ମୋ ନାଁ କଳାପଟା । ସ୍କୁଲ ଘରେ ମୋ ଜାଗା ସବୁବେଳେ ପୂର୍ବ ନିର୍ଧାରିତ ସାମ୍ନା କାନ୍ଥରେ । ଚୌକି, ଟେବୁଲ ଏମିତିକି ଦୁଆର, କବାଟ ଆଉ ଝରକା ଲାଗିବା ଆଗରୁ ମୋ ଜାଗା ସ୍ଥିର ହେଇଯାଏ । ଏମିତି ଜାଗାରେ ମତେ ରଖାଯାଏ ଯୋଉଠୁ ମୁଁ ସମସ୍ତଙ୍କୁ ଦେଖିପାରିବି ଆଉ ମତେ ସମସ୍ତେ ଦେଖିପାରିବେ । ସାର୍, ଦିଦିମାନେ କୁହନ୍ତି ସବୁ ପିଲାଏ ମତେ ଦେଖିବାକୁ ବାଧ୍ୟ; ଯିଏ ମତେ ନଦେଖି ଇଆଡ଼େ ସିଆଡ଼େ ଚାହେଁ ଆଉ ଧରାପଡ଼େ, ଭଲକି ଉତ୍ତମ ମଧ୍ୟମ ହୁଏ । ତା’ ମାନେ ମୁଁ କହୁନି ମତେ ଏସବୁ ଭଲ ଲାଗେ ବୋଲି । ମତେ ବେଳେ ବେଳେ ଦୁଃଖ ଲାଗେ ପିଲାଏ ମାଡ଼ ଖାଇଲେ କିନ୍ତୁ କ’ଣ ବା କରିପାରିବି? ମୁଁ ତ ସବୁ ଦେଖିବାକୁ ବାଧ୍ୟ । ଦୁଃଖ ଲାଗେ ଯେତେବେଳେ କୁନି ପିଲାଟିଏ ମାଡ଼ ଡରରେ କାନ୍ଦି କାନ୍ଦି ମତେ ଚାହିଁ ବଡ଼ ପାଟିରେ ଅ, ଆ, କ, ଖ ଡାକେ । ମୁଁ ମନେ ମନେ ଭାବେ, “ବାବାରେ, ଯେତେ କଷ୍ଟ ହଉ ପଛେ ପାଠ ଦି’ଅକ୍ଷର ପଢ଼ିଦେ” ଯଦି ହାତ ଥା’ନ୍ତା, ହାତ ବଢ଼େଇ ତା ମୁଣ୍ଡ ଆଉଁସି ଦିଅନ୍ତି । ବ୍ୟସ୍ତ ଲାଗେ ଯେତେବେଳେ ଗଣିତରେ ଶୁନ ରଖୁଥିବା ପିଲାଟି ପ୍ରାଣପଣେ ଚେଷ୍ଟା କରେ ଅଙ୍କ କଷିବାକୁ । ଗୋଟେ ହାତରେ ଚକ ଖଡ଼ି ଧରି ଆର ହାତଟି ପଛପଟେ ରଖିଥାଏ ପାଞ୍ଚଣ ଡରରେ ଆଉ ବିକଳରେ ମତେ ବଲ ବଲ ହେଇ ଚାହିଁଥାଏ, ସତେ ଯେମିତି ଉତ୍ତର ସବୁ ମୋ ପାଖରୁ କିମ୍ବା ଶୂନ୍ୟରୁ ବାହାରି ପଡ଼ିବ । ଭାଗ୍ୟକୁ ଯଦି ଛୁଟି ଘଣ୍ଟା ବାଜିଗଲା, ସାର୍ ପଛକୁ ବୁଲି ଅନେଇବା ଆଗରୁ ପିଲାଟି ପାର୍ । ଆଶ୍ୱସ୍ତ ହେଇଯାଏ ମୁଁ, “ଓଃ, ହୋ ବିଚରା ଆଜି ବଞ୍ଚିଗଲା” । ମନେ ମନେ କିନ୍ତୁ ଚିଡ଼େ, “ହଇରେ ମୂର୍ଖ, କେତେ ଥର ସେଇ ଗୋଟାଏ ଅଙ୍କ କଷିଲେ ବୁଝିବୁ?” ହସ ଲାଗେ ଯେତେବେଳେ ସାର୍ ଓ ଦିଦିମାନେ ପାଠ ଲେଖିଲାବେଳେ ବାଳୁଙ୍ଗା ପିଲାଏ ପଛରୁ ଖତେଇ ହୁଅନ୍ତି, ଭଳି କି ଭଳି ଅଭିନୟ କରନ୍ତି । ମୋଟି ଦିଦିଙ୍କ ପଛରେ ମୁହଁ ଫୁଲେଇ ଆଉ ଡେଣା ମେଲେଇ ବଡ଼ ବଡ଼ ପାହୁଣ୍ଡ ପକେଇ ଚାଲନ୍ତି । ବୁଢ଼ା, ଧଡ଼ିଆ ସାର୍ଙ୍କ ପଛରେ ତାଙ୍କପରି ପକେଟରେ ହାତ ପୁରେଇ ବାରମ୍ବାର ପେଣ୍ଟ ଟେକନ୍ତି । ଯେମିତି ଟିକିଏ ଖାଲି ସମୟ ମିଳିଯାଏ, ଏମିତି ପାଟି କରନ୍ତି ଯେ ମୋର କାନ ଫାଟିଯିବା ପରି ଲାଗେ ।
ଗଣିତ ସାର୍ଙ୍କ ଉପରେ ଅନ୍ୟ ସାର୍ ଓ ଦିଦିମାନେ ବେଳେ ବେଳେ ଭାରି ବିରକ୍ତ ହୁଅନ୍ତି । କେତେ, କେତେ ଲେଖିକି ଯା’ନ୍ତି ଯେ ପୋଛି ପୋଛି ତାଙ୍କ ମୁହଁ, ହାତ ସବୁ ଧଳା ହେଇଯାଏ । ମନେ ମନେ ଭାବେ, ଯଦି କଥା କହି ପାରିଥାନ୍ତି ଗଣିତ ସାର୍ଙ୍କୁ କୁହନ୍ତି, “ସାରେ, ଏତେ ଲେଖୁଛନ୍ତି ଟିକିଏ ସଫା କରିକି ଯାଉନାହାନ୍ତି? ସମସ୍ତେ ଚିଡ଼ୁଛନ୍ତି ଆପଣଙ୍କ ଉପରେ ।” କିନ୍ତୁ ଗଣିତ ସାର୍ଙ୍କ କାଟତି ଟିକେ ଅଲଗା, ପାଠ ଭିତରେ ପରା ଗଣିତ ରାଜା । ଚିତ୍ରସାର୍ ପିଲାଙ୍କର ସବୁଠୁ ପ୍ରିୟ ସାର୍ । ସୁନ୍ଦର ସୁନ୍ଦର ଚିତ୍ର କରନ୍ତି, ଜମା ରାଗନ୍ତିନି | ଆମ୍ବଟା ଲେମ୍ବୁ ଭଳିଆ ଦିଶିଲେ ବି ବୁଝେଇ କହନ୍ତି, “ଚେଷ୍ଟା କର, ଆସ୍ତେ ଆସ୍ତେ ଭଲ ହେବ |” ପିଲାଏ କୁହନ୍ତି, “ସାର୍, ଆମ କଳାପଟା ପାଇଁ ସୁନ୍ଦର ଧଡ଼ି କରିଦିଅନ୍ତୁ । ଅନ୍ୟ ସବୁ ଶ୍ରେଣୀଠାରୁ ଯେମିତି ଭଲ ହେଇଥିବା ।” ସାର୍ ଖୁସିରେ କରିଦିଅନ୍ତି ଆଉ ପଚାରନ୍ତି, “ପିଲେ, କ’ଣ ମନ ଖୁସି ତ?” ସମସ୍ତେ କୁହନ୍ତି, “ଆଜ୍ଞା ସାର୍, ଆମ କଳାପଟା ବହୁତ ସୁନ୍ଦର ଦିଶୁଚି । ଆସନ୍ତା ସପ୍ତାହ ଡ୍ରଇଂ ପିରିୟଡ଼୍ ଯାଏଁ ଆମେ ଲିଭିବାକୁ ଦେବୁନି ।” ମୋ ମନ ଖୁସିରେ କୁଣ୍ଡେ ମୋଟ ହେଇଯାଏ ।
ଏମିତି କେତେ କ’ଣ ମୁଁ ଦେଖିଚି । ନୂଆ ଜାମା ପିନ୍ଧିବା ପରି, ବର୍ଷରେ ଥରେ ମତେ ରଙ୍ଗ କରାଯାଏ । ଏଥର କିନ୍ତୁ ମୁଁ ଆଉ ରଙ୍ଗ ହେବିନି । କାହାକୁ ମୁଁ ଦେଖିପାରିବିନି କି ମତେ କେହି ଦେଖିପାରିବେନି । ସରକାରଙ୍କଠୁ ଚିଠି ଆସିଛି, ଆଉ କଳାପଟାର ଯୁଗ ନାହିଁ । ଏଥର ଧଳା ଚକ୍ ଚକ୍ ପାଲିସ ବୋର୍ଡ଼ ଲାଗିବ । କଳାପଟାର ଯୁଗ ଗଲାଣି, ଯୁଗ ସହିତ ତାଳ ଦେବାପାଇଁ ଏଇ ପଦକ୍ଷେପ ନେବାକୁ ପଡ଼ିବ | ହଠାତ ମୁଁ ସ୍ତବ୍ଧ ହେଇଗଲି, ପିଲାଙ୍କ ପାଟି ଶୁଣି ଚେତା ଆସିଲା । ଛୁଟି ଘଣ୍ଟା ବାଜିଥିଲା । ପିଲାଏ ଯିବା ପରେ ସବୁ ଶାନ୍ତ । ସବୁଦିନ ପରି ଆଜି ମତେ ନିଦ ଆସିନି । ମୋ ସମୟ ସରିଲା ବୋଲି ଭାବି ମନ ଅସ୍ତ ବ୍ୟସ୍ତ ହେଲାଣି । ମତେ ଭାଙ୍ଗିଦେବେ, ନା ପୋତି ଦେବେ? କ’ଣ କରିବେ?
ସବୁଦିନ ସ୍କୁଲ ଛୁଟି ହେବାପରେ ଯେମିତି ମୋ ଚିନ୍ତା ଆହୁରି ବଢ଼ିଯାଉଛି । ପିଲାଏ ଥିଲେ ପାଟି ତୁଣ୍ଡ କରୁଛନ୍ତି ଆଉ ଯେମିତି ସେମିତି ସମୟ କଟିଯାଉଛି | କିନ୍ତୁ ସବୁଠୁ ବେଶି ମଡ଼େଇ ପଡୁଛି ଶନିବାର ଦିନର ଛୁଟି ଘଣ୍ଟାଟା । ଯେମିତି ମୁଁ ନିଜକୁ ପ୍ରସ୍ତୁତ କରୁଛି ରବିବାର ସକାଳ ପାଇଁ । ରବିବାର ଛୁଟି ଦିନ । ସେଇଦିନ ହିଁ ସବୁ ଭଙ୍ଗାରୁଜା କାମ ହେବ । ଏମିତି ଚାରିଟା ରବିବାର ଗଡ଼ିଗଲାଣି । କିଏ କହୁଛି ଆସନ୍ତା ରବିବାର କାମ ହେବ ତ’ କିଏ କହୁଛି ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହେବାର କିଛି ଠିକ ଠିକଣା ନାହିଁ । ଏସବୁ ଭିତରେ ଯେମିତି ମୋର ସତ୍ତା ଅନିଶ୍ଚିତତା ଭିତରେ ଛନ୍ଦି ହେଇପଡ଼ିଚି ।
ଆଜି ରବିବାର । ସହସା ତାଲା ଖୋଲାହେବା ଶବ୍ଦ ଶୁଣି ମୁଁ ଚମକି ପଡ଼ିଲି, ଡ଼ର ଲାଗିଲା | ଦୁଇଜଣ ଲୋକ ଗୋଟେ ବଡ଼ କାଠ ପଟା ପରି ଜିନିଷଟିଏ ଆଣି ଦୁଆର ପାଖ କାନ୍ଥରେ ଆଉଜାଇଦେଇ ଗଲେ । ଚାରିପଟେ ଜରି ଗୁଡ଼ାହେଇଥିଲା । ଉଙ୍କିବାକୁ ଚେଷ୍ଟାକଲି, କିନ୍ତୁ କିଛି ଜଣାପଡ଼ିଲାନି । କିଛି ସମୟ ପରେ ସେଇ ଲୋକମାନେ ଆସି ଜରି ଖୋଲିଲେ । ଭିତରୁ ବାହାରିଲା ଚକ୍ ଚକ୍ ପାଲିସ ଧଳା ବୋର୍ଡ଼ । ତାକୁ ଥରେ ଦେଖି ନିଜକୁ ଦେଖିଲି ଆଉ ପୁଣି ତାକୁ ଦେଖିଲି । ମୁଁ କଳା କଟ କଟ, ପୁରୁଣା ରଂଗଛଡା କଳାପଟା ଆଉ ସିଏ ନୂଆ, ଚକ୍ ଚକ୍ ପାଲିସ ଧଳା ବୋର୍ଡ଼ । ଏବେ ଦୁଃଖ ଆଉ ଡ଼ର ସାଙ୍ଗକୁ ଲାଜ ବି ମିଶିଗଲା । ମନେ ମନେ ଭାବିଲି, “ମୋ ଦିନ କାଳ ସରିଲା ।” ମାପ କାମ ସରିଲା, ମୋ’ଠୁ ଧଳା ବୋର୍ଡ଼ ସାମାନ୍ୟ ବଡ଼ । ଲୋକ ଦୁଇଜଣ ମୋ ମୁଣ୍ଡ ଉପରେ ଦୁଇପଟେ ମେସିନ ରେ ଏମିତି ଶବ୍ଦ କଲେ ଯେ ଲାଗିଲା ଯେମିତି ମୁଁ କାଲା ହେଇଯିବି । ସେଇଠି ବଡ଼ ବଡ଼ ଯୋଡ଼େ କଣ୍ଟା ପିଟା ହେଲା ଆଉ ଧଳା ବୋର୍ଡ଼କୁ ଠିକ୍ ମୋ ଉପରେ ବସେଇ ଦିଆଗଲା । ଏତେଦିନର ଡର ସରିଲା । ଶେଷରେ ମୁଁ ରହିଲି, ଶାନ୍ତିରେ ନିଶ୍ୱାସ ମାରିଲି ।
ସୋମବାର ଦିନ ସ୍କୁଲ ଖୋଲିଲା, ପିଲାଏ ଆସିଲେ ଓ ପାଠ ପଢ଼ା ଆରମ୍ଭ ହେଲା । ମୁଁ କିଛି ଦେଖିପାରୁନଥାଏ । ଯାହା ଶୁଣୁଥାଏ ସେଥିରୁ ଜଣାପଡୁଥାଏ ଯେ ସମସ୍ତେ ଧଳା ଫିନ ଫିନ ବୋର୍ଡ଼ ଦେଖି ଭାରି ଖୁସି । ଆଉ ଚକ୍ ଖଡ଼ି ବ୍ୟବହାର ହେବନି, ଏବେଠୁ କଲମରେ ଲେଖାଯିବ । ସାର୍, ଦିଦି ଓ ପିଲାଏ ସମସ୍ତେ ଧଳା ବୋର୍ଡ଼ର ପ୍ରଶଂସା କରିଚାଲିଥାନ୍ତି । ଶ୍ରେଣୀ ଶିକ୍ଷକ ପ୍ରଥମ ପିରିୟଡ଼ରୁ କହିସାରିଛନ୍ତି, “କେହି ବିନା ଅନୁମତି ରେ ଧଳା ବୋର୍ଡ଼ ରେ ହାତ ଲଗାଇବ ନାହିଁ । ଏଇଟା କଳାପଟା ନୁହେଁ ଯେ ଯାହା ଇଛା ତାହା କରିବା । ଥରେ ଦାଗ ହେଇଗଲେ ଆଉ ଛାଡ଼ୋବନି ।” ଇତିହାସ ଦିଦି ଇଂରାଜି ସାର୍ଙ୍କୁ କହୁଥାନ୍ତି, “ବୁଝିଲେ ସାର୍, ଏଥର ଆମେ ବି କହିପାରିବା ଯେ ଆମ ସ୍କୁଲ ରେ ମଧ୍ୟ ହ୍ୱାଇଟ ବୋର୍ଡ଼ ଅଛି ।”
ଏସବୁ କଥା ଶୁଣିଲା ବେଳକୁ ଲାଗୁଥିଲା, “ଯଦି ମତେ ଭାଙ୍ଗିଦେଇଥାନ୍ତେ କି ପୋତିଦେଇଥାନ୍ତେ ବରଂ ଭଲ ହେଇଥାନ୍ତା । ଏ ପଙ୍ଗୁ ଜୀବନରେ ଖାଲି କଥା ଶୁଣିବାଟା ଯାହା ବାକି ରହିଲା ।” ମନେ ମନେ ଗୁମୁରି ଗୁମୁରି କାନ୍ଦିଲି । ଭାବୁଥିଲି, “ଯଦି ଧଳା ବୋର୍ଡ଼ଟା ଆଉ କୋଉଠି ଲାଗିପାରନ୍ତା କିମ୍ବା ମତେ ଘୁଞ୍ଚେଇ ପାରନ୍ତେ, ଯାହା ହେଲେ ବି ମୁଁ ପିଲାଙ୍କୁ ଦେଖିପାରନ୍ତି । ପିଲାଏ ପାଠ ନଲେଖିଲେ ବି ମୋ ଦେହରେ ଇଆଡୁ ସିଆଡ଼ୁ ଗାରେଇ ଥା’ନ୍ତେ । ହେଲେ, ଆଜି ଯାଏଁ ତ ମୋ ଜାଗା କୁ ନେଇକି ମୋର ଏତେ ଗର୍ବ । କେହି ମତେ ଘୁଞ୍ଚେଇ ପାରିବେନି ବୋଲି ଯୋଉ ଗର୍ବରେ ମୁଁ ଦିନେ ଆତ୍ମହରା ହଉଥିଲି ଆଜି ସେଇ ଗର୍ବ ହିଁ ମୋର ମନସ୍ତାପର କାରଣ ପାଲଟିଛି ।” ଏମିତି ଭାବୁ ଭାବୁ ଗଣିତ ସାର୍ଙ୍କ ପାଟି ଶୁଭିଲା । କ’ଣ ଆଉ ନୂଆ କଥା କହିବେ? ସେଇ ଧଳା ବୋର୍ଡ଼ର ପ୍ରଶଂସା ହେବ ଆଉ ମତେ ପୁଣି ବାଧିବ । ଭାବୁଛି ଆସ୍ତେ ଆସ୍ତେ ଏସବୁ ଦେହସୁହା ହେବ । କିନ୍ତୁ, ଗଣିତ ସାର୍ ସେମିତି କିଛି କହିଲେନି । ସହଜେ ପିଲାଙ୍କର ସାର୍ଙ୍କୁ ପ୍ରାଣେ ଭୟ, ତେଣୁ ଚୁପ୍ ଚାପ୍ ପାଠ ପଢ଼ା ଆରମ୍ଭ ହେଲା । ମଝିରେ ସାର୍ ପାଠ ପଚାରିବାରୁ ପିଲାଏ କହିଲେ, “ସାର୍, ଆମକୁ ଭଲକରି ଦିଶୁନି । ଅକ୍ଷର ସବୁ ଛୋଟ ହେଇଯାଉଛି ।” ସାର୍ କହିଲେ, “ହଉ ପୂର୍ବ ପାଠରୁ ପ୍ରଶ୍ନ ଡାକୁଛି ଲେଖ, ଆଉ ଉତ୍ତର ନିଜେ ନିଜେ କର । ମୁଁ କିଛି ସମୟ ପାଇଁ ବାହାରକୁ ଯାଉଛି, ଜମା ପାଟି ତୁଣ୍ଡ ଶୁଭିବନି ଯେମିତି ।” ଏତକ କହି ସାର୍ ବାହାରକୁ ଗଲେ ।
କିଛି ସମୟ ପରେ ଆଖି ଆଗରେ ବନ୍ଧାହେଇଥିବା ପୁଟୁଳି ଖୋଲା ହେବା ପରି ମୋ ଆଗରୁ ଧଳା ବୋର୍ଡ଼ଟିକୁ ଉଠାଗଲା । ଦୁଇଟି ପିଅନ ଆସି ଧଳା ବୋର୍ଡ଼କୁ କାଢ଼ି ପାଖ କାନ୍ଥରେ ଆଉଜାଇଦେଇ ଗଲେ । ସେମାନେ ଗଲାବେଳେ ଗଣିତ ସାର ବଡ଼ ପାଟିରେ କହୁଥାନ୍ତି, “ମୋ ପିରିୟଡ଼ରେ ଆସି ଏଇ ଧଳା ବୋର୍ଡ଼ କାଢ଼ିଦେଇ ଯିବ ଆଉ ପିରିୟଡ଼ ଶେଷରେ ପୁଣି କାନ୍ଥରେ ଚଢ଼େଇଦେବ । ଏଇ କଲମ ରେ ମତେ ଲେଖିବାକୁ ଭଲ ଲାଗୁନି । ପିଲାଙ୍କୁ ପାଠ ଦିଶୁନି । ଯଦି ଦେଖି ନପାରିବେ, ତାହେଲେ ବୁଝିବେ କ’ଣ ଆଉ ଅଙ୍କ କଷିବେ କ’ଣ?”
ମୁଁ ଜାଣିପାରୁନଥିଲି କାନରେ ଶୁଣୁଥିବା କଥାରେ ମନଦେବି ନା ଆଖିରେ ଦେଖୁଥିବା ପିଲାଙ୍କଠି ମନ ଦେବି । ଆଜି ପୁଣି ମନେ ମନେ ଭାବି ଖୁସି ହେଲି ଯେ, ‘ମୁଁ କଳାପଟା । ମୋର ସ୍ୱତନ୍ତ୍ର ଜାଗାଟି ଏବେ ବି କିଛି ଲୋକଙ୍କ ମନରେ ସୁରକ୍ଷିତ ଅଛି । ଭାବିଲି ସମୟ ଆଗରେ କେହି ଚିରସ୍ଥାୟୀ ନୁହଁ । ନୁଆ ଆସିବ, ପୁରୁଣା ଯିବ । କିଛି ଲୋକ ନୁଆକୁ ଭଲପାଇବେ ଆଉ କିଛି ପୁରୁଣାକୁ ଖୋଜିବେ । ନିଜର ସ୍ଥିତିକୁ ନେଇ ଗର୍ବ କରିବା ଅପେକ୍ଷା କର୍ମ କରିଯିବାଟା ହିଁ ବିଧେୟ ।” ଏବେ ମୋର ସବୁ ଗଣିତ ପିରିୟଡ଼କୁ ଅପେକ୍ଷା…
– ମଧୁସ୍ମିତା ପାଠୀ
Comments
ମଧୁସ୍ମିତା ପାଠୀ ଛୋଟ ଛୋଟ ଡେକୋରେଟିଭ୍ ଜିନିଷ ନିର୍ମାଣ କରିବା ସହ ଆର୍କିଟେକ୍ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି ।