ଆଉ ଏକ ଗଞ୍ଜପାର ସହର

ଉତ୍କଳୀୟ ରାଜା ମହାରାଜାମାନଙ୍କ ସଉକ ବିଷୟରେ ହୁଏତ ବହୁତ କମ ଲୋକ ଜାଣନ୍ତି । ଘୋଡ଼ା ଦୌଡ଼, ଫୁଟବଲଠାରୁ କ୍ରିକେଟ ଭଳି ଆଧୁନିକ କ୍ରୀଡ଼ାରେ ରୁଚିରଖିଥିବା ରାଜା ମହାରାଜା ମାନେ ପ୍ରାଚୀନ ସାର ଖେଳକୁ ମଧ୍ୟ ନିଜ ସଉକରେ ରଖିଥିଲେ । ସେଥିମଧ୍ୟରୁ ଗଞ୍ଜପା ଖେଳ ଅନ୍ୟତମ । ଯାହା କି ସାରା ବିଶ୍ୱରେ ପରିଚିତ । ମହାରାଷ୍ଟ୍ରର ସାହୁଜୀ ଦରବାର ହେଉ କି ବ୍ରିଟିଶ ସଂଗ୍ରହାଳୟରେ ଥିବା ଗଞ୍ଜପା, ଏ ସବୁ ଆମ ଓଡ଼ିଶାର ବିଶ୍ଵଦରବାରରେ ପ୍ରସିଦ୍ଧିକୁ ସୂଚାଏ । ତେବେ ଏହି ପଟ୍ଟଚିତ୍ର, ଗଞ୍ଜପା ନାଁ ଶୁଣିଲେ ଆମେ ସିଧା ରଘୁରାଜପୁର କଥା ଭାବିନେଉ । ଆଜ୍ଞା ହଁ ଏହାର ପ୍ରସିଦ୍ଧି ଅଦ୍ଵିତୀୟ । କିନ୍ତୁ ଆଜି ଲେଖା ରଘୁରାଜପୁରର ନୁହଁ । ଓଡ଼ିଶାରେ ଗଞ୍ଜପାର ତିଆରି ବିଶେଷ କରି ରଘୁରାଜପୁର, ସୋନପୁର, ଦିଗପହଣ୍ଡି, ଧରାକୋଟ ଓ ପାରଳାଖେମୁଣ୍ଡି ଆଦି ଅଞ୍ଚଳରେ ହେଉଥିଲା । ସଧାରଣ ଚିତ୍ର ଶୈଳୀ ଓ ନିର୍ମାଣ ଶୈଳୀରେ ପାରଳାର ଗଞ୍ଜପା ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିଲା । ଏହି ସହରର ପଟ୍ଟଚିତ୍ର ଓ ଗଞ୍ଜପା ନିର୍ମାଣ ବିଧି ଅନ୍ୟ ଅଞ୍ଚଳରୁ ସମ୍ପୂର୍ଣ୍ଣ ଭିନ୍ନ ।

Atharangi Ganjapa
ଆଠରଙ୍ଗୀ ଗଞ୍ଜପା

ବିଶେଷ କରି ଦକ୍ଷିଣ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଏହା ଚକାମୁଠି ଭାବେ ପରିଚିତ । ଏହାର ରଙ୍ଗ ଓ ଖେଳିବା ସଂଖ୍ୟାକୁ ନେଇ ଏହା ଭିନ୍ନ ଭିନ୍ନ ନାମରେ ନାମିତ । ବିଶେଷ କରି ଆଠରଙ୍ଗି ଗଞ୍ଜପା ଯାହା ୯୬ ପତ୍ର ବିଶିଷ୍ଟ ତାହା ରଜାମନ୍ତ୍ରୀ ଚକାମୁଠି ଭାବେ ବେଶ ପରିଚିତ । ଏହାକୁ ଚାରିଜଣ ଏକସଙ୍ଗେ ଖେଳିପାରିବେ, ଯେଉଁଥିରେ ୧୨୦ ଓ ୧୪୪ ପଟରେ ଖେଳିବା ବି ଏଠାରେ ସ୍ୱାତନ୍ତ୍ର୍ୟ ରହିଛି । ସେହିପରି ଚାରିରଙ୍ଗି, ଷୋଳରଙ୍ଗି ମଧ୍ୟ ହୋଇଥାଏ । ଏଥିରେ ଏକ ଡାଳିରୁ ଆରମ୍ଭ କରି ରାଜା, ମନ୍ତ୍ରୀ, ଓ ଯୋଦ୍ଧା ଚିତ୍ର ଅଙ୍କିତ ହୋଇଥାଏ । ଏହି ଚିତ୍ର ଅଙ୍କନ ଶୈଳୀଟି କିପରି ରଘୁରାଜପୁରରୁ ଭିନ୍ନ ତାହା ନିମ୍ନ ଚିତ୍ରରୁ ଠିକ ବାରି ହୋଇଯାଏ ।

Dasabatar Ganjapa
ଦଶାବତାର ଗଞ୍ଜପା , ସୌଜନ୍ୟ- ସୁନୀଲ ପଟନାୟକ

ରୁବଣ:

ଗଞ୍ଜପା ତିଆରି ପାଇଁ ଗୋଲାକାର କାଗଜକୁ ନିଆଯାଇଥାଏ । ସେଥିରେ ଖଦଡ଼ କନାକୁ ଚକ୍ରାକୃତି କଟାଯାଇ, ଦୁଇଭାଗରେ ଯୋଡ଼ିବା ପାଇଁ ବ୍ୟବସ୍ଥା କରାଯାଏ । ପ୍ରଥମଟି ଆପୁଚି ମଣ୍ଡରେ (ତେନ୍ତୁଳି ମଞ୍ଜିକୁ ସିଝାଇ ବାଟି ପ୍ରସ୍ତୁତ କରିବା ଅଠା) ବୁଡ଼ାଯାଏ । ଅନ୍ୟଭାଗକୁ ଶାମୁକା ଗୁଣ୍ଡର ମିଶ୍ରଣରେ ବୁଡ଼ାଯାଏ । ଏହାପରେ ଓଲଟ ବଦଳ କରି ସୂର୍ଯ୍ୟ ତାପରେ ଶୁଖାଇ ଦିଆଯାଏ । ଏହାକୁ ରୁବଣ ଲଗା କାମ କୁହାଯାଏ । ରୁବଣ ଲଗା ପରେ ବାଲି କନା ନହେଲେ ଖଦଡ଼ ପଥରରେ ଉକ୍ତ ଗଞ୍ଜପାକୁ ଘଷି ଚିକ୍କଣ କରାଯାଏ ।

Making of Ganjapa
ଗଞ୍ଜପା ତିଆରି ରେ ବ୍ୟସ୍ତ ପାରଳା କବିଚନ୍ଦ୍ର ସାହି ଚିତ୍ରକାର ପରିବାର

ଏହା ପରେ ଖେଳର ହିସାବକୁ ଧରି ପାରମ୍ପରିକ ରଙ୍ଗ ଦିଆଯାଏ । କେବେ ଆଠ, କେବେ ବାର ଏଭଳି ଭିନ୍ନ ରଙ୍ଗ ଦେଇ ହାତୀ, ଘୋଡ଼ା, ଯୋଦ୍ଧାଦି ଅଙ୍କାଯାଏ । ପଛ ଭାଗଟିରେ ଲାଲ ରଙ୍ଗ ଦେଇ ଗଞ୍ଜାମ ପ୍ରସିଦ୍ଧ କିଆ ଫୁଲର ଚିତ୍ର କରାଯାଏ । କୁହାଯାଏ ପୂର୍ବ କାଳରେ ଏଥିରେ କିଆ ଫୁଲ ବଦଳରେ ସୁନା କିମ୍ବା ରୂପାର ଛାଞ୍ଚ ଦିଆଯାଉଥିଲା । ଏବେ କିନ୍ତୁ ଆଉ ତାହା ନାହିଁ । କିଛି ସାହିତ୍ୟିକଙ୍କ ମତ ଯେ ତୁର୍କ ଦେଶରୁ ଏହା ବାଣିଜ୍ୟିକ ସୂତ୍ରରେ ଆସିଥାଇପାରେ । କିନ୍ତୁ ଏହା ଓଡ଼ିଶାରେ ଗତ ୧୨୦୦ ବର୍ଷ ଧରି ଜୀବିତ । ଆଜିକା ଯୁଗରେ ଏହା ଭାରି କଷ୍ଟକର କାମ ହୋଇଗଲାଣି । ଏହା ପ୍ରସ୍ତୁତ କରିବା ପାଇଁ ଏକ ସପ୍ତାହ ଲାଗିଯାଏ । କିନ୍ତୁ କଷ୍ଟ ହିସାବରେ କାରିଗରଟିଏ ପାରିଶ୍ରମିକ ପାଇପାରେନାହିଁ ।

Ganjapa Cards
ଚିତ୍ର ସୌଜନ୍ୟ- ଗୁପ୍ତେଶ୍ଵର ମହାପାତ୍ର

ଗଞ୍ଜପାର ପ୍ରକାର:

ପାରଳାର ଗଞ୍ଜପାରେ ରଜା ମନ୍ତ୍ରୀ ଗଞ୍ଜପା ଛଡ଼ା, ଦଶାବତାର, ରାମାୟଣ, ମହାଭାରତ, ବାରରାଶି, ୨୭ ନକ୍ଷତ୍ର, ଅଷ୍ଟମଲ୍ଲ, ଓ ନବଗ୍ରହ ଅନ୍ୟତମ । ଯାହାର ତିଆରି ଧୀରେ ଧୀରେ ଲୋପ ହେବାକୁ ବସିଲାଣି ।

Raja Mantri Chakamuthi Sara
ରାଜା ମନ୍ତ୍ରୀ ଚକାମୁଠି ସାର

ପାରଳାରେ ୨୫-୩୦ ପରିବାର ଏହି ବୃତ୍ତି କରିଆସୁଥିଲେ । ଏଥିମଧ୍ୟରୁ ବିନ୍ଧାଣିରତ୍ନ, ମହାପାତ୍ର ଓ ପାଇକରାୟ ପରିବାର ଅନ୍ୟତମ । ସେମାନେ ଏହି କୌଳିକ ବୃତ୍ତିକୁ ଧୀରେ ଧୀରେ ଛାଡ଼ି ଆଧୁନିକ ମାର୍ବଲ ଖୋଦେଇ କାମରେ ଲାଗିଲେଣି । ଯାହାହେଉ ପରମ୍ପରାକୁ ବଞ୍ଚେଇବା ପାଇଁ ସୀମାଞ୍ଚଳ ବାବୁଙ୍କ ପରିବାର ଆଜି ମଧ୍ୟ ଏହି କଳାକୁ ବଞ୍ଚେଇ ରଖିଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରେ ଅନେକ ପୁରସ୍କାର ବି ପାଇଛନ୍ତି । ଏ ସମ୍ପର୍କରେ ବାବୁଲା ମହାପାତ୍ର ମତ ଦିଅନ୍ତି ଯେ ଉକ୍ତ କାମ ପାଇଁ ସରକାର କେବେ ସେମାନଙ୍କ ପ୍ରଚାର ପ୍ରସାର ନିମନ୍ତେ ଦୃଷ୍ଟି ଦେଇ ନାହାନ୍ତି । ସେଥିପାଇଁ ସେମାନେ ପେଟ ପୋଷିବାର ଅନ୍ୟ ରାସ୍ତା ଖୋଜୁଛନ୍ତି, ଯାହାଦ୍ୱାରା ଦୁଇ ଓଳା ଖାଇବା ପାଇଁ ମିଳିପାରିବ । ଏଥିନେଇ କୈଳାସ ଓ ଟୁନା ମହାପାତ୍ର ମତ ଦିଅନ୍ତି ଯେ ଆଜିକା ଯୁଗରେ ପାରଳାର କାମକୁ କିଏ ଜାଣୁ ନାହାନ୍ତି । ଆଗରେ ଥିବା ଚାହିଦା ଆଜି ଆଉ ନାହିଁ । ଯାହା ଦ୍ୱାରା ଏ କଳା ଦିନେ ଲୋପ ପାଇଯିବ

Ramayana Ganjapa
ରାମାୟଣ ଗଞ୍ଜପା , ସୌଜନ୍ୟ- vistara-e-foundation

ଗଞ୍ଜପା, ତିଆରି ଖର୍ଚ୍ଚ ଓ ଯାବତୀୟ ସରଞ୍ଜାମର ହିସାବକୁ ନେଇ ୬୦୦ ଟଙ୍କାରୁ ୭୦୦୦ ଟଙ୍କା ଯାଏଁ ବିକ୍ରି ହୋଇଯାଏ । କିନ୍ତୁ ବିଦେଶୀ ଚାହିଦା ଥିଲେ ମଧ୍ୟ ଏହାର ପ୍ରଚାର ପ୍ରସାର ଅଭାବ ଯୋଗୁଁ ଆଜି ଏହା ଅବକ୍ଷୟ ମୁଖୀ । ଯଦି ସରକାରଙ୍କ ପାଖରେ ଏହି କଥା ପହଞ୍ଚି ପାରିବ । ଆମ ଉତ୍କୃଷ୍ଟ କଳାର ପ୍ରଚାର ହେଲେ ଏହି ଭାଗଟିର ଗୌରବ ବଜାୟ ରହିବ ।

Ganjapa Card
ଚିତ୍ର ସୌଜନ୍ୟ- ଦେବାଶିଷ ପାଢ଼ି

ଏହି ଲେଖା ପାଇଁ ପାରଳା ଚିତ୍ରକାର ଗଣଙ୍କୁ (ସୀମାଞ୍ଚଳ, ବାବୁଲା, ରଞ୍ଜିତ, ଟୁନା ମହାପାତ୍ର) ଏବଂ ଲେଖାର ଆଦି ସୂଚକ ସୁନୀଲ ପଟନାୟକଙ୍କୁ ଧନ୍ୟବାଦ ଦେବି ।

ବିଷ୍ଣୁମୋହନ ଅଧିକାରୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...