କେବେ କେଜାଣି
ଏ ଅଣନିଃଶ୍ୱାସୀ ରାତି ପାହିବ,
ଆକାଶ ସିନ୍ଦୂର ପିନ୍ଧିବ,
ପାଦରେ ଚପଳା ପାଉଁଜି,
ଘଡ଼ଘଡ଼ ହୋଇ ବାଜିବ ॥
ବିନା ବାଦଲରେ ଆଖି ବରଷୁଛି,
କେବେ ତୋ’ ମନ ମାଟି ଭିଜିବ,
ମୃତ ପ୍ରାୟ ସେଠି ପ୍ରେମର ଅଙ୍କୁର,
କେତେ ଦିନ ଅବା ଜିଇଁବ ॥
ବିରହୀ ଝୁମୁକା କାନକୁ ଝୁରଇ,
ଶଙ୍ଖା ଝୁରେ ମଣିବନ୍ଧକୁ,
ନିଃସ୍ୱତାର ଶୀତ ଜାବୁଡ଼ି ଧରଇ,
ପ୍ରତୀକ୍ଷା ମଳୟର ଉଷ୍ମତାକୁ ॥
ଗାଁ ଚଲାବାଟ ଅନେଇ ବସିଛି,
କେବେ ଅଶ୍ୱ ଖୁରା ଧୂଳି ଉଡ଼ିବ,
ପାଦ ନାଲି ରଙ୍ଗେ ରଞ୍ଜିତ ହେବ,
ଦେହୁ ହଳଦୀର ମଳି ଝଡ଼ିବ ॥
କହିଦେ’ରେ ଜହ୍ନ,ଏଇଟା କି ମୋର
ହେବ ଅନ୍ତିମ ରାତି?
ଶୋଇବି କି ତା’ର କୋଳେ ମୁଣ୍ଡ ରଖି
ଅବା ଅଧା ରହିଯିବ ପ୍ରୀତି??
ପାଉଁଜି, ଟିକିଲି, ଝୁମୁକା ଓ ଚୁଡ଼ି
ରହିଯିବ ଫରୁଆରେ,
ରାତି ପାହିଯିବ, ଶ୍ୱାସ ରହିଯିବ,
ଜୀବ ନଥିବ କାୟାରେ ॥
– ବିଶ୍ୱନାଥ କିଙ୍କର ରାଉତ
Comments
ବିଶ୍ୱନାଥ କିଙ୍କର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।