“ଦାନ ବୋଲି ମୁଁ ଯାହା ଜାଣିଛି ୩ଟି ପ୍ରଧାନ ଅଟେ । ରକ୍ତ ଦାନ, ଚକ୍ଷୁ ଦାନ, କନ୍ୟା ଦାନ । ଆପଣଙ୍କର ଏହି କନ୍ୟାଦାନ ହିଁ ଆମ ପାଇ ସବୁକିଛି । ଯୌତୁକ କିଛି ଦରକାର ନାହିଁ । ଚିନ୍ତା କରିବା କିଛି ଦରକାର ନାହିଁ, ଆପଣଙ୍କ ଝିଅ ନିଶ୍ଚୟ ଖୁସି ରେ ରହିବ ।” ରୋଜାର ବାପାଙ୍କୁ ତା’ ଶ୍ୱଶୁର ଏସବୁ କହୁଥାନ୍ତି ।
କିଛି ଦିନ ପରେ ରୋଜାର ବିବାହ ହୋଇଯାଏ । ଦିନଗୁଡ଼ିକ ସବୁ ଖୁସିରେ କଟିଯାଉଥିଲା । ହେଲେ ସୁଖ ପରେ ଦୁଃଖ ଆଉ ଦୁଃଖ ପରେ ସୁଖ ଆସେ । ବିବାହର ୩ ମାସ ନପୁରୁଣୁ ରୋଜା ଉପରେ ହୋଇଯାଏ ଯୌତୁକ ନିର୍ଯାତନା । ଯେଉଁମାନେ ଉପରେ ଭଦ୍ରାମି ଦେଖେଇ ହୋଇ ଯୌତୁକ ମାଗି ନଥିଲେ ସେମାନଙ୍କ ଏପରି ରୂପ ଦେଖି ରୋଜା କ’ଣ କରିବ ଭାବିପାରୁନଥିଲା । ରୋଜା ତ ବାପାଙ୍କୁ କହିବା ପାଇଁ ଚାହୁଁଥିଲା ହେଲେ କହି ପାରୁନଥିଲା, କାରଣ ରୋଜାର ବାପା ଅତି ଗରିବ ହୋଇଥିବାରୁ ଯୌତୁକ ଦେବା ପାଇଁ ଅସମର୍ଥ ଥିଲେ । ଯୌତୁକ ଚିନ୍ତାରେ ବୁଡ଼ି ରହିଥିବା ବେଳେ ଏହିପରି ପ୍ରସ୍ତାବକୁ ହାତ ଛଡ଼ା କରିନଥିଲେ ସେ । ହେଲେ କ’ଣ ସେ ଜାଣିଥିଲେ, ଏଇ ଭଦ୍ର ମୁଖାଧାରି ଯୌତୁକ ରାକ୍ଷସ ଶେଷକୁ ନିଜ ଝିଅକୁ ନିର୍ଯାତନା ଦେବେ?
କଥାରେ କଥାରେ ରୋଜାର ଶାଶୁଶଶୁର ରୋଜାକୁ ଦୁଇ ଲକ୍ଷ ଟଙ୍କା ମାଗନ୍ତି । ସେ ଏତେ ଟଙ୍କା କାହୁଁ ପାଇବ? ନିହାତି ଗରିବ ଘରର ଝିଅଟି ସେ । ତା’ ସହ ନିଜ ସ୍ୱାମୀ ମଧ୍ୟ ଗୋଟେ ବାଇକ୍ ପାଇଁ ରୋଜାକୁ ମାଡ଼ ମାରିବାକୁ ପଛାନ୍ତି ନାହିଁ । ସେ ତା’ ବାପାଙ୍କୁ କହି ଆଣିଦେବ ବୋଲି କୁହେ ସତ, ହେଲେ ତା’ ବାପାଙ୍କୁ କେବେ କହିନି କାରଣ ସେ ଜାଣିଛି ତା’ ବାପା ଏତେ ଅର୍ଥ ଦେବାକୁ ସମର୍ଥ ନୁହନ୍ତି । ଦିନକୁ ଦିନ ରୋଜା ଉପରେ ନିର୍ଯାତନା ବଢ଼ି ବଢ଼ି ଚାଲେ । ଶାଶୁ ବିନା ଦୋଷରେ ତାକୁ ଦୋଷ ଦେଇ ମାଡ଼ ମାରିବାକୁ ପଛାନ୍ତି ନାହିଁ । ଦେବତା ରୂପୀ ସ୍ୱାମୀ ମଧ୍ୟ ଦାନବ ପାଲଟି ଯାଇଥିଲେ । ପ୍ରତିଦିନ ତାଙ୍କଠୁ ମାଡ଼ ଖାଇବା ଅସହ୍ୟ ହେବା ସତ୍ତ୍ୱେ ସେ ସବୁ ସହି ଯାଉଥିଲା ।
ରୋଜା ତା’ ଶଶୁରଙ୍କୁ ଦେଖି ମନେ ମନେ ଭାବେ, “ଯଦି ଯୌତୁକ ନେବାରେ ଇଚ୍ଛା ଥିଲା ତ, ସେଇଦିନ ମାଗିଲେନି । କନ୍ୟାଦାନ କହି କନ୍ୟା ନେଇ ଆସିଲ ହେଲେ ସେଇ କନ୍ୟା ଉପରେ ଏତେ ନିର୍ଯାତନା ।”
ଏହିପରି ଭାବେ ରୋଜାର ଦିନଗୁଡ଼ିକ କଟିଯାଏ ସବୁ ନିର୍ଯାତନା ସହି ସହି । ସେହିଦିନ ହିଁ ତା’ ଉପରେ ହୁଏ ଅକଥନୀୟ ନିର୍ଯାତନା, ଯେଉଁଦିନ ତା’ର ଝିଅଟିଏ ହୁଏ । ସମସ୍ତେ କୁହନ୍ତି, “ପଇସା ଦେଇ ପାରୁନୁ, ଘରେ ବୋଝ ହେଇ ପଡ଼ିଛୁ ତା’ ସହ ଏଇଟାକୁ ମଧ୍ୟ ବୋଝ କରିଦେଲୁ ଆମ ଉପରେ । ଯା ଯା ଏ ଝିଅ କିଏ ରଖିବ ଫୋପାଡ଼ି ଦେଇ ଆସେ କୋଉଠି ତାକୁ ।”
କୋଉ ମାଆ ସହିବ ନିଜ ସନ୍ତାନ ପ୍ରତି ଏପରି କଥାକୁ? କେବେ ସେମାନଙ୍କ ମୁହଁରେ ଜବାବ୍ ଦେଇ ନଥିବା ରୋଜା ସେଇଦିନ ହିଁ ସମସ୍ତଙ୍କୁ ଜବାବ୍ ଦିଏ, “ଆପଣମାନେ ଭଦ୍ର ଲୋକ ନାମରେ ଗୋଟେ ଗୋଟେ ରାକ୍ଷସ । ଆପଣଙ୍କ ମନରେ କ’ଣ ଦୟା ମାୟା କିଛି ନାହିଁ? ଏହି ନିରୀହ ଶିଶୁର କ’ଣ ବା ଦୋଷ? କୋଉ ମାଆ ଚାହିଁବ ଆପଣମାନଙ୍କ କଥାରେ ଏସବୁ କରିବାକୁ?”
ରୋଜାର ଏସବୁ କଥା ଶୁଣି ସମସ୍ତଙ୍କ ରାଗ ଓ ଭୟ ଦୁଇ ଗୁଣ ବଢ଼ିଗଲା । କାଳେ ଇଏ ଖସି ଯାଇ ଆମ ନାଁ’ରେ ଯୌତୁକ ନିର୍ଯାତନା ଅଭଯୋଗ କରିବ ନାହିଁ ତ? ସେଇଦିନ ରାତିରେ ରୋଜାର ଶାଶୁଶଶୁର ଓ ସ୍ୱାମୀ ତା’ର ତଣ୍ଟିଚିପି ହତ୍ୟା କଲେ । ଏତିକିରେ ମନ ଶାନ୍ତି ହେଲାନି, ଛୋଟ ଛୁଆଟିକୁ ମଧ୍ୟ ତା’ ବାପା ମାରିବାକୁ ପଛାଇଲାନି । ଯିଏ ଦୁନିଆ କ’ଣ ବୁଝିବା ଆଗରୁ ଦୁନିଆ ଛାଡ଼ିଦେଲା ତା’ ମାଆ ସହ ।
ଘଟଣାକୁ ଚପାଇ ଦେବା ପାଇଁ ସେ ଦୁଇ ଜଣକୁ ଛାତ ଉପରୁ ତଳକୁ ପକାଇ ଦିଅନ୍ତି ଏବଂ ସେ ଆତ୍ମହତ୍ୟା କରିଛି ବୋଲି ସମସ୍ତଙ୍କୁ କୁହନ୍ତି । ରୋଜାର ବାପା କୁହନ୍ତି, “ନା ମୋ ଝିଅ ଏସବୁ କରିପାରିବନି, ଏଇମାନେ ହିଁ ମାରିଛନ୍ତି ମୋ ଝିଅକୁ ।” ଧୀରେ ଧୀରେ ସବୁ ଗୁମର ଖୋଲେ । ଅଭିଯୁକ୍ତଙ୍କ ନାମ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି । ଭଦ୍ର ଲୋକ ବୋଲି ଜଣାଥିବା ରୋଜାର ଶାଶୁ ଘର ଲୋକ ଏସବୁ କରିଛନ୍ତି? କେହି ବିଶ୍ୱାସ କରୁ ନଥାନ୍ତି ।
ରୋଜାର ବାପା କାନ୍ଦି କାନ୍ଦି ଭାବୁଥିଲେ, “କ’ଣ ଏଇ ସେ ମହାପୁଣ୍ୟ କନ୍ୟାଦାନ? ଯାହାର ଫଳ ଯୌତୁକ ନିର୍ଯାତନା?”
– ଶ୍ରୀମାନି ପ୍ରିୟଦର୍ଶିନୀ ଦାସ
Comments
ଶ୍ରୀମାନି ପ୍ରିୟଦର୍ଶିନୀ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।