ମସକ ମରିନି

Odia Story Masaka Marini (ମସକ ମରିନି) by Ashish Kumar Nayak and Ashish Sarangi

ଅନେକ ବର୍ଷ ତଳର କଥା…
ମସକ ଦେଶରେ ୧୦୦ ପ୍ରକାର ଆଦିବାସୀ ବସବାସ କରୁଥିଲେ ଯେଉଁମାନଙ୍କୁ ମୌସକ ବୋଲି କୁହାଯାଉଥିଲା । ପ୍ରତ୍ୟେକ ଗୋଷ୍ଠୀ ପାଇଁ ଜଣେ ଜଣେ ନେତା ଥିଲେ । ମୌସକମାନେ ଭଲ ଯୋଦ୍ଧା ଥିଲେ ଏବଂ ସେମାନେ ମଧ୍ୟ ଭଲ ଚାଷବାସ କରିବାରେ ସକ୍ଷମ ଥିଲେ ।

ଦିନେ ମୁଖିଆ ନେତା ପରାମର୍ଶ ଦେଲେ ଯେ ଆମେ ଥରେ ସମୁଦ୍ରରେ ଯାତ୍ରା କରିବା ଏବଂ ଅନ୍ୟ ପାର୍ଶ୍ୱରେ କ’ଣ ଅଛି ଦେଖିବା । ଅନ୍ୟ ମୌସକ ନେତାମାନେ ଏହା ଉପରେ ଚିନ୍ତା କରିବାକୁ କିଛି ସମୟ ମାଗିଲେ ।

୧୫ ଦିନ ବିତିଗଲା । ସେମାନଙ୍କର ଆଉ ଏକ ସମାବେଶ ହେଲା ଏବଂ ସମସ୍ତଙ୍କର ସହମତି କ୍ରମେ ସମୁଦ୍ର ମାର୍ଗରେ ଯାତ୍ରା ପାଇଁ ନିଷ୍ପତ୍ତି ନିଆଗଲା । ଏହି ପ୍ରସ୍ତାବରେ ଆଦିବାସୀ ନେତାମାନଙ୍କ ପରିବାର ମଧ୍ୟ ଖୁସି ଥିଲେ ।

ତା’ପରେ ସେମାନେ ସମସ୍ତ ମୌସକ ଲୋକଙ୍କର ଏକ ସଭା ଡାକି ସମୁଦ୍ର ଯାତ୍ରା ବିଷୟରେ ବୁଝାଇଲେ । ୧୦୦ ମୌସକ ନେତାଙ୍କ ପରିବାର ବ୍ୟତୀତ ଅନ୍ୟ କେହି ଏଥିରେ ମଙ୍ଗିନଥିଲେ କାରଣ ସମୁଦ୍ର ପଥ ଅଜ୍ଞାତ ଥିଲା ଏବଂ ଜୀବନ ପ୍ରତି ବିପଦ ମଧ୍ୟ ରହିଥିଲା । ଏହି ଦୁଃସାହସିକ କାର୍ଯ୍ୟ ପାଇଁ ଲୋକମାନେ ନେତାମାନଙ୍କୁ ବାରଣ କଲେ । ତେଣୁ ନେତାମାନେ ନିଷ୍ପତ୍ତି ନେଇଥିଲେ ଯେ କେବଳ ସେମାନେ ୧୦୦ ଜଣ ହିଁ ଯାତ୍ରା କରିବେ ।

୧୦୦ ନେତାଙ୍କ ପାଇଁ ବୋଇତ ନିର୍ମାଣ ହେଲା । ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷପତ୍ର ଧରି ୧୦୦ ଜଣ ପୂର୍ଣ୍ଣିମା ଦିନ ସେମାନଙ୍କର ଯାତ୍ରା ଆରମ୍ଭ କଲେ ।

ଗୋଟିଏ ସପ୍ତାହ ପରେ ସମୁଦ୍ରରେ ଏକ ବଡ଼ ଧରଣର ବାତ୍ୟା ହୋଇଥିଲା । ସମୁଦ୍ରରେ ଯାତ୍ରା କରୁଥିବା ନେତାମାନଙ୍କ କଥା ଭାବି ମୌସକ ଜନ ସମୁଦାୟ ଚିନ୍ତିତ ହୋଇପଡ଼ିଥିଲେ । ଗୋଟିଏ ମାସ ବିତିଗଲା ଏବଂ ସେମାନେ ନେତାଙ୍କ ବିଷୟରେ କୌଣସି ଖବର ମିଳିଲା ନାହିଁ । ଧୀରେଧୀରେ, ଗୋଟିଏ ବର୍ଷ ବିତିଗଲା ଏବଂ ନେତାମାନେ ଆଉ ଫେରି ନଥିଲେ !

ବର୍ତ୍ତମାନ ସାମାଜିକ ସମସ୍ୟା ୧୦୦ ମୌସକ ନେତାଙ୍କ ପତ୍ନୀମାନଙ୍କୁ ଶୀକାର କରିବା ଆରମ୍ଭ କଲା । ଲୋକମାନେ କହିବା ଆରମ୍ଭ କଲେ, “ପତ୍ନୀମାନେ ନେତାମାନଙ୍କୁ ସମୁଦ୍ର ଯାତ୍ରାକୁ ଯିବାରୁ ଅଟକାଇବା ଉଚିତ ଥିଲା । ଯେହେତୁ ସେମାନେ ନିଜ ସ୍ୱାମୀମାନଙ୍କୁ ଉତ୍ସାହିତ କରିଥିଲେ, ଦୁର୍ଭାଗ୍ୟ ପାଇଁ ସେମାନେ ହିଁ ଦାୟୀ” । ଅନେକ ଦିନ ଧରି ଏହା ଶୁଣିବା ପରେ, ୧୦୦ ମୌସକ ନେତାଙ୍କ ପତ୍ନୀମାନେ ନିଜ ନିଜ ଗାଁ ଛାଡ଼ି ନିଜ ପିଲାମାନଙ୍କ ସହିତ ମସକ ଦେଶର ଏକ ନୂତନ ସ୍ଥାନରେ (ଯାହା ସମୁଦ୍ର ଉପକୂଳଠାରୁ ଦୂରରେ) ରହିବାକୁ ସ୍ଥିର କଲେ ।

ଏବେ ପତ୍ନୀମାନଙ୍କୁ ନିଜ ପରିବାର ଚଳାଇ ଏକ ନୂତନ ଗ୍ରାମ ସ୍ଥାପନ କରିବାକୁ ପଡ଼ିଲା । ୧୦୦ ମହିଳା ମିଳିତ ଭାବରେ କାର୍ଯ୍ୟ କରିଥିଲେ । ସେମାନଙ୍କ ପିଲାମାନଙ୍କୁ ଚାଷ ଏବଂ ଯୁଦ୍ଧ ଦକ୍ଷତା ବିଷୟରେ ଶିକ୍ଷା ଦେଇଥିଲେ । କିନ୍ତୁ ସେମାନେ ସର୍ବଦା ନିଜ ପିଲାମାନଙ୍କୁ ସମୁଦ୍ର ଉପକୂଳଠାରୁ ଦୂରେଇ ରଖିଥିଲେ ଏବଂ ପିଲାମାନଙ୍କୁ କେବେ ବି କହିନଥିଲେ ଯେ ସେମାନଙ୍କ ବାପା କୁଆଡ଼େ ଗଲେ ବୋଲି !

୧୫ ବର୍ଷ ବିତିଗଲା…

ମୌସକ ନେତାଙ୍କ ପିଲାମାନଙ୍କ ମଧ୍ୟରୁ ଦୁଇ ଜଣ ଯୁବକ ସମୁଦ୍ର କୂଳ ନିକଟରେ ଥିବା ମହାବିଦ୍ୟାଳୟରେ ନାମ ଲେଖାଇଲେ । ଦିନେ, ଅଧ୍ୟାପକଙ୍କ ସହ ବାର୍ତ୍ତାଳାପ କରୁଥିବାବେଳେ ଅଧ୍ୟାପକ ସେମାନଙ୍କ ପିତାଙ୍କ ନାମ ପଚାରିଥିଲେ । ନାମ ଶୁଣିବା ପରେ ଅଧ୍ୟାପକ କିଛି ସମୟ ଚୁପ ରହିଲେ । ଯୁବକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହେଲେ । ସେମାନେ ପଚାରିଲେ ଯେ ସେ ସେମାନଙ୍କ ପିତାଙ୍କ ବିଷୟରେ କିଛି ଜାଣିଛନ୍ତି କି? ଅଧ୍ୟାପକ କିଛି କହିବାକୁ ମନା କରିଦେଇଥିଲେ । ବାଳକମାନେ ବାଧ୍ୟ କରିବା ପରେ ଅଧ୍ୟାପକ ୧୦୦ ମୌସକ ନେତାଙ୍କ ପୂରା କାହାଣୀ କହିଥିଲେ ! ଦୁଇ ପୁଅ ନିଜ ପିତାଙ୍କ ବିଷୟରେ ଭାବି ଭାବି ପୂରା ରାତି ଶୋଇ ପାରିଲେ ନାହିଁ ।

ଏମିତି ସମୟ ଗଡ଼ିଚାଲିଲା । ଯୁବକମାନେ ଅଧ୍ୟୟନ ସମାପ୍ତ କରି ନିଜ ଘରକୁ ଫେରିଗଲେ । ଦିନେ ଦୁହେଁ ନିଜ ମା’ଙ୍କ ସହ ସମୁଦ୍ର ଯାତ୍ରା ବିଷୟରେ କଥାବାର୍ତ୍ତା କଲେ ଓ ଜଣେଇଲେ ଯେ ସେମାନେ ଏକଥା ଅଧ୍ୟାପକଙ୍କଠାରୁ ଶୁଣିଥିଲେ । ସେମାନଙ୍କ ମାଆମାନେ ପ୍ରକୃତରେ ଚିନ୍ତିତ ଥିଲେ । ସେମାନେ କଡ଼ା ଭାବରେ କହିଥିଲେ ଯେ ସେହି ଘଟଣା ବିଷୟରେ କେବେ ଭାବିବ ନାହିଁ କିମ୍ୱା ସମୁଦ୍ର ଯାତ୍ରା ପାଇଁ ଚେଷ୍ଟା କରିବ ନାହିଁ । କିନ୍ତୁ ପୁଅମାନେ ସେମାନଙ୍କୁ ବୁଝେଇବାକୁ ଚେଷ୍ଟା କଲେ ଏବଂ କିଛି ମାସ ପରେ ଦୁଇ ଯୁବକଙ୍କ ମା’ମାନେ ମଙ୍ଗିଲେ ପୁଅମାନଙ୍କୁ ଛାଡ଼ିବା ପାଇଁ ।

ଏହା ପରେ ଯୁବକଦ୍ୱୟ ଅନ୍ୟ ପରିବାରମାନଙ୍କୁ ପଚାରିଥିଲେ ଯେ ସେମାନେ ସମୁଦ୍ର ଯାତ୍ରା ପାଇଁ ଆଗ୍ରହୀ କି? କିନ୍ତୁ କେହି ବି ମଙ୍ଗିନଥିଲେ ଏବଂ ୧୦୦ ନେତାଙ୍କ ସହ ଘଟିଥିବା ଘଟଣା ବିଷୟରେ କହି ବାଳକମାନଙ୍କୁ ଗାଳି ଦେଇଥିଲେ !

ତେଣୁ, ଦୁଇ ଯୁବକ ନିଜେ ଯାତ୍ରା ଆରମ୍ଭ କରିବାକୁ ସ୍ଥିର କଲେ ତେଣିକି କେହି ସେମାନଙ୍କୁ ସମର୍ଥନ କରନ୍ତୁ କି ନାହିଁ । ସେମାନଙ୍କର ମା’ମାନେ ଚିନ୍ତିତ ଥିଲେ କିନ୍ତୁ ପୁଅମାନଙ୍କୁ ଅଟକାଇ ପାରିନଥିଲେ ।
ଯୁବକଦ୍ୱୟ ପୂର୍ଣ୍ଣମୀ ତିଥିରେ ନୌ-ଯାତ୍ରା ଆରମ୍ଭ କଲେ ।

ଏମିତି ସମୁଦ୍ରଯାତ୍ରା କିଛି ଦିନ ଚାଲିଲା । ଦୁର୍ଭାଗ୍ୟ ଯେ ପୁଣି ଏକ ବାତ୍ୟା ମାଡ଼ିଆସିଲା । ଯୁବକମାନେ ଡଙ୍ଗାକୁ କିଛି ମାତ୍ରାରେ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ କିନ୍ତୁ ଡଙ୍ଗାର ଆହୁଲା ଗୁଡ଼ିକ ସମୁଦ୍ରରେ ହଜିଗଲା ଓ କିଛି ନଷ୍ଟ ହୋଇଗଲା । ସେମାନେ ସମୁଦ୍ର ମଝିରେ ଫସି ରହିଥିଲେ । ସାହାଯ୍ୟ କରିବାକୁ କେହି ନଥିଲେ । ତେଣୁ ଖାଦ୍ୟ ଏବଂ ଜଳର ଆବଶ୍ୟକତା ପାଇଁ, ସେମାନେ ସଙ୍ଗେ ସଙ୍ଗେ ଚିନ୍ତା କଲେ । ସମୁଦ୍ରରୁ ମାଛ ଧରି ଖାଇଲେ । ସମୁଦ୍ର ଜଳକୁ ନେଇ ଏକାଧିକ କପଡ଼ା ଦ୍ୱାରା ଶୁଦ୍ଧ କରିକି ପିଇଲେ । ସେମାନେ ଏକ ମାସ ପର୍ଯ୍ୟନ୍ତ ସମୁଦ୍ର ମଝିରେ ସେପରି ବଞ୍ଚିଥିଲେ । ସେମାନେ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଥିଲେ !!!

ପୁଅମାନେ ଫେରିନଥିବାରୁ ମାଆମାନେ ଆଶା ହରାଇବସିଥିଲେ । ସେମାନେ ମହାବିଦ୍ୟାଳୟର ଅଧ୍ୟାପକଙ୍କୁ ଏଥିପାଇଁ ଦାୟୀ କରିଥିଲେ ଯେହେତୁ ସେ ପୁଅମାନଙ୍କୁ ସେମାନଙ୍କ ପିତାଙ୍କ ବିଷୟରେ କହିଥିଲେ ।
ଅଧ୍ୟାପକଙ୍କୁ ନିଜକୁ ଦୋଷୀ ବୋଲି ଅନୁଭବ କଲେ । ସେ ମହିଳାମାନଙ୍କୁ ଆଶ୍ୱାସନା ଦେଲେ ଯେ ସେ ଯାଇ ପୁଅମାନଙ୍କୁ ଫେରାଇ ଆଣିବେ ।

ଅଧ୍ୟାପକ କିଛି ଲୋକଙ୍କ ସହ ଯୋଗାଯୋଗ କରିଲେ ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କୁ ସମୁଦ୍ର ଯାତ୍ରା ପାଇଁ ମନାଇବାରେ ସକ୍ଷମ ହୋଇଥିଲେ । ସେମାନେ ୧୨ଟି ଡଙ୍ଗା ନିର୍ମାଣ କଲେ । ପ୍ରତ୍ୟେକ ଡଙ୍ଗାରେ କାଠ ସ୍ତମ୍ଭ ଥିଲା ଏବଂ ଉପରେ ହାଣ୍ଡି ଟାଙ୍ଗି ଦିଆଯାଇଥିଲା । ହାଣ୍ଡିର ଉପର ଭାଗରେ ଏକାଧିକ ଛିଦ୍ର ଏବଂ ଏହା ଭିତରେ ଦୀପଟିଏ ଥିଲା । ହାଣ୍ଡିର ତଳ ଭାଗରେ ଥିବାରୁ, ପବନ ନିଆଁକୁ ପ୍ରଭାବିତ କରିପାରିଲାନି ଏବଂ ଉପରର ଛିଦ୍ର ମାଧ୍ୟମରେ ଆଲୋକ ଦୃଶ୍ୟମାନ ହେଉଥିଲା ।

ଅଧ୍ୟାପକ ସମସ୍ତଙ୍କୁ ସମାନ୍ତରାଳ ଭାବରେ ତିନୋଟି ଡଙ୍ଗା ଚଲାଇବାକୁ କହିଥିଲେ ଏବଂ ସେମାନେ ତିନୋଟି ସ୍ତମ୍ଭ ଏବଂ ଚାରି ଧାଡ଼ି ଆକାରରେ ଗତି କଲେ ଯାହା ଦ୍ୱାରା ସେମାନେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପରସ୍ପରକୁ ସାହାଯ୍ୟ କରିପାରିବେ ।

ସମୁଦ୍ର ଯାତ୍ରା ଆରମ୍ଭ ହେଲା । କିଛି ସପ୍ତାହ ପରେ, ସେମାନେ ସମୁଦ୍ର ମଝିରେ ଡଙ୍ଗାରେ ଦୁଇ ଯୁବକଙ୍କୁ ଦେଖିଲେ । ସେମାନେ କେତେ ଯେ ଖୁସି ଏବଂ ଆଶ୍ଚର୍ଯ୍ୟ ହୋଇଥିଲେ ତାହା ବ୍ୟାଖ୍ୟା କରାଯାଇପାରିବ ନାହିଁ । ଏହା ଏକ ଚମତ୍କାର ପରି ଥିଲା ।

ସେମାନେ ଯୁବକମାନଙ୍କୁ ମସକ ଦେଶକୁ ଫେରାଇ ଆଣିଲେ । ମୃତ୍ୟୁ ସହ ସଂଘର୍ଷ କରି ଫେରିଆସିଥିବା ଯୁବକମାନଙ୍କ ପାଇଁ ମୌସକମାନଙ୍କର ଏହା ଥିଲା ଏକ ବଡ଼ ଉତ୍ସବର ଦିନ । ପୁରୁଣା ଗ୍ରାମର ଲୋକମାନେ ସମୁଦ୍ରରେ ଜୀବନ ହରେଇଥିବା ୧୦୦ ମୌସକ ନେତାଙ୍କ ପରିବାର ରହୁଥିବା ଗ୍ରାମକୁ ଆସିଲେ ଏବଂ ଅତୀତରେ ସେମାନଙ୍କ ଆଚରଣ ପାଇଁ କ୍ଷମା ମାଗିଥିଲେ । ସମସ୍ତ ମୌସକଗଣ ପୁଣି ଏକତ୍ରିତ ହେଲେ । ସମସ୍ତେ ଏକସ୍ୱରରେ କହିଲେ, “ମସକ ମରିନି, ମସକ କେବେ ମାରିପାରେନା, ଜୟ ମସକ… ଜୟ ମସକ… ଜୟ ମସକ…!!!”

ତା’ପରେ କ’ଣ ହେଲା?
ମୌସକମାନେ ସର୍ବସମ୍ମତି କ୍ରମେ ଦୂର ଦେଶକୁ ସମୁଦ୍ରରେ ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । ଏବଂ ଏହା ଥିଲା ମସକ ଦେଶର ସମୃଦ୍ଧି ଆଡ଼କୁ ଏକ ନୂତନ ଯାତ୍ରାର ଆରମ୍ଭ ।

ଇତି,
ଆଶିଷ କୁମାର ନାୟକ, ଆଶିଷ ଷଡ଼ଙ୍ଗୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...