ପୁଅ ଯାଇଥିଲା ଖେଳିବା ପାଇଁକି
ମାଆକୁ ତାହାର କହି
ବାପା ପଚାରିବାରୁ କହୁଅଛି ମା
ଯାଇଛି ପଢ଼ିବା ପାଇଁ ।
ପୋଖରୀରେ ବୁଡ଼ ମାରିମାରି ପୁଅ
ଥଣ୍ଡା ଯେବେ ଧରିନିଏ
ବରଷା ପବନ ଏହାର କାରଣ
ମାଆଟା ତାହାର କୁହେ ।
ମାଡ଼ପିଟି କରି ପୁଅଟାର କେବେ
ଆଣ୍ଠୁ ଗଣ୍ଠି ଗଲେ ଛିଡ଼ି
ମାଆ କହୁଥାଏ ଏମିତି ହୋଇଛି
ପଥରକୁ ଝୁଣ୍ଟି ପଡ଼ି ।
ଖାଇ ଖାଇ ପୁଅ ଖାଇଗଲେ ସବୁ
ବୁଝେନି ମାଆର ମନ
ତଥାପି କୁହେ ସେ ଭଲରେ କାହିଁକି
ଖାଉନୁ କହରେ ଧନ ।
ଚଉଦରେ ଆସି ପଚାଶ ହେଲାଣି
ଓଜନ ତାହାର ବଢ଼ି
ତଥାପି ତାହାର ମାଆ କହୁଅଛି
ପିଲାଟା ଗଲାଣି ଝଡ଼ି ।
ମାଆ ପୁଅ ମଧ୍ୟେ ଏମିତି ସମ୍ପର୍କ
ନମିଳେ ଖୋଜିଲେ ଯେତେ
ସେହି ମିଛ ମଧ୍ୟେ ଲୁଚି ରହିଥାଏ
ସେନେହ ମମତା କେତେ ।
– ପ୍ରଶାନ୍ତ କୁମାର ନାଥ
Comments
ପ୍ରଶାନ୍ତ କୁମାର ନାଥ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।