କୃଷ୍ଣଚୂଡ଼ା

Krushnachuda

ଅଫିସରୁ ଫେରିବା ବେଳେ ଦେଖିଲି, ଲକ୍ଷ୍ମୀ ନାରାୟଣ ମନ୍ଦିର ପାଖରେ ବହୁତ ଭିଡ଼ । ସମସ୍ତେ ପ୍ରସାଦ ପାଉଛନ୍ତି । ସ୍ତ୍ରୀ ଲୋକ ମାନେ ପରସ୍ପର କଥାବାର୍ତ୍ତା ହୋଇ ପରସ୍ପରଠାରୁ ବିଦାୟ ନେଉଛନ୍ତି । ଆଜି କ’ଣ କିଛି ଖାସ୍ ପୂଜାପାର୍ବଣ ଥିଲା କି? ନିଜକୁ ପ୍ରଶ୍ନ କଲା ମାନସ । ଆରେ ଏଇଟା ତ ଜୁନ ମାସ । ମନେ ଆଜି ସାବିତ୍ରୀ ବ୍ରତ । ଓଃ ମୁଁ ତ ପୁରାପୁରି ଭୁଲିଯାଇଥିଲି । ହଁ ମନେ ରଖିବି କ’ଣ କରିଥାନ୍ତି ଯେ । କୃଷ୍ଣା ପାଖରେ ଥିଲେ ପୂର୍ବ ବର୍ଷ ଭଳି ଅଫିସରୁ ଜଲଦି ଫେରି ଆସିବା ପାଇଁ ଫୋନ କରି କରି ମୋତେ ବିରକ୍ତ କରି ସାରନ୍ତାଣି । ମୁଁ ମଧ୍ୟାହ୍ନ ବିରତି ସମୟରେ ବଡ଼ବାବୁଙ୍କ ଠାରୁ ଅଧା ଦିନ ଛୁଟି ମାଗି ତାକୁ ଏଇ ମନ୍ଦିର ନେଇ ଆସିଥାନ୍ତି । ଆଉ ସେ ତ ନାହିଁ । ଏସବୁ ଭାବି ଆଉ ଲାଭ କ’ଣ? ରାସ୍ତାରେ ପଡ଼ିଲା ସେଇ କୃଷ୍ଣଚୂଡ଼ା ଗଛ । ଯେଉଁ ଗଛରୁ ଫୁଲ ତୋଳି ପୂଜା ପାଖକୁ ନେବା ପାଇଁ କୃଷ୍ଣା ଜିଦ୍ ଧରେ । ମୁଁ ତାକୁ ଚିଡ଼େଇବା ପାଇଁ କହେ, “ତୁ ନିଜେ ତୋଳି ନେଉନୁ ।” କୃଷ୍ଣା ଅଭିମାନରେ ନିଜେ ଗଛ ପାଖକୁ ଯାଏ, ହାତ ବଢ଼େଇ ଡିଆଁକୁଦା ମାରି ଶେଷରେ ଅସଫଳ ହେଇ ଫେରିଆସି ଗାଡ଼ି ପଛରେ ବସିପଡ଼େ । ମୁଁ ସେଇଠୁ ଗାଡ଼ିରୁ ଉଠି, ତା ପାଇଁ କୃଷ୍ଣଚୂଡ଼ା ତୋଳିଦିଏ । ଗାଡ଼ିକୁ ଫେରି ଆସି ତା ହାତରେ ଧରେଇ ଦିଏ ଲାଲ କୃଷ୍ଣଚୂଡ଼ାର କେତୋଟି ଗୁଚ୍ଛ । ସେ ଓଠ ଚାପି ମୁରୁକେଇ ହସି ଦିଏ । କୃଷ୍ଣଚୂଡ଼ାର ରକ୍ତିମ ଆଭା ସାଙ୍ଗକୁ ତା’ ଲାଲ ଓଠର ନିର୍ମଳ ହସର ଅପୂର୍ବ ସଂଯୋଗରେ ମୁଁ ଯେମିତି ଆତ୍ମହରା ହୋଇଉଠେ । ସତରେ ଠଉରେଇ ପାରେନା କୃଷ୍ଣଚୂଡ଼ାଟା ବେଶି ସୁନ୍ଦର ନା କୃଷ୍ଣାର ଲାଲ ଓଠର ସେଇ ନିର୍ମଳ ହସ ।

ତା’ପରେ ଆମେ ଦୁଇଜଣ ସାଙ୍ଗ ହୋଇ ମନ୍ଦିର ଯାଉ । ମନ୍ଦିରରୁ ଫେରିବା ପରେ, କୃଷ୍ଣା ମୋ ପାଦ ଛୁଇଁ ପ୍ରଣାମ କରେ; ମୁଁ ତାକୁ କୁହେ “ଏଇ ପାଗିଳୀ କ’ଣ କରୁଛୁ?” କୃଷ୍ଣା କହେ, “ତୁମେ କ’ଣ ଜାଣିନ ପୂଜା ସରିଲା ପରେ ମୁଁ ତୁମ ପାଦ ନ ଛୁଇଁଲେ ପାଣି ବି ପିଏନି ।” ମୁଁ ସେଇଠୁ ଠାକୁରଙ୍କ ଛଡ଼ା କୃଷ୍ଣଚୂଡ଼ା ଆଣି କୃଷ୍ଣାର ବେଣୀରେ ଖୋସିଦିଏ । ଆଉ କହେ, “ଏବେ ଯାଇ କୃଷ୍ଣଚୂଡ଼ା ଠିକ ଜାଗାରେ ପହଞ୍ଚିଗଲା ।” କୃଷ୍ଣା ଖୁସି ଆଉ କୃଷ୍ଣଚୂଡ଼ା ବି ।

ହଠାତ କେଉଁ ଏକ ଗାଡ଼ିର ହର୍ଣ୍ଣ ଶୁଣି ବାସ୍ତବତାର ନିଷ୍ଠୁର ପ୍ରହାରରେ ପଛକୁ ବୁଲି ଚାହିଁଲି । ଆରେ ମୋ ଗାଡ଼ିଟାକୁ ରାସ୍ତା ଉପରେ ଠିଆ କରି ଦେଇଛି ଆଉ ପଛରେ ଟ୍ରକଟେ ଆସି ହର୍ଣ୍ଣ ଦେଲାଣି । ଆଉ ମୁଁ? ମୁଁ କ’ଣ କରୁଥିଲି ଏତେବେଳଯାଏଁ? ହାତରେ ସେଇ କୃଷ୍ଣଚୂଡ଼ାର ଗୁଚ୍ଛ । ଓଃ ଭଗବାନ ଏସବୁ କଥା ଭାବୁ ଭାବୁ ମୁଁ କେତେବେଳେ ଯାଇ ସେଇ କୃଷ୍ଣଚୂଡ଼ା ତୋଳି ହାତରେ ଧରି ସାରିଲିଣି । ଗାଡ଼ିଟିକୁ ସଙ୍ଗେ ସଙ୍ଗେ ସାଇଡ୍ କରି ଘର ଅଭିମୁଖେ ଚାଲିଲି । ତୋଳିଥିବା କୃଷ୍ଣଚୂଡ଼ାର କେତୋଟି ଗୁଚ୍ଛ ନିହାତି ଅଯତ୍ନ ଭାବରେ ଗାଡ଼ି ଭିତରେ ପକେଇ ଦେଇଥିଲି । ଘରକୁ ପଶିଲା ବେଳେ କ’ଣ ଇଛା ହେଲା କେଜାଣି ପଛକୁ ଫେରି ସେଇଗୁଡ଼ିକ ସଂଗ୍ରହ କରି ହାତରେ ଧରି ଘର ଭିତରେ ପଶିଲି । ସଜ ଫୁଲ ସଂରକ୍ଷିତ ରଖିବା ପାଇଁ ପାତ୍ରଟିଏ ଖୋଜିଲି । କୃଷ୍ଣା ଥିଲାବେଳେ ସେ ବିଭିନ୍ନ ପ୍ରକାର ଫୁଲ ବଗିଚାରୁ ଆଣି, ସେଇ ପାତ୍ରଟିରେ ପାଣି ପୁରେଇ ଫୁଲଗୁଡ଼ିକ ସପ୍ତାହ ସପ୍ତାହ ଧରି ତାଜା ରଖୁଥିଲା । ଏବେ କୁଆଡ଼େ ଗଲା ସେଇ ପାତ୍ରଟା? ହଁ ତ ଏଇ ସୋଫା ତଳକୁ ଖସିପଡିଛି । ସେଇଟିକୁ ଆଣି ସଫାକରି ପାଣି ପୁରେଇ, ଫୁଲରେ ମଧ୍ୟ କିଛି ପାଣି ଛିଞ୍ଚି ଟେବୁଲ ଉପରେ ରଖିଲି । ଟିକିଏ ଫ୍ରେସ ହୋଇ ଟିଭିରେ ନ୍ୟୁଜ ଦେଖିବି ବୋଲି ଭାବିଲି । ହେଲେ ଅସଂଖ୍ୟ ଅନାବନା ଭାବନା, ଖରାପ ଭାବନା ମନଟିକୁ ଭାରାକ୍ରାନ୍ତ କରିଦେଉଥାଏ । କୃଷ୍ଣାର ଘର ଛାଡ଼ିଦେବାକୁ ପାଖାପାଖି ଛଅ ମାସ ହେଇ ଗଲାଣି । ସେ ଗଲାପରେ ଗୋଟିଏ ଥର ମୋର ଖବର ନେବାକୁ ଚେଷ୍ଟା କରିନି କି ମୁଁ ତା’ର । ଏଇଟା ଗୋଟାଏ କି କଥା ଯେ ଏଇ କଥାରେ ଜଣେ ଘର ଛାଡ଼ି ପଳେଇବ !! ସେଦିନ ଆମର ତୃତୀୟ ବିବାହ ବାର୍ଷିକ ଥିଲା । ପ୍ରଥମ ବିବାହ ବାର୍ଷିକ ମନେ ଥିଲେ ମଧ୍ୟ ଏତେଟା ଗୁରୁତ୍ୱ ଦେଇ ନଥିଲି । ଦ୍ଵିତୀୟ ବି ସେମିତି ଚାଲି ଯାଇଥିଲା । ପ୍ରାୟେ ଭୁଲିଯାଇଥିଲି କାର୍ଯ୍ୟ ବ୍ୟସ୍ତତା ଯୋଗୁଁ । ପ୍ରଥମ ଦୁଇବର୍ଷ ଯାକ କୃଷ୍ଣା ହିଁ ରାତିରେ ମନେପକାଏ, କିଛି ନା କିଛି ଉପହାର ଦେଇ, ଆଉ ମୋ ମନ ପସନ୍ଦ ଖାଦ୍ୟ ରୋଷେଇ କରି । ଦ୍ୱିତୀୟ ବର୍ଷ ମୋତେ ମୋର ପ୍ରିୟ ଖିରି ଖୁଆଇଲା ବେଳେ ଚେତାବନୀ ଦେଇଥିଲା ପରଥରକୁ ନ ଭୁଲିବା ପାଇଁ । କିନ୍ତୁ ପରଥର ତ ତା’ଠାରୁ ବଳିଗଲା । ମୁଁ ତ ଏକଦମ ଭୁଲିଯାଇଥିଲି । ଭୁଲିଯାଇଥିଲି କହିଲେ ତ ଠିକ୍ ହେବନି; କାର୍ଯ୍ୟବ୍ୟସ୍ତତା ଯୋଗୁଁ ଧ୍ୟାନ ଦେଇପାରି ନଥିଲି । କୃଷ୍ଣା ସନ୍ଧ୍ୟାରେ ମୋ ପାଇଁ ଏକ ଛୋଟ ସାରପ୍ରାଇଜ୍ ପାର୍ଟି ରଖିଥିଲା । ଆଉ ଆମ ସାଙ୍ଗସାଥିଙ୍କୁ ମଧ୍ୟ ନିମନ୍ତ୍ରଣ କରିଦେଇଥିଲା । ଯଦିଓ କୃଷ୍ଣା ଅଫିସ ଗଲାବେଳେ ବାରମ୍ବାର ଶୀଘ୍ର ଫେରିବାକୁ ଅନୁରୋଧ କରିଥିଲା; କିନ୍ତୁ ସତକଥା କହିଦେଇଥିଲେ କ୍ଷତି କ’ଣ ହେଇଥାନ୍ତା ଯେ?? ମୁଁ ସେ ସାରପ୍ରାଇଜ୍ ପାର୍ଟି, ଗିଫ୍ଟ ଦିଆନିଆକୁ ବିଶ୍ୱାସ କରେନି, ସେଇଗୁଡ଼ାକ ଲୋକ ଦେଖାଣିଆ ପ୍ରହସନ ମାତ୍ର । ଆଗରୁ ସେଇକଥା ବାରମ୍ବାର କୃଷ୍ଣାକୁ କହିସାରିଛି । ତା’ପରେ ବି ଏତେ ଫାର୍ସ୍ କାହିଁକି । ସେଦିନ ହଠାତ ଆମ ଅଫିସର ପ୍ରକାଶ ବାବୁ ଆସି କହିଲେ, ସନ୍ଧ୍ୟାରେ ତାଙ୍କ ପୁଅର ସତ୍ୟନାରାୟଣ ପୂଜା ଅଛି, ସେଠି ଟିକେ ବୁଲି ଆସିବା ପାଇଁ । ମୁଁ ଭାବିଲି ଅଫିସରୁ ସିଧା ପ୍ରକାଶ ବାବୁଙ୍କ ଘରେ ମୁହଁ ମାରି ଆସି ଘରକୁ ଗଲେ ଠିକ ରହିବ । ଆଉ ପ୍ରକାଶ ବାବୁଙ୍କ ଘରେ ଭାଉଜ ଆଉ ତାଙ୍କ ମାଆଙ୍କ କଥା କାଟି ନପାରି ପୂଜା ଶେଷଯାଏଁ ଅପେକ୍ଷା କଲି । ଆଉ ପ୍ରସାଦ ଖାଇ ଫେରିଲା ବେଳକୁ ରାତି ସାଢ଼େ ଦଶଟା । ସାଙ୍ଗସାଥିମାନେ ତ ଚାଲିଯାଇଥିଲେ, କୃଷ୍ଣା ବି ନଥିଲା । ପରେ ଜାଣିବାକୁ ପାଇଲି କୃଷ୍ଣା ତା ବାପାମାଆଙ୍କ ଘରକୁ ଚାଲିଯାଇଛି ।

ପ୍ରଥମେ ଭାବିଲି ଯାଉ କିଛିଦିନ ପରେ ମନ ବୁଝିଗଲେ ପଳେଇ ଆସିବ ଯେ । କିନ୍ତୁ ଜାଣିବାକୁ ପାଇଲି ସେ ଆସିବାକୁ ଚାହୁଁନି, ଯେପର୍ଯ୍ୟନ୍ତ ମୁଁ ଯାଇ ଭୁଲ ସ୍ୱୀକାର କରି ନ ଆଣିଛି । ମୁଁ ତ ଛାଡ଼ି ଆସିନି, ସେ ନିଜ ଇଛାରେ ଯାଇଛି । ତେବେ ମୋ ଆତ୍ମସମ୍ମାନକୁ ବଳି ପକାଇ, ଶୁଶୁର ଘରେ ଆଣ୍ଠୁଭାଙ୍ଗି ଠିଆହୋଇ ସ୍ତ୍ରୀକୁ ମନେଇବା ମୋ ପାଇଁ ବି କମ କଷ୍ଟକର ନଥିଲା । ସେଥିପାଇଁ ଗଲିନି କେବେ ।

ଏମିତି ଭାବୁ ଭାବୁ ହଠାତ କଲିଂ ବେଲ ବାଜି ଉଠିଲା । ଆଉ ମୋ ପାଟିରୁ ସ୍ଵତ୍ତଃ ବାହାରି ଆସିଲା କୃଷ୍ଣା….. ନିଜର ପରିଧାନକୁ ଟିକେ ସଜାଡ଼ି ନେଇ, ଅସ୍ତବ୍ୟସ୍ତ ହୋଇ ଉଠିଥିବା ଚୁଳକୁ ହାତରେ ସଜାଡ଼ି ସଜାଡ଼ି, ଅଶେଷ ଉତ୍କଣ୍ଠା ମନରେ ଚାପି ଧରି କବାଟ ଖୋଲିଲି । ନା କୃଷ୍ଣା ନୁହେଁ, ମୋତେ ରାତି ଖାଇବା ଆଣି ଦେଉଥିବା ପାଖ ହୋଟେଲର ପିଲାଟା । ମୁଁ ବି କେତେ ପାଗଳ, ମୁଁ ଭାବୁଛି କୃଷ୍ଣା ଆସିଥିବ । ମୋ ପାଦ ଛୁଇଁ ତା ଉପବାସ ଭାଙ୍ଗିବାକୁ । ହଉ ନଆସୁ, ମୁଁ କ’ଣ ତା ଆସିବା ବାଟକୁ ଚାହିଁ ବସିଛି କି….

ରାତ୍ରିଭୋଜନ ବି ଠିକରେ କରିପାରିଲିନି । ଶୋଇବାକୁ ଚେଷ୍ଟା କଲି, ଶୋଇ ମଧ୍ୟ ପାରିଲିନି । ଟେବୁଲ ଉପରେ ଥିବା କୃଷ୍ଣଚୂଡ଼ାର ହାଲକା ବାସ୍ନା ମୋ ନାକରେ ବାଜୁଥାଏ । ବାସ୍ନା ତ ନୁହେଁ, ଯେମିତି ଅସଂଖ୍ୟ ବିଷଧର ସର୍ପର ବିଷଜ୍ୱାଳାରେ ମତେ ଛଟପଟ କରୁଥାଏ । ତଥାପି ଆଖିମୁଦି ଶୋଇବାକୁ ଚେଷ୍ଟା କଲି । ମତେ ଲାଗିଲା କୃଷ୍ଣଚୂଡ଼ା ସବୁ ଯେମିତି ସତରେ ବିଷଧର ସର୍ପ ପାଲଟି ଯାଉଛନ୍ତି ଆଉ ଟେବୁଲ ଉପରୁ ମୋ ଖଟ ଆଡକୁ ସେମାନଙ୍କ କଣ୍ଟକିତ ଜିହ୍ଵା ଲମ୍ବାଇ ଅଗ୍ରସର ହେଉଛନ୍ତି; ମୋତେ ଦଂଶନ କରିବାକୁ । ମୁଁ ଉଠିପଡ଼ି କୃଷ୍ଣଚୂଡ଼ା ଫୁଲଗୁଡ଼ିକୁ ଧରି ରୁମ ବାହାରେରେ ଫୋପାଡ଼ି ଦେଇ ଆସିଲି । କିନ୍ତୁ ବାକି ତକ ରାତି ଶୋଇ ପାରିଲି ନାହିଁ । ଭାବୁଥାଏ କୃଷ୍ଣା ସତରେ କେତେ ମିଛେଇ ଝିଅ, ପୂର୍ବଥର କେତେ ଫୁଲେଇ ହୋଇ କହୁଥିଲା ତୁମ ପାଦ ନ ଛୁଇଁଲେ ମୁଁ ପାଣି ପିଏନି, ଆଜି କେମିତି ପାଦ ନଛୁଇଁ ରହିଗଲା । କିଏ ଜାଣେ ସେ ଆଜି ଉପବାସ ହିଁ ରଖିନଥିବ । ମୁଁ ଖାଲି ମିଛଟାରେ ତା’ କଥା ଭାବୁଛି, ତା’ର ମୋ କଥା ମନେ ହିଁ ନଥିବ ।

ସକାଳୁ ଉଠି ଦରଜା ଖୋଲି ଦେଖେ ତ ବର୍ଷା ଭିଜା ମୋ ଅଗଣାରେ ଲାଲ କେତେଟା ସାଧବବୋହୁ । ଠିକ କୃଷ୍ଣଚୂଡ଼ା ରଙ୍ଗର । କାଲି ରାତିରେ ମୌସୁମୀ ଆସି ଯାଇଛି ପ୍ରାଏ । ଗ୍ରୀଷ୍ମର ପ୍ରଚଣ୍ଡ ନିଦାଘ ପରେ ବର୍ଷାର ଶୀତଳ ଆସ୍ୱସ୍ତି । ସେଥିପାଇଁ ଆଜି ସାଧବବୋହୁଙ୍କ ଭିଡ଼ ।

କାଲି ରାତିର ଅନିଦ୍ରା ସତ୍ତ୍ବେ ଦେହ ଅବଶ ଲାଗୁଥିଲା ସତ, କିନ୍ତୁ ସକାଳଟା କେମିତି ନୂଆ ନୂଆ ଲାଗୁଥିଲା । ବହୁତ ଦିନ ପରେ ବୋଧେ ମୁଁ ଏମିତି ସକାଳ ଦେଖୁଥିଲି । ଜଲଦି କାମ ସାରି ଅଫିସ ଯିବାକୁ ବାହାରିଲି । ଘରେ ତାଲା ଲଗେଇଲା ବେଳେ ତଳେ ପଡ଼ିଥିବା କୃଷ୍ଣଚୂଡ଼ା ଡାଳଗୁଡ଼ିକ ଉପରେ ନଜର ପଡ଼ିଲା । କାଲି ଫୁଟିଯାଇଥିବା ଫୁଲଗୁଡ଼ିକ ପ୍ରାଏ ମଉଳି ଆସିଛି କିନ୍ତୁ ଫୁଲ ଗୁଚ୍ଛ ଭିତରେ ରହିଯାଇଥିବା କିଛି କଢ଼, ରାତିରେ ପାଣି ପାଇ ଆଜି ଦରଫୁଟା ହେଇଯାଇଛି । କ’ଣ ଇଛା ହେଲା କେଜାଣି ସେଇ ଦରଫୁଟା ଫୁଲ ଦୁଇଚାରିଟା ତଳୁ ଉଠାଇ ଆଣିଲି । ଗାଡ଼ି ଷ୍ଟାର୍ଟ କଲି । ଅଫିସଠାରୁ କୃଷ୍ଣାର ଘର ପ୍ରାୟେ ଚାଳିଶି କିଲୋମିଟର । ଅଫିସରେ ପହଞ୍ଚି ଛୁଟି ଦରଖାସ୍ତଟିଏ ବଡ଼ବାବୁଙ୍କ ଟେବୁଲ ଉପରେ ରଖି, ବହାରିପଡ଼ିଲି କୃଷ୍ଣା ଘର ଅଭିମୁଖେ । ତାଙ୍କ ଘର କଲିଂ ବେଲ ବଜାଇଲି । କୃଷ୍ଣାର ମାଆ ଆସି ଦରଜା ଖୋଲିଲେ । ଆଉ ଲୁହ ଛଳ ଛଳ ଆଖିରେ କହିଲେ “ତୁମେ ଆସିଛ ବାପା, ଆସ ଭିତରକୁ ଆସ । ମୁଁ ତୁମ ପାଖକୁ ଆଜି ଖବର ପଠେଇବି ଭାବୁଥିଲି । ତୁମେ ଆସିଛ ଭଲ କରିଛ । କୃଷ୍ଣା କାଲିଠାରୁ ପାଟିରେ ପାଣି ଟୋପାଏ ବି ଦେଇନି । କହିଲା ମୁଁ ତାଙ୍କ ପାଦ ନଛୁଇଁଲେ ଉପବାସ ଭାଙ୍ଗେନି, ସେମିତି ଶୁଖି ଶୁଖି ମରିଯିବି ପଛେ ପାଣି ପିଇବିନି । ଅଭିମାନିନୀଟାଏ, ତୁମେ ବୁଝିବା ସୁଝିବା ପୁଅ ହେଇ ତାକୁ ବୁଝିପାରୁନ । ତା’ଠାରୁ ଅଧିକ ତୁମକୁ କିଏ ଭଲପାଏ ।” ଏତକ କହିସାରି କୃଷ୍ଣା ଉଦେଶ୍ୟରେ ଡାକି ଡାକି ଘର ଭିତରକୁ ଚାଲିଗଲେ । କୃଷ୍ଣା ଧୀରେ ଧୀରେ ଡ୍ରଇଂ ରୁମକୁ ଆସି ମୋ ପାଦ ଛୁଇଁଲା । ଆରେ ଏଇ ଭିତରେ କୃଷ୍ଣା ତ ବହୁତ ଝଡ଼ି ଯାଇଛି, ମୁଁ ଭାବୁଥିଲି କୃଷ୍ଣା ଖୁସିରେ ଅଛି ସେଥିପାଇଁ ମୁଁ ତା’ର ମନେ ପଡ଼ୁନି । କୃଷ୍ଣାର ମାଆ ଦୁଇଟି ଗ୍ଲାସ ପାଣି ଧରି ରୁମକୁ ଆସିଲେ ଗୋଟିଏ ମୋତେ ଆଉ ଗୋଟିଏ ତାହାତକୁ ଦେଲେ । କୃଷ୍ଣା ଉଦେଶ୍ୟରେ କହିଲେ, “ନେ ମାଆ ତୁ ଆଗେ ଟିକେ ପାଣି ପିଇଦେ । ତୁମେ ଦୁଇଜଣ କଥା ହେଉଥାଅ ମୁଁ ତୁମ ପାଇଁ କ’ଣ ଟିକେ ଜଳଖିଆ ଆଣୁଛି ।” କୃଷ୍ଣା ପାଣି ପିଉଥିଲା । ମୁଁ ପକେଟରୁ କୃଷ୍ଣଚୂଡ଼ାର ସଜଫୁଟା ଫୁଲ ଦୁଇଟି ବାହାର କରି କୃଷ୍ଣାର ବେଣୀରେ ଖୋସିଦେଲି । କୃଷ୍ଣା ବେଣୀରେ ଥିବା କୃଷ୍ଣଚୂଡ଼ା ଫୁଲ ଦୁଇଟି ଆଉ ମୋ ହାତରେ ଥିବା ଆଉ ଦୁଇଟି କୃଷ୍ଣଚୂଡ଼ା କେତେ ଅଲଗା ଦେଖାଯାଉଥିଲେ । ମୋ ପାଟିରୁ ବାହାରି ଆସିଲା “ସତରେ କୃଷ୍ଣା ବିନା କୃଷ୍ଣଚୂଡ଼ା କେତେ ଫିକା, କେତେ ରଙ୍ଗଗହୀନ ।

କୃଷ୍ଣା ବେଣୀରେ ଥିବା କୃଷ୍ଣଚୂଡ଼ା ଆହୁରି ଅଧିକରୁ ଅଧିକ ଲାଲ ଦେଖାଯାଉଥିଲା । ଠିକ ପ୍ରେମର ରଙ୍ଗ ପରି, ଠିକ ଖୁସିର ରଙ୍ଗ ପରି; ଗ୍ରୀଷ୍ମ ପରେ ମୌସୁମୀର ସ୍ପର୍ଶ ପରି…

– ଶିଖା ଦ୍ୱିବେଦୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...