଜନ୍ମ ପାଇଁ ଆତ୍ମା ଖୋଜେ ଖୋଳପା
ସବୁ ନିରବିଯାଏ, ଅବଶ୍ୟକତା ଅନାବଶ୍ୟକ ହେଇଯାଏ
ଖୁବ ଲୋଡ଼ା ଅଲୋଡ଼ା ହେଇ କାନ୍ଥରେ ଝୁଲି ପଡ଼େ ଫଟୋ ହେଇ
ସମୟ ସେମିତି ଦଉଡ଼ିଥାଏ ନ ଅଟକିବାର ପ୍ରତିବଦ୍ଧତାରେ
ପୁଞ୍ଜିଭୂତ ଅତୀତ ଉପରେ ବାଲି ଚରିଯାଏ
ଜୀବନ, ଜଞ୍ଜାଳ, ସଂସାର ସଳଖୁ ସଳଖୁ,
ଅତୀତ ରଙ୍ଗଛଡ଼ା ହେଇଯାଏ
ନୂଆ ବିଳାସର ବାସ୍ନାରେ, ଐଶ୍ଵର୍ଯ୍ୟର ମୋହରେ
ପୁନଃ ଅଙ୍କୁରିତ ହୁଏ ବର୍ତ୍ତମାନ ଭିତ୍ତିଭୂମିରେ ।

– ଅନସୂୟା ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...