ଆମେ ଓଡ଼ିଆ ୧୨ ମାସରେ ୧୩ ଯାତ ପାଳନ କରିଥାଉ… ଆମର ପର୍ବପର୍ବାଣୀ ସହ ଆମର ଖାଦ୍ୟ ପେୟ ଆଉ ପିଠାପଣାର ସମ୍ବନ୍ଧ ଭାରି ନିବିଡ଼ । ଯେମିତି ପ୍ରଥମାଷ୍ଟମୀ ଆସିଲେ ଆମେ ଏଣ୍ଡୁରୀପିଠା କରିବାକୁ ଭୁଲିନଥାଏ, ରଜ ଆସିଲେ ପୋଡ଼ପିଠା, ସେମିତି ଦୀପାବଳି ସମୟରେ ବଡ଼ବଡ଼ିଆଙ୍କୁ ପଇଁଆ କାଠି ଜାଳି ଡାକିବା ସମୟରେ କେତେକ ସ୍ଥାନରେ ଗଇଁଠା ପିଠାର ମଧ୍ୟ ପ୍ରସ୍ତୁତ କରାଯାଏ । ତେବେ ଆସନ୍ତୁ ଦେଖିବେ, ଶିଖିବା ଆମେ କେମିତି ଆମ ଘରେ ଗଇଁଠା ପିଠା ପ୍ରସ୍ତୁତ କରୁ ।
ଆବଶ୍ୟକୀୟ ଉପାଦନ:
୧. ଅରୁଆ ଚାଉଳ
୨. ନଡ଼ିଆ କୋରା
୩. କ୍ଷୀର
୪. ବାଦାମ
୫. କାଜୁ
୬. ଚିନି
୭. ଲୁଣ
୮. ଅନ୍ନପୂର୍ଣ୍ଣା ପତ୍ର
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଅରୁଆ ଚାଉଳରୁ ଚୂନା ପ୍ରସ୍ତୁତ କରିଦିଅନ୍ତୁ । ଚୂନା ପ୍ରସ୍ତୁତ ପାଇଁ ଚାଉଳକୁ ବେଶୀ ସମୟ ନ ବତୁରେଇ ଅଳ୍ପ ସମୟ ବତୁରେଇଲେ ଭଲ ।
- ଏବେ ଚୂନାରୁ ଖଳି ପ୍ରସ୍ତୁତ କରିବା ପାଇଁ ଏକ କଢ଼େଇରେ କିଛି ପାଣି ନେଇ ଗରମ କରନ୍ତୁ ଏବଂ ସେଥିରେ ଆବଶ୍ୟକ ଅନୁସାରେ ଲୁଣ ଓ ଚିନି ମିଶାନ୍ତୁ ।
- ପାଣି ଫୁଟିଲାପରେ ଧୀମା ଆଞ୍ଚରେ ଚାଉଳ ଚୂନାକୁ ପକେଇ ଘାଣ୍ଟନ୍ତୁ, ଲଗାତାର ଘାଣ୍ଟୁଥିବେ ନହେଲେ ଲାଗିଯାଇପାରେ । ଏବେ ଖଳି ପ୍ରସ୍ତୁତ ହେଇଗଲା ।
- ଖଳିକୁ ଭଲ ଭାବରେ ଚକୁଟି ଦିଅନ୍ତୁ ଏବଂ ଏହାକୁ ଛୋଟ ଛୋଟ ଗୋଲ୍ଗୋଲ୍ ଗୁଲା କରିଦିଅନ୍ତୁ ।
- ଏହାପରେ ଏକ କଢ଼େଇରେ ଆଉ କିଛି ପାଣି ଗରମ କରନ୍ତୁ, ସେଥିରେ ମଧ୍ୟ କିଛି ଲୁଣ ଓ ଚିନି ମିଶାନ୍ତୁ ।
- ଏଥର ପାଣିଫୁଟିଲେ ଛୋଟ ଛୋଟ ଗୁଲାକୁ ସେଇଥିରେ ପକେଇଦିଅନ୍ତୁ ଏବଂ ଏବେ ଘାଣ୍ଟିଲା ସମୟରେ ଟିକେ ଅଧିକ ଯତ୍ନଶୀଳ ହେବା ଆବଶ୍ୟକ, ନହେଲେ ଭାଙ୍ଗିଯାଇପାରେ ।
- ସିଝିଆସିଲେ ସେଥିରେ କୋରା ନଡ଼ିଆ, କ୍ଷୀର, ଯଦି ଆବଶ୍ୟକ ହେଉଥାଏ ଆଉ କିଛି ଚିନି, ବାଦାମ, କାଜୁ ଆଦି ପକାନ୍ତୁ । ଭଲ ବାସ୍ନା ପାଇଁ ସେଥିରେ ଅନ୍ନପୂର୍ଣ୍ଣା ପତ୍ର ପକାଇପାରିବେ ।
- ଧୀମା ଆଞ୍ଚରେ କିଛି ସମୟ ଫୁଟାନ୍ତୁ ।
ଏବେ ଆମ ଗଇଁଠା ପିଠା ଖାଇବା ପାଇଁ ପ୍ରସ୍ତୁତ । କିନ୍ତୁ ଏହାକୁ ଥଣ୍ଡା କରି ଖାଇଲେ ଅଧିକ ସ୍ୱାଦ ଲାଗିଥାଏ । ଯେତେ ଅଧିକ ଥଣ୍ଡା ହେବେ, ସେତେ ଅଧିକ ଭଲ ଲାଗିବ । ଗଇଁଠା ପିଠା ମୁଖ୍ୟତଃ ବଉଳ ଅମାବାସ୍ୟା ସମୟରେ ଭୋଗ ଲାଗିକରାଯାଇଥାଏ, କିନ୍ତୁ କେତେକ ସ୍ଥାନରେ ଦୀପାବଳିରେ ମଧ୍ୟ କରାଯାଏ ।
Comments
ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।