୨୦୨୨ର ଶେଷ କବିତା

Last Poem of 2022 (୨୦୨୨ର ଶେଷ କବିତା) by Biswanath Kinkar Rout

ମୁଁ ଚାହୁଁନଥିଲି ତୁମେ ଆସ ବୋଲି,
କାରଣ ତାଙ୍କ ପ୍ରତି ବଢ଼ିଯାଇଛି
ଅସୀମ ଶ୍ରଦ୍ଧା ॥

ମରୁଭୂମିରେ ମରିଚିକା ପରି ତୁମେ,
କିଏ ବା ଭରସା କରିବ
ତୁମେ ଦେଖାଉଥିବା ସ୍ୱପ୍ନ ଉପରେ ॥

୧୦୦୦ ଦିନର ବିଭୀଷିକା ପରେ,
ସେ ଦେଇଥିଲେ ମୁକ୍ତିର ସ୍ୱାଦ,
ଜୀବନର ଉଚ୍ଚ ନୀଚ,
ସମସ୍ତେ କରିଥିଲେ ଅନୁଭବ ॥

ଭୋକିଲା ପେଟରେ ଟଙ୍କିକିଆ
ଚାଉଳର ଚାଦର ଢାଙ୍କି,
ନିଜ ଆପଣାର ମାନଙ୍କର
ଶବ ଦେଖି ଦେଖି,
ପିଞ୍ଜରାବଦ୍ଧ ଚଢ଼େଇ ପରି
କ୍ଲାନ୍ତ ଡେଣା ବିଞ୍ଚି ବିଞ୍ଚି,
କାଟି ଥିବା ମୂହୁର୍ତ୍ତଗୁଡ଼ିକୁ
ସାଉଁଟିବାର ଆଉ ଇଚ୍ଛା ନାହିଁ ॥

ଦେଇଛନ୍ତି ମୋତେ,
ଅପାର ସ୍ନେହ ଓ ସମ୍ମାନ,
ମନରୁ ମୋର ଭୁଲେଇ ଦେଇଛି
ସମସ୍ତ ଦୁଃସ୍ୱପ୍ନ,
ଲିଭି ଆସିଲାଣି କ୍ଷତ ଚିହ୍ନ।

ତମେ ତ ଆସିବ ନିଶ୍ଚୟ,
ମୋ କଥା କ’ଣ ମାନିବ,
ତାଙ୍କର ବି ଆୟୂଷ ପୂରିଗଲାଣି,
ସେ ବିଦାୟ ନେବେ,
ସବୁ ସମ୍ପର୍କକୁ ଭୁଲି
ତାଙ୍କୁ ଆଜି ରାତି ୧୨ଟାରେ
କବର ଦେବାକୁ ହେବ ।
ଆନନ୍ଦରେ ନାଚିବି କି
ତାଙ୍କ ପାଇଁ ଲୁହ ଝରେଇବି,
ନିଜ ମନର ପ୍ରଶ୍ନର
ଉତ୍ତର କିଏ ଖୋଜି ଦେବ ॥

ଛାଡ଼ !
ଅବଶୋଷ କରି ଲାଭ କ’ଣ?
ଖୁସି ହେଇ ବି ଲାଭ କ’ଣ?
କିଏ ଆଶା ଦେବ କିଏ ନିଭରସା କରିବ,
କିଏ ପୁଣି ନିଜେ ସ୍ୱପ୍ନ ଦେଇ ଛଡ଼େଇ ନେବ ।
ଆଜି ମୁଁ ବାଣ ଫୁଟେଇବିନି
କି ତାଙ୍କ ସ୍ମୃତିରେ ଲୁହର ଦୀପ ଜାଳିବିନି,
ସ୍ୱାଗତ କରିବିନି କି ବିଦାୟ ଦେବିନି ।
ଆଖି ଖୋଲି ବିଛଣାରେ ପଡ଼ିରହି
ଘଡ଼ିକୁ ଚାହିଁ ରହିବି…
୧୨ଟାରୁ ୧୨:୦୧ ହେବାଯାଏ,
୨୦୨୨ର କ୍ୟାଲେଣ୍ଡର୍ କାଢ଼ି
୨୦୨୩ର କ୍ୟାଲେଣ୍ଡର୍ ଟଙ୍ଗାହେବା ଯାଏ ॥

ବିଶ୍ୱନାଥ କିଙ୍କର ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...