ବସନ୍ତ ଋତୁର ଆଗମନରେ ଆମ୍ବ ବଉଳର ବାସ ସହିତ ଚତୁର୍ଦ୍ଦିଗେ ହୋଲିର ରଙ୍ଗ ଭରିଯାଏ । ଦୋଳରେ ବିରାଜିତ ରାଧାକୃଷ୍ଣ ଘରଘର ବୁଲନ୍ତି, ଦୋଳ ମେଳଣରେ ଏକାଠି ହୁଅନ୍ତି । ଚାରିଆଡ଼େ ଏ ରଙ୍ଗର ପର୍ବ ପାଳନ କରାଯାଏ । ସବୁ ପର୍ବଠାରୁ କିନ୍ତୁ ଏକ ଭିନ୍ନ ପର୍ବ ପାଳନ ହୁଏ ଶ୍ରୀମନ୍ଦିରରେ । ଫାଲ୍ଗୁନ ମାସର ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ପାଳିତ ହୁଏ ମେଣ୍ଢା ପୋଡ଼ି ନୀତି ।
ଶ୍ରୀଜଗନ୍ନାଥ ମନ୍ଦିରର ପାରମ୍ପରିକ ଦୋଳଯାତ୍ରା ଅବସରରେ ଦୋଳବେଦୀ ପରିସରରେ ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଥାଏ ଏହି ନୀତି । ପ୍ରତିବର୍ଷ ଏହି ମେଣ୍ଢାପୋଡ଼ି ନୀତି ଦେଖିବା ପାଇଁ ଛୁଟି ଆସନ୍ତି ହଜାର ହଜାର ଭକ୍ତ । ଭକ୍ତି, ପୌରାଣିକ ଗାଥା ଓ ପାରମ୍ପରିକ ଆସ୍ଥାର ଏକ ଅଦ୍ଭୁତ ସମନ୍ୱୟ ହେଉଛି ଏହି ମେଣ୍ଢା ପୋଡ଼ି ନୀତି ।
ପୌରାଣିକ କିମ୍ବଦନ୍ତୀ ଅନୁସାରେ, ଭଗବାନ ବିଷ୍ଣୁଙ୍କ ପରମ ଭକ୍ତ ପ୍ରହଲ୍ଲାଦଙ୍କ ପିତା ହିରଣ୍ୟକଶ୍ୟପ ଥିଲଅ ଏକ ଅହଙ୍କାରୀ ଓ ଦେବଦ୍ୱେଷୀ ଅସୁର ରାଜା । ସମସ୍ତ ଅସୁରମାନଙ୍କ ଭଳି ସେ ବି ଚାହୁଁଥିଲଅ ସମସ୍ତେ ତାକୁ ଈଶ୍ୱର ଭାବରେ ପୂଜା କରୁନ୍ତୁ । କିନ୍ତୁ ପ୍ରହଲ୍ଲାଦ ଛୋଟବେଳୁ ତାଙ୍କ ମାତା କୟାଧୁଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଶ୍ରୀହରି ବିଷ୍ଣୁଙ୍କ ଭକ୍ତିରେ ଲୀନ ଥିଲେ । ତେଣୁ ହିରଣ୍ୟକଶ୍ୟପ ନିଜ ପୁଅକୁ ବିଭିନ୍ନ ଉପାୟରେ ହତ୍ୟା କରିବାକୁ ଯୋଜନା କରୁଥିଲଅ । ବିଷ ଦେବାଠାରୁ ଆରମ୍ଭ କରି ପାହାଡ଼ରୁ ତଳକୁ ଠେଲିଦେବା ପର୍ଯ୍ୟନ୍ତ ଅନେକ ପ୍ରକାରର ଚେଷ୍ଟା କରଇଥିଲା ସେ, କିନ୍ତୁ ପ୍ରତ୍ୟେକ ଥର ବିଷ୍ଣୁଙ୍କ କୃପାରୁ ପ୍ରହଲ୍ଲାଦ ଅକ୍ଷୁଣ୍ଣ ରହୁଥିଲା ।
ହିରଣ୍ୟକଶ୍ୟପର ଭଉଣୀ ହୋଲିକାକୁ ବରପ୍ରାପ୍ତ ହୋଇଥିଲା ଯେ ଅଗ୍ନି ତାକୁ ଜଳାଇପାରିବ ନାହିଁ । ତେଣୁ ହିରଣ୍ୟକଶ୍ୟପ ହୋଲିକାର ସହାୟତାରେ ପ୍ରହଲ୍ଲାଦକୁ ହତ୍ୟା କରିବାର ଯୋଜନା କଲା । ହୋଲିକା ପ୍ରହଲ୍ଲାଦକୁ କୋଳରେ ଧରି ଅଗ୍ନିକୁଣ୍ଡରେ ପ୍ରବେଶ କଲା । ଯୋଜନା ଥିଲା ଏହି ଉପାୟରେ ପ୍ରହଲ୍ଲାଦ ଅଗ୍ନିରେ ଦଗ୍ଧ ହୋଇଯିବ, କିନ୍ତୁ ଘଟିଲା ତାହାର ସମ୍ପୂର୍ଣ୍ଣ ବିପରୀତ । ଭକ୍ତିର ଶକ୍ତି ଓ ଶ୍ରୀହରି ବିଷ୍ଣୁଙ୍କ କୃପାରେ ପ୍ରହଲ୍ଲାଦ ସୁରକ୍ଷିତ ଥିଲେ ଏବଂ ହୋଲିକା ଅଗ୍ନିଜ୍ୱାଳାରେ ଦଗ୍ଧ ହୋଇଗଲା । ଏହି ଘଟଣା ଭକ୍ତିର ବିଜୟ ଓ ଅହଙ୍କାରର ପରାଜୟର ପ୍ରତୀକ ଭାବେ ପରିଚିତ ।
ପୌରାଣିକ ମତ ଅନୁସାରେ ମେଣ୍ଢା ହେଉଛି ଅଗ୍ନିଦେବଙ୍କ ବାହନ । ହୋଲିକା ପ୍ରହଲ୍ଲାଦଙ୍କୁ ନେଇ ଅଗ୍ନିରେ ପ୍ରବେଶ କରିବାବେଳେ ବିଷ୍ଣୁ ଅଗ୍ନିଦେବଙ୍କୁ ପ୍ରହଲ୍ଲାଦର ରକ୍ଷା କରିବା ପାଇଁ ପଠାଇଥିଲେ । ଏହି ସମୟରେ, ଅଗ୍ନିଦେବ ତାଙ୍କ ବାହାନ ମେଣ୍ଢାଦ୍ୱାରା ପ୍ରହଲ୍ଲାଦଙ୍କ ଠାରୁ ସମସ୍ତ ଉତ୍ତାପକୁ ଦୂରେଇ ରଖିଥିଲେ । ଯେତେବେଳେ ସାରା ଭାରତର ବିଭିନ୍ନ ସ୍ଥାନରେ ହୋଲିକା ଦହନ ଅନୁଷ୍ଠିତ ହୁଏ, ସେହି ସମୟରେ ଏହି ଭକ୍ତବତ୍ସଳତା ଓ ପ୍ରହଲ୍ଲାଦଙ୍କ ପ୍ରତି ଦିବ୍ୟ କୃପାକୁ ସ୍ମରଣ କରିବା ପାଇଁ ଶ୍ରୀମନ୍ଦିରରେ ମେଣ୍ଢା ପୋଡ଼ି ନୀତି ଅନୁଷ୍ଠିତ ହୁଏ । ଏହି ନୀତି ଦ୍ୱାରା ଅଗ୍ନିଦେବଙ୍କ ପ୍ରତି ସମ୍ମାନ ଓ ପ୍ରହଲ୍ଲାଦଙ୍କ ଅତୁଟ ଭକ୍ତିର ସ୍ମୃତିକୁ ପୁନଃଜୀବିତ କରାଯାଏ ।
ଦୋଳବେଦୀ ପରିସରରେ ସନ୍ଧ୍ୟାବେଳେ ବିଶେଷ ବିଧିବିଧାନ ସହ ଏହି ନୀତି ଅନୁଷ୍ଠିତ ହୁଏ । ସେବାୟତ ମାନେ ପାରମ୍ପରିକ ପଦ୍ଧତିରେ ଅଗ୍ନିକୁଣ୍ଡ ପ୍ରସ୍ତୁତ କରନ୍ତି । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଏହି କୁଣ୍ଡ ଚାରିପଟେ ବୁଲିବା ପରେ ପୂଜା ଓ ମନ୍ତ୍ରୋଚ୍ଚାରଣ ମାଧ୍ୟମରେ ଅଗ୍ନିଦେବଙ୍କୁ ଆହ୍ୱାନ କରାଯାଏ । ଏହି ସମୟରେ ଦୋଳବେଦୀ ପରିସର ଭକ୍ତମାନଙ୍କ ହରିବୋଲ ଧ୍ୱନିରେ ମୁଖରିତ ହୋଇଯାଏ । ଭକ୍ତମାନେ ଆସ୍ଥା ଓ ଶ୍ରଦ୍ଧାର ସହ ଏହି ନୀତିର ଦର୍ଶନ କରି ଆତ୍ମିକ ଶାନ୍ତି ଅନୁଭବ କରନ୍ତି । ମେଣ୍ଢା ପୋଡ଼ି ନୀତି କେବଳ ଏକ ପରମ୍ପରା ନୁହେଁ, ଏହା ଭକ୍ତିର ମହିମା ଓ ଧର୍ମର ବିଜୟର ଜୀବନ୍ତ ପ୍ରତୀକ । ଶ୍ରୀକ୍ଷେତ୍ରର ଏହି ବିଶେଷ ପରମ୍ପରା ଓଡ଼ିଶାର ଆଧ୍ୟାତ୍ମିକ ଐତିହ୍ୟକୁ ଆଉ ମଧ୍ୟ ଗଭୀର କରିଥାଏ । ପ୍ରତିବର୍ଷ ଫାଲ୍ଗୁନ ଶୁକ୍ଳ ଚତୁର୍ଦ୍ଦଶୀରେ ଏହି ନୀତି ଭକ୍ତମାନଙ୍କୁ ସ୍ମରଣ କରାଏ – ସତ୍ୟ ଓ ଭକ୍ତି ସଦା ବିଜୟୀ, ଅଧର୍ମ ଓ ଅହଙ୍କାରର ଶେଷ ସୁନିଶ୍ଚିତ ।
– ସଂଗ୍ରାମ କେଶରୀ ସେନାପତି
(ବି.ଦ୍ର.: ଏହି ଆଲେଖ୍ୟଟି ବିଭିନ୍ନ ପତ୍ରପତ୍ରିକା ଆଦିରେ ପ୍ରକାଶିତ ତଥ୍ୟରୁ ଉଦ୍ଧାର କରି ଲେଖାଯାଇଛି ।)
Comments

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।

