ମୋ ଗାଆଁ ଗଳି ମୁଣ୍ଡ

Odia Story Mo Gaon Galimunda (ମୋ ଗାଆଁ ଗଳି ମୁଣ୍ଡ) by Manas Ranjan Nayak

ବେସ୍ ସହଜ, ସରଳ, ସାବଲୀଳ ପରିଚୟଟିଏ ତା’ର; ମୋ ଗାଁ ଗଳି ମୁଣ୍ଡ । କେଉଁ ବାପ ଗୋସବାପ କାଳରୁ ଗାଁ’ଟିର ପୀଢ଼ି ପରେ ପୀଢ଼ି ଅଳିକ ଜୀବନର ସକଳ ସାକ୍ଷୀ ହୋଇ ଏଯାବତ୍ ବଞ୍ଚିରହିଛି । ବହୁରୂପୀ ଏଣ୍ଡୁଅ ପରି ବଦଳିଛି ତା’ର ପାରିପାର୍ଶ୍ୱିକ ଅବୟବ, ହେଲେ ସାଇତି ରଖିଛି ସେ ମନ ସିନ୍ଦୁକରେ ରାଶି ରାଶି ହସ ଲୁହର ଅପାଶୋରା ଅନୁଭୂତିକୁ ସ୍ମୃତିର ଫାସ ପକେଇ । ଆଜିବି ଆକାଶରେ ରଙ୍ଗର ଫୁଆରା, ମୁହୂର୍ମୁହୂ ମହକାଇ ତା’ ପଥ ଭୂପତିତ ହେଉଛି ଶେଫାଳୀ । ମଗୁଶିରର କଁଁଅଳ ଖରା ପୁଇଁବାକୁ ଆଜି କେହି ନାହିଁ । ଖଣ୍ଡି ଧାନ ଛିଞ୍ଚା ଆଜି ଆଉ ମିଳେନି ସେ ଗଳି ମୁଣ୍ଡରୁ । ନିଜର ଅସହାୟତାକୁ ଲୁଚାଇବାକୁ ଚେଷ୍ଟା କରୁଛି, ଦରାଣ୍ଡୁଛି ଅତୀତ ସ୍ମୃତିର ସବୁଜ ପଟାଳି…

କର୍ଦ୍ଦମାକ୍ତ ରାସ୍ତା ଆଜି ସୁଉଚ୍ଚ ପକ୍କା ସଡ଼କରେ ରୂପାନ୍ତରିତ ସତ ହେଲେ ସେହି କଙ୍କ୍ରିଟ୍ ତଳେ ଅଣନିଶ୍ୱାସୀ ହୋଇଯାଇଛି ଶୈଶବରୁ ବାର୍ଦ୍ଧକ୍ୟଯାଏ ଜୀବନନାଟୀକାର ଅଗଣିତ ପାଦଚିହ୍ନ । ପ୍ରଗତିର ପାହାଚ ଚଢ଼ୁ ଚଢ଼ୁ ବହୁତ ତଳେ ରହିଯାଇଛି ସେହି ଧୂଳି ଧୂସର ପଥୁରିଆ ଗଳିମୁଣ୍ଡ ଯାହା ଉପରେ ଆଣ୍ଠେଇ ଝୁଣ୍ଟି ଜୀବନର ପ୍ରଥମ ପାହାଚଟିଏ ଦିନେ ସଳଖି ଛିଡ଼ା ହୋଇଥିଲି । ଦିନେ ବ୍ରାହ୍ମ ମୂହୁର୍ତ୍ତରୁ ନିଶାର୍ଦ୍ଧଯାଏ ଚଳଚଞ୍ଚଳ ରହୁଥିବା ଗଳିମୁଣ୍ଡ ଏବେ ଏକ ପରିତ୍ୟକ୍ତ ଆଦିମ ସଂକୀର୍ଣ (ଉଭୟ ପଟର ଜମି ମାଲିକମାନଙ୍କର ଅପ୍ରତିଦ୍ଵନ୍ଦୀତ ସୀମା ଅଧିକରଣ) ଚଲାପଥପ୍ରାୟ ନାଟକୀୟ ସ୍ମୃତିଫଳକ ହୋଇ ବିଦ୍ୟମାନ । ମୁଖ୍ୟ ସଡ଼କକୁ ଯୋଡ଼ି ହେଉଥିବା ଗ୍ରାମୀଣ ସଡ଼କ ଏବେ ପରିବର୍ତ୍ତିତ, ଗ୍ରାମର ବିପରୀତ ଦିଗରେ ଥିବା ସୁଦୀର୍ଘ ରାସ୍ତା ଏବେ ପ୍ରଧାନମନ୍ତ୍ରୀ ଯୋଜନା ଅନ୍ତର୍ଗତ ପିଚୁ ସଡ଼କରେ ରୂପାନ୍ତରିତ । ଚିକ୍କିଟା ମାଟି, ମାଙ୍କଡ଼ା ପଥର ଏବଂ ପରେ ପରେ ମୁରମ୍ ଅବତାରରୁ କଂକ୍ରିଟ୍ ସଡ଼କକୁ ବିକାଶର ସ୍ୱପ୍ନ ଦେଖୁଥିବା ଗଳି ମୁଣ୍ଡ କିନ୍ତୁ ହରପ୍ପା ମହେଞ୍ଜୋଦାରୋ ଭଳି ସୁପ୍ତ ଇତିହାସ ହୋଇ ଗାଆଁ କବଜାରେ ନିଃଶେଷ ପ୍ରାୟ ମନେହୁଏ ।

ଏକଦା ଘଞ୍ଚ ସବୁଜିମାରେ ପରିପୂର୍ଣ୍ଣ ହୋଇ ନିଜକୁ ଗଳି ମୁଣ୍ଡର ଗୌରବାନ୍ୱିତ ଅଂଶୀଦାର ମନେ କରୁଥିବା ବର, ଅଶ୍ୱତ୍ଥ, ଆମ୍ୱ, ପୁଟିଆ, ଶିରିଶ, ତେନ୍ତୁଳି, ବରକୋଳି ଓ ତାଳ ପରି ଅନେକ ଦ୍ରୁମ, ଯେଉଁମାନେ ଆଜୀବନ ଗ୍ରାମର ମୁଖଶାଳା ପ୍ରାୟ ସ୍ୱାଗତ କରୁଥିଲେ ଆଗନ୍ତୁକମାନଙ୍କୁ ଆଜି ଖୋଲା ଆକାଶ ତଳେ ବିବର୍ଣ୍ଣ ସେମାନେ । ଦିନେ ସହସ୍ର ପକ୍ଷୀ, ସରୀସୃପ ମାନଙ୍କର ଅଭୟାରଣ୍ୟ ଥିବା ଗଳି ମୁଣ୍ଡ ଏବେ ନିଜର ଅସ୍ତିତ୍ୱ ହରାଇବା ଗ୍ଲାନିରେ ମ୍ରିୟମାଣ । ସ୍ମୃତିର ଇନ୍ଦ୍ରଧନୁରେ ଶୈଶବରୁ ବୟସର ଅପରାହ୍ନ ଯାଏ ବେଶ୍ ପ୍ରଛନ୍ନ ଥିଲା ତା’ର ପ୍ରଭାବ ପ୍ରତିଟି ଜୀବନ ଉପରେ । ଛୋଟବେଳେ ବୁଢ଼ୀମା କାଖେଇ ଗଳି ମୁଣ୍ଡର କୁଆ କୋଇଲି ଶୁଆ ବଗ ଦେଖେଇ ଡାଲିଭାତ ଖୋଇଦେବା, ଗଳି ମୁଣ୍ଡର ଝଙ୍କା ଗଛମାନଙ୍କୁ ନେଇ କେତେ ଭୂତ ରାକ୍ଷସର ଭୟାନକ କାହାଣୀ, ପାଣିବୁହା ରଜରେ ଗଳି ମୁଣ୍ଡର ପୋଖରୀରୁ ମାଛଧରା, ଅଘିରା ପୂର୍ଣ୍ଣମୀରେ ଗଳି ମୁଣ୍ଡ ଧାନ କିଆରିରେ ସାହି ସାରା ଏକତ୍ରୀତ ହୋଇ ଅଗି ଜାଳିବା ଓ ଅନେକ ବର୍ଷ ପରେ ଦୂର ରାଜ୍ୟରୁ ଗାଁ’କୁ ଫେରିଲା ବେଳେ ଗଳି ମୁଣ୍ଡର ଆଲ୍ହାଦ ବେଶ୍ ପ୍ରାଣ ଫୁଙ୍କିଦେଉଥିଲା ପ୍ରତିଟି ଜୀବନରେ । ଗଳି ମୁଣ୍ଡରୁ ପଦ ଗଣତି ଦୂରତ୍ୱରେ ମହିମା ମଣ୍ଡିତ ଗ୍ରାମଦେବତୀ, ମାଆ ଶଙ୍ଖୁଳେଇଙ୍କ ଅଲୌକିକ ବାଟିକା ସତେ ଅବା ଗ୍ରାମକୁ ମା’ର ପଣତକାନିର ସୁରକ୍ଷା ବଳୟଥିଲା । ସେଦିନର ଅମାୟିକ ଆତ୍ମୀୟତାରେ ଢଳ ଢଳ ପଲ୍ଲୀଜୀବନରେ ଆଧ୍ୟାତ୍ମିକତା ବି ଥିଲା ଏକ ଅଭେଦ୍ୟ ଅଙ୍ଗ, କ୍ଷଣିକ ଆତ୍ମଗର୍ବୀ ମୁଣ୍ଡଟି କିନ୍ତୁ ଗ୍ରାମର ଆରମ୍ଭରୁ ଗଳି ମୁଣ୍ଡ ପାଖରେ ଆପଣାଛାଏଁ ନଇଁ ଯାଉଥିଲା ।

ଅକ୍ରୁର ରଥ ଅଣଲେଉଟା ପରି ଅତୀତର ସେହି ଗଳି ମୁଣ୍ଡ, ଆଉଥରେ ଅଧୁନା ନିଚ୍ଛକ ବସ୍ତୁବାଦୀତାର ପ୍ରାବଲ୍ୟତାରେ ସିକ୍ତ ଜୀବନଶୈଳିକୁ ପୁନର୍ଗମନ, ଆଉ ଏକ ଦ୍ୱାପରକୁ ଅପେକ୍ଷା ପରି ମନେହୁଏ… କେଉଁ ଏକ ସ୍ମୃତି ବିଜଡ଼ିତ ଅର୍ଗଳିରେ ସବୁଦିନ ପାଇଁ ଯୋଡ଼ି ହୋଇ ରହିଯିବ “ମୋ ଗାଁ ଗଳି ମୁଣ୍ଡ” !

– ମାନସ ରଞ୍ଜନ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...