ଶ୍ରୀଜଗନ୍ନାଥ ହିଁ ଶ୍ରୀରାଧାକୃଷ୍ଣ

jagannath-hi-radhakrushna

(ଦିବ୍ୟ ଶ୍ରୀବିଗ୍ରହଙ୍କର ଏହି ତତ୍ତ୍ୱର ଏକ ବିହଙ୍ଗାବଲୋକନ)

ପଶ୍ଚିମ ଦିଗ ଭାଗରେ ଅବସ୍ଥିତ ଠାକୁର, ପୂଣ୍ୟତୋୟା ଯମୁନା ସେପାରିରେ ପାତାଳି ହେବାକୁ ବସିଲେଣି । ଏପାରିରେ ତରୁ ଲତା କୁଞ୍ଜବନ ସବୁ ରଙ୍ଗଗମୟ । ସବୁକିଛି ଯେପରି ସ୍ତବ୍ଧ । ସମସ୍ତ ନିସ୍ତବ୍ଧତାକୁ ଭଙ୍ଗ କରି ରମଣୀ ଜଣେ ଘୁରିବୁଲୁଛନ୍ତି କୁଞ୍ଜକାନନ ମଧ୍ୟରେ । ଅତ୍ର, ତତ୍ର, ସର୍ବତ୍ର ଖୋଜିଚାଲିଛନ୍ତି ହଜାଇ ଦେଇଥିବା କେଉଁ ଏକ ଦୁର୍ମୂଲ୍ୟ ବସ୍ତୁକୁ । ମୁକୁଳିତ କେଶ, ଅସଜଡ଼ା ଅଙ୍ଗବାସ, ନୟନ ଯୁଗଳରୁ ବହିଯାଉଛି ଅବାରିତ ଅଶ୍ରୁଧାର । ଆହାଃ, ହତଭାଗିନୀ…!! ଗୁଣୁ ଗୁଣୁ ହୋଇ କହିଉଠୁଛନ୍ତି, “କାହାନ୍ତି ମୋ ପ୍ରିୟତମ? କେଉଁଆଡ଼େ ଲୁଚିଗଲେ? ଆଉ କ’ଣ ଚର୍ମଚକ୍ଷୁରେ ଦେଖିପାରିବି ନାହିଁ ତାଙ୍କ ରୂପ ଲାବଣ୍ୟକୁ?” କାନ୍ଦି କାନ୍ଦି ପାଗଳିନୀ ପ୍ରାୟ ଲୋଟି ଯାଉଛନ୍ତି ଧରଣୀ ବକ୍ଷରେ ।

ସେ ପାଗଳିନୀ ଆଉ କେହି ନୁହଁନ୍ତି, କୃଷ୍ଣ ବିରହିଣୀ, ଅପ୍ରାକୃତ ପ୍ରେମ ପୂଜାରିଣୀ, ହ୍ଲାଦିନୀ ଶକ୍ତି ସ୍ୱରୂପା ବୃଷଭାନୁ ରାଜନନ୍ଦିନୀ ଶ୍ରୀରାଧା । ନଟନାଗରଙ୍କର ବିହୁନେ ତାଙ୍କ ଜୀବନ ହୋଇଉଠିଛି ଅଲୋଡ଼ା । ବଞ୍ଚିବାର ଆବଶ୍ୟକତା ସତେ ଯେପରି ତୁଚ୍ଛ ହୋଇଉଠିଛି । ଶୟନେ ସପନେ ଯାହାଙ୍କ ଭାବନା ମନକୁ ଆଛନ୍ନ କରିଛି, ସେ ଯଦି ପର କଲେ, ତେବେ ବଞ୍ଚିବେ କାହା ପାଇଁ? ଅତୀତର ଘଟଣାବଳିକୁ ରୋମନ୍ଥନ କରି ବିଳପି ଉଠୁଛନ୍ତି ଶ୍ରୀକୃଷ୍ଣ ବିରହିଣୀ ଶ୍ରୀରାଧା । କାହ୍ନୁ, ସତରେ କ’ଣ ଆଉ ଗୋପପୁର ଫେରିବେନି?

ପୂଣ୍ୟତୋୟା ଯମୁନା ଆର ପାରିରେ ଦ୍ୱାରକା । ଋକ୍ମଣୀ, ସତ୍ୟଭାମା ସମେତ ଦିବ୍ୟ ଅଷ୍ଟପାଟ ମହିଷୀଗଣ ଅନୁରୋଧ କରିଛନ୍ତି ମା’ ରୋହିଣୀଙ୍କୁ ଶ୍ରୀରାଧା ଏବଂ ଗୋପୀଜନମାନଙ୍କ ସହ ଶ୍ରୀକୃଷ୍ଣଙ୍କର ବ୍ରଜଲୀଳା ସମନ୍ଧରେ କିଛି କହିବାପାଇଁ । ଏହି କଥାରେ ମା’ଙ୍କର ଆଖି ଛଳ ଛଳ ହୋଇଯାଇଛି ।

“ଶ୍ରୀକୃଷ୍ଣ ଗୋପୀଙ୍କର ଭାବ, ଯେ ବ୍ରହ୍ମା ଶିବଙ୍କୁ ଦୁର୍ଲଭ ।
କେ କହପାରେ ତହିଁ ସ୍ୱାଦ, ବିଷୟା ବିଷକୁ ସେ ଗଦ ।।”

ତଥାପି ମା’ ରୋହିଣୀ ସେଇ ଛଳ ଛଳ ଆଖିରେ କହିଚାଲିଛନ୍ତି କାହ୍ନୁଙ୍କର ସର ଲବଣୀ ଚୋରି କରି ଖାଇବାଠାରୁ ନିକୁଞ୍ଜ କାନନରେ ପବିତ୍ର ରାସଲୀଳା ପର୍ୟ୍ୟନ୍ତ ଘଟଣାବଳିକୁ । ବ୍ରଜଲୀଳାଠାରୁ ଶ୍ରେଷ୍ଠ ଲୀଳା ପ୍ରଭୂଙ୍କର ଆଉକିଛି ନାହିଁ । ଅଷ୍ଟପାଟ ମହିଷୀଗଣ ଅବଗତ ହୋଇଗଲେଣି ଯେ ଶ୍ରୀରାଧା କିପରି କୃଷ୍ଣଙ୍କ ବିନା ପାଗଳିନୀ । ଦୈହିକ କାମନା ବାସନାର ଉର୍ଦ୍ଧ୍ୱରେ ଥିଲା ଶ୍ରୀରାଧାଙ୍କର ଚିନ୍ତା ଓ ଚେତନା । ଅପ୍ରାକୃତ ପ୍ରେମର ସେ ଥିଲେ ପୂଜାରିଣୀ ।

ମା’ ରୋହିଣୀ ବ୍ରଜଲୀଳା ବର୍ଣ୍ଣନା କରୁଥିବା ସମୟରେ ସମସ୍ତଙ୍କ ଅଗୋଚରରେ ଦ୍ୱାରବନ୍ଧ ପାଖେ ପରମ ପ୍ରେମମୟ ଶ୍ରୀକୃଷ୍ଣଚନ୍ଦ୍ର, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା, ଭାଇଭଉଣୀ ତିନିଜଣ, ଗୋପାଙ୍ଗନା ସର୍ବୋପରି ଶ୍ରୀରାଧାଙ୍କର ଅପ୍ରାକୃତ ପ୍ରେମର ଗାଥା ଶ୍ରବଣ କରି ଏପରି ଆତ୍ମବିଭୋର ହୋଇଗଲେ ଯେ ସେମାନଙ୍କ ଅଙ୍ଗ ବିଗଳିତ ହେବାକୁ ଲାଗିଲା । ସହସା ସେମାନଙ୍କ ପାଖେ ଦେବର୍ଷି ନାରଦ ଉପସ୍ଥିତ ହୋଇ କରଯୋଡ଼ି କହିଲେ, “ପ୍ରଭୂ ଆଜି ମୁଁ ଯେଉଁ ହସ୍ତ, ପଦ ବିଗଳିତ ରୂପ ଆପଣଙ୍କର ଦେଖିବାକୁ ପାଉଛି, ସେହି ରୂପରେ ଆପଣ ଅନ୍ୟ ଭକ୍ତମାନଙ୍କୁ ଦର୍ଶନ ଦେବାର ସୁଯୋଗ ଦିଅନ୍ତୁ ।” ମହାପ୍ରଭୂ କହିଲେ, “ତଥାସ୍ତୁ, ହେ ଦେବର୍ଷି, କଳିଯୁଗରେ ଆମ୍ଭେ ତିନି ଜଣ ଏହିପରି ହସ୍ତପାଦ ବିହିନ ହୋଇ ନୀଳାଚଳରେ ଭକ୍ତଙ୍କୁ ଦର୍ଶନ ଦେବୁ ।” ରାଧା ତତ୍ତ୍ୱରେ ସୃଷ୍ଟିରେ ସବୁକିଛି ଆତଯାତ ହେଉଛି ।

“ରାଧା ବୋଲି ଅଟେ ଯେଉଁ ଦିଓଟି ଅକ୍ଷର
ସମାନ ନୁହଁଇ ତାଙ୍କୁ ଚତୁର୍ଦ୍ଦଶ ପୁର ।
ରାଧା ନାମେ ଗଙ୍ଗା ଯାଏ ତିନିପୁରେ ବହି,
ରାଧା ନାମେ ଚନ୍ଦ୍ର ସୂର୍ଯ୍ୟ ଆତଯାତ ହୋଇ ॥”
(ଚିତ୍ତବିନୋଦ)

ଶ୍ରୀଜଗନ୍ନାଥଙ୍କୁ ଶ୍ରୀରାଧାକୃଷ୍ଣଙ୍କର ପ୍ରେମମୟ ସ୍ୱରୂପ ରୂପେ ପଞ୍ଚଗୋସ୍ୱାମୀ ସଖାମାନଙ୍କ ଆଗେ ବର୍ଣ୍ଣନା କରି ଶ୍ରୀଚୈତନ୍ୟ ମହାପ୍ରଭୁ ଆନନ୍ଦରେ ବିଭୋର ହୋଇଯାଉଥାନ୍ତି । ସେ ଶ୍ରୀଜଗନ୍ନାଥଙ୍କୁ ରାଧାକୃଷ୍ଣଙ୍କର ଏକଇ ବିଗ୍ରହ ଭାବେ ଦର୍ଶନ କରିଛନ୍ତି । ଶ୍ରୀଚୈତନ୍ୟଙ୍କ ବହୁ ପୂର୍ବରୁ, ଜଗତ୍ ଗୁରୁ ଆଦି ଶଙ୍କରାଚାର୍ଯ୍ୟ ଏହି ଦିବ୍ୟ ବିଗ୍ରହଙ୍କ ସମନ୍ୱୟ ଭାବକୁ ବୁଝିପାରି ରଚନା କରିଯାଇଛନ୍ତି ‘ଜଗନ୍ନାଥାଷ୍ଟାକମ୍‌’। ଏହାର ୬ଷ୍ଠ ପଦରେ ଶ୍ରୀଜଗନ୍ନାଥଙ୍କୁ ରାଧା ଏବଂ କୃଷ୍ଣଙ୍କ ସମ୍ମିଳିତ ବିଗ୍ରହ ବୋଲି ବର୍ଣ୍ଣନା କରାଯାଇଛି ।

“ପରବ୍ରହ୍ମାପୀଡ଼ଃ କୁବଲୟଦଳୋତ୍ଫୁଲ୍ଲ ନୟନୋ
ନିବାସୀ ନୀଲାଦ୍ରୌ ନିହିତଚରଣୋନଂତଶିରସି
ରସାନଂଦୋ ରାଧା ସରସବପୁରାଲିଂଗନସୁଖୋ
ଜଗନ୍ନାଥଃ ସ୍ଵାମୀ ନୟନପଥଗାମୀ ଭବତୁ ମେ ।।୬।।”

ପଞ୍ଚଗୋସ୍ୱାମୀ ସଖାମାନେ ରାଧାକୃଷ୍ଣଙ୍କ ଲୀଳାକୁ ଜୀବପରମଙ୍କ ଲୀଳାରୂପେ ମଧ୍ୟ ଅଭିହିତ କରିଛନ୍ତି । ନାସିକାର ଦୁଇପୁଡ଼ାରେ ଦ୍ୱାଦଶ ବୃନ୍ଦାବନ ସହ ରାଧାକୃଷ୍ଣଙ୍କ ଲୀଳା, ସାଧନା ଚକ୍ଷୁରେ ଦେଖି ଅତିବଡ଼ୀ ତୁଳାଭିଣାରେ ଲେଖିଛନ୍ତି,

“ନାସିକା ଏ ବେନି ପୁଡ଼ାରେ । ରାଧିକାକୃଷ୍ଣ ସହିତରେ,
ଦ୍ୱାଦଶ ବୃନ୍ଦାବନ ଏହି । କେଳି କରନ୍ତି କୃଷ୍ଣ ରହି ।।”

ତେବେ, ପ୍ରତିଟି ଓଡ଼ିଆର ପ୍ରାଣରେ, ଚେତନାରେ ଶ୍ରୀବିଗ୍ରହଙ୍କର ଏହି ତତ୍ତ୍ୱମାନ ନିରନ୍ତର ବିଦ୍ୟମାନ କାରଣ ପ୍ରତି ଓଡ଼ିଆପାଇଁ ଶ୍ରୀଜଗନ୍ନାଥ ହେଉଛନ୍ତି ତା’ ପ୍ରାଣର ପ୍ରାଣ, ଚେତନାର ଚେତନା, ଅତି ଶ୍ରଦ୍ଧାରେ ତା’ କାଳିଆସୁନା । ଭୋକ ବିକଳିଆ ତା’ ପ୍ରଭୁ, ଚଉଦ ଦିନ ହେଲା କିଛି ଖାଇନାହାନ୍ତି, ରାଜବୈଦ୍ୟଙ୍କର ଉପଚାର ସହିତ ନିଜ କୁଟୁମ୍ବାଦିଜନଙ୍କର ସେବା ପାଇଁ ଏବେ ରୋଗରୁ ଉଠିଛନ୍ତି । ରତ୍ନସିହାଂସନାରୁଢ଼ ହୋଇ ଦୁଇ ବିଶାଳ ଭୂଜ ଲମ୍ବାଇ ପୁନଶ୍ଚ ଡାକି ଡାକି କହିବେ, “ମୁଁ ଖାଲି ତୁମ୍ଭମାନଙ୍କର ସେବ୍ୟ ନୁହେଁରେ… ମୁଁ ସମସ୍ତ ଜୀବ ଜଗତର ପ୍ରଥମ ସେବକ । ମୋ ସେବାରେ ବିରାମ ନାହିଁ । ଯଦି କେଉଁଠି କେବେ ବିରାମ ହେଲା ତେବେ ସେଠି ପ୍ରଳୟ । ତା’ ସଂସାର ଚହଲି ଯିବ । ସବୁକିଛି ସ୍ଥାଣୁ ପାଲଟି ଯିବ ।” ସେଇ ଚନ୍ଦ୍ରସୂର୍ଯ୍ୟ ଭଳି ଦୁଇ ଆଖିକୁ ଦେଖି ମହାପୁରୁଷ ଅଚ୍ୟୁତାନନ୍ଦ ଗାଇଉଠିଛନ୍ତି,

“ଆଖିକୁ ଆଖିରେ ଦେଖରେ ବାବୁ
ଆଖି ସେବିଲେ ଚକାଆଖି ପାଇବୁ ।।”

ଜୟ ଶ୍ରୀରାଧେକୃଷ୍ଣ

କପିଳେଶ୍ଵର ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...