ଅତୀତ ଆଜି ଦଶନ୍ଧି ଦଶନ୍ଧି ତଳର ସେ ମାଦକୀୟ ଅଭୁଲା ମୂହୁର୍ତ୍ତ,
ପ୍ରାପ୍ତି ଆତ୍ମତୃପ୍ତିର ଅମିମାଂସିତ ପ୍ରତିଦ୍ୱନ୍ଦିତାରେ ମନଟି ତୁଷାର୍ତ୍ତ,
ଶୀତୁଆ ସକାଳେ ଗବାକ୍ଷ ଦେଇ ଛୁଟିଆସେ ଝରାଶେଫାଳୀର ବାସ୍ନା,
ଗାଁ ମୁଣ୍ଡ ରାଧାମାଧବ ମନ୍ଦିରରୁ ଶୁଭୁଥାଏ ହରେ କ୍ରିଷ୍ଣା ହରେ କ୍ରିଷ୍ଣା ।
ରୋଷେଇ ଚାଳିରୁ ବୋହିଆସେ ବିରିଡାଲି ରସୁଣିଆ ଛୁଙ୍କ,
ପଧାନପୁଅ ପାଖ ଗାଁ ମଉଛୁକ ଖାଇଯିବାକୁ ଧରେ ଝୁଙ୍କ,
ଦଶହରା ଦୀପାବଳିର ପାର୍ବଣରେ ପୁଲକିତ ହୁଏ ପଲ୍ଲୀ ଜୀବନ,
ଦନାସାହୁ ବାହୁନି କାନ୍ଦେ କରୋନାରେ ହରାଇ ତା’ର ବିଶିକେଶନ ।
ଅଦ୍ୟ ଆଷାଢ଼ର ପହିଲି ବର୍ଷାରେ ତପ୍ତ ମାଟିର ଗନ୍ଧ,
ଧାରା ଶିରାବଣ ମାନେନାହିଁ ପୁଣି ଭାଙ୍ଗେ ଯେତେ ବାଡ଼ ବନ୍ଧ,
ନଣ୍ଡା ଜେନା ହେଲେ ଖାତିର କରେନି କିଆରିରେ କୀଟନାଶକର ଗନ୍ଧ,
ପୁଲକିତ ହୁଏ ନାକରେ ବାଜିଲେ ବହଳିଆ ଧାନତେଣ୍ଡାର ସୁଗନ୍ଧ ।
ନିଦ ଭାଙ୍ଗିଯାଏ ବଡିଭୋଅରରୁ ଶୁଣି ସୁନା ଖୁଡ଼ୀଙ୍କ ହୁଳହୁଳି,
ମଗୁଶିର ମାଣବସା ଆଜି ପରା ନିଶ୍ଚେ ମିଳିବ ଦି’ପଟ ବୁଢ଼ା ଚକୁଳି,
ଗୋବର ଗେଣ୍ଡୁ ବାସ୍ନା ସହ ଯେବେ ମିଶେ ଦୀପ ଧୂପ ଝୁଣା ଧୂଆଁ,
ପାପୀପ୍ରାଣ ହୁଏ ଭକ୍ତିରେ ପ୍ଲାବିତ ସତେକି ଲକ୍ଷ୍ମୀଙ୍କ କିନିଆଁ ।
ସଞ୍ଜରେ ଗାଁ ମୁଣ୍ଡ ବଜାରରେ ମାନ୍ଦା ବରା ପିଆଜିର ବାସ୍ନା,
ବଢ଼ିଛି ସଉକିନ୍ ଗରାଖଙ୍କ ଏବେ ଚାଓମିନ୍ ଚିଲିଚିକେନ୍ର ତୃଷ୍ନା,
ରମା ଦାସ ଗୁମୁଟି ଦୋକାନରେ ଏବେ ବିଦେଶୀ ନାଲି ପାଣି କାରବାର,
ସଞ୍ଜରୁ ରାତି ଚାଲୁଛି ସେଠି କୁଜିନେତାଙ୍କର ରଙ୍ଗୀନ୍ ରାଜ ଦରବାର ।
ବିସ୍ମୃତି ଆଜି ସେ ହାଣ୍ଡିଶାଳ ରନ୍ଧା କୋଉ ମାଗୁର ବେସର,
ସାତ ସପନ ପୁଣି ମଉରାଳି ମାଛ ପତିରି ଶୁଖୁଆ ସୁଆଦ,
ବଦଳିଛି ରୁଚି ଆବାଳବୃଦ୍ଧଙ୍କ ପିଜ୍ଜା ମୋମୋ ବିରିୟାନୀ ପାଇ,
ନ ବଦଳୁ କେବେ ସବୁଠୁ ନିଆରା ମୋ ଗାଆଁ ପାଣି ପବନରେ ସଇ ।
– ମାନସ ରଞ୍ଜନ ନାୟକ
Comments
ମାନସ ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, ପ୍ରବନ୍ଧ ଆଦି ରଚନା କରିଥାନ୍ତି । ତାଙ୍କ ରଚନାଗୁଡ଼ିକ କିଛି ପତ୍ରପତ୍ରିକରେ ସ୍ଥାନ ପାଇଛି ।