ଗୋଟେ ସପ୍ତାହେ ହେବ ସ୍ମିତାର ମନ ବହୁତ ଖୁସି । ହବନି ବି କ’ଣ ପାଇଁ ଯେ, ଆସନ୍ତା ରବିବାର ଦିନ ସ୍କୁଲର ଆଲୁମିନି ମିଟ୍ । ସବୁ ସାଙ୍ଗମାନଙ୍କ ବରାଦ, ଏଇଥର ସମସ୍ତେ ଯିଏ ଯୋଉଠି ଥାଉ ନା କାହିଁକି ସମୟ ବାହାରକରି ସମସ୍ତଙ୍କୁ ନିହାତି ଯିବାକୁ ପଡ଼ିବ, ପ୍ରତ୍ୟେକଥର ହାତଗଣତି ପିଲା ଯାଆନ୍ତି; ଆଉସବୁ କିଛି ନା କିଛି ବାହାନା କରି ଯାଆନ୍ତିନି । ହେଲେ ଏଥର ସମସ୍ତେ ଯିବାକୁ ବାଧ୍ୟ । ସାଙ୍ଗସାଥି ହେଲେ ସ୍ମିତାର ଜୀବନ, କିନ୍ତୁ ପାଠପଢ଼ା, ପରୀକ୍ଷା, ଚାକିରୀ ତା’ପରେ ପୁଣି ଶାଶୁଘରକୁ ନେଇ ଚଳିଲା ବେଳକୁ ତାକୁ ନିଜ ଇଚ୍ଛା ଆଉ ଖୁସି ସହ ସାଲିସ୍ କରିବାକୁ ପଡ଼େ । କିନ୍ତୁ ଏଇଥର ସେ ତା ସ୍ୱାମୀ ଅଜୟଙ୍କୁ ଆଗରୁ କହିଦେଇଛି, ରବିବାର ଦିନ ସେ ଯେମିତି କିଛି ପ୍ଲାନ କରିବେନି, ସେ ତା’ ଗାଁ ସ୍କୁଲକୁ ଯିବ ପୁରୁଣା ସାଙ୍ଗ ସାଥିଙ୍କ ସହ ଦେଖା କରିବ । ଅଜୟର ସ୍ମିତାକୁ ଛାଡ଼ିବାକୁ ସେତେଟା ଇଚ୍ଛା ନଥିଲେ ବି ତା ଆଗ୍ରହ ଦେଖି ମନା କରିପାରିଲାନି । ଯେତେ ହେଲେ ପ୍ରେମ ବିବାହ ଆଉ ପ୍ରେମ ବିବାହରେ ନାରୀମାନଙ୍କ ଟାଣ ଟିକେ ଅଧିକା । ଅଜୟର ପୁଣି ଡର ଯେ ଯଦି ସ୍ମିତା ରାଗିଯିବ ତା’ପରେ ତାକୁ ବୁଝେଇବା ଆହୁରି କଷ୍ଟ । ସେ ସବୁକୁ ଦୃଷ୍ଟିରେ ରଖି ଅଜୟ ବି ହଁ କରିଦେଇଛି । ତେଣୁ ସ୍ମିତାର ମନଟା ଖୁସିରେ ପୁରା ନାଚି ଉଠୁଛି ।
ହେଲେ ଗୋଟେ ଅଜଣା ଡର ଆଉ ଖୁସି ମିଶିଥିବା ଫିଲିଂସ୍ ସ୍ମିତାର ମନକୁ ଆନ୍ଦୋଳିତ କରୁଛି । ସେଇଟା ଆଉ କିଛି ନୁହେଁ ମ… ଚନ୍ଦନ ସହ ଏତେ ଦିନ ପରେ ଦେଖାହେବ ନା ସେଇଥିପାଇଁ ।
ଚନ୍ଦନ ହେଉଛି ସ୍ମିତାର ପିଲା ଦିନ ସାଙ୍ଗ । ଦୁହେଁ ମିଶି ଦଶମଯାଏଁ ପଢ଼ିଛନ୍ତି । ତା’ପରେ ସ୍ମିତାର ବାପାଙ୍କ ବଦଳି ହେଇଯିବାରୁ ସେମାନେ ଗାଆଁ ଛାଡ଼ି ସହରକୁ ଚାଲିଗଲେ । ସହରରେ ସ୍ମିତା ଆଗକୁ ପାଠ ପଢ଼ିଲା ଆଉ ଚନ୍ଦନ ଗାଁରେ +୨ ପଢ଼ିବା ପରେ ଇଞ୍ଜିନିୟରିଂ ସାରି ଏବେ କାଳେ ଲଣ୍ଡନରେ ଚାକିରୀ କରୁଛି । ଚନ୍ଦନ ସହ ସ୍ମିତାର ଶେଷ ଥର ଦେଖା ହେଇଥିଲା ୮ ବର୍ଷ ତଳେ ଭୁବନେଶ୍ୱରରେ, ଯେତେବେଳେ ସେ ରମାଦେବୀ ମହିଳା ମହାବିଦ୍ୟାଳୟରେ ପଢ଼ୁଥିଲା, ସେତେବେଳେ ଅଜୟ ସହ ମଧ୍ୟ ଦେଖା କରିଥିଲା ଚନ୍ଦନ । ତା’ପରେ ଚନ୍ଦନ କେବେ ସ୍ମିତା ସହ ଦେଖା କରିନି କି ନିମନ୍ତ୍ରଣ ପଠେଇଲା ପରେ ଅଜୟ ଆଉ ସ୍ମିତାର ବାହାଘରକୁ ଆସିନି । ଏଇଥର ଚନ୍ଦନକୁ ଦେଖାକରିବ ବୋଲି ସ୍ମିତା ଗୋଡ଼ଟେକି ବସିଛି ରବିବାରକୁ । ଶେଷରେ ରବିବାର ଆସିଲା ସମସ୍ତଙ୍କ ଖୁସି କହିଲେ ନ ସରେ, ହେଲେ ଏତେ ଖୁସି ଭିତରେ କିନ୍ତୁ ସ୍ମିତା ଖାଲି ଚାହିଁ ବସିଥାଏ ଚନ୍ଦନର ଆସିବା ବାଟକୁ । ମିଟିଙ୍ଗ ମଧ୍ୟ ଆରମ୍ଭ ହେଇଗଲା ।
ସ୍ମିତା ବହୁତ ବିଚଳିତ ହେଉଥାଏ । ହଠାତ୍ ତାକୁ କିଏ ପଛରୁ ଡାକିଲା “ଏ ଫୁଲକି!” ସ୍ମିତାର ଫୁଲେଇ ଗୁଣ ପାଇଁ ଚନ୍ଦନ ତାକୁ ଛୋଟ ବେଳୁ ଫୁଲକି ଡାକେ, ଏତେ ବର୍ଷ ପରେ ଏ ଡାକ ଶୁଣି ସ୍ମିତା ଚମକି ପଛକୁ ଦେଖିଲା । ତା’ଆଗରେ ଥିଲା ଚନ୍ଦନ । ବିଦେଶରେ ରହି ଚନ୍ଦନ ଏତେ ଭଲ ଦେଖା ଯାଉଥିବ ବୋଲି ସ୍ମିତା କଳ୍ପନା କରିନଥିଲା । ଏବେ ସ୍ମିତାର ଖୁସି କହିଲେ ନ ସରେ, ସତେ ଯେମିତି ସେ ସବୁ କିଛି ପାଇଗଲା । କେତେ ଅଭିମାନ କେତେ ଅଭିଯୋଗ ସବୁ ଏକା ଥରେ କାଢ଼ିଦେଲା ସ୍ମିତା, ଯେମିତି ସେ ଅଭିମାନ ସବୁ ତା’ ଉପରେ ବୋଝ ଭଳି ଥିଲା ।
ଏମିତି ଖୁସିରେ ଦିନଟି କଟି ସନ୍ଧ୍ୟା ହେବାକୁ ଆସିଲା । ବିଦାୟର ସମୟ ସମସ୍ତଙ୍କ ମନ ଶୁଖିଲା । ସ୍ମିତା ଆଉ ଚନ୍ଦନର ମଧ୍ୟ କଥା ସରୁ ନଥାଏ । ଶେଷ ରେ ସ୍ମିତା ପଚରିଲା, “କେତେ ଦିନ ରହିବୁ?” ଚନ୍ଦନ କହିଲା, “କାଲି ଫ୍ଲାଇଟ ଅଛି, ସେଇଠି ବହୁତ କାମ ରହିହବନି ଲ । ଆସନ୍ତାଥର ଆସିଲେ ମାଆବାପାଙ୍କୁ ବି ସାଥିରେ ନେଇଯିବି ।” ସ୍ମିତା କ’ଣ କହିବ ଭାବିପାରୁନଥାଏ । ଏଇଟା ବୋଧେ ଚନ୍ଦନ ସହ ତା’ର ଶେଷ ଦେଖା ।
ହଠାତ୍ ସ୍ମିତା ପାଟିରୁ ବାହାରି ପଡ଼ିଲା, “ଲଣ୍ଡନରୁ ଆସିଲୁ ହେଲେ ମୋ ପାଇଁ କିଛି ବି ଆଣିଲୁନି?” ସ୍ମିତାର ଏଇ ଗୋଟେ ବଦଭ୍ୟାସ, ସେ ଅଜୟକୁ ବି ସେମିତି ପଚାରେ । ହେଲେ ସେ ସିନା ସ୍ୱାମୀ ବୋଲି ଚଳିଯାଏ, ଚନ୍ଦନ କିନ୍ତୁ ସାଙ୍ଗ ପୁଣି ଏତେ ବର୍ଷ ପରେ ଦେଖା ସାକ୍ଷାତ ଟିକେ ଭଦ୍ରାମି ନାହିଁ ବୋଲି ଚନ୍ଦନ ଭାବିବନି । ଏମିତି ସବୁ ଭାବି ସ୍ମିତା ଲାଜରେ ଆଉ କିଛି କହିପାରୁନଥାଏ ।
ଚନ୍ଦନ ମଧ୍ୟ ଏଇ ପ୍ରଶ୍ନର କିଛି ଉତ୍ତର ନ ପାଇ, ପାଖରେ ଥିବା ଗୋଲାପ ଗଛରୁ ଫୁଲଟେ ଛିଡ଼ାଇ ବଢ଼େଇ ଦେଲା ସ୍ମିତା ଆଡ଼କୁ । “ନେ ତୋ ଗିଫ୍ଟ…” ଚନ୍ଦନକୁ ଗୋଲାପ ଫୁଲ ବହୁତ ପସନ୍ଦ କିନ୍ତୁ ସ୍ମିତାକୁ ଗୋଲାପ ଫୁଲ ଭଲ ଲାଗେନି । ସ୍ମିତାର ମତରେ ଗୋଲାପର ଖାଲି ସୁନ୍ଦରତା ଅଛି, ହେଲେ ଗୁଣ କିଛି ବି ନାଇଁ, ପୁରା କଣ୍ଟାରେ ଭର୍ତ୍ତି, ଗୁଣ ନଥାଇ ସୁନ୍ଦରତାର ଲାଭ କ’ଣ?
ଗୋଲାପକୁ ହାତରେ ଧରି ସ୍ମିତା କହି ପକେଇଲା, “ତୁ ଜାଣିଛୁ ମୋତେ ଗୋଲାପ ବିଲକୁଲ ପସନ୍ଦ ନୁହେଁ, ତୋ’ ଚଏସ ଭଲ ନାହିଁ, ଏ ଫୁଲ ବି ଠିକ୍ ତୋ ଭଳି ଖାଲି ସୁନ୍ଦର ହେଲେ ଗୁଣ କିଛିବି ନାହିଁ ।”
ସ୍ମିତାର ମୁହଁକୁ ଦେଖି ଟିକେ ହସିଦେଇ ଚନ୍ଦନ କହିଲା, “କିଏ କହିଲା ଗୋଲାପର ଗୁଣ ନାହିଁ, ଏ ପରା ସେଇ ଫୁଲ ଯିଏ ନିଜେ ଭାଙ୍ଗିଯାଇ, ନିଜ ଅସ୍ତିତ୍ୱକୁ ହରାଇ, ଜନ୍ମ ହେଇଥିବା ଗଛଠାରୁ ଅଲଗା ହେଇ ଦୁଇ ପ୍ରେମୀଙ୍କୁ ଏକାଠି କରିଥାଏ । ତୁ ବୋକୀ ବୋଲି ଜାଣିପାରିନୁ ।”
ହେଲେ ଏଥର ସ୍ମିତା ସବୁକିଛି ଠିକ ବୁଝିଥିଲା କିନ୍ତୁ ନିରୁତ୍ତର ଆଉ ନିରୁପାୟ ଥିଲା । କେବଳ ଗୋଲାପ ଫୁଲଟିକୁ ଅତି ଯତ୍ନରେ ଧରି ଆଖିରୁ ଦୁଇ ଟୋପା ଲୁହ ଝରେଇ ଚନ୍ଦନକୁ ବିଦାୟ ଦେଇପାରିଥିଲା ।
– ସୌମ୍ୟାଶ୍ରୀ ତ୍ରିପାଠୀ
Comments
ସୌମ୍ୟାଶ୍ରୀ ତ୍ରିପାଠୀ ପେଶାରେ ଜଣେ ଅଧ୍ୟାପିକା, ଯିଏକି ବର୍ତ୍ତମାନ ଜୟପୁରର ଏକ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ସେ ଅଧ୍ୟାପନା ବ୍ୟତୀତ ଓଡ଼ିଆରେ ଗଳ୍ପ, କବିତା ଆଦି ରଚନା କରନ୍ତି ।