ମାଣିକକୁ ଉପଯୁକ୍ତ ସମ୍ମାନ ଦେଇ ଗଜପତି ଆଗେଇ ଚାଲିଲେ କାଞ୍ଚି ଅଭିମୁଖେ । ଘମାଘୋଟ ଲଢ଼େଇ ହୋଇଥିଲା । ଆଉ ସେହି ଲଢ଼େଇରେ ବିଜୟ ହୋଇ ଗଜପତି ମହାରାଜା ରାଜକୁମାରୀ ପଦ୍ମାବତୀଙ୍କୁ ସାଙ୍ଗରେ ନେଇ ଫେରି ଆସିଲେ । ଆହୁରି ମଧ୍ୟ କାଞ୍ଚିର ଆରାଧ୍ୟ ଗଣପତିଙ୍କୁ ସାଙ୍ଗରେ ନେଇ ଆସିଥିଲେ ନିଜ ସହିତ । ଆଜି ମଧ୍ୟ ପୁରୀ ଶ୍ରୀମନ୍ଦିରରେ କାଞ୍ଚି ଗଣପତି ବିରାଜମାନ କରିଛନ୍ତି । ଯୁଦ୍ଧରୁ ଫେରିବା ପରେ ଗଜପତି ମହାମନ୍ତ୍ରୀଙ୍କୁ କହିଥିଲେ ରାଜକୁମାରୀଙ୍କୁ ଏକ ଝାଡ଼ୁଦାର ସହ ବିବାହ ଦେଇ ନିଜ ଅପମାନର ଉଚିତ ପ୍ରତିଶୋଧ ନେବାକୁ…!!
ଶ୍ରୀଜୀଉ ବାହାରୁଥିଲେ ନିଜ ମାଉସୀ ଘରକୁ । ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ସମସ୍ତେ ସଜ ହେଉଥିଲେ । ସକାଳୁ ଟିକେ ଖେଚୁଡ଼ି ଭୋଗ ଖାଇ ମହାବାହୁ ଧାଡ଼ି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିଥାନ୍ତି…!! ଉତ୍କଳର ମଉଡ଼ମଣୀ ଜାତିର ଗୌରବ ଗଜପତି ମହାରାଜ ପୁରୁଷୋତ୍ତମ ଦେବ ପ୍ରଥା ଅନୁଯାୟୀ ରଥ ଉପରକୁ ଆସିଲେ । ଗରାବଡ଼ୁ ହାତୁଆଣି ଦେବା ପରେ ଘଟୁଆରୀ ଘୋଳ ଚନ୍ଦନ ବା ଛେରା ସିଞ୍ଚନ କରିବା ପାଇଁ ହାତରେ ରୂପା କଳସ ଧରି ଠିଆ ହୋଇଥାନ୍ତି । ପାଖରେ ମନ୍ତ୍ର ଉଚ୍ଚାରଣ ସହିତ ଧବଳ ସୁଗନ୍ଧିତ ପୁଷ୍ପ ସିଞ୍ଚନ ପରେ ହାତରେ ଧରିଥିବା ସୁନା ବେଣ୍ଟ ଲଗା ରୂପା ଝାଡ଼ୁ ଧରି ମହାରାଜ ଛେରା ପହଁରା ଆରମ୍ଭ କଲେ । ପ୍ରତ୍ୟେକଥର ପାଦ ଆଗକୁ ବଢ଼େଇଲା ବେଳେ ନିଜକୁ ସେ ପ୍ରଭୁଙ୍କର ଭୃତ୍ୟ ମନେକରି ନିଜକୁ ସମର୍ପି ଚାଲିଥିଲେ ତାଙ୍କ ନିକଟରେ । ଜାତି ପ୍ରଥାର ସଙ୍କୀର୍ଣ୍ଣତାକୁ ବହୁତ ପଛରେ ପକେଇ ଆଗେଇ ଚାଲିଥିଲେ ସେ…!! ଠିକ୍ ଏହି ସମୟରେ ମହାମନ୍ତ୍ରୀଙ୍କ ଆଜ୍ଞା ପାଇ ରାଜକୁମାରୀ ପଦ୍ମାବତୀ ବରଣମାଳ ଲମ୍ବେଇ ଦେଇଥିଲେ ତାଙ୍କ ଗଳାରେ…!! ଆଉ ମହାମନ୍ତ୍ରୀ କହି ଉଠିଲେ ଯେ ସେ ମହାରାଜଙ୍କ ଆଜ୍ଞା ଅନୁସାରେ ଦୁନିଆର ସର୍ବଶ୍ରେଷ୍ଠ ଝାଡ଼ୁଦାରଙ୍କ ସହିତ କାଞ୍ଚି ରାଜଜେମାଙ୍କୁ ସମର୍ପି ଦେଇଥିଲେ । ଭଲା ମହାପ୍ରଭୁଙ୍କ ସେବକଠାରୁ ଉତ୍କୃଷ୍ଟ କିଏ ଆଉ ହେଇପାରେ ଏ ଜଗତରେ…!!??
ସତରେ… ଜାତି ଧର୍ମ ବର୍ଣ୍ଣ ନୁହଁ ବରଂ ଭକ୍ତି ହିଁ ଭକ୍ତର ପ୍ରକୃତ ପରିଚୟ ବୋଲି ଅନେକଥର ତୁ ପ୍ରମାଣ କରି ଆସିଛୁ । ନିଜର ଦିବ୍ୟଲୀଳା ସହିତ ଯୁଗ ଯୁଗ ଧରି ମାନବ ସମାଜକୁ ଦିଗଦର୍ଶନ ଦେବା ସହ ଅନେକ ଅନୈତିକ ଆଉ ଗତାନୁଗତିକ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବାକୁ ତୁ ରଚନା କରିଥିବା ଦିବ୍ୟ ପ୍ରସଙ୍ଗ ସବୁ ସତରେ ତୋ’ ପରି ହିଁ ବହୁତ ଆକର୍ଷଣୀୟ କାଳିଆ…!!
ଏହି ପ୍ରସଙ୍ଗରେ ସବୁଠୁ ପ୍ରଥମେ ମନେପଡ଼େ ଶ୍ରୀୟା ଚଣ୍ଡାଳୁଣୀର ଅନାବିଳ ପ୍ରେମଭକ୍ତି କଥା । ଲୋକକଥା ଅନୁସାରେ ମାର୍ଗଶିର ଗୁରୁବାର ଦିନ ସକାଳୁ ମା’ ମହାଲକ୍ଷ୍ମୀ ତୋତେ କହିଲେ ଯେ ସେ ଭ୍ରମଣରେ ଯିବାକୁ ବାହାରିଛନ୍ତି । କାରଣ ସେ ଅନ୍ନପୂର୍ଣ୍ଣା । ଆଉ ସମସ୍ତଙ୍କୁ ଧନଧାନ୍ୟ ପ୍ରଦାନ କରିବାକୁ ତାଙ୍କୁ ସେତେବେଳେ ଯିବାକୁ ହିଁ ଥିଲା । ତୁ ତାଙ୍କୁ କହି ଦେଇଥିଲୁ ଯେ ସେ ଯେମିତି ରୋଷେଇ କାର୍ଯ୍ୟ ସମାପ୍ତ କରି ଯିବେ । ଯାହା ହେଲେ ବି କାଳିଆ… ଖାଇବା ଲୋଭ ତୁ ସମ୍ଭାଳି ପାରୁନୁ ନା…?? ସେ ଯାହା ବି ହେଉ ମାଆ ଜଗତଜନନୀ ନଗର ଭ୍ରମଣ କରିବା ସମୟରେ ବ୍ରାହ୍ମଣ ସାହିରୁ ଆରମ୍ଭ କରି ଚାରିଆଡ଼େ ବୁଲିଲେ । କିନ୍ତୁ ଲୋକମାନଙ୍କ ଚଳଣୀ ଦେଖି ତାଙ୍କୁ କିଛି ଭଲ ଲାଗିଲାନି । କାହାର ବସ୍ତ୍ରରେ ଅସଞ୍ଜମତା ଥିଲା ତ କାହାର କେଶ ବିନ୍ୟାସରେ ଥିଲା ସମ୍ପୂର୍ଣ୍ଣ ଅନିୟମିତତା । ଘରଦ୍ୱାର ଅପରିଷ୍କାର ଦେଖି ତାଙ୍କ ମନ ଦୁଃଖ ହୋଇଯାଉଥିଲା ବେଳେ ସେ ହଠାତ୍ ଦେଖିଲେ ଏକ ଘର ଦୁଆରେ ଗୋବର ପାଣି ଲିପା ଯାଇ ସୁନ୍ଦର ଝୋଟି ସବୁ ପଡ଼ିଥିଲା । ଧୂପ, ଦୀପ, ଝୁଣା ଆଦି ବାସ୍ନାରେ ସେହି ଘରଟି ମହକୁଥିଲା । ତା’ ସହ ସେହି ଝୋଟି ଉପରେ ପଡ଼ିଥିବା ଅଷ୍ଟଦଳ ପଦ୍ମ ଦେଖି ତାଙ୍କ ମନ ସ୍ନେହ ଶରଧାରେ ପୂରି ଉଠିଲା ଆଉ ସେ ନିଜେ ସେହି ପଦ୍ମ ଉପରେ ପାଦ ଦେଇ ସେହି କୁଟୀରରେ ପ୍ରବେଶ କଲେ । କେତେ ସୁନ୍ଦର ନା ଏହି ଉପାଖ୍ୟାନ…!! ଏଠି ଦେବତାକୁ ଡାକିବା ପାଇଁ ମନ୍ତ୍ର ହୋମ ଯଜ୍ଞର ଆବଶ୍ୟକତା ହୁଏନି ବରଂ ସ୍ଵଛ ଆଧ୍ୟାତ୍ମିକ ବାତାବରଣରେ ମନ ଲଗେଇ ଈଶ୍ୱରଙ୍କୁ ଆବାହନ କଲେ ସେ ନିଶ୍ଚୟ ଆସିଯାଆନ୍ତି…!!
ସେହି ଘରଟି ଶ୍ରୀୟା ଚଣ୍ଡାଳୁଣୀର ଛୋଟିଆ କୁଡ଼ିଆ ଥିଲା । ବିଷ୍ଣୁଭକ୍ତିରେ ସେ ନିଜ ଜୀବନ କାଟୁଥିଲା । ମା’ ମହାଲକ୍ଷ୍ମୀଙ୍କ ମନ ତା’ ପୂଜାରେ ପ୍ରସନ୍ନ ହେବାରୁ ସେ ତାକୁ ବରଦାନ ଦେବାକୁ ଚାହିଁଲେ । କିନ୍ତୁ ସେ କ’ଣ ଜାଣିଥିଲା କି କେମିତି ବର ମାଗନ୍ତି…!! ତେଣୁ ମାଆ ନିଜେ ତାକୁ ଯାଚିକରି ଅନେକ ବର ଦେଲେ । ଧନଧାନ୍ୟରେ ତା’ ଘର ପୂରି ଉଠିଲା । ନିସନ୍ତାନ ସନ୍ତାପ ତା’ର ଦୂର ହେଲା । ଦୁନିଆରେ ମା’ ମହାଲଷ୍ମୀଙ୍କର ପୂଜାବିଧି ସମସ୍ତେ ଜାଣିଲେ… କି ସୁନ୍ଦର କଥା ଦୁନିଆକୁ ମା’ ଶିଖେଇ ଦେଲେ ସତରେ…!! ଭାବ ଭକ୍ତିର ଅପୂର୍ବ ସମନ୍ୱୟ ରକ୍ଷା କରି ସେ ଭକ୍ତକୁ କେତେ ବରଦାନ ଦେଇ ଖୁସିରେ ଦେଉଳକୁ ଫେରି ଆସିଲେ…!!
କିନ୍ତୁ ତୁ କ’ଣ କଲୁ କାଳିଆ? ବଳଭଦ୍ରଙ୍କୁ ବଚନ ଦେଇଥିଲୁ ତାଙ୍କ କଥା ଶୁଣିବୁ ବୋଲି । ତା’ ବୋଲି କ’ଣ ନିଜ ବିବାହିତା ପତ୍ନୀଙ୍କୁ କିଏ ଏମିତି କଟୁ କଥା କୁହେ?? ଚଣ୍ଡାଳ ସାହିକୁ ଯାଇଥିଲେ ବୋଲି ସେ ମଧ୍ୟ ଚଣ୍ଡାଳୁଣୀ ହୋଇଗଲେ ବୋଲି କହିଲୁ । ଆଉ ତାଙ୍କର ଭୁଲ୍ ପାଇଁ ଶାସ୍ତି ବିଧାନ ମଧ୍ୟ କରିଥିଲୁ । ବାଃ…ରେ ଜଗା…!! କେତେ ବଢ଼ିଆ ଭାବରେ ଦୁନିଆ ଆଗରେ ବିଭୁପ୍ରେମର ଏକ ଶକ୍ତ ଉଦାହରଣ ରଖିବାକୁ କେମିତି ରାସ୍ତା ବାହାର କଲୁ?? ଶେଷରେ ମାଅ ଅନ୍ନପୂର୍ଣ୍ଣାଙ୍କଠାରୁ ନିଜେ ଦୂରେଇ ଗଲୁ…!! ଅସ୍ପୃଶ୍ୟ ଭକ୍ତ ଘରକୁ ଯାଇ ଥିବାରୁ ସେ ମଧ୍ୟ ଅସ୍ପୃଶ୍ୟ ହୋଇଯାଇଥିବା ଅପମାନ ସହି ନ ପାରି ସେ ବଡ଼ଦେଉଳ ଛାଡ଼ି ଚାଲିଗଲେ । ତୁ ତ ନିଜେ ଶବରୀ ଆଇଁଠାଖିଆ… ଗୋପାଳୁଣି ଲବଣୀଚୋରା ନା…?? ତେବେ ତୁ କେବେଠାରୁ ଏଇ ଜାତି ବର୍ଣ୍ଣ ଧର୍ମ ଦେଖିବାକୁ ଆରମ୍ଭ କଲୁ କହ…?? ମା’ଙ୍କ ଏସବୁ କଥାର ସଠିକ୍ ଉତ୍ତର ନ ଦେଇ ଏହି ମହାଳୀଳା ଅନାୟାସରେ ହେବାକୁ ଦେଲୁ । ମା’ ମଧ୍ୟ ଅଭିଶାପ ଦେଇ ଚାଲିଗଲେ ଯେ ବିନା କାରଣରେ ତାଙ୍କୁ ଏତେ କଟୁକଥା କହି ଅପମାନିତ କରିଥିବା କାରଣରୁ ତୋତେ ମଧ୍ୟ ବାରବର୍ଷ ଯାଏଁ ଅନ୍ନଜଳ ମିଳିବନି । ଯେତେଦିନ ଯାଏଁ ସେ ନିଜେ ତୋତେ ଖାଇବାକୁ ଦେଇ ନାହାନ୍ତି… ତୁ ଓପାସ ରହିବୁ ।
ମହାଲକ୍ଷ୍ମୀ ଚାଲିଗଲା ପରେ ନିଦ୍ରାଦେବୀଙ୍କୁ ଡାକି ସେ ତୋତେ ଗାଢ଼ ନିଦରେ ଶୁଆଇ ଦେବାକୁ କହିଲେ ଆଉ ସେତିକି ସମୟ ଭିତରେ ଅଷ୍ଟ ବେତାଳଙ୍କୁ ଡାକି ବଡ଼ ଦେଉଳର ସବୁ ଧନରତ୍ନ, ଜିନିଷପତ୍ର ଏପରିକି ବଡ଼ ଠାକୁର ଆଉ ତୁ ପିନ୍ଧିଥିବା ପାଟ ବସ୍ତ୍ର, ଅଳଙ୍କାରସବୁ ମଧ୍ୟ ନେଇ ଆସିବାକୁ କହିଲେ । ବାବନକୋଟି ଭଣ୍ଡାରକୁ ବେତାଳମାନେ ବୋହିନେଲେ । ହେଲେ ସେମାନେ ତୋ’ ଦେହରେ ହାତ ଲଗେଇବାକୁ ଭୟ କଲେ । ମା’ ତେଣୁ ରତ୍ନ ପଲଙ୍କ ପାଖରେ ଏକ ଦଉଡ଼ିଆ ଖଟ ପକେଇ ତା’ ଉପରକୁ ତୋତେ ଗଡ଼େଇ ଦେଇ ସେହି ଖଟକୁ ଆଣି ଦେବାକୁ ଆଜ୍ଞା ଦେଲେ । ଯେଉଁ କାଳିଆର ନିଦ ରାଧାରାଣୀ କେଉଁ କାଳରୁ ହଜେଇ ଦେଇଛି ସେହି କାଳିଆକୁ ସେଦିନ ସତରେ କେତେ ନିଦ ଲାଗିଥିଲାରେ??
ଦିନ ଦୁଇଘଡ଼ି ସମୟରେ ଦୁଇଭାଇଙ୍କର ନିଦ ଭାଙ୍ଗିଲା । ହେଲେ ମୁହଁ ଧୋଇବାକୁ ପାଣି ଟିକେ ମିଳିଲାନି । ଭୋକରେ ପେଟ ଜଳୁଥିଲା… ତେଣୁ ରୋଷେଇ ଘରକୁ ଯାଇ କିଛି ଖାଇବା ପଦାର୍ଥ ଖୋଜିଲା ବେଳକୁ ଆଉ କେଉଁଠି କିଛି ବି ମିଳିଲାନି…!! ଏପରିକି ମିଳିଥିବା ଗୋଟିଏ ସୁନା ମୁଦି ବେଙ୍ଗି ପିତ୍ତଳ ହୋଇଗଲା । ତୁ ଚେଷ୍ଟା କଲୁ ବଡ଼ ଭାଇଙ୍କୁ ବୁଝାଇବାକୁ ଯେ ଲକ୍ଷ୍ମୀ ଘର ଛାଡ଼ି ଯିବାପରେ ଏମିତି ଅସୁବିଧା ହେଉଛି । ଏଥର ତାଙ୍କୁ ବୁଝେଇ ଶୁଝେଇ ଫେରେଇ ଆଣିବାକୁ ହେବ । କିନ୍ତୁ ବଳଭଦ୍ର ଠାକୁରେ ମାନିଲେନି । ଅତଏବ ତୁ ସେହି ମହାଳୀଳାକୁ ଆହୁରି ଆଗକୁ ବଢ଼େଇ ନେଲୁ ।
ପଦ୍ମନାଡ଼ ଖାଇ ଜୀବନ ବଞ୍ଚାଇବାକୁ ଉଦ୍ୟତ ହେଲାବେଳେ ଲକ୍ଷ୍ମୀଙ୍କ ଆଜ୍ଞାରୁ ପଦ୍ମ ପୋଖରୀ ଶୁଖି ପଙ୍କ ହୋଇଗଲା । ଶେଷରେ ଦୁଇଭାଇ ଛିଣ୍ଡା ଉତ୍ତରୀୟ ପକେଇ ଭିକ୍ଷା ମାଗିବାକୁ ବାହାରିଲ । ଲକ୍ଷ୍ମୀଙ୍କ କୋପରୁ ଚିତା ଗ୍ରହଣ କରିବାକୁ ମଧ୍ୟ ପାଣି ଟୋପେ ମଧ୍ୟ ମିଳିଲାନି । ସତରେ କାଳିଆ…ତୋ ଲୀଳା କଥା କଣ କହିବି…!!?? ଜଗତର ସ୍ୱାମୀ ହୋଇ ତୁ ଏଇ ଦଶା ଭୋଗିଲୁ ଶେଷରେ? ବନ୍ଧୁପଣେ ଯାଇଥିବା ସୁଦାମାର ଖୁଦଭଜା ଖାଇ ତା’ର ସବୁ ଦୁଃଖ ଦୂରେଇ ତାକୁ ଧନ ପ୍ରଦାନ କରି ଦେଇଥିବା କାଳିଆ ସାଆନ୍ତ… ଫଳ ଟୋକେଇରୁ ଫଳ ନେଇ ତା’ ବଦଳରେ ସେଥିରେ ମଣିମୁକ୍ତା ଭରି ଦେଇଥିବା କାଳିଆ ସାଆନ୍ତ… ଗୋଟିଏ ଅନ୍ନର ଦାନା ଖାଇ ହେକୁଟି ମାରି ଦୁର୍ବାସା ସମେତ ଅନେକ ସାଧୁଙ୍କ ପେଟ ଭରିଦେଇଥିବା କାଳିଆ ସାଆନ୍ତ… ତୁ ଫେରେ ପାଣି ଟୋପେ ପାଇଲୁନି…!!
ଭୋକରେ ବଡ଼ପଣ୍ଡାଙ୍କ ଘରକୁ ଯାଇ ଖାଇବାକୁ ଉଦ୍ୟତ ହେଲାବେଳେ ଲକ୍ଷ୍ମୀଙ୍କ ଆଦେଶ ପାଇ ସବୁ ଖାଇବା ପଦାର୍ଥ ଉଭାନ ହୋଇଯିବା ଏବଂ କବୀର ଖଇ ପାଞ୍ଚମାଣ ଦେବାକୁ ଆଗେଇଲା ବେଳେ ତାଙ୍କ ହାତରୁ ପବନ ଆସି ଖଇ ଉଡ଼େଇନବା ଘଟଣା ଜଣେଇ ଦିଏ କିପରି ମାତା ମହାଲକ୍ଷ୍ମୀଙ୍କ ପ୍ରତ୍ୟେକ ଆଦେଶକୁ ତୁ ମହତ୍ତ୍ଵ ଦେଇ ଦାମ୍ପତ୍ୟ କର୍ତ୍ତବ୍ୟର ପାଳନ କରିବା ଶିଖେଇ ଦେଉଛୁ…!!
ଶେଷରେ ନାରଦମୁନିଙ୍କ ସହାୟତାରେ ତୁ ମା’ ମହାଲକ୍ଷ୍ମୀଙ୍କ ବାସସ୍ଥାନ ଠିକଣା ପାଇ ବଡ଼ଭାଇଙ୍କ ସହିତ ସେଠାକୁ ଯାଇଥିଲୁ । ସେଇଠି ମଧ୍ୟ ନିଜ ଦିବ୍ୟଲୀଳା ଦେଖେଇ ବଡ଼ ଭାଇଙ୍କ ଆଗ୍ରହ କ୍ରମେ ନିଜ ହାତରେ ନିଜେ ରୋଷେଇ କରି ଖାଇବାକୁ ନୂଆ ହାଣ୍ଡି ଆଉ ନୂଆ ସଞ୍ଚା ପାରିଚାରିକାମାନଙ୍କ ହାତରେ ମଗେଇଲୁ…!! ଏଇଠି ପୁଣି ଲକ୍ଷ୍ମୀ ମହିମା ବିସ୍ତାର କରିବାକୁ ଯାଇ ମାତାଙ୍କ ଆଜ୍ଞାରେ ଅଗ୍ନି ପ୍ରଜ୍ୱଳିତ ହୋଇ ନ ପାରିବା ଆଉ ସବୁ କାଠ ପୋଡ଼ି ପାଉଁଶ ହେବା ପରେ ତୁ ନିଜ ଅସହାୟତା ପ୍ରକାଶ କଲୁ । ଆଉ ଶେଷରେ ମା’ଙ୍କ ହାତରୁ ଖାଇବା ପାଇଁ ଯାଇ ତାଙ୍କ ଭବନରେ ପ୍ରବେଶ କଲୁ…!!
କ୍ଷଣିକ ମଧ୍ୟରେ ତୋ’ ପସନ୍ଦର ବ୍ୟଞ୍ଜନ ସବୁ ତିଆରି କରି ମା’ ମହାଲକ୍ଷ୍ମୀ ତୋତେ ପେଟ ଭରି ଖୁଏଇଥିଲେ । ହେଲେ ତୋ’ ମନ କେଉଁଠୁ ବୁଝିଲା? ତୁ ତ ଭୋଜନ ଶେଷରେ ପୋଡ଼ପିଠାକୁ ଅନେଇ ରହିଥିଲୁ ନା… ତେଣୁ ମହାଲକ୍ଷ୍ମୀ ଭୋଜନ ଶେଷରେ ପୋଡ଼ପିଠା ପଠେଇ ଦେଲେ । ଯାହା ଖାଇବା ପରେ ବଳଭଦ୍ର ମଧ୍ୟ ମା’ ମହାଲକ୍ଷ୍ମୀଙ୍କର ହାତରନ୍ଧା ବୋଲି ଜାଣିପାରି ତୋତେ ପଠେଇଲେ ଯାଇ ନିଜ ପତ୍ନୀଙ୍କର ମାନଭଞ୍ଜନ କରିବାକୁ…!! କି ଚମତ୍କାର… କି ଭବ୍ୟ… କି ମନୋମୁଗ୍ଧକର ତୋ’ର ଲୀଳାରେ ଲୀଳାଧର…!! ଯେତେ କହିଲେ ମନ ବୁଝେନା… କଥା ବି ସରେନା…!!
କ୍ରମଶଃ…
– ମଧୁମିତା ମିଶ୍ର
Comments
ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।