ମା’ଲୋ
ତୋ’ର ସେ ସ୍ନେହବୋଳା ହାତ
ଯେବେ ତୁ ମୋ-ମଥାରେ ରଖିଦେଉ
ମୁଁ-ସବୁକିଛି ପାଇଯାଏ, ଭରିଯାଏ ସବୁ ଶୂନ୍ୟତା ।
ମା’, ତୋ’ର ସେ ମଧୁବୋଳା କଥା
ତୋ’ ମୁଖରୁ ପଦେ ଶୁଣିଦିଏ ଯେବେ
ମୁଁ ଶାନ୍ତିରେ ନିଦ୍ରାଯାଏ, ଆଉ କିବା ଥାଏ ଆବଶ୍ୟକତା?
ମା’, ତୋ ଓଠର ସେ ହସ ଟିକକ
ଯେବେ ମୁଁ ଅବସାଦ କ୍ଷଣେ ଦେଖିଦିଏ
ସବୁ ଅବଶୋଷ ମେଣ୍ଟିଯାଏ ମା’, ପାଏ ମୁଁ ପୂର୍ଣ୍ଣ-ତୃପ୍ତତା ।
ମା’, ତୁ କେମିତି ଖୋଜି ବୁଝିପାରୁ
ମୋ ଅକୁହା ପାଟିର ନୀରବତା?
ନ କହିଲେବି ତୁ ଜାଣିପାରୁ ମୋ ମନ, ବେଦନା, ବ୍ୟଥା?
ମା ଗୋ ମମତାମୟୀ ତୁ
ସ୍ନେହ ଆଦରର ମହାସାଗର
ଆକାଶ ପରି ତୋ’ ଆଶ୍ରୟ ଛାତ
ଥାଉ ସଦା ମୋ ମଥାପରେ ତୋ’ର ସେ ଅଭୟ ହାତ ।
– କରିସ୍ମା ବେହେରା
Comments
କରିସ୍ମା ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।