“ଆରେ ମାନୁ ସେ ଗଛ କାହିଁକି କାଟୁଛୁ?” ୭୦ ବର୍ଷର ବୃଦ୍ଧ ଆଦିକନ୍ଦ ତାଙ୍କ ପୁଅକୁ ପଚାରୁଥାନ୍ତି ।
“ଗଛଟା ତ ଏତେ ବୁଢ଼ା ହୋଇଗଲାଣି ତାକୁ ରଖି ଲାଭ କ’ଣ?” ମାନୁ ଗଛପ୍ରତି ଉପେକ୍ଷା କରି କହୁଥାଏ ।
“ହେଲେ ଏଇ ଆମ୍ୱ ଗଛ ଆମର କେତେ ପିଢ଼ିକୁ ଫଳ ଦେଇଛି । ତା’ ପତ୍ର କେତେ କେତେ ପୂଜା ପାର୍ବଣରେ ଲାଗିଛି । ତା’ ଡାଳରେ କେତେ ପକ୍ଷୀ ବସା କରି ରହିଛନ୍ତି । ତା’ର ଏତେ ଉପକାର ସତ୍ତ୍ୱେ ବି ତୁ ତାକୁ କାଟିଦେବାକୁ ଚାହୁଁଛୁ?”
“କେତେ କ’ଣ ଉପକାର କରିଛି ତାର ହିସାବ ମୋର ଆବଶ୍ୟକ ନାହିଁ । ହେଲେ ଏବେ ତ ଆଉକିଛି କାମକୁ ଆସୁନାହିଁ ।”
“କେମିତି କାମରେ ଆସୁନାହିଁ କହିଲୁ? ଗରମ ଦିନରେ ଉପର ବେଳା ତା’ ତଳେ ବସି ଆରାମ ନେଉଛୁ । ପିଲାମାନେ ରଜରେ ରଜଦୋଳି କରି ତାହାରି ଡାଳରେ ଝୁଲୁଛନ୍ତି । ତୋତେ କ’ଣ ଟିକେ ଦୟା ଲାଗୁନାହିଁ ଏଭଳି ଉପକାରୀ ଗଛକୁ କାଟିଦେବାକୁ ବସିଛୁ?”
“ଓହୋ ବାପା ! ତୁମେ ଅଯଥା ଗଛର ପ୍ରଶଂସା କରି ଚାଲିଛ । ୪ ବର୍ଷ ହେବ ସେଥିରେ ଫଳ ଫଳୁନାହିଁ । ସେଥିରେ ପୁଣି ତା’ ପତ୍ର ପଡ଼ି ଅପରିଷ୍କାର ହେଉଛି ଆଉ ନାଳ ନାର୍ଦ୍ଦମା ପୋତି ଯାଉଛି । ବର୍ଷା ଦିନରେ ପତ୍ର ସବୁ ପଚିସଢ଼ି ଦୁର୍ଗନ୍ଧ ହେଉଛି । ଏତେସବୁ ପରେ ଗଛଟାକୁ ରଖି ଲାଭ କ’ଣ ମିଳିବ?”
“ଆଛା ତୁ କହିଲୁ ମୁଁ ତ ବୁଢ଼ା ହୋଇଗଲିଣି । କିଛି କାମରେ ଆସୁନାହିଁ ବୋଲି ମୋତେ କ’ଣ ମାରିଦେବୁ ନା ଘରୁ ବାହାର କରିଦେବୁ? ତୁ ଭୁଲି ଯାଉଛୁ ସମସ୍ତଙ୍କର ଦିନେନା ଦିନେ ଏହିପରି ଅବସ୍ଥା ଆସିବ । ଭବିଷ୍ୟତରେ ଏଇ ଗଛ ପରି, ମୋ ପରି ତୋ’ର ବି ସେଇ ଅବସ୍ଥା ହେବ । ସେତେବେଳେ ତୋ’ ପୁଅ ଯଦି ତୋତେ ଘରୁ ତଡ଼ିଦେବ ତୁ କ’ଣ କରିବୁ? ଶୁଣ, ଗଛ ବୁଢ଼ା ହେଲେବି ତା’ର ଜୀବନ ଅଛି । ଏତେ ଦିନ ଧରି ଯେଉଁ ଗଛ ଆମମାନଙ୍କୁ ଫଳ ଖୋଇଛି, ଆମର କେତେ ଉପକାରରେ ଆସିଛି ତାକୁ କ’ଣ ଜୀବନରୁ ଶେଷ କରିଦେବା ଠିକ ହେବ?”
ପୁଅପ୍ରତି ଆଦିକନ୍ଦଙ୍କର ମାର୍ମିକ ଉପଦେଶରେ ମାନୁର ହୃଦୟ ପରିବର୍ତ୍ତନ ହୋଇଗଲା । ସେ ଆଉ ଗଛ କାଟିବନାହିଁ ବୋଲି ବାପାଙ୍କଠାରୁ କ୍ଷମା ମାଗି ନିଜ ଭୁଲ୍କୁ ସୁଧାରିବା ଲାଗି ପ୍ରତି ସପ୍ତାହରେ ଗଛଟିଏ ଲଗାଇବ ବୋଲି ସ୍ଥିର କଲା ।
– ସୁଧାଂଶୁ ଦ୍ୱିବେଦୀ
Comments
ସୁଧାଂଶୁ ଶେଖର ଦ୍ୱିବେଦୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।