ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ ଆଉ ସଂସ୍କୃତି ବି ଓଡ଼ିଆ । ସେହି ସଂସ୍କୃତିର ପୂରାତନ ପରମ୍ପରା ମଧ୍ୟରେ ବୋଇତ ବନ୍ଦାଣ ଅନ୍ୟତମ । ପୂର୍ବକାଳରେ ଓଡ଼ିଆ ସାଧବମାନେ ବେପାର ବଣିଜ ପାଇଁ ସେମାନଙ୍କର ବୋଇତରେ ଜିନିଷପତ୍ର ନେଇ ବାଲି, ଜାଭା, ସୁମାତ୍ରା ଆଦି ସ୍ଥାନମାନଙ୍କୁ ଯାତ୍ରା କରୁଥିଲେ । ଏହି ଯାତ୍ରା ମୁଖ୍ୟତଃ କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ କରିନ୍ତି ବୋଲି ଇତିହାସରୁ ଜଣାପଡ଼େ ଏବଂ ଓଡ଼ିଶାରୁ ସମୁଦ୍ର ପଥଦେଇ ଯିବାପାଇଁ ମହାନଦୀ ପଠା ସର୍ବୋତ୍କୃଷ୍ଟ ସ୍ଥାନ । ତେଣୁ ସେଠାରେ ସେମାନଙ୍କର ପରିବାରବର୍ଗ ବୋଇତ ପୂଜାକରି ସେମାନଙ୍କୁ ବନ୍ଦାପନା କରି ବିଦାୟ ଦେଇଥାନ୍ତି ।
ଅନେକ ବର୍ଷ ପରେ ଆଜି ଆଉ ବାଲିଦ୍ୱୀପକୁ ସମୁଦ୍ର ଦେଇ ସାଧବମାନେ ବୋଇତ ନେଇ ଯାତ୍ରା କରୁନାହାନ୍ତି, ବରଂ ଉଡ଼ାଯାହାଜ ଓ ଜଳଯାହାଜ ତା’ର ସ୍ଥାନ ନେଇଗଲାଣି । କିନ୍ତୁ, ଓଡ଼ିଶାର ଏହି କୀର୍ତ୍ତିମୟ ଇତିହାସକୁ ମନେ ପକାଇବାକୁ ଆମେ ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ କଦଳୀ ପଟୁଆ ଓ ସୋଲ ଆଦି ଡଙ୍ଗାକୁ ପୂଜା କରି ନଦୀ, ସମୁଦ୍ର, ଗାଡ଼ିଆ ଆଦିରେ ଭସାଉ । ଆଜି ସକାଳେ ମଧ୍ୟ ମୁଁ ଡଙ୍ଗାଭସାର କିଛି ଫଟୋ ଉଠାଇବାକୁ ସାଳନ୍ଦୀ ନଦୀକୂଳରେ ପହଞ୍ଚିଥିଲି । ଫଟୋ ଉଠାବାରେ ସୁବିଧା ହେବ ବୋଲି ମୁଁ ଡଙ୍ଗା ଭସାଉଥିବା ସ୍ଥାନରୁ କିଞ୍ଚିତ ଦୂରରେ ଥିଲି । ଭସାଯାଉଥିବା ଡଙ୍ଗାଗୁଡ଼ିକ ସେହି ପାର୍ଶ୍ୱ ଦେଇ ଯାଉଥିବାରୁ କେହି କେହି ସିଧା ସେଇଠିକି ଆସି ଭସାଉଥିଲେ ।
ଏତିକିବେଳେ ଗୋଟିଏ ପିଲା ଉପରେ ମୋ ନଜର ପଡ଼ିଲା ଆଉ ସେ ପିଲାର ବାପାମାଆ ତାକୁ ଡଙ୍ଗା ଭସାଇବା ପାଇଁ ବାଧ୍ୟ କରୁଥିଲେ । ନଦୀର କାଦୁଅ ଦେଖି ପିଲାଟି ପାଣିକୁ ପଶିବାକୁ ଡରୁଥିଲା । ଶେଷରେ ସେ ଗଲାନାହିଁ, ତା’ ମାଆ ତା’ର ଡଙ୍ଗାକୁ ଭସାଇଦେଲା । କିନ୍ତୁ ସେ ପିଲାଟି ଡଙ୍ଗା ସହିତ ଫଟୋ ଆଉ ସେଲ୍ଫି ଉଠାଇବାକୁ ଭୁଲିନଥିଲା । ଏଥିରେ ତା’ର ଦୋଷ ବା କ’ଣ ଯେ ! ସବୁ ସାଙ୍ଗମାନେ ସୋସିଆଲ ମିଡ଼ିଆରେ ଫଟୋ ଛାଡ଼ିବେ ଆଉ ସେ ଯଦି ନ ଛାଡ଼ିବ, ତା’ର ସାଙ୍ଗମାନେ ଭାବିବେ କି ଏତେ ବଡ଼ ଇତିହାସକୁ ସେ ଭୁଲି ଘରେ ଶୋଇଗଲା ।
ଆମର ଓଡ଼ିଆ ସଂସ୍କୃତିର ଇତିହାସ ପରି ଓଡ଼ିଆ ଭାଷାର ଇତିହାସ ମଧ୍ୟ ବହୁତ ପୁରୁଣା, ସେଇଥିପାଇଁ ଓଡ଼ିଆ ୬ଟି ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରୁ ଗୋଟିଏ । ଆଜି ସେହି ପ୍ରାଚୀନ ଓଡ଼ିଆ ଭାଷାକୁ ନେଇ ଆମେ ଗର୍ବ କରୁ, ଓଡ଼ିଆ ଭାଷା ସାହିତ୍ୟ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁ, ଦୁଇଚାରିଧାଡ଼ି ଗାରେଇଦେଇ ନିଜକୁ ଜଣେ ପ୍ରଖ୍ୟାତ ସାହିତ୍ୟିକ ଭାବରେ ନିଜେ ଗଣୁ । କେବେ କେବେ କେହି କେହି ଓ କାହାକୁ ପ୍ରାଚୀନ କବି ବା ଲେଖକମାନଙ୍କ ସହ ତୁଳନା କରିବାକୁ ପଛାନ୍ତି ନାହିଁ । କେହି କେହି ତ ନିଜର ନାମ ପଛରେ କିଛି ଉପାଧି ନିଜେ ଲଗାଇ ଦେଲେଣି ।
ଆଜି ସକାଳେ ସେ ଡଙ୍ଗା ଭସାଇବାକୁ ଆସିଥିବା ପିଲାଟିକୁ ଦେଖିଲା ପରେ ମୋତେ କାହିଁକି କେଜାଣି ଓଡ଼ିଆ ଭାଷା ସହିତ ସେହିଭଳି କିଛି ହେଉଛି ବୋଲି ଲାଗିଲା । ସାହିତ୍ୟାଲୋଚନା ନାମରେ ଭାଷାକୁ ଛାଡ଼ି ନିଜର ପ୍ରଚାର କରିବା, ଅନ୍ୟକାହାର ପୁରୁଣା ଲେଖାକୁ ସ୍ୱଲିଖିତ ଦେଖାଇ ବାହାବା ସାଉଣ୍ଟିବା ସେ ପିଲାର ନଦୀ କୂଳରେ ଡଙ୍ଗାକୁ ଧରି ସେଲ୍ଫି ନେଲା ଭଳି ଲାଗିଲା । ଯେମିତି ଓଡ଼ିଶାର ସେହି ପ୍ରାଚୀନ ପରମ୍ପରାକୁ ପ୍ରଚାର ପାଇଁ ସାଧାରଣ ଲୋକମାନଙ୍କୁ ସରକାରଙ୍କୁ ଅନୁରୋଧ କରିବାକୁ ପଡ଼ୁଛି, ସେହିଭଳି ଓଡ଼ିଆ ଭାଷାର ପ୍ରଚାର ପାଇଁ ଅନେକ ଅନୁରୋଧ ଆଉ କାର୍ଯ୍ୟ ପରେ ମଧ୍ୟ ପରିସ୍ଥିତି ବଦଳିନଥିବାପରି ମୋତେ ଲାଗୁଛି ।
ଶୁଭପଲ୍ଲବର ସମସ୍ତ ପାଠକପାଠିକା ତଥା ଲେଖକଲେଖିକା ଏବଂ ଆମର ସମସ୍ତ ସହଯୋଗୀ ଓ ହିତାକାଂକ୍ଷୀମାନଙ୍କୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତଥା ପଞ୍ଚକର ଶୁଭକାମନା ସହ ଭେଟି ଦେଉଛୁ ଆମର ଏହି ୨୦୧୯ର ବିଶେଷ ସଂସ୍କରଣ ।
ଜୟ ଜଗନ୍ନାଥ ॥
Comments
ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।