ଦାନ ମଧ୍ୟେ ବିଦ୍ୟା ଦାନ
ଶ୍ରେଷ୍ଠ ମହୀତଳେ,
ମୂରୁଖ ମହାନ ସାଜେ
ଗୁରୁ କୃପା ବଳେ ।
ଜ୍ଞାନାଲୋକ ଦେଇ ଯିଏ
ନିଇତି ହସାଏ,
ସିଏ ପରା ମାତା-ପିତା
ଗୁରୁ ପରା ସିଏ ।
ଯୁଗେ ଯୁଗେ ଗୁରୁ ପୂଜା
ରହିଛି – ରହିବ…
କିଏ କହେ ଗୁରୁ ବିନା ଜ୍ଞାନ ପାଇ ହେବ?
ଗୁରୁ ବାଣୀ ଗଙ୍ଗା ପରି
ଶାଶ୍ଵତ – ପବିତ୍ର,
ସୁନ୍ଦର – ସତ୍ୟ – ପ୍ରଶାନ୍ତି
ମଧୁର – ଅମୃତ ।
ଗୁରୁ ସେବା – ଭକ୍ତି – ପ୍ରେମେ
ମିଳେ ଦିବ୍ୟାସନ,
ଗୁରୁ ନିନ୍ଦା କରେ ଯେହୁ
ହୁଏ ଦୀନ – ହୀନ ।
ଗୁରୁ ହିଁ ଅମ୍ଳାନ, ଆତ୍ମା
କହୁଛି – କହିବ…
କିଏ କହେ ଗୁରୁ ବିନା ଜ୍ଞାନ ପାଇ ହେବ?
କବି – ଶିଳ୍ପୀ – ସଂଗୀତଜ୍ଞ
ଯେତେ ନାମ ଧର,
କାହା ଯୋଗେ ସୁବିଖ୍ୟାତ
ପଚାର – ପଚାର ।
ଯାହା ସ୍ପର୍ଶେ ବଣମଲ୍ଲୀ
ମହକାଏ ବାସ,
ସେଇ ହିଁ ତ ଗୁରୁ,
ଗୁରୁ ବିନା ନାହିଁ ଯଶ ।
ଗୁରୁ ହିଁ ଈଶ୍ଵର ମନ
ଗାଉଛି – ଗାଇବ…
କିଏ କହେ ଗୁରୁ ବିନା ଜ୍ଞାନ ପାଇ ହେବ?