ଫେରି ଆସ ଅଭିମାନିନୀ ମୌସୁମୀ ଗୋ !
କାହିଁ ଗଲ ତୁମେ ମନେ ଭରି ଆଡ଼ ରୁଷା
ଫେରି ଆସ, ଦେଖ ! ଏଇ ବର୍ଷା ଋତୁରେ ବି
ନିଦାରୁଣ ଗ୍ରୀଷ୍ମର ପୀଡ଼ନେ ଏ ପୃଥିବୀର ଦଶା ॥
ଅସହ୍ୟ ଏ ଆଷାଢ଼େ ଅରୁଣ କିରଣର ଜାଳ
ତୁମ ପଥ ଚାହିଁ ଚାହିଁ ଚକୋରୀ ବି ତୃଷାର୍ତ୍ତ, ଆକୁଳ,
ଚାଷୀ କାନ୍ଦେ ଜଳ ବିନେ ବିଲମାଳ ଶତଧା ବିଦୀର୍ଣ୍ଣ
କେମିତି ଶୁଝିବ ଋଣ, ପିଲାଙ୍କୁ ଦେବ ମୁଠେଅନ୍ନ ॥
ପାଞ୍ଚ ମାସ ହେଲା ତ “କରୋନା” କାଳ ହେଲା,
ଦେଶ ଗ୍ରାମ ସହର ତ ସବୁ ଗ୍ରାସ କରିଦେଲା
ତା’ର ଭୟ ଉଜାଡ଼ିଲା ସଭିଙ୍କ ଜୀବନ ଜୀବିକା
କୋଟି କୋଟି ପ୍ରାଣ ନେଇ ସୃଷ୍ଟି କଲା ବିଭୀଷିକା ॥
ଗାଆଁରୁ ସହର ଯାଏଁ, ଶୁଭେ ହାହାକାର,
ଦାନା କନା ନାହିଁ, ଏବେ ଆପଣା ବି ପର
ମୌସୁମୀଗୋ ! କାହିଁ ରହିଛ ନିର୍ଦ୍ଦୟ ହୋଇ
ତୁମ କାନେ କି ସେମାନଙ୍କ ହା ହା’କାର ବାଜୁ ନାହିଁ?
ମାନ ତେଜି ତୁମେ ଆସ ଆଗୋ ମାନମୟୀ
ତୁମରି ପରଶେ ଧରାକୁ ଶୀତଳତା ଯାଉ ଛୁଇଁ
ବର୍ଷିଯାଅ ନାଚି ଗର୍ଜି କାଦମ୍ବିନୀ ସଙ୍ଗତରେ
ମଉଳା ଚାଷୀର ମୁହଁ ପୂରି ଉଠିବ ହସରେ ॥
ଜଳ ପୂର୍ଣ୍ଣ କରିଦିଅ ଯେତେ ଶୁଷ୍କ ନଦନଦୀ
ସଞ୍ଚରିଯାଉ ସେ ଜଳ ମାଟିର ଶୁଷ୍କ ବୁକୁ ଭେଦି
ପୁଷ୍କରିଣୀଯାକ ଭରିଯାଉ ପଦ୍ମ, କଇଁର ଶୋଭାରେ
ମୌସୁମୀ ଗୋ ! କରୁଛୁ ମିନତି ଫେରିଆସ ବାରେ ॥
– ସୁଷମା ପରିଜା
Comments
ସୁଷମା ପରିଜା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।