ପ୍ରାୟ ୨୮ କି ୨୯ ବର୍ଷ ତଳର କଥା । ମହାପାତ୍ର ବାବୁ, ତାଙ୍କ ଧର୍ମ ପତ୍ନୀ ଟୁନା ମାଉସୀ ଆଉ ତିନି ଜଣ ଛୁଆଙ୍କ ସହ ରହୁଥିଲେ ଏଇ ଆମ କଟକର ଡଗରପଡ଼ାର ବଣିଆ ସାହିରେ, ଆମ ଘରର ପଡିଶା ଘର ସେ । ଛୁଆ ତିନିଟା ଦୁଇ ଦୁଇ ବର୍ଷ ସାନ ବଡ଼ । ମହାପାତ୍ର ବାବୁଙ୍କୁ ଏଇ ୩୬ ବର୍ଷ ଆଉ ଟୁନାଦେବୀଙ୍କୁ ୨୭ କି ୨୮ ହେବ ଅତି ବେଶୀରେ, ସେ ସମୟରେ ଝିଅ ଗୁଡ଼ାକ ୧୮ କି ୧୯ ରେ ବାହା ହେଇଯାଉଥିଲେ, ଆମ ସମାଜର ନୀତିନିୟମ ଅନୁଯାୟୀ କୁଆଡ଼େ, ତେଣୁ ୨୭ କି ୨୮ ରେ ତିନି କି ଚାରିଟା ଛୁଆ କିଛି ବଡ଼ କଥା ନୁହେଁ | ବାବୁ ସବୁ ବେଳେ କାମ ଲାଗି ବାହାରେ ତେଣୁ ଟୁନା ମାଉସୀଙ୍କୁ ସବୁ ସମ୍ଭାଳିବାକୁ ପଡ଼େ । ବନ୍ଧୁବାନ୍ଧବ କଟକ ଟାଉନଯାକରେ ଭରା, କିନ୍ତୁ କାମ ନପଡ଼ିଲେ ମୁହଁ ଟିକେ ବି ଦେଖାନ୍ତିନି କେହି । ପଡିଶାଘର ପମ୍ପୁ ମଉସା, ଭାଗୁ ମଉସା, ଟିଟନ ଭାଇ ଆଉ ଉପର ଘର ଲୋପାଦେଇଙ୍କୁ ଜେଜୀ ଏଇ ମାନେ ହେଲେ ବାବୁଆଣୀଙ୍କ ବେଳ ଅବେଳର ସାହା ଆଉ ଭରସା । ସେଦିନ ମହାପାତ୍ରବାବୁ ଯାଇଥାନ୍ତି କୋରାପୁଟ, ଅଫିସ କାମରେ, ଦୁଇ ଦିନ ପରେ ଆସିବାର ଥାଏ । ଘର କାମ ସାରି ଛୁଆଙ୍କ କାମ ସାରି ନିଶ୍ୱାସ ମାରିଲା ବେଳକୁ ଠିକ ଦିନ ତିନିଟା । ଖଟଟାରେ ଟିକେ ଗଡ଼ପଡ଼ ହଉ ହଉ କେତେବେଳେ ଯେ ନିଦ ଲାଗିଗଲା ତା‘ ଘନା ନାହିଁ । ସମୟ ସନ୍ଧ୍ୟା ୫ଟା ବାଜି ଦଶ ମିନିଟ୍, ଜେଜୀ ଉପରେ ଥାଇ ଡାକ ଛାଡିଲେ, “ଆଲୋ ବେବି ବଉ ସନ୍ଧ୍ୟା ହେଲାଣିଲୋ ଶୋଇଛୁ ଏଯାଏଁ ଉଠି ପଡ଼େ” । କହି ରଖେ ଯେ ବେବି ହେଲା ମଉସା ମାଉସୀଙ୍କ ବଡ଼ ଝିଅ, ମୋ ସାଙ୍ଗ । ଧଡ଼ପଡ଼ ହେଇକି ଉଠିପଡ଼ିଲେ ଟୁନା ମାଉସୀ, ଦେଖିଲେ ସୂର୍ଯ୍ୟ ଅସ୍ତ ହବା ଲାଗି ସଜବାଜ ହେଲେଣି । ଛୁଆ ତିନିଟା ଅଗଣାରେ ଡିଆଁ ମାରୁଛନ୍ତି କେତେବେଳୁ ଉଠିକରି । ଠିକ ସେଇ ସମୟରେ କବାଟରେ ଠକ୍ ଠକ୍ ଆବାଜ କଲେ ଲୋପାଦେଇ, “ଆରେ ଆସ ଚୁଡ଼ିବାଲା ଆସିଛି ପରା ଦୁଇ ଡର୍ଜନ କିଣି ନିଅ ନାଲି ନେଳି ଦେଖିକି” । “ଚୁଡ଼ିଗୁଡ଼ାକ ଭାରି ସୁନ୍ଦର ହେଇଚିଲୋ ଦେଇ” କହିକି ଟୁନା ମାଉସୀ ଡର୍ଜନଟେ ହାତରେ ଧରିଲେ । “ଭାଉଜ ପାଞ୍ଚ ଟଙ୍କା ଡର୍ଜନ” କହିଲା ଛୁଡ଼ିବାଲା । କହିଲେ, ହେଁ ପାଞ୍ଚ ଟଙ୍କା, ଏଗୁଡ଼ାକ କ‘ଣ ସୁନା ନା ଚାନ୍ଦି, ତୁମ ମୁଣ୍ଡ ଠିକ ନାହିଁକି? “ଆରେ ନା ନା ରାଜସ୍ଥାନରୁ ଆସିଛି ଏଇ ପଥର ବସା ଯଉ ଚୁଡ଼ି, ଭାରି ଆଦର ଆଉ ଦର ବି ।” ନା‘ମଁ ଦୁଇଟଙ୍କା ଦେବି, ଦବୁ ଯଦି ଦେ ନହେଲେ ଥାଉ । ନା ନା ହବନି କହିକି ଚୁଡ଼ି ବାଲାଟା ଉଠିଗଲା ଝୁଡ଼ିଟାକୁ ମୁଣ୍ଡକୁ ଉଠେଇ, ନଛୋଡ଼ାବନ୍ଧା ସେ । ମୂଲଚାଲ କଲେ ବି ଶୁଣିଲାନି, କହିଲା ଥାଉ ନନେଲେ ନ ନିଅ, ମୋର ଆହୁରି ବଡ଼ ଗରାଖ ଅଛନ୍ତି ମ‘ । ମାଉସୀଙ୍କର ସେ କି‘ ଅବସ୍ଥା, ରାଗ ତମ ତମକୁ ଚୁଡ଼ିରେ ପୁଣି ମନ, ସିଆଡ଼େ ଦଶଟି ଟଙ୍କା ପଡ଼ିଛି ଘର ଚଳେଇବାକୁ ମାସକ ଲାଗି । “ହଉ ଥାଉ ଆଉ କେବେ ଦେଖିବା” କହିକି ମନକୁ ମାରି ପଳେଇଲେ ଅଗଣା ଆଡ଼କୁ । ସେତେବେଳେ ସାନ‘ଦିଟା ଚୁଟି ଟଣାଭିଡ଼ା ହେଲେଣି ଆଉ ତା‘ ସାଙ୍ଗକୁ କାନ୍ଦ ବୋବାଳି ବି । ରାଗରେ ତମତମ ହେଇ ଦୌଡ଼ି ଆସିଲେ ମାଉସୀ ବଡ଼ ପାଟିଟେ କରି ଛୁଆଗୁଡ଼ାଙ୍କ ଉପରେ, ଏକାଥରକେ ତିନିଟାଯାକ ଡିଆଁ ମାରି ଚମ୍ପଟ ।
ଆସିକି ଲୁଗା ବାହାର କଲେ ସନ୍ଧ୍ୟା ଦେବାକୁ ଯିବେ ବୋଲି । ସଞ୍ଜ ନଇଁ ଆସିଲାଣି, ଦାଣ୍ଡରେ ଛୋଟ ଛୁଆଗୁଡ଼ାଙ୍କର କୋଳାହଳ । ସେଇ ସମୟରେ ସୁନୁପାମ୍ପୁଡ଼ି ବାଲାଟେ ଘଣ୍ଟି ବାଡ଼େଇ ସାଇକଲଟିଏ ଧରି ବଡ଼ ପାଟିରେ ଡାକ ଛାଡ଼ିଲା “ସୁନୁପାମ୍ପୁଡ଼ି ନବ ଗୋ ସୁନୁପାମ୍ପୁଡ଼ି, ପାଞ୍ଚ ପଇସା ପେକେଟକୁ ପାଞ୍ଚ ପଇସା ।” ବଡ଼ ପୁଅ ଖନା ଆସିକି ବଉ କାନି ଟାଣିକି କହିଲା “ଏଇଟା କ‘ଣ? ମୁଁ ଖାଇବି ମୋତେ ଦେ“…. ମାଉସୀ ତ‘ ଚିଡ଼ିକି ଥିଲେ, କହିଲେ ଏଇଟା ହେଲା ଘୋଡ଼ାଡିମ୍ବ, ଖାଆନି ଯା‘ ଖେଳିବୁ । ଖନା କଉ ଶୁଣେ, ଜିଦି ଧରିକି ତଳେ ଗଡ଼ିଲା ବୋଉଲୋ ମୋତେ ଘୋଡ଼ାଡିମ୍ବ ଦେ, ମୁଁ ଖାଇବି….. ମାଉସୀଙ୍କ ସବୁ ରାଗ କୁଆଡ଼େ ପଳେଇଲା ଚଟ୍କରି । ହସି ହସି ପେଟ ଦରଜ, ଶୁଣିକି ଖନାର ଘୋଡ଼ା ଡିମ୍ବର ରାଗଭୈରବୀ । ଖନାକୁ ବୁଦ୍ଧି ହେଲା ଯାଏ ଯେବେ ସୁନୁପାମ୍ପୁଡ଼ି ବାଲା ଘର ବାଟ ଦେଇ ଯାଏ, ସେ ଜିଦି କରେ ସେଇ ଅପୂର୍ବ ଘୋଡ଼ାଡିମ୍ବ ଖାଇବା ପାଇଁ, ଆଉ ଆମେ ସବୁ ହସି ହସି ବେଦମ ହେଇଯାଉ ।।
– ଡ. ପୂଜା ଦାଶ
Comments
ଡ. ପୂଜା ଦାଶ ପେଶାରେ ଜଣେ ଅଧ୍ୟାପିକା । ସେ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ବିଭିନ୍ନ ଗଳ୍ପ, କବିତା ଓ ଛୋଟ ଛୋଟ କୋଟ୍ ଆଦି ରଚନା କରିଥାନ୍ତି । ଏତଦ୍ ବ୍ୟତୀତ ସେ ନିଜର ତାଙ୍କ ରଚିତ ଲେଖାଗୁଡ଼ିକର ରେକର୍ଡ଼ିଂ କରି ତାକୁ ୟୁ-ଟ୍ୟୁବ୍ ଭଳି ସୋସିଆଲ୍ ମିଡିଆରେ ସେୟାର୍ କରିଥାନ୍ତି ।