ମାଘ ମାସ ସଂକ୍ରାନ୍ତି ତଥା ମକର ସଂକ୍ରାନ୍ତି ଅବସରରେ ଚଳଚଞ୍ଚଳ ହୋଇଉଠେ କେନ୍ଦୁଝର ଜିଲ୍ଲାର ଅନ୍ୟତମ ଦେବୀପୀଠ; ମାଆ ଗଡ଼ଚଣ୍ଡୀ ପୀଠ (Gadachandi Pitha), ଯାହାକି ୧୯୯୮ ମସିହାରେ (ମନ୍ଦିର ପରିସରରେ ଥିବା ଫଳରେ ଉଲ୍ଲେଖ ଅଛି) ପର୍ଯ୍ୟଟନର ମାନ୍ୟତା ପାଇଥିଲା ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ ତରଫରୁ ।
ମକର ସଂକ୍ରାନ୍ତି ଦିନଠାରୁ ତିନିଦିନ ଧରି ସେଠାରେ ଆୟୋଜନ କରାଯାଇଥାଏ ଏକ ଶାନ୍ତିଯଜ୍ଞ, ଯେଉଁଠାରେ ଶତାଧିକ ଲୋକଙ୍କର ସମାଗମ ହୋଇଥାଏ । ଏକ ଛୋଟ ମେଳା ବସେ, ଅନେକ ଦୋକାନପତ୍ର ଖୋଲେ, ଯେଉଁଠାରେ ଆପଣମାନେ କିଛି ସ୍ଥାନୀୟ ପଣ୍ୟଦ୍ରବ୍ୟ ମଧ୍ୟ ପାଇପାରିବେ । ଖାଲି ମକର ମେଳା ନୁହେଁ ତା’ ପୂର୍ବରୁ ମଧ୍ୟ ଲୋକମାନେ ବଣଭୋଜି କରିବାକୁ ଏହି ସ୍ଥାନଟିକୁ ଆସିଥାନ୍ତି ।
ଗଡ଼ଚଣ୍ଡୀ ମନ୍ଦିରଠାରୁ ମାତ୍ର ୪/୫ କିଲୋମିଟର ଦୂରରେ ରହିଛି ପୋଡ଼ା ସିଙ୍ଗିଡ଼ିର ରାମଚଣ୍ଡୀ ମନ୍ଦିର ଏବଂ ମାତ୍ର ୧୦/୧୨ କିଲୋମିଟର ଦୂରରେ ରହିଛି ହଦଗଡ଼ର ସାଳନ୍ଦୀ ନଦୀବନ୍ଧ ବା ଡ୍ୟାମ୍ । ଏହି ସ୍ଥାନଟିକୁ ବୁଲିବାକୁ ଆସିଲେ କିମ୍ବା ହଦଗଡ଼ ଡ୍ୟାମ୍ ନିକଟରେ ଭୋଜି କଲେ ଉଭୟ ସ୍ଥାନର ଦର୍ଶନ ହେଇଯାଏ ।
୫୩ ନମର ଜାତୀୟ ରାଜପଥରେ ଆନନ୍ଦପୁର ପଟୁ ଆସିଥିଲେ ଛେନାପଦି ଠାରୁ ବାମପାର୍ଶ୍ୱ ରାସ୍ତାରେ ପାହାଡ଼ କଡ଼େ କଡ଼େ ଯିବାକୁ ପଡ଼ିଥାଏ ହଦଗଡ଼ ଡ୍ୟାମ୍ ପାଖକୁ କିମ୍ବା ବିଦ୍ୟାଧରପୁର ବ୍ୟାରେଜ୍ ଆଡ଼କୁ । ବାଟରେ ପଡ଼େ ମା’ ଗଡ଼ଚଣ୍ଡିଙ୍କର ପୀଠକୁ ରାସ୍ତାଟିଏ । ଆଗରୁ ନାଲିଗୁଡ଼ି ପଡ଼ିଥିବା ରାସ୍ତାଟି ଏବେ ପିଚୁ ରାସ୍ତାରେ ପରିଣତ ହୋଇସାରିଛି ଏବଂ ଏହି ରାସ୍ତାଟିକୁ ଚିହ୍ନିବାରେ କିଛି ଅସୁବିଧା ନହେବା ପାଇଁ ସେଠାରେ ୧୯୯୭ ମସିହାରେ ଏକ ପକ୍କା ତ୍ୱରଣ ନିର୍ମାଣ କରାଯାଇଥିଲା, ଯାହାକି ଏବେ ବି ମା’ଙ୍କ ନିକଟକୁ ଆସୁଥିବା ସମସ୍ତ ଭକ୍ତଜନଙ୍କୁ ସ୍ୱାଗତ କରୁଛି ।
ପାହାଡ଼ ମୂଳକୁ ଲାଗି ରହିଥିବା ଏହି ମନ୍ଦିରଟିରେ ମକର ମେଳା ବ୍ୟତୀତ ଦଶହରା ମଧ୍ୟ ବଡ଼ ଧୁମ୍ଧାମ୍ରେ ପାଳନ କରାଯାଇଥାଏ । ମନ୍ଦିର ପାର୍ଶ ଦେଇ ବହିଯାଇଥିବା ଏକ ଝରଣାର କୁଳୁକୁଳୁ ଶବ୍ଦ ସାଙ୍ଗକୁ ନାନାଜାତିର ପକ୍ଷୀଙ୍କର କାକଳୀ ମନ୍ଦିର ପରିସରକୁ ବେଶ୍ ମନମୁଗ୍ଧକର କରିଥାଏ ।
ଏହି ମନ୍ଦିରକୁ ଲାଗି ରହିଥିବା ପାହାଡ଼ ଉପରକୁ ମଧ୍ୟ ଚଢ଼ିପାରିବେ, କିନ୍ତୁ ଧ୍ୟାନ ରଖିବା ଦରକାର ଯେ ସାମାନ୍ୟ ଅସାବଧାନତା ଏକ ବଡ଼ କ୍ଷତି କରିପାରେ । ଅବଶ୍ୟ ଏହି ପାହାଡ଼ ଚଢ଼ିବାରେ ସେଠାକାର ଆଖପାଖର ଲୋକମାନେ ସିଦ୍ଧହସ୍ତ ଏବଂ ସେମାନଙ୍କ ମତରେ ପାହାଡ଼ ଚଢ଼ି ଉପରକୁ ଗଲେ ମନ୍ଦିର ପାର୍ଶ୍ୱରେ କୁଳୁକୁଳୁ ଶବ୍ଦ କରି ବହିଯାଉଥିବା ଝରଣାଟିର ଉତ୍ପତ୍ତିସ୍ଥଳ ଦେଖିବାକୁ ମିଳିବ ।
ମାଆ ଗଡ଼ଚଣ୍ଡୀ ହେଉଛନ୍ତି ସେଠାକାର ସ୍ଥାନୀୟ ସିଙ୍ଗିଡ଼ି ଗଡ଼ର ଦେବୀ, ଯିଏକି ସିଂହବଂଶର ରାଜାଙ୍କର ରକ୍ଷା କରୁଥିଲେ । ସମୟକ୍ରମେ ଏହି ରାଜବଂଶର ନିପାତ ହୋଇଯାଇଥିଲା, ରାଜପ୍ରାସଦ ଶ୍ରୀହିନ ହୋଇଯାଇଥିଲା, କିନ୍ତୁ ମା’ଙ୍କର ପ୍ରତିମୂର୍ତ୍ତି ସେହି ପାହାଡ଼ ଉପରେ ହିଁ ରହିଯାଇଥିଲା । ଏକ ଅଶୋକ ବୃକ୍ଷର ଜଙ୍ଗଲ ଭିତରେ ସେହି ଝରଣାଟି ନିକଟରେ ସେବେ ପୂଜା ପାଉଥିଲେ ମା’ ଗଡ଼ଚଣ୍ଡି ।
ପାହାଡ଼ ଉପରକୁ ସବୁବେଳେ ଯିବା ଯେହୁତୁ ସହଜ ସାପେକ୍ଷ ହେଉନଥିଲା, ୧୯୮୨ ମସିହାରେ ସ୍ଥାନୀୟ ଯୁବକମାନଙ୍କର ମିଳିତ ଉଦ୍ୟମରେ ମା’ ଗଡ଼ଚଣ୍ଡୀଙ୍କ ନାମରେ ଏକ ସଂଘ ଆରମ୍ଭ କରାଯାଇ ମା’ଙ୍କର ମନ୍ଦିର ପ୍ରତିଷ୍ଠା କରିବା ସହିତ ୧୯୮୩ ମସିହାରୁ ମକର ମେଳା ଆରମ୍ଭ କରାଯାଇଥିଲା । ଆଜି ମଧ୍ୟ ସେହି ଯୁବକ ସଂଘର କେତେଜଣେ ପୁରୋଧା ମା’ଙ୍କ ମକର ମେଳା ଏବଂ ଦଶହରା ମେଳା କଥା ବୁଝିଆସୁଛନ୍ତି ।
ଯଦି କେହି ଏହି ସ୍ଥାନଟିକୁ ବୁଲିବାକୁ ଯିବେ, ତେବେ ସ୍ଥାନୀୟ ଲୋକଙ୍କର ସହାୟତାର ସିଙ୍ଗିଡ଼ି ଗଡ଼ର ରାଜପ୍ରାସଦ ଏବଂ ରାଣୀହଂସପୁର ମଧ୍ୟ ଆପଣମାନେ ବୁଲିଦେଖିପାରିବେ, ଅବଶ୍ୟ ଯତ୍ନ ଅଭାବରୁ ତାହା ନଷ୍ଟ ହେଇଯିବାକୁ ବସିଛି । ସମୟ ଅଭାବରୁ ମୁଁ ଏହା ଦେଖିବାକୁ ଯାଇପାରିନଥିଲି ।
ଜୟ ମା’ ଗଡ଼ଚଣ୍ଡୀ ।
– ସଂଗ୍ରାମ କେଶରୀ ସେନାପତି
Comments
ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।